ଭ୍ରମଣକାରୀର ପତ୍ର
ଦାର୍ଜିଲିଂ ତଳେ ହିମାଳୟର ପ୍ରତ୍ୟନ୍ତ ପର୍ବତମାନ ଯେମନ୍ତ ଚା-କ୍ଷେତ୍ରରେ ସୁଶୋଭିତ ଦିଶନ୍ତି, ଆମ୍ଭମାନଙ୍କର ପାଦତଳେ ଅସଂଖ୍ୟ ପର୍ବତ ନାନା ଶସ୍ୟ ଓ ଗ୍ରାମବାସୀମାନଙ୍କରେ ଭୂଷିତ ହୋଇ ଅତି ବିଚିତ୍ର ବୋଧ ହେଉଥିଲା । କୌଣସି କୌଣସି ପର୍ବତରେ ପୁଷିତ ରାମତିଳାର କ୍ଷେତ୍ର ପୀତାମ୍ବର ପରି ଶୋଭା ପାଉଥିଲା । ଢେଙ୍କାନାଳ, ଲହଡ଼ା, ବାମଣ୍ଡା, ବଣେଇ ଏବଂ କେନ୍ଦୁଝରର ଅନ୍ୟାନ୍ୟ ଶତଶତ ପର୍ବତ ଦୂର ଆକାଶରେ ଚିତ୍ରପଟ ପ୍ରାୟ ପ୍ରତିଭାତ ହେଉଥିଲେ । ଅଧୂକ କହିବା ପ୍ରୟୋଜନ ନାହିଁ– ଭାଷା ଏ ଦୃଶ୍ୟ ନିକଟରେ ପରାସ୍ତ । ଚାକ୍ଷୁସ ପ୍ରତ୍ୟକ୍ଷ ନ କଲେ ଏହା ବୁଝିହେବ ନାହିଁ । ଏହି ଦୃଶ୍ୟ ଆମ୍ଭମାନଙ୍କ ସ୍ମୃତିର ଗୋଟିଏ ସମ୍ପତ୍ତି ବିଶେଷ ।
ଆମ୍ଭେମାନେ ମାର୍ଗରେ ଯେଉଁ ପର୍ବତମାନ ପାରି ହୋଇ ଆସିଲୁ, ତାହା ବ୍ରାହ୍ମୀ ଅବବାହିକାର ପ୍ରାଚୀରସ୍ୱରୂପ । ସନ୍ଧ୍ୟା ସମୟରେ ଆମ୍ଭେମାନେ ବୈତରଣୀର ଅବବାହିକା ଅନ୍ତର୍ଗତ କୁଆଁର ନାମକ ଗ୍ରାମରେ ଉପସ୍ଥିତ ହେଲୁ । ଏହି ଗ୍ରାମରେ ମହାରାଜାଙ୍କର ଗୋଟିଏ ଥାନା ଏବଂ ସ୍କୁଲ ଅଛି । ଗ୍ରାମରେ ଗୋଟିଏ ସଡ଼କ ମଧ୍ୟ ଦେଖିଲୁ । ଗୋଟିଏ ଗିରିନଦୀ ଗ୍ରାମକୁ ଜଳ ଯୋଗାଉଅଛି । କନ୍ଧମାଳ ପରି ଏ ଅଞ୍ଚଳରେ ବୃହତ୍ ପଣସବୃକ୍ଷ ଅନେକ ଦେଖାଯାଏ । ବୋଲିବା ବାହୁଲ୍ୟ ଯେ ଭୂୟାଁ ପର୍ବତର ଅନ୍ୟାନ୍ୟ ଗ୍ରାମ ପରି କୁଆଁର ଚତୁର୍ଦ୍ଦିଗରେ ପର୍ବତ ବେଷ୍ଟିତ ଏବଂ ଏହାର ଲୋକବସତି ସେପାନମଞ୍ଚ ପରି ସ୍ତରାନ୍ବିତ । ମାତ୍ର ସ୍ଥାନଟି ଅପେକ୍ଷାକୃତ ପ୍ରଶସ୍ତ ଏବଂ ପରିଷ୍କୃତ ବୋଧ ହେଲା । ଏ ଅଞ୍ଚଳରେ ଗୋପାଳ ପ୍ରଧାନମାନେ ଆଗନ୍ତୁକମାନଙ୍କୁ ଦଧୂ ଉପହାର ଦିଅନ୍ତି । ଭୂୟାଁପୀଠରେ ପନୀର ପ୍ରସ୍ତୁତ ହେବାର କଥା ଆମ୍ଭେମାନେ ଏଥପୂର୍ବେ ଶୁଣିଥି । ମାତ୍ର ତାହା ଅମୂଳକ । ମାହିଷ ଦୁଗ୍ଧରୁ ଏକ ପ୍ରକାର ଛେନା ପ୍ରସ୍ତୁତ ହୁଏ । ଘିଅ ବୋଳି ତାକୁ ରଖ୍ ପାରିଲେ ପ୍ରାୟ ମାସେ କାଳ ଅବିକୃତ ଅଥବା ସ୍ଵଳ୍ପବିକୃତ ଅବସ୍ଥାରେ ରହେ । ଏହି ଛେନାକୁ ଅବା ପନୀର ବୋଲି ଭାବି ଏପରି କଥା ପ୍ରଚାର କରିଥିବେ । ଗୋଦୁଗ୍ଧ ଭୂୟାଁପୀଠରେ ଅତି ଦୁଷ୍ପାପ୍ୟ । କୁଆଁର ଗ୍ରାମର ଅଧୃଷ୍ଠାତୃ ଦେବତାଙ୍କ ନାମ ଲକ୍ଷ୍ମୀପାଟ । ଏ ଅଞ୍ଚଳର ଅଧିକାଂଶ ଗ୍ରାମଦେବତାଙ୍କ ନାମରେ “ପାଟ” ଶବ୍ଦ ସଂଯୁକ୍ତ ଥିବା ଦେଖାଯାଏ । ଲକ୍ଷ୍ମୀପାଟ ଭୂୟାଁମାନଙ୍କର ଗୋଟିଏ ପ୍ରଧାନଦେବତା । ପ୍ରତ୍ୟେକ ଆଦିମ ଜାତିପରି ଭୂୟାଁମାନଙ୍କ ମଧ୍ୟରେ ସ୍ତ୍ରୀ-ସ୍ବାଧୀନତା ଯଥେଷ୍ଟ ଅଛି । ଅଧିକାଂଶ ସ୍ଥଳରେ ପରସ୍ପର ପ୍ରତି ପ୍ରଣୟ ଜନ୍ମିଲେ ସ୍ତ୍ରୀ-ପୁରୁଷର ପରିଣୟ ସଂଘଟିତ ହୁଏ । କଥୋପକଥନ ପ୍ରସଙ୍ଗରେ ଆମ୍ଭେମାନେ ଜଣେ ପ୍ରୌଢ଼ ଭୂୟାଁକୁ ପଚାରିଲୁ, “ତୁମ ପୁଅକୁ ବାହା କରେଇଚ ? ” ପ୍ରୌଢ଼ କହିଲେ, “ନା, ବାହା କରେଇ ନାହିଁ । ଭେଣ୍ଡିଆ ହେଲାଣି, ତା’ ମନକୁ ଆସିଲେ ବଳେ ଗୋଟିଏ ନେଇ ଆସିବ । ଆଜି ଖଣ୍ଡିଏ ପାନ ଦେବ, କାଲି ଟିକିଏ ଧୂଆଁପତ୍ର ଦେବ, ଏହିପରି କନ୍ୟାର ମନ ବସିଗଲେ ବାହା ହୋଇଗଲା ।” ଏହି କଥାରୁ ପାଠକବର୍ଗ ଏମାନଙ୍କର ସରଳ ଜୀବନ ଏବଂ ବିବାହପ୍ରଥାର କେତେକ ପରିଚୟ ପାଇପାରିବେ ।
କୁଆଁରରୁ ଆମ୍ଭେମାନେ ପରଦିନ ଗୋନାସିକା ଯାତ୍ରା କଲୁ । ମାର୍ଗ ଅବଶ୍ୟ ବନ୍ଧୁର । ତୈଳା କୃଷିଯୋଗୁଁ ପର୍ବତମାନଙ୍କରେ ଅଧିକ ଅରଣ୍ୟ ନାହିଁ । ତଥାଚ ଯାହା ଅଛି, ତାହା ସମତଳ ଓଡ଼ିଶାବାସୀଙ୍କର କଳ୍ପନାତୀତ । ଏକ ଏକ ସ୍ଥାନରେ ରାମତିଳାର କ୍ଷେତ୍ର ଦୃଶ୍ୟର ବିଚିତ୍ରତା ସମ୍ପାଦନ କରୁଅଛି । ଆମ୍ଭେମାନେ ପ୍ରାୟ ଦୁଇ କ୍ରୋଶ ଯାଇ ବୈତରଣୀ ଭେଟିଲୁ । ଏଠାରେ ବୈତରଣୀ ୭-୮ ହାତରୁ ଅଧ୍ବକ ପ୍ରଶସ୍ତ ନୁହେଁ । ଶଯ୍ୟା ଉପଳମୟ ଏବଂ ବିଶାଳ ବନସ୍ପତି ଛାୟାରେ ଅନ୍ଧକାରିତ । ସନ୍ଧ୍ୟା ସମୟରେ ଆମ୍ଭେମାନେ ଗୋନାସିକାରେ ଉପସ୍ଥିତ ହେଲୁ ।
