ବୃକ୍ଷଲତା ଆମର ବନ୍ଧୁ
ସୁନ୍ଦର ଶ୍ୟାମଳ ଅରଣ୍ୟ । ତା’ ମଧ୍ଯରେ ପବିତ୍ର ଋଷିଙ୍କ ଆଶ୍ରମ । ଶିଷ୍ୟମାନେ ଅଧୟନରତ । ସେମାନଙ୍କର ଶିକ୍ଷା କେବଳ ପୁସ୍ତକ-ପଠନ ମଧ୍ୟରେ ସୀମିତ ନୁହେଁ । ଉଦ୍ୟାନକର୍ମ, ଗେସେବା, କୃଷିକାର୍ଯ୍ୟ, ରନ୍ଧନ, ସମିଧ ସଂଗ୍ରହ ଇତ୍ୟାଦି ମଧ୍ଯ ଏହି ଶିକ୍ଷାର ଅନ୍ତର୍ଭୁକ୍ତ ।
ଏକଦା ଗୁରୁଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ । ସେ ଆଖପାଖରେ ଥିବା ବୃକ୍ଷଲତାଗୁଡ଼ିକୁ ଦେଖୁଆସିବାପାଇଁ ସେମାନଙ୍କୁ ପଠାଇଲେ ଏବଂ କେଉଁ ବୃକ୍ଷ ବା ଲତାଟି ମନୁଷ୍ୟର ଉପକାରରେ ଆସୁନାହଁ, ତାହା ଜଣାଇବାପାଇଁ ନିର୍ଦ୍ଦେଶ ଦେଲେ ।
ଶିଷ୍ୟମାନେ ନିଜନିଜ କାର୍ଯ୍ୟରେ ଲାଗିଗଲେ। ବୃକ୍ଷଲତାମାନଙ୍କର ଗୁଣଦୋଷ ଅନୁଧ୍ୟାନ କଲେ । କେତେଦିନ ପରେ ସେମାନେ ଫେରିଆସି କେଉଁ ଗଛ ଦରକାରୀ ଓ କେଉଁ ଗଛ ଅଦରକାରୀ ତାହା ଗୁରୁଙ୍କୁ ଜଣାଇଲେ ।
କିନ୍ତୁ ଜଣେ ଶିଷ୍ୟଙ୍କର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଲା । ସେତେବେଳେ ଦୀର୍ଘ ଏକବର୍ଷ ଅତୀତ ହୋଇଯାଇଥାଏ । ସେ ଆସି କହିଲେ,–”ଗୁରୁଦେବ, ମୁଁ କେତେ ଗାଁଗଣ୍ଡା, ବଣଜଙ୍ଗଲ ଓ ପାହାଡ଼ପର୍ବତ ବୁଲିଲି । କେଉଁଠି ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ଦେଖଲି ନାହିଁ । ପ୍ରତ୍ୟେକ ଗଛଲତାର ଉପକାରିତା ଅଛି । ପ୍ରତ୍ୟେକ ଉଦ୍ଭଦରେ ଔଷଧୀୟଗୁଣ ଭରିରହିଛି । ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥସବଳ ରଖିବାପାଇଁ ସେମାନେ ଜନ୍ମ ନେଇଛନ୍ତି ।”
ଗୁରୁ ହସିହସି କହିଲେ, –”ତୁମ କଥା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ । ତୁମ ପାଣ୍ଡିତ୍ୟରେ ମଧ୍ୟ ଗର୍ବିତ । ତୁମ ଶିକ୍ଷା ସଂପୂର୍ଣ ହୋଇଛି । ଏଥର ତୁମେ ସ୍ଵଗୃହକୁ ଫେରିଯାଅ । ସମାଜ ସେବାରେ ମନୋନିବେଶ କର ।”
ସେହି ଶିଷ୍ୟଜଣକ ହେଉଛନ୍ତି ‘ଚରକ’ । ପରବର୍ତ୍ତୀ ଜୀବନରେ ସେ ଜଣେ ଚିକିତ୍ସାବିଜ୍ଞାନୀ ଭାବରେ ସୁପ୍ରତିଷ୍ଠିତ ହୋଇଥିଲେ । ତାଙ୍କ ରଚିତ ଶାସ୍ତ୍ରଟିର ନାମ ‘ଚରକ ସଂହିତା’ ।
ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ । ପୁରାଣରେ ବର୍ଣ୍ଣିତ ଅଛି ଯେ, ସୁସନ୍ତାନମାନଙ୍କୁ ଜନ୍ମଦେବାଠାରୁ ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ । ଏହି କାରଣରୁ ପୂର୍ବେ ବୃକ୍ଷରୋପଣ କରି ଲୋକେ ଆନନ୍ଦ ଲାଭ କରୁଥିଲେ । ବିଭିନ୍ନ ପର୍ବପର୍ବାଣି, ଏପରିକି ଦୈନନ୍ଦିନ ଜୀବନରେ ବୃକ୍ଷଲତାର ପୂଜା ଏକ ବିଶିଷ୍ଟ ସ୍ଥାନ ଲାଭ କରିଥିଲା ।