ଗୋନାସିକା ଗୋଟିଏ ପାର୍ବତୀୟ ଜୁଆଙ୍ଗ ଗ୍ରାମ । ଅତି ଉଚ୍ଚବଡ଼ । କେନ୍ଦୁଝରରେ ଏ ଗୋଟିଏ ପ୍ରଧାନ ତୀର୍ଥ, ଏହି ପର୍ବତପୂର୍ଣ୍ଣ ସ୍ଥାନର କିଞ୍ଚିତ୍ ଦୂରବର୍ତ୍ତୀ ଗୋଟିଏ ପର୍ବତରୁ ବୈତରଣୀ ନିଃସୃତ ହେଉଅଛି । ଉତ୍ପତ୍ତି ସ୍ଥାନରେ “ଆଦ୍ୟ ବୈତରଣୀ” ଏହି ଶବ୍ଦ ନାଗରାକ୍ଷରରେ ପ୍ରସ୍ତର ଦେହରେ ଅଙ୍କିତ ହୋଇଅଛି । ପର୍ବତର କିୟଦୂରରେ ଗୋଟିଏ ଉଚ୍ଚ ପ୍ରସ୍ତରର ଉଚ୍ଚ ସ୍ଥଳୀ ଅଛି । ବୈତରଣୀ ଏହି ସ୍ଥଳୀର କାନ୍ଥିରେ ଗୋନାସିକା ଗ୍ରାମାଭିମୁଖରେ ବହିଯାଉଅଛି । ସ୍ଥଳୀକୁ “ଋଷୀ– ସଭା” କହନ୍ତି । ଗୋନାସିକା ଗ୍ରାମ ନିକଟରେ ନଦୀର ଶଯ୍ୟା ବିଶିଷ୍ଟ ଉପଳଖଣ୍ଡରେ ପରିପୂର୍ଣ୍ଣ । ଖଣ୍ଡିଏ ଅପେକ୍ଷାକୃତ ବୃହତ୍ ପ୍ରସ୍ତରଦ୍ଵାରା ଜଳ ରୁଦ୍ଧ ହୋଇ ସେହି ପ୍ରସ୍ତରସ୍ଥିତ ଛିଦ୍ରଦ୍ୱାରା ଗୋଟିଏ କୁଣ୍ଡରେ ସ୍ଵଚ୍ଛଧାରରେ ପତିତ ହେଉଅଛି । ଏହି ପ୍ରସ୍ତରକୁ ଗୋନାସିକା କହନ୍ତି । ମାତ୍ର ଗୋନାସିକା ସହିତ ଏହାର ଯେବେ କୌଣସି ସାଦୃଶ୍ଯ ଥାଏ, ତାହା କେବଳ ବିଶ୍ୱାସ–ଚକ୍ଷୁଗ୍ରାହ୍ୟ । ଏହିଠାରେ ଆମ୍ଭେମାନେ ୩-୪ଟି ଚମ୍ପକବୃକ୍ଷ ଦେଖୁ ଆଶ୍ଚର୍ଯ୍ୟାନ୍ବିତ ହେଲୁ । ଚମ୍ପକବୃକ୍ଷ ଏପରି ବୃହତ୍ ହୋଇପାରେ, ଏହା ଆମ୍ଭମାନଙ୍କର ଧାରଣା ନ ଥିଲା । ନଦୀତୀରରେ ମହାରାଜ ଗୋଟିଏ ଶିବମନ୍ଦିର ଏବଂ ନଦୀଶଯ୍ୟା ପର୍ଯ୍ୟନ୍ତ ଦୀର୍ଘ ସୋପାନଶ୍ରେଣୀ ପ୍ରସ୍ତୁତ କରାଇ ଦେଇଅଛନ୍ତି ।
ଏଠାର କ୍ଷୀଣଧାରା ବୈତରଣୀ ସହିତ ଯାଜପୁର ଅଥବା ଚାନ୍ଦବାଲିର ବୈତରଣୀକୁ ତୁଳନା କରି ଉଭୟର ଅନ୍ତର ଉପଲବ୍ କଲେ ହୃଦୟ ବିସ୍ମୟରସରେ ପରିପ୍ଳୁତ ହୁଏ ।
ଭୂୟାଁ ପୀଠର ଏହି ଅଞ୍ଚଳ ସମଧୁକ ଉଚ୍ଚ ହୋଇଥିବାରୁ ଏଠାରେ ଶୀତଋତୁରେ ବରଫ ପଡ଼େ । ସ୍ଥାନୀୟ ଲୋକେ ଏହାକୁ “ପଣ୍ଡୁ” କହନ୍ତି । “ପଣ୍ଡୁ” ଶବ୍ଦ ସମ୍ଭବତଃ ପାଣ୍ଡୁର ଅପଭ୍ରଂଶ । ଜୁଆଙ୍ଗମାନେ ଆଜି ପର୍ଯ୍ୟନ୍ତ ଲୁଗା ପିନ୍ଧି ନ ଥିବାର କଥା କୌଣସି କୌଣସି ପୁସ୍ତକରେ ଲିଖ୍ ଦେଖାଯାଏ । ମାତ୍ର ଏ କଥା ବର୍ତ୍ତମାନ ସମୟ ପ୍ରତି ପ୍ରଯୋଜ୍ୟ ବୋଲି ବୋଧ ହେଉନାହିଁ । ଆମ୍ଭେମାନେ ଯେଉଁ ଜୁଆଙ୍ଗ ଅଥବା ଜୁଆଙ୍ଗୀମାନଙ୍କୁ ଦେଖୁର୍ମୁ, ସେମାନେ ସମସ୍ତେ ଲୁଗା ପିନ୍ଧିଥିଲେ ।
ଜୁଆଙ୍ଗୀମାନେ ଅପେକ୍ଷାକୃତ ଖର୍ବାକାର । ଅଧିକାଂଶ ଜୁଆଙ୍ଗୀର ଦେହର ପୂର୍ବାଦ୍ଧ ବସ୍ତ୍ରରେ ଅନାବୃତ ହେଲେ ହେଁ, ପଥର ମାଳିରେ ଆବୃତ ଥାଏ । ଗୋନାସିକାରୁ ଆମ୍ଭେମାନେ କେନ୍ଦୁଝରଗଡ଼କୁ ଗଲୁ । ମାର୍ଗ ନିରବଚ୍ଛିନ୍ନ ପର୍ବତସଙ୍କୁଳ ଓ ଅରଣ୍ୟମୟ । କେନ୍ଦୁଝରନଗର ଗୋଟିଏ ବିସ୍ତୃତ ପ୍ରାନ୍ତରରେ ଅବସ୍ଥିତ । ପର୍ବତ ଉପରୁ ଗଡ଼କୁ ଅବତରଣ କରିବାବେଳେ ଏହି ପ୍ରାନ୍ତରର ବିସ୍ତୃତି ଉତ୍ତମ ରୂପେ ଉପଲବ୍ଧ ହୁଏ । ବସ୍ତୁତଃ ଏପରି ସୁବିସ୍ତୃତ ପ୍ରାନ୍ତର ଓଡ଼ିଶାରେ ବିଶେଷତଃ ଜାଙ୍ଗଳ ଓଡ଼ିଶାରେ ବିରଳ ।
କେନ୍ଦୁଝରଗଡ଼ର ଦକ୍ଷିଣପଶ୍ଚିମରେ ପର୍ବତମାଳା ପ୍ରାଚୀର ପ୍ରାୟ ଦଣ୍ଡାୟମାନ । ପୂର୍ବୋକ୍ତ ରାଜଧାନୀମାନଙ୍କ ଅପେକ୍ଷା ଅନେକ ବୃହତ୍ତର । ଏଠାରେ ଯେଉଁ ତାର ପ୍ରସ୍ତୁତ ହୁଏ, ତାହା ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ । ବଳଦେବଙ୍କ ମନ୍ଦିର ଏଠାରେ ପ୍ରଧାନ ଦୃଶ୍ୟ । ଗଡ଼ର ଜଳବାୟୁ ଆଦୌ ସ୍ଵାସ୍ଥ୍ୟକର ନୁହେଁ । ଶିକ୍ଷୋନ୍ନତି ସମ୍ବନ୍ଧରେ କେନ୍ଦୁଝର, ଲହଡ଼ା ଶ୍ରେଷ୍ଠ । କେନ୍ଦୁଝରରେ ଆମ୍ଭେମାନେ ଦୁଇଦିନ ମାତ୍ର ଅବସ୍ଥାନ କରି ବସନ୍ତପୁର, ପୁରୁମୁଣ୍ଡା, ତାରା, ବାଲିଯୋଡ଼ୀ ଏବଂ କାସ୍ପୋ ବାଟେ ବୈତରଣୀ ତୀରସ୍ଥିତ ଆନନ୍ଦପୁରରେ ଉପସ୍ଥିତ ହେଲୁ । ମାର୍ଗ ମଧ୍ଯରେ ଉଚିତ ବ୍ୟବଧାନରେ ମହାରାଜ ପୁଷ୍କରିଣୀମାନ ଖେଳାଇ ଦେଇଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ଆନନ୍ଦପୁରରୁ କେନ୍ଦୁଝରଗଡ଼କୁ ଗୋଟିଏ ସଡ଼କ ପ୍ରସ୍ତୁତ ନ ହେବାର ଅତ୍ୟନ୍ତ ଦୁଃଖର କଥା । ଏ ମାର୍ଗ ଏମନ୍ତ କିଛି ବନ୍ଧୁର ଅଥବା ପର୍ବତସଙ୍କୁଳ ନୁହେଁ ଯେ ରାଜପଥ ନିମନ୍ତେ ବ୍ୟୟସାଧ୍ୟ ହେବ । ଏ ମାର୍ଗରେ ଗମନାଗମନ ସମୟରେ ଲୋକେ କିପରି କଷ୍ଟରେ ପଡ଼ନ୍ତି, ଆମ୍ଭେମାନେ ତାହା ଅନୁଭବରୁ ଜାଣିଅଛୁ । ସମଗ୍ର ଗଡ଼ଜାତ ଭ୍ରମଣର କଷ୍ଟ ଏହି ଅଞ୍ଚଳରେ କେନ୍ଦ୍ରୀଭୂତ ପ୍ରାୟ ବୋଧହେଲା । ଏହି ମାର୍ଗ ମଧ୍ୟରେ ଘଟଗାଁ ସର୍ବପ୍ରଧାନ ସ୍ଥାନ । କେନ୍ଦୁଝରର ପ୍ରଧାନଦେବୀ ତାରିଣୀ ଏହିଠାରେ ଅଧ୍ୟଷ୍ଠିତ । ଦେବୀଙ୍କର ଦୁଇ ମୂର୍ତ୍ତି ପଥର ପାର୍ଶ୍ଵବର୍ତୀ ଗୋଟିଏ କୁଞ୍ଜ ମଧ୍ୟରେ ଯେଉଁ ମୂର୍ତ୍ତି ପ୍ରତିଷ୍ଠିତ, ତାହା ସାଧାରଣ ଲୋକେ ଦେଖନ୍ତି ଏବଂ ପୂଜା କରନ୍ତି । ରାଜାଙ୍କ ଦର୍ଶନ ସକାଶେ ଅରଣ୍ୟ ମଧ୍ୟରେ ସ୍ୱତନ୍ତ୍ର ମୂର୍ତ୍ତି ଅଛନ୍ତି । ଶୁଣିବାରେ ରାଜା ଏବଂ ଦେହୁରୀ ବ୍ୟତୀତ ଏ ମୂର୍ତ୍ତି ଦେଖିବାର ଆଉ କାହାରି ଅଧିକାର ନାହିଁ।
ବାଲିଯୋଡ଼ୀ ନାମକ ସ୍ଥାନରେ ଆମ୍ଭେମାନେ ଗୋଟିଏ ତୋଟାରେ ପଣ୍ଡଶାଳା ପ୍ରସ୍ତୁତ କରାଇ ଅବସ୍ଥାନ କଲୁ । ଏଠାରେ ସମୟ ସମୟରେ ବନ୍ୟହସ୍ତୀର ଭୟ ହୁଏ । ସ୍ଥାନଟି ପ୍ରଶସ୍ତ, ମାତ୍ର ଚାରିଆଡ଼େ ଘୋର ବନ । ମୟୂରରବରେ ଏହି ବନ ଅନୁକ୍ଷଣ ଶବ୍ଦାୟମାନ । ରାତ୍ରରେ ବ୍ୟାଘ୍ର ଗର୍ଜନ ଶୁଣି ଆମ୍ଭମାନଙ୍କର ଶଙ୍କା ଜାତ ହେବାରୁ ଅଧିକ ପରିମାଣରେ ଅଗ୍ନି ପ୍ରଜ୍ଜ୍ୱଳିତ କରି କଷ୍ଟ ମଧ୍ୟରେ ରାତ୍ରି ଅତିବାହିତ କଲୁ ।
ପୁରୁମୁଣ୍ଡାରୁ ତାରା ଏବଂ ବାଲିଯୋଡ଼ୀରୁ ଆନନ୍ଦପୁରକୁ ଆସୁଆସୁ ମାର୍ଗରେ ବରାବାଙ୍କ ଏବଂ ମୀନଘାଟି ପଡ଼ିଲା । ଗୋଟିଏ ଗିରିନଦୀ ପର୍ବତବ୍ୟୁହରେ ରୁଦ୍ଧ ହୋଇ ସର୍ପବତ୍ ବକ୍ରଗତିରେ ପ୍ରବାହିତ ହେଉଥିବାରୁ ତାହାକୁ ଅନେକ ଥର ପାରି ହେବାକୁ ହୁଏ । ଏହାକୁ ଲୋକେ ବାଡ଼ବାଛୁ କହନ୍ତି । ମୀନ ଘାଟି ଅତି କ୍ଷୁଦ୍ରଘାଟି ।
ଆନନ୍ଦପୁରରେ ଆମ୍ଭେମାନେ ଦୁଇଦିନ ଅବସ୍ଥାନ କରିଥିଲୁ । ଏହି ସ୍ଥାନର କିଞ୍ଚିତ୍ ଉପରେ ବୈତରଣୀର ନାବ୍ୟତାର ସୀମା । ଆନନ୍ଦପୁର କେନ୍ଦୁଝରରେ ସର୍ବପ୍ରଧାନ ସ୍ଥାନ, ମାତ୍ର ଏଠାରେ ଅରଣ୍ୟର ଅଭାବ ନାହିଁ । ରାତ୍ରରେ ଗୃହର ଅତି ନିକଟରେ ଆମ୍ଭେମାନେ ଥରକୁ ଥର ବ୍ୟାଘ୍ରର ଭୟଙ୍କର ଗର୍ଜନ ଶୁଣିଥ୍ । ତସର ଲୁଗା ସକାଶେ ଆନନ୍ଦପୁର ପ୍ରସିଦ୍ଧ । କୁଶଳେଶ୍ଵରାନ୍ଵିଷ୍ଠିତ ଦେବଗାଁ ଆନନ୍ଦପୁରରୁ ତିନିକ୍ରୋଶ ଦୂରରେ ଅବସ୍ଥିତ । ଏହିଠାରେ ମହାରାଜଙ୍କର ଅନେକ ସୁକୀର୍ତି ଥିବାର ଶୁଣିଥିଲୂଁ ।
ଅଳ୍ପଦିନ ହେଲା ଆନନ୍ଦପୁରରେ ମହାରାଜ ଗୋଟିଏ ବୃହଦାୟତନ ହର୍ଯ୍ୟ ପ୍ରସ୍ତୁତ କରାଇ ଅଛନ୍ତି । ଅତି ନିକଟକୁ ଯାଇ ଏ ଗୃହ ଦେଖିଲେ କାରିଗରର ସୁରୁଚି ସମ୍ବନ୍ଧରେ ଲୋକର ସନ୍ଦେହ ଜାତ ହେବାର ସମ୍ପୂର୍ଣ୍ଣ ସମ୍ଭାବନା । ଆନନ୍ଦପୁରରୁ ଆମ୍ଭେମାନେ ଆମ୍ଭେ ଏବଂ କୋରାଇ ମାର୍ଗରେ ଧର୍ମଶାଳାରେ ଉପସ୍ଥିତ ହେଲୁ । ସେଠାରୁ ଯଥାସମୟରେ କଟକ ଆସିଲୁ ।
ଲେଖକ ପରିଚୟ
ରାଧାନାଥ ରାୟ : ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ରାଧାନାଥ ରାୟ, ବାଲେଶ୍ଵର ଜିଲ୍ଲାର କେଦାରପୁର ଗ୍ରାମରେ ୧୮୪୮ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ ‘ବିବେକୀ’ ଓଡ଼ିଆ ଭାଷାର ପ୍ରଥମ ପ୍ରବନ୍ଧ । କାବ୍ୟକବିତା ରଚନା କ୍ଷେତ୍ରରେ ସେ ଥିଲେ ସିଦ୍ଧହସ୍ତ । ଓଡ଼ିଆ କବିତାବଳୀ ‘କେଦାରଗୌରୀ’, ‘ଦରବାର’, ‘ଚିଲିକା’, ‘ଚନ୍ଦ୍ରଭାଗା’, ‘ମହାଯାତ୍ରା’ ଆଦି ତାଙ୍କର ସାରସ୍ଵତ ସୃଷ୍ଟି ଓଡ଼ିଆ ସାହିତ୍ୟକୁ କରିଛି ସମୃଦ୍ଧ । ସେ ୧୯୦୮ ମସିହା ଏପ୍ରିଲ ମାସ ୧୭ ତାରିଖରେ ଇହଧାମ ତ୍ୟାଗ କରିଥିଲେ । ଉଚ୍ଚକୋଟୀର ରଚନାଶୈଳୀପାଇଁ ତାଙ୍କୁ ‘କବିବର’ ଉପାଧ୍ ମିଳିଥିଲା । ସ୍ଥାନିତ ‘ଭ୍ରମଣକାରୀର ପତ୍ର’ ବିଷୟଟି ରାଧାନାଥ ରାୟଙ୍କ କେନ୍ଦୁଝର ଭ୍ରମଣ ଅନୁଭୂତି ଆଧାରିତ ଭ୍ରମଣକାହାଣୀ ।
ସାରାଂଶ : ଭ୍ରମଣକାରୀର ପତ୍ର
ଏହି ପାଠଟିରେ ଲେଖକ ନିଜର ପାର୍ବତ୍ୟ ଅଞ୍ଚଳ ଭ୍ରମଣର ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି। ସେ କେନ୍ଦୁଝର, ଢେଙ୍କାନାଳ, ବଣେଇ ଆଦି ଅଞ୍ଚଳର ପର୍ବତଗୁଡ଼ିକର ସୌନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଛନ୍ତି। ଲେଖକ କୁଆଁର ନାମକ ଏକ ଆଦିବାସୀ ଗ୍ରାମରେ ପହଞ୍ଚି ସେଠାକାର ଭୂୟାଁ ସମ୍ପ୍ରଦାୟର ସରଳ ଜୀବନଯାପନ, ସେମାନଙ୍କର ସ୍ତ୍ରୀ-ସ୍ୱାଧୀନତା ଏବଂ ବିବାହ ପ୍ରଥା ବିଷୟରେ ବର୍ଣ୍ଣନା କରିଛନ୍ତି। ସେଠାରେ ଲକ୍ଷ୍ମୀପାଟଙ୍କୁ ପ୍ରଧାନ ଦେବତା ଭାବେ ପୂଜା କରାଯାଏ।
କୁଆଁରରୁ ବାହାରି ସେମାନେ ଗୋନାସିକାରେ ପହଞ୍ଚିଲେ, ଯାହାକି ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଅଟେ। ସେଠାରେ ଥିବା ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନଙ୍କ ବେଶଭୂଷା ଏବଂ ପର୍ବତ ଉପରୁ ନିଃସୃତ ହେଉଥିବା ବୈତରଣୀ ନଦୀର ସ୍ୱଚ୍ଛ ଧାରା ବିଷୟରେ ସେ ଉଲ୍ଲେଖ କରିଛନ୍ତି। ଏହାପରେ ଲେଖକ କେନ୍ଦୁଝରଗଡ଼ ଏବଂ ଘଟଗାଁ (ଯେଉଁଠି ମା’ ତାରିଣୀଙ୍କ ପୀଠ ରହିଛି) ଦେଇ ଯାତ୍ରା କରିଥିଲେ। ରାସ୍ତାରେ ଘଞ୍ଚ ଜଙ୍ଗଲ, ବାଘ ଓ ହାତୀର ଭୟ, ଏବଂ ଖରାପ ରାସ୍ତା ଯୋଗୁଁ ସେମାନେ ଭୋଗିଥିବା କଷ୍ଟ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଶେଷରେ ସେମାନେ ତସର ଲୁଗା ପାଇଁ ପ୍ରସିଦ୍ଧ ଆନନ୍ଦପୁରରେ ପହଞ୍ଚି, ସେଠାରୁ ଧର୍ମଶାଳା ଦେଇ କଟକ ଫେରିଆସିଲେ।
सारांश : यात्री का पत्र
इस पाठ में लेखक ने अपने पहाड़ी क्षेत्र की यात्रा के अनुभवों का वर्णन किया है। वे केंदुझर, ढेंकनाल, बणई आदि क्षेत्रों के पहाड़ों की सुंदरता देखकर मुग्ध हो गए हैं। लेखक कुआँर नामक एक आदिवासी गाँव में पहुँचे और वहाँ के भुइयाँ समुदाय के सरल जीवन, महिलाओं की स्वतंत्रता और विवाह प्रथा के बारे में बताया। वहाँ लक्ष्मीपाट को प्रमुख देवता के रूप में पूजा जाता है।
कुआँर से निकलकर वे गोनासिका पहुँचे, जो वैतरणी नदी का उद्गम स्थल है। वहाँ उन्होंने जुआंग समुदाय के लोगों की वेशभूषा और पहाड़ से निकलने वाली वैतरणी नदी की स्वच्छ धारा के बारे में लिखा है। इसके बाद लेखक ने केंदुझरगढ़ और घटगाँव (जहाँ माँ तारिणी का पीठ है) से होते हुए यात्रा की। रास्ते में घने जंगल, बाघ और हाथी का डर, और खराब रास्तों के कारण उन्हें जो परेशानियाँ हुईं, उसका भी वर्णन किया गया है। अंत में वे टसर के कपड़े के लिए प्रसिद्ध आनंदपुर पहुँचे, और वहाँ से धर्मशाला होते हुए कटक लौट आए।
ଶବ୍ଦାର୍ଥ