ବୃକ୍ଷଲତା ମଣିଷର କେତେ ଯେ ଉପକାର କରନ୍ତି, ତାହା କଳନା କରାଯାଇ ପାରିବ ନାହିଁ । ପ୍ରକୃତି ଓ ପରିବେଶର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ଏବଂ ମନୁଷ୍ୟକୁ ତା’ର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇବାରେ ବୃକ୍ଷଲତାଙ୍କର ଅଶେଷ ଭୂମିକା ରହିଅଛି ।
ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି; ମାତ୍ର ଏବେ ଅରଣ୍ୟ ସଂପଦ ହ୍ରାସ ପାଇଥିବାରୁ ବୃଷ୍ଟିପାତରେ ଅନେକ ଅନିୟମିତତା ଦେଖାଦେଇଛି । ଏହି ଅନିୟମିତ ବର୍ଷା ପୃଥିବୀର ବହୁ ଦେଶରେ ବହୁ ଦୁର୍ଗତିର କାରଣ ବୋଲି ବିବେଚିତ ହେଉଛି ।
ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି । ଅରଣ୍ୟ ସମ୍ପଦର ବିନାଶ ହିଁ ଏହାର ପ୍ରଧାନ କାରଣ । ଠିକ୍ ଏହି କାରଣରୁ ହିଁ ପୃଥିବୀର ବିଭିନ୍ନ ସ୍ଥାନରେ ଅନାବୃଷ୍ଟି ହୋଇ ଦୁର୍ଭିକ୍ଷ ଦେଖାଦେଉଛି ଏବଂ ସମଗ୍ର ମାନବଜାତି ଏଥିପାଇଁ ଆତଙ୍କିତ ହୋଇପଡ଼ିଛି ।
ବୃକ୍ଷଲତା ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି; କିନ୍ତୁ ମନୁଷ୍ୟ ଓ ପଶୁପକ୍ଷୀ କେବଳ ଅମ୍ଳଜାନ ହିଁ ଆବଶ୍ୟକ କରିଥାନ୍ତି । ଏହିପରି ଉଭିଦଜଗତ ଅମ୍ଳଜାନ ଯୋଗାଇ ଦୂଷିତ ବାୟୁମଣ୍ଡଳକୁ ବିଶୁଦ୍ଧ କରିବାରେ ବିଶେଷ ସହାୟକ ହୋଇଥାଏ ।
କଳକାରଖାନାର ପ୍ରତିଷ୍ଠା, ରେଳ, ମଟର, ଟ୍ୟାକ୍ସି, ସ୍କୁଟର ପ୍ରଭୃତିର ବହୁଳ ବ୍ୟବହାରଯୋଗୁଁ ବାୟୁମଣ୍ଡଳରେ ପ୍ରଚୁର ଅଙ୍ଗାରକାମ୍ଳ ବାଷ୍ପ ମିଶିଥାଏ । ଏହା ମନୁଷ୍ୟର ସ୍ଵାସ୍ଥ୍ୟପକ୍ଷେ ବିଶେଷ କ୍ଷତିକାରକ । ବୃକ୍ଷଲତାଗୁଡ଼ିକ ଏହି ଅଙ୍ଗାରକାମ୍ଳ ଗ୍ରହଣ କରି ପରିବେଶକୁ ପ୍ରଦୂଷଣମୁକ୍ତ କରିଥାନ୍ତି; ମାତ୍ର ବର୍ତ୍ତମାନ କାଳରେ ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହୋଇଛି, ତାହା ସହଜରେ ଅନୁମେୟ ।
ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି । ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଏବଂ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃଭିକାକୁ ରକ୍ଷା କରନ୍ତି । ମାତ୍ର ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ, ସେଠାରେ ସହଜରେ ମାଟି ଧୋଇ ହୋଇଯାଏ । ସେହି ଭୂମି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇ ପଡ଼ିରହେ ।