Odia Word | Meaning in Odia | Meaning in Hindi | Meaning in English |
ପ୍ରତ୍ୟନ୍ତ (Pratyanta) | ସୀମାନ୍ତ / ଶେଷ ଭାଗ | सीमांत / अंतिम छोर | Bordering / Remote |
ପୀତାମ୍ବର (Pitambara) | ହଳଦିଆ ଲୁଗା | पीला वस्त्र | Yellow cloth |
ଚାକ୍ଷୁସ (Chakshusa) | ଆଖିରେ ଦେଖିବା | आँखों से देखा हुआ | Visual / Seen with eyes |
ପରିଣୟ (Parinaya) | ବିବାହ | विवाह | Marriage |
ଦୁଷ୍ପ୍ରାପ୍ୟ (Dushprapya) | ଯାହା ସହଜରେ ମିଳେନାହିଁ | जो आसानी से न मिले / दुर्लभ | Rare / Difficult to obtain |
ନିଃସୃତ (Nihsruta) | ବାହାରିଥିବା / ବୋହି ଆସିଥିବା | निकला हुआ / बहता हुआ | Flowing out / Originated |
ଉପଳ (Upala) | ପଥର ଖଣ୍ଡ | पत्थर / चट्टान | Stone / Rock |
ଅନାବୃତ (Anabruta) | ଖୋଲା / ଘୋଡ଼ା ହୋଇନଥିବା | खुला / बिना ढका हुआ | Uncovered / Bare |
ବନ୍ଧୁର (Bandhura) | ଉଚ୍ଚାଖାଲା / ଅସମତଳ | ऊबड़-खाबड़ | Uneven / Rough |
ଅମୂଳକ (Amulaka) | ଭିତ୍ତିହୀନ / ମିଛ | निराधार / झूठा | Baseless / False |
ପ୍ରାନ୍ତର (Prantara) | ବିରାଟ ଖୋଲା ପଡ଼ିଆ | बड़ा मैदान | Vast field / Plain |
ହର୍ମ୍ୟ (Harmya) | ବଡ଼ କୋଠା ଘର / ପ୍ରାସାଦ | महल / बड़ी इमारत | Mansion / Palace |
ପାଠ ଅନ୍ତର୍ଗତ
ମୋ ବୁଝିବାରେ
(କ) ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।
(୧) କୁଆଁର ଗ୍ରାମର ଗୋପାଳ ପ୍ରଧାନମାନେ ଆଗନ୍ତୁକମାନଙ୍କୁ କ’ଣ ଉପହାର ଦେଉଥିଲେ ?
କ୍ଷୀର
ଘିଅ
ଦହି (*)
ପନୀର
(୨) ‘ବାଲିଯୋଡ଼ୀ’ ନାମକ ସ୍ଥାନରେ ଲେଖକ ନିଜ ବନ୍ଧୁଙ୍କ ସହ ଅଗ୍ନି ପ୍ରଜ୍ବଳନ କରି ରାତ୍ରି ଅତିବାହିତ କରିଥିଲେ । କାରଣ ସେମାନେ ସେଠାରେ-
ମୟୂରର ରାବ ଶୁଣିଥିଲେ
ଅଧିକ ଥଣ୍ଡା ଅନୁଭବ କରିଥିଲେ
ବାଘର ଗର୍ଜନ ଶୁଣିଥିଲେ (*)
ବନ୍ୟହାତୀକୁ ଦେଖୁଥିଲେ ।
(ଖ) ଉକ୍ତ ଉତ୍ତରଗୁଡ଼ିକ କାହିଁକି ବାଛିଲ?
ଉତ୍ତର – ପ୍ରଥମ ପ୍ରଶ୍ନର ଉତ୍ତର ‘ଦହି’ ବାଛିଲି କାରଣ ବହିରେ ଲେଖାଅଛି ଯେ ଏ ଅଞ୍ଚଳରେ ଗୋପାଳ ପ୍ରଧାନମାନେ ଆଗନ୍ତୁକମାନଙ୍କୁ ଦଧି (ଦହି) ଉପହାର ଦିଅନ୍ତି। ଦ୍ୱିତୀୟ ପ୍ରଶ୍ନର ଉତ୍ତର ‘ବାଘର ଗର୍ଜନ ଶୁଣିଥିଲେ’ ବାଛିଲି କାରଣ ଲେଖକ ବାଲିଯୋଡ଼ୀରେ ରାତିରେ ବାଘ ଗର୍ଜନ ଶୁଣି ଡରିଯାଇଥିଲେ ଏବଂ ସୁରକ୍ଷା ପାଇଁ ବଡ଼ ନିଆଁ ଜାଳି ରାତି କାଟିଥିଲେ।
ବାକ୍ୟ ଉପରେ ଆଲୋଚନା
ପଠିତ ଭ୍ରମଣକାହାଣୀରୁ ଦୁଇଟି ବାକ୍ୟ ନିମ୍ନରେ ପ୍ରଦତ୍ତ । ଏହାର ଅର୍ଥ ଯାହା ବୁଝିଲ, ସାଙ୍ଗମାନଙ୍କ ସହ ଦଳରେ ଆଲୋଚନା କରି ଲେଖ ।
‘ଏହି ପ୍ରସ୍ତରକୁ ଗୋନାସିକା କହନ୍ତି । ମାତ୍ର ଗୋନାସିକା ସହିତ ଏହାର ଯେବେ କୌଣସି ସାଦୃଶ୍ୟ ଥାଏ, ତାହା କେବଳ ବିଶ୍ୱାସ-ଚକ୍ଷୁଗ୍ରାହ୍ୟ ।’’
ଅର୍ଥ – ଗୋନାସିକାର ଅର୍ଥ ହେଉଛି ‘ଗାଈର ନାକ’। ବୈତରଣୀ ନଦୀ ବାହାରିଥିବା ପଥରଟି ଗାଈର ନାକ ପରି ଆଦୌ ଦେଖାଯାଉନଥିଲା। ତଥାପି ଲୋକମାନେ ନିଜର ଆସ୍ଥା ଓ ଧାର୍ମିକ ବିଶ୍ୱାସ ଯୋଗୁଁ ତାକୁ ଗାଈର ନାକ ବୋଲି ଭାବି ନେଇଛନ୍ତି (ବିଶ୍ୱାସ-ଚକ୍ଷୁଗ୍ରାହ୍ୟ)।
ଚିନ୍ତା କରିବା
‘ଭ୍ରମଣକାରୀର ପତ୍ର’ ପାଠକୁ ଆଉଥରେ ପଢ଼ା। ତା’ପରେ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) ଭୂୟାଁମାନଙ୍କର ଜୀବନ ଏବଂ ବିବାହପ୍ରଥା ସରଳ ଥିଲା ବୋଲି କେଉଁ ଘଟଣାରୁ ଜଣାପଡ଼େ ?