ପୂର୍ବେ ଯେଉଁ ଅଞ୍ଚଳ ସୁନ୍ଦର ଓ ଶ୍ୟାମଳ ଶୋଭା ସମ୍ପଦରେ ପରିପୂର୍ଣ୍ଣ ଥିଲା, ଅରଣ୍ୟ ନଷ୍ଟ ହେବା ଫଳରେ ଆଜି ତାହା ନୀରସ, କଙ୍କରିଳ ଓ ଉଷର ଭୂମିରେ ପରିଣତ ହୋଇଛି । ସେଥିପାଇଁ ବ୍ୟାପକ ବନୀକରଣଦ୍ଵାରା ମରୁଭୂମିର ସଂପ୍ରସାରଣରୁ ପୃଥିବୀକୁ ରକ୍ଷାକରିବାକୁ ଉଦ୍ୟମ ହେଉଛି ।
ବଣଜଙ୍ଗଲ ନଷ୍ଟହେବା ଫଳରେ ମୃତ୍ତିକା କ୍ଷୟ ଘଟି ଜଳଭଣ୍ଡାର ଓ ନଦୀ, ପୁଷ୍କରିଣୀର ଶଯ୍ୟା ପୋତି ହୋଇଯାଏ । ବହୁ ଅର୍ଥ ବ୍ୟୟରେ ନିର୍ମିତ ଆମ ହୀରାକୁଦ ଜଳଭଣ୍ଡାର ଅନୁରୂପ ବିପଦର ସମ୍ମୁଖୀନ ହୋଇଛି । ଏହାର ପ୍ରତିକାର ଜଳଭଣ୍ଡାରର ଚତୁଃପାର୍ଶ୍ଵରେ ବିସ୍ତୃତ ଅରଣ୍ୟ ସୃଷ୍ଟିଦ୍ୱାରା ହିଁ ସମ୍ଭବ ।
ନିର୍ବିଚାରରେ ଜଙ୍ଗଲମାନ ଧ୍ଵଂସ କରାଯାଉଥିବାରୁ କାଠ, ଲାଖ, ଝୁଣା ଆଦି ଜଙ୍ଗଲଜାତ ପଦାର୍ଥ କ୍ରମେ ଦୁର୍ମୂଲ୍ୟ ହୋଇପଡୁଛି । ଘନ ଜଙ୍ଗଲ ଅଭାବରୁ ଅନେକ ପଶୁପକ୍ଷୀ ମଧ୍ୟ ଲୋପ ପାଇଲେଣି । ଏବେ ବଞ୍ଚିରହିଥିବା ଦୁର୍ଲଭ ଜୀବଜନ୍ତୁମାନଙ୍କର ସ୍ଵର ହୁଏତ ଆଉ କେତେ ଦିନ ପରେ ଶୁଣାଯିବ ନାହିଁ । ଅରଣ୍ୟଲବ୍ଧ ବହୁ ଔଷଧ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ କଞ୍ଚାମାଲର ଅଭାବ ବଢ଼ିବାରେ ଲାଗିଛି । ମାନବର ପରମ କର୍ତ୍ତବ୍ୟ ହେଉଛି ଅରଣ୍ୟର ଯତ୍ନ ନେଇ ଏହି ପଶୁପକ୍ଷୀ ଓ ଜଙ୍ଗଲଜାତ ପଦାର୍ଥଗୁଡ଼ିକର ବିକାଶ ଘଟାଇବା ।
ଉଭିଦ ଓ ପ୍ରାଣୀ ପରସ୍ପର ନିର୍ଭରଶୀଳ । ପ୍ରାଣୀଜଗତର ବିନା ସାହାଯ୍ୟରେ ଉଭିଦଜଗତ ବଞ୍ଚିପାରେ; ମାତ୍ର ଉଭିଦଜଗତ ବ୍ୟତୀତ ପ୍ରାଣୀଜଗତ ବଞ୍ଚିବା ଏକାନ୍ତ ଅସମ୍ଭବ । ବାୟୁମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ଆମେ ଉଭିଦଜଗତ ନିକଟରେ ଏକାନ୍ତ ଋଣୀ ।
ପୃଥିବୀରେ ଲୋକସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ଫଳରେ ଉଭିଦଜଗତ ଉପରେ ପ୍ରବଳ ଚାପ ପଡୁଛି । କ୍ରମଶଃ ଜଙ୍ଗଲ ନଷ୍ଟ ହୋଇଯାଉଛି । ସତେ ଯେପରି ଆମେ ଯେଉଁ ଗଛର ଡାଳରେ ବସିଛୁ, ସେଇ ଡାଳର ମୂଳକୁ ହାଣୁଛୁ । ଏହି ଦୁଷ୍କର୍ମର ଅବସାନ ନ ଘଟିଲେ ଆମ ଦୁର୍ଦ୍ଦଶାର ସୀମା ରହିବ ନାହିଁ ।
ବୃକ୍ଷଲତା ଆମର ବନ୍ଧୁ । ଅରଣ୍ୟ ବିନାଶ ପରିବର୍ତ୍ତେ ନୂତନ ଅରଣ୍ୟ ସୃଷ୍ଟି ଆମର ଲକ୍ଷ୍ୟ ହେବା ଏକାନ୍ତ ଆବଶ୍ୟକ । ଯୋଜନା କାର୍ଯ୍ୟକାରୀ ହେଉଛି । ମୃତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ, ସାମାଜିକ ବନୀକରଣ ଯୋଜନା ପ୍ରଭୃତି ଏହାର ଦୃଷ୍ଟାନ୍ତ ।
ଏହି ଦୃଷ୍ଟିରୁ ଆମ ଦେଶରେ ବିଭିନ୍ନ ବୃକ୍ଷଲତାକୁ ‘ସବୁଜସ୍ପର୍ଶ’ ବୋଲି କୁହାଯାଏ । ଯଥାର୍ଥତଃ ଏହା ସ୍ଵର୍ଣ୍ଣଠାରୁ ମଧ୍ୟ ବହୁ ଗୁଣରେ ମୂଲ୍ୟବାନ । ଆମେ ଏହି ଅମୂଲ୍ୟ ବନସମ୍ପଦର ସୁରକ୍ଷା ଓ ବିକାଶ ନ କଲେ ଆମର ସ୍ଥିତି ବିପନ୍ନ ହୋଇପଡ଼ିବ ।
ଲେଖକ ପରିଚୟ
ଡ. ଜଗନ୍ନାଥ ମହାନ୍ତି (୧୯୩୭–୨୦୧୧) ପୁରୀଜିଲ୍ଲାର ଗୋପ ଥାନା ଅନ୍ତର୍ଗତ ଜଙ୍ଗଲବରୀ ଗ୍ରାମରେ ଜନ୍ମ ହୋଇଥିଲେ । ସେ ଜଣେ ବିଶିଷ୍ଟ ଶିଶୁସାହିତ୍ୟ ଲେଖକ ଭାବରେ ସୁପରିଚିତ । ‘ଦରିଆ ଅଜାର ମଜାଦୁନିଆ’ ପୁସ୍ତକପାଇଁ ସେ ଜାତୀୟ ପୁରସ୍କାର ଏବଂ ‘ ଆଲୁଅର କୁହୁକ ଓ ଶବ୍ଦର ଲୁଚୁକାଳି’, ‘ଦୂରଦିଗନ୍ତ’ ପୁସ୍ତକପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଦୁଇଥର ଲାଭ କରିଥିଲେ । ସେ ଉଚ୍ଚଶିକ୍ଷା ବିଭାଗର ପ୍ରଫେସର ଭାବରେ କାର୍ଯ୍ୟକରି ଅବସର ନେଇଥିଲେ । ‘ବୃକ୍ଷଲତା ଆମର ବନ୍ଧୁ’ ପାଠରେ ସେ ବୃକ୍ଷଲତାର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିଛନ୍ତି ।
ସାରାଂଶ : ବୃକ୍ଷଲତା ଆମର ବନ୍ଧୁ
ଏହି ପାଠଟିରେ ବୃକ୍ଷଲତା ବା ଉଦ୍ଭିଦ ଜଗତର ଗୁରୁତ୍ୱ ଏବଂ ଆମ ଜୀବନରେ ସେମାନଙ୍କର ଅବଦାନ ବିଷୟରେ ଆଲୋଚନା କରାଯାଇଛି। ଆରମ୍ଭରେ ଏକ ପୌରାଣିକ ଗଳ୍ପ ମାଧ୍ୟମରେ କୁହାଯାଇଛି ଯେ ଋଷିଙ୍କର ଜଣେ ଶିଷ୍ୟ ‘ଚରକ’ ବୁଲି ବୁଲି ଦେଖିଲେ ଯେ ପୃଥିବୀରେ ଗୋଟିଏ ହେଲେ ବି ଅଦରକାରୀ ଗଛ ନାହିଁ; ପ୍ରତ୍ୟେକ ଗଛଲତାରେ କିଛି ନା କିଛି ଔଷଧୀୟ ଗୁଣ ରହିଛି। ପରବର୍ତ୍ତୀ ସମୟରେ ସେ ହିଁ ମହାନ ଚିକିତ୍ସାବିଜ୍ଞାନୀ ଚରକ ନାମରେ ପ୍ରସିଦ୍ଧ ହେଲେ।
ପରିବେଶର ସୁରକ୍ଷା, ନିୟମିତ ବର୍ଷା, ମାଟି ସଂରକ୍ଷଣ (ମୃତ୍ତିକା କ୍ଷୟ ରୋକିବା) ଏବଂ ଜଳବାୟୁ ନିୟନ୍ତ୍ରଣ କରିବାରେ ବୃକ୍ଷଲତାଙ୍କର ପ୍ରଧାନ ଭୂମିକା ରହିଛି। ଗଛଗୁଡ଼ିକ ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁମଣ୍ଡଳରୁ ଦୂଷିତ ଅଙ୍ଗାରକାମ୍ଳ ଗ୍ରହଣ କରି ଆମକୁ ଶ୍ୱାସକ୍ରିୟା ପାଇଁ ବିଶୁଦ୍ଧ ଅମ୍ଳଜାନ (Oxygen) ଯୋଗାନ୍ତି। ଆଜିକାଲି ଲୋକସଂଖ୍ୟା ବଢ଼ିବା ସହ ଜଙ୍ଗଲ କଟାଯାଉଥିବାରୁ, ବର୍ଷା ଅଭାବରୁ ମରୁଡ଼ି (ଅନାବୃଷ୍ଟି) ଦେଖାଦେଉଛି, ପରିବେଶ ପ୍ରଦୂଷିତ ହେଉଛି ଏବଂ ଅନେକ ଜୀବଜନ୍ତୁ ଲୋପ ପାଇଯାଉଛନ୍ତି। ଜଙ୍ଗଲ ନଷ୍ଟ କରିବା ମାନେ ଆମେ ଯେଉଁ ଡାଳରେ ବସିଛୁ ସେହି ଡାଳକୁ ହାଣିବା ସହ ସମାନ। ତେଣୁ ପୃଥିବୀରେ ବଞ୍ଚିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ (ସାମାଜିକ ବନୀକରଣ) ଏବଂ ଜଙ୍ଗଲ ସୁରକ୍ଷା କରିବା ଆମର ପରମ କର୍ତ୍ତବ୍ୟ ଅଟେ। ଗଛଗୁଡ଼ିକ ଆମ ପାଇଁ ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ‘ସବୁଜସ୍ୱର୍ଣ୍ଣ’ (Green Gold) ଅଟନ୍ତି।
सारांश : पेड़–पौधे हमारे मित्र
इस पाठ में पेड़-पौधों (वनस्पतियों) के महत्व और हमारे जीवन में उनके योगदान की चर्चा की गई है। शुरुआत में एक पौराणिक कथा के माध्यम से बताया गया है कि एक ऋषि के शिष्य ‘चरक’ ने चारों ओर घूमकर देखा कि दुनिया में एक भी ऐसा पेड़-पौधा नहीं है जो बेकार हो; हर पेड़-पौधे में कोई न कोई औषधीय गुण (Medical value) होता है। बाद में वही शिष्य महान आयुर्वेद चिकित्सक ‘महर्षि चरक’ के नाम से प्रसिद्ध हुए।
पर्यावरण की सुरक्षा, नियमित बारिश, मिट्टी का कटाव रोकने (Soil conservation) और जलवायु को नियंत्रित करने में पेड़-पौधों की मुख्य भूमिका है। पेड़-पौधे प्रकाश संश्लेषण (Photosynthesis) के माध्यम से दूषित कार्बन डाइऑक्साइड को ग्रहण करते हैं और हमें साँस लेने के लिए शुद्ध ऑक्सीजन देते हैं। आज जनसंख्या बढ़ने के साथ-साथ जंगलों की कटाई हो रही है, जिससे बारिश की कमी (सूखा) हो रही है, प्रदूषण बढ़ रहा है और कई वन्यजीव लुप्त हो रहे हैं। जंगल नष्ट करने का मतलब है कि हम जिस डाल पर बैठे हैं, उसी को काट रहे हैं। इसलिए, पृथ्वी पर जीवन बचाने के लिए बड़े पैमाने पर पौधारोपण (वनरोपण) और जंगलों की रक्षा करना हमारा परम कर्तव्य है। पेड़-पौधे हमारे लिए सोने से भी अधिक मूल्यवान ‘हरा सोना’ (Green Gold) हैं।
ଶବ୍ଦାର୍ଥ