ଉତ୍ତର – ଜଣେ ବୟସ୍କ ଭୂୟାଁ ଲୋକ କହିଲା ଯେ ସେମାନଙ୍କ ସମାଜରେ ପୁଅ ବଡ଼ ହେଲେ ନିଜ ପସନ୍ଦର ଝିଅକୁ ଖଣ୍ଡେ ପାନ କିମ୍ବା ଟିକେ ଧୂଆଁପତ୍ର ଦେଇ ମନେଇ ନିଏ ଏବଂ ବାହା ହୋଇଯାଏ। ଏଥିରେ କୌଣସି ଆଡ଼ମ୍ବର ନଥାଏ। ଏଥୁରୁ ସେମାନଙ୍କର ବିବାହ ପ୍ରଥା ଖୁବ୍ ସରଳ ବୋଲି ଜଣାପଡ଼େ।
(ଖ) ‘ଋଷି-ସଭା’ କେଉଁ ସ୍ଥଳୀକୁ କହନ୍ତି ?
ଉତ୍ତର – ବୈତରଣୀ ନଦୀର ଉତ୍ପତ୍ତି ସ୍ଥାନର କିଛି ଦୂରରେ ଥିବା ଏକ ଉଚ୍ଚ ପଥର ସ୍ଥାନକୁ ସେଠାକାର ଲୋକେ ‘ଋଷି-ସଭା’ ବୋଲି କହନ୍ତି।
(ଗ) ସେହି ଅଞ୍ଚଳରେ ଭ୍ରମଣ କରିବା ସମୟରେ ଲେଖକ ଅତ୍ୟନ୍ତ କଷ୍ଟବୋଧ କରିଥିଲେ କାହିଁକି ?
ଉତ୍ତର – କାରଣ ସେତେବେଳେ ଆନନ୍ଦପୁରରୁ କେନ୍ଦୁଝରଗଡ଼କୁ ଯିବା ପାଇଁ କୌଣସି ଭଲ ସଡ଼କ ରାସ୍ତା ନଥିଲା। ଘଞ୍ଚ ଜଙ୍ଗଲ ଏବଂ ଖରାପ ରାସ୍ତା ଦେଇ ଯିବାକୁ ପଡ଼ୁଥିବାରୁ ଲେଖକଙ୍କୁ ବହୁତ କଷ୍ଟ ହୋଇଥିଲା।
(ଘ) ଲୋକମାନେ ‘ଗଡ଼ବାଛୁ’ (କିମ୍ବା ବାଡ଼ବାଛୁ) କାହାକୁ କହନ୍ତି ?
ଉତ୍ତର – ରାସ୍ତାରେ ପଡ଼ୁଥିବା ଗୋଟିଏ ପାହାଡ଼ିଆ ନଦୀ ବଙ୍କାବଙ୍କା ହୋଇ ସାପ ପରି ବୋହୁଥିଲା, ଯାହାକୁ ବାରମ୍ବାର ପାର ହେବାକୁ ପଡ଼ୁଥିଲା। ସେହି ନଦୀକୁ ଲୋକେ ‘ଗଡ଼ବାଛୁ’ କହନ୍ତି।
ମିଳିମିଶି ଯୋଡ଼ିବା
ପଠିତ ପ୍ରସଙ୍ଗରୁ କେତେକ ଶବ୍ଦ ‘କ’ ସ୍ତମ୍ଭ ଓ ତା’ର ଅର୍ଥ ‘ଖ’ ସ୍ତମ୍ଭରେ ଦିଆଯାଇଛି । ସାଙ୍ଗମାନଙ୍କ ସହ ଦଳରେ ଆଲୋଚନା କରି ଶବ୍ଦ ସହ ଉପଯୁକ୍ତ ଅର୍ଥକୁ ଯୋଡ଼ । (ଏଥିପାଇଁ ତୁମେ ଅଭିଧାନ, ଇଣ୍ଟରନେଟ୍ କିମ୍ବା ନିଜ ଶିକ୍ଷକଙ୍କ ସହାୟତା ନେଇପାରିବ ।)
୧. ପୀତାମ୍ବର ➔ ୪. ହଳଦୀରଙ୍ଗର ବସ୍ତ୍ର
୨. ମାହିଷ ➔ ୬. ମଇଁଷି
୩. ଦୁଷ୍ପ୍ରାପ୍ୟ ➔ ୮. ଯାହା ଅତି କଷ୍ଟରେ ମିଳିଥାଏ
୪. ଅବିକୃତ ➔ ୨. ପରିବର୍ତ୍ତନ ନ ହୋଇ
୫. ଉପଳମୟ ➔ ୭. ପଥରରେ ପରିପୂର୍ଣ୍ଣ
୬. ବନସ୍ପତି ➔ ୧. ବଣଜଙ୍ଗଲ (ବଡ଼ଗଛ)
୭. କିୟଦୂର ➔ ୯. କିଛି ଦୂରରେ
୮. ଆହାର୍ଯ୍ୟ ➔ ୩. ଖାଇବା ଯୋଗ୍ଯ
୯. ପୂର୍ବୋକ୍ତ ➔ ୫. ଆଗରୁ କୁହାଯାଇଥିବା
୧୦. ବନ୍ଧୁର ➔ ୧୦. ଆବଡ଼ାଖାବଡ଼ା (ଉଚ୍ଚାଖାଲା)
ଭ୍ରମଣକାହାଣୀ ରଚନା (ବିଶେଷତା ଲେଖ)
ଏହି ଭ୍ରମଣକାହାଣୀରୁ କିଛି ବିଶେଷ କଥା ଖାତାରେ ଲେଖ –
ଉତ୍ତର –
୧. ଏଥିରେ ଲେଖକ କେଉଁ କେଉଁ ଜାଗା ବୁଲିଥିଲେ ତାର ଧାରାବାହିକ ବର୍ଣ୍ଣନା ଅଛି।
୨. ସେ ଅଞ୍ଚଳର ପର୍ବତ, ନଦୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ସୁନ୍ଦର ଭାବେ ଲେଖାଯାଇଛି।
୩. ଆଦିବାସୀମାନଙ୍କର ଚାଲିଚଳନ, ଖାଦ୍ୟ ଓ ବେଶଭୂଷା ବିଷୟରେ ଜାଣିବାକୁ ମିଳୁଛି।
୪. ରାସ୍ତାର ଅବସ୍ଥା ଏବଂ ଜଙ୍ଗଲି ଜୀବଜନ୍ତୁଙ୍କ ଭୟ ବିଷୟରେ ଲେଖକ ନିଜର ଅନୁଭୂତି ଜଣାଇଛନ୍ତି।
ଅନୁମାନ ଓ କଳ୍ପନା
ନିଜ ସାଙ୍ଗମାନଙ୍କ ସହ ଦଳରେ ଆଲୋଚନା କର ଓ ଲେଖ ।
(କ) ରାମତିଳା କ୍ଷେତ୍ରର ଦୃଶ୍ୟ କିପରି ହୋଇଥିବ ?
ଉତ୍ତର – ରାମତିଳା (ଏକ ପ୍ରକାର ତୈଳବୀଜ) ଗଛରେ ହଳଦିଆ ରଙ୍ଗର ଫୁଲ ଫୁଟିଥାଏ। ତେଣୁ ପୁରା କ୍ଷେତଟି ହଳଦିଆ ଚାଦର କିମ୍ବା ‘ପୀତାମ୍ବର’ ଘୋଡ଼େଇ ହେବା ପରି ଖୁବ୍ ସୁନ୍ଦର ଦେଖାଯାଉଥିବ।
(ଖ) ‘ସ୍ତ୍ରୀ-ସ୍ଵାଧୀନତା’ କହିଲେ କ’ଣ ବୁଝୁଛ ?
ଉତ୍ତର – ଏହାର ଅର୍ଥ ହେଲା, ସେହି ସମାଜରେ ମହିଳାମାନଙ୍କୁ ପୁରୁଷମାନଙ୍କ ପରି ସମାନ ଅଧିକାର ମିଳିଛି। ସେମାନେ ନିଜ ପସନ୍ଦରେ ଜୀବନସାଥୀ ବାଛିପାରନ୍ତି ଏବଂ ଖୋଲାଖୋଲି ଭାବେ ବୁଲାବୁଲି କରିପାରନ୍ତି।
(ଗ) ତୈଳା କୃଷି (ପୋଡ଼ୁଚାଷ) ଯୋଗୁଁ ପର୍ବତମାନଙ୍କରେ ଅଧିକ ଅରଣ୍ୟ ନାହିଁ। ଏହାର କାରଣ କ’ଣ?
ଉତ୍ତର – ଲୋକମାନେ ପର୍ବତ ଉପରେ ଥିବା ଜଙ୍ଗଲ ଓ ଗଛଲତାକୁ କାଟି, ପୋଡ଼ି ସଫା କରିଦିଅନ୍ତି ଏବଂ ସେଠାରେ ଚାଷ କରନ୍ତି। ଗଛ କଟାଯାଉଥିବାରୁ ଅରଣ୍ୟ ନଷ୍ଟ ହୋଇଯାଉଛି।
(ଘ) ଭୂୟାଁପୀଠରେ ଗାଈ କ୍ଷୀର ମିଳିବା ଅତି କଷ୍ଟକର, କାହିଁକି ?
ଉତ୍ତର – କାରଣ ସେହି ଆଦିବାସୀ ପାର୍ବତ୍ୟ ଅଞ୍ଚଳରେ ଲୋକମାନେ ଗାଈ ଅପେକ୍ଷା ମଇଁଷି ଅଧିକ ପାଳନ କରୁଥିଲେ, ତେଣୁ ସେଠାରେ ଗାଈ କ୍ଷୀର ବହୁତ କମ୍ ମିଳୁଥିଲା।
ଶବ୍ଦର କଥା
ନିମ୍ନରେ ଶବ୍ଦ ସହ ଜଡ଼ିତ କେତେକ ଶିକ୍ଷଣକାର୍ଯ୍ୟ ଦିଆଯାଇଛି । ଏଗୁଡ଼ିକୁ କରିବାପାଇଁ ତୁମେ ଶବ୍ଦକୋଷ, ଇଣ୍ଟରନେଟ୍, ପାଠାଗାର, ନିଜର ଶିକ୍ଷକ ଓ ସାଥୀମାନଙ୍କର ସହାୟତା ମଧ୍ୟ ନେଇପାରିବ ।
୧. ଜଣେ ପ୍ରୌଢ଼ ଭୂୟାଁକୁ ପଚାରିଲୁ, “ତୁମ ପୁଅକୁ ବାହା କରାଇଚ ?” ସେ କହିଲେ, “ନା, ବାହା କରେଇ ନାହିଁ । ଭେଣ୍ଡିଆ ହେଲାଣି, ତା’ ମନକୁ ଆସିଲେ ବଳେ ଗୋଟାଏ ନେଇ ଆସିବ ।”
୨. ସୋମୁନା ଖେଳୁଥିଲା । ଦୀପୁନା ଆସି ତା’ ସହ ଖେଳିଲା । ସେମାନେ ଦୁହେଁ ଖେଳିସାରି ଘରକୁ ଫେରିଲେ।
(ଖ) ସର୍ବନାମ ପଦ ବଦଳରେ ନାମବାଚକ ପଦ ଲଗାଇ ଲେଖ ।
ଭୂୟାଁ ଲୋକଟିର ପୁଅକୁ ବାହା କରାଇଚ?
ଭୂୟାଁ ଲୋକଟି କହିଲେ…
ଦୀପୁନା ଆସି ସୋମୁନା ସହ ଖେଳିଲା।
ସୋମୁନା ଓ ଦୀପୁନା ଦୁହେଁ ଖେଳିସାରି ଘରକୁ ଫେରିଲେ।
ପାଠ ବାହାରୁ
ତୁମକଥା
(କ) “ଅଧୂକ କହିବାର ପ୍ରୟୋଜନ ନାହିଁ– ଭାଷା ଏ ଦୃଶ୍ୟ ନିକଟରେ ପରାସ୍ତ ।” ତୁମେ କ’ଣ ଏମିତି କୌଣସି ଦୃଶ୍ୟ ଦେଖୁଛ ? କାହାଠାରୁ ଶୁଣିଛ କି ? ବହିର ବର୍ଣ୍ଣନାରୁ ପଢ଼ିଛ ? ତାହାକୁ କେବେ ବି ଭୁଲି ହେବ ନାହିଁ । ସେହି ଦୃଶ୍ୟକୁ ଶ୍ରେଣୀରେ ଉପସ୍ଥାପନ କର ।
ଉତ୍ତର – ହଁ, ମୁଁ ଥରେ ମୋ ବାପାମାଆଙ୍କ ସହ କୋଣାର୍କ ଯାଇଥିଲି। ସେଠାରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ସକାଳୁ ସୂର୍ଯ୍ୟ ଉଦୟ ହେବାର ସୁନ୍ଦର ଦୃଶ୍ୟ ମୁଁ ଦେଖିଥିଲି, ଯାହା ମୋର ସବୁଦିନ ପାଇଁ ମନେ ରହିବ।
(ଖ) ତୁମେ ଆଜି ପର୍ଯ୍ୟନ୍ତ କେଉଁସବୁ ପଶୁ-ପକ୍ଷୀଙ୍କ ‘ରବ’ (ଶବ୍ଦ) ଶୁଣିଛ ? କେବେ ଓ କେଉଁଠାରେ?
ଉତ୍ତର – ମୁଁ ସକାଳୁ ଆମ ବାରିପଟ ଗଛରେ କୋଇଲିର ବୋବାଇବା (କୁହୁ କୁହୁ ରବ) ଶୁଣିଛି। ଏହାଛଡ଼ା ଚିଡ଼ିଆଖାନା ବୁଲିବାକୁ ଯାଇଥିବା ବେଳେ ବାଘର ଗର୍ଜନ ଏବଂ ହାତୀର ବୃଂହଣ (ହାତୀର ଡାକ) ଶୁଣିଛି।
(ଗ) ତୁମେ ତୁମର କେଉଁସବୁ କଥାପାଇଁ ଗର୍ବ ଅନୁଭବ କର ?
ଉତ୍ତର – ମୁଁ ଜଣେ ଓଡ଼ିଆ ଏବଂ ମୋ ମାତୃଭାଷା ଓଡ଼ିଆ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରେ। ଆହୁରି ମଧ୍ୟ ମୋ ଦେଶ ଭାରତ ଏବଂ ଆମ ଦେଶର ବୀର ସୈନିକମାନଙ୍କ ପାଇଁ ମୁଁ ଗର୍ବିତ।
ଶ୍ରେଣୀ ଓ ଗୃହଭାଷା (ଏକ ଉଦାହରଣ)
ମୁଁ ବୁଝେ ଓ କୁହେ – ଓଡ଼ିଆ, ହିନ୍ଦୀ, ଇଂରାଜୀ।
ମୋ ସାଙ୍ଗ ବୁଝେ ଓ କୁହେ – ଓଡ଼ିଆ, ହିନ୍ଦୀ (କିମ୍ବା ତା’ର ମାତୃଭାଷା ସାନ୍ତାଳୀ ବା ସମ୍ବଲପୁରୀ)।
ମୋ ପରିବାର ଲୋକେ ବୁଝନ୍ତି ଓ କୁହନ୍ତି – ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗାଳୀ।
ପ୍ରଶଂସା ବା ଅନୁକୂଳ ମତାମତ ତାଲିକା (ଉଦାହରଣ)
ପରିବାର ସଦସ୍ୟ (ମାଆ) – ତୁମେ ଦୁନିଆର ସବୁଠାରୁ ଭଲ ରୋଷେଇ କର।
ଶିକ୍ଷକ (ଗଣିତ ସାର୍) – ଆପଣଙ୍କ ପଢ଼ାଇବା ଶୈଳୀ ବହୁତ ସରଳ ଓ ଚମତ୍କାର।
ସାଙ୍ଗ (ରୋହନ) – ତୁମେ ଚିତ୍ରାଙ୍କନରେ ଜଣେ ସିଦ୍ଧହସ୍ତ କଳାକାର।
ପଶୁ (କୁକୁର) – କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ଏବଂ ପ୍ରିୟ ସାଥୀ ଅଟେ।
ସ୍ଥାନ (ପୁରୀ) – ଶ୍ରୀକ୍ଷେତ୍ର ପୁରୀ ଭଳି ପବିତ୍ର ଓ ଶାନ୍ତିପୂର୍ଣ୍ଣ ସ୍ଥାନ ଦୁନିଆରେ ନାହିଁ।
ପରିବା (ଗାଜର) – ଲାଲ୍ ରଙ୍ଗର ଗାଜର ଖାଇବାକୁ ଯେମିତି ମିଠା, ଦେହ ପାଇଁ ମଧ୍ୟ ସେମିତି ହିତକର।
ଗଛ (ନିମ୍ବ) – ନିମ୍ବଗଛ ହେଉଛି ଆମ ପରିବେଶର ଜଣେ ବିନା ପଇସାର ଡାକ୍ତର।
ପତ୍ର ବା ଚିଠି (ଗଙ୍ଗାଧର ମେହେରଙ୍କୁ ରାଧାନାଥଙ୍କ ଚିଠି)
(କ) ପତ୍ରଟି କିଏ ଲେଖୁଛନ୍ତି ?
ଉତ୍ତର – ପତ୍ରଟି କବିବର ରାଧାନାଥ ରାୟ ଲେଖିଛନ୍ତି।
(ଖ) ପତ୍ରଟି କାହାକୁ ଲେଖାଯାଇଛି ?
ଉତ୍ତର – ପତ୍ରଟି ସ୍ୱଭାବକବି ଗଙ୍ଗାଧର ମେହେରଙ୍କୁ ଲେଖାଯାଇଛି।
(ଗ) ପତ୍ରଟି କେବେ ଲେଖାଯାଇଛି ?
ଉତ୍ତର – ପତ୍ରଟି ୦୬.୧୨.୧୮୯୪ ତାରିଖରେ ଲେଖାଯାଇଛି।
(ଘ) ପତ୍ରଟି କେଉଁସ୍ଥାନରୁ ଲେଖାଯାଇଛି ?
ଉତ୍ତର – ପତ୍ରଟି କଟକରୁ ଲେଖାଯାଇଛି।
(ଙ) ପତ୍ରର ପ୍ରାପ୍ତକଙ୍କ (ଯିଏ ଚିଠି ପାଇବେ) ନାମ ପୂର୍ବରୁ କେଉଁ ଶବ୍ଦ ବ୍ୟବହାର କରାଯାଇଛି ?
ଉତ୍ତର – ‘ପ୍ରିୟତମ’ ଶବ୍ଦ ବ୍ୟବହାର କରାଯାଇଛି।
(ଚ) ପତ୍ରର ପ୍ରେରକଙ୍କ (ଯିଏ ଲେଖିଛନ୍ତି) ନାମ ପୂର୍ବରୁ କେଉଁ ଶବ୍ଦ ଲେଖାଯାଇଛି ?
ଉତ୍ତର – ‘ଆପଣଙ୍କର’ ଏବଂ ‘ଶ୍ରୀ’ ଶବ୍ଦ ଲେଖାଯାଇଛି।
ସମସ୍ୟା ସମାଧାନ
(କେନ୍ଦୁଝର ବିଷୟରେ ଜାଣିବା)
(୧) କେନ୍ଦୁଝର ଜିଲ୍ଲା ଓଡ଼ିଶାର କେଉଁ ଦିଗରେ ଅବସ୍ଥିତ ?
ଉତ୍ତର – କେନ୍ଦୁଝର ଜିଲ୍ଲା ଓଡ଼ିଶାର ଉତ୍ତର ଦିଗରେ ଅବସ୍ଥିତ।
(୨) କୁଶଳେଶ୍ଵର ମନ୍ଦିର କେନ୍ଦୁଝରର କେଉଁ ସ୍ଥାନରେ ଅଛି ?
ଉତ୍ତର – କୁଶଳେଶ୍ୱର ମନ୍ଦିର କେନ୍ଦୁଝରର ଆନନ୍ଦପୁର ନିକଟସ୍ଥ ଦେବଗାଁ ଠାରେ ଅଛି।
(୩) କେନ୍ଦୁଝରରେ କେଉଁସବୁ ଆଦିବାସୀ ସଂପ୍ରଦାୟର ଲୋକମାନେ ବାସ କରନ୍ତି ?
ଉତ୍ତର – ଭୂୟାଁ, ଜୁଆଙ୍ଗ, ସାନ୍ତାଳ, କୋହ୍ଲ ଏବଂ ମୁଣ୍ଡା ଆଦି ସମ୍ପ୍ରଦାୟ।
(୪) କେନ୍ଦୁଝରର ପ୍ରସିଦ୍ଧ ସ୍ଥାନଗୁଡ଼ିକର ନାମ ଲେଖ।
ଉତ୍ତର – ଘଟଗାଁ (ମା’ ତାରିଣୀଙ୍କ ପୀଠ), ସାନଘାଗରା ଓ ବଡ଼ଘାଗରା (ଜଳପ୍ରପାତ), ଏବଂ ଖଣ୍ଡାଧାର ଜଳପ୍ରପାତ।
(୫) କେନ୍ଦୁଝର ଜିଲ୍ଲାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକର ନାମ ଲେଖ ।
ଉତ୍ତର – ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼।
(୬) ବର୍ତ୍ତମାନ ଆନନ୍ଦପୁରରୁ କେନ୍ଦୁଝରଗଡ଼କୁ ସୁବିଧା କ‘ଣ ଅଛି? ଦେବୀ ତାରିଣୀଙ୍କ ମନ୍ଦିରକୁ ଲୋକେ କିପରି ଆସୁଛନ୍ତି?
ଉତ୍ତର – ବର୍ତ୍ତମାନ ଆନନ୍ଦପୁରରୁ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ବହୁତ ଭଲ ପକ୍କା ସଡ଼କ (ଜାତୀୟ ରାଜପଥ) ତିଆରି ହୋଇଯାଇଛି। ଲୋକମାନେ ନିଜର ଗାଡ଼ିମୋଟର ଏବଂ ବସ୍ ଯୋଗେ ଖୁବ୍ ସହଜରେ ଘଟଗାଁ ତାରିଣୀ ମନ୍ଦିରକୁ ଦର୍ଶନ ପାଇଁ ଆସିପାରୁଛନ୍ତି।
ଆଜିର ପ୍ରହେଳିକା
“ମୋର ଭାଷା, ମୋର ସ୍ଵାଭିମାନ।” (ଆଗରୁ ପଛକୁ ଏବଂ ପଛରୁ ଆଗକୁ ପଢ଼ିଲେ ସମାନ ଅର୍ଥ ହେବ)
ଏହିପରି ଆଉ ୩ଟି ବାକ୍ୟ ଲେଖ –
ଉତ୍ତର –
୧. ମୋର ଦେଶ, ମୋର ଜୀବନ।
୨. ମୋର ଗାଁ, ମୋର ସ୍ୱର୍ଗ।
୩. ମୋର ମାଆ, ମୋର ଦେବତା।