Odia Word | Meaning in Odia | Meaning in Hindi | Meaning in English |
ଅରଣ୍ୟ (Aranya) | ଜଙ୍ଗଲ / ବଣ | जंगल / वन | Forest |
ସମିଧ (Samidha) | ଯଜ୍ଞ ପାଇଁ ଜାଳେଣି କାଠ | यज्ञ की लकड़ी | Sacrificial wood / Firewood |
ଅନୁଧ୍ୟାନ (Anudhyana) | ଗଭୀର ଚିନ୍ତା / ତଦାରଖ | अध्ययन / निरीक्षण | Observation / Deep study |
ପ୍ରତ୍ୟାବର୍ତ୍ତନ (Pratyabartana) | ଫେରିଆସିବା | वापस लौटना | Return |
କଳନା (Kalana) | ହିସାବ କରିବା | गणना / आकलन | Calculation / Estimation |
ଅନାବୃଷ୍ଟି (Anabrusti) | ବର୍ଷା ନହେବା / ମରୁଡ଼ି | सूखा / वर्षा का न होना | Drought / Lack of rain |
ଦୁର୍ଭିକ୍ଷ (Durbhiksha) | ଖାଦ୍ୟ ଅଭାବ / ମରୁଡ଼ି | अकाल / भुखमरी | Famine / Scarcity |
ଅମ୍ଳଜାନ (Amlajana) | ପ୍ରାଣବାୟୁ | ऑक्सीजन | Oxygen |
ଅଙ୍ଗାରକାମ୍ଳ (Angarakamla) | ଏକ ଦୂଷିତ ଗ୍ୟାସ୍ | कार्बन डाइऑक्साइड | Carbon dioxide |
ଅନୁର୍ବର (Anurbara) | ଯେଉଁଠି ଫସଲ ହୁଏନାହିଁ | बंजर / अनुपजाऊ | Barren / Infertile |
ନୀରସ (Nirasa) | ରସହୀନ / ଶୁଖିଲା | नीरस / सूखा | Dry / Lifeless |
କଙ୍କରିଳ (Kankarila) | ଗୋଡ଼ିପଥର ପୂର୍ଣ୍ଣ | पथरीला | Stony / Gravelly |
ଉଷର ଭୂମି (Ushara bhumi) | ପଡ଼ିଆ ବା ଅନୁର୍ବର ଜମି | बंजर भूमि | Barren land |
ଦୁର୍ମୂଲ୍ୟ (Durmulya) | ଯାହାର ଦାମ୍ ବହୁତ ବେଶି | बहुमूल्य / महँगा | Very expensive / Dear |
ଅବସାନ (Abasana) | ଶେଷ / ସମାପ୍ତି | समाप्ति / अंत | End / Termination |
ଦୁର୍ଦ୍ଦଶା (Durdasha) | ଖରାପ ଅବସ୍ଥା / ଦୁଃଖ | बुरी दशा / दुर्दशा | Misery / Plight |
ପାଠ ଅନ୍ତର୍ଗତ
ମୋ ବୁଝିବାରେ
(କ) ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।
୧. “କେଉଁଠି ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ଦେଖଲି ନାହିଁ ।”– ଏକଥା ଚରକ କହିଥିଲେ। ଚରକ କିଏ ?
ବୈଜ୍ଞାନିକ
ଉଭିଦ ବିଜ୍ଞାନୀ
ଗୁରୁଦେବ
ଚିକିତ୍ସାବିଜ୍ଞାନୀ (*)
୨. “ବୃକ୍ଷଲତା ଆମର ଏକାନ୍ତ ଉପକାରୀ ବନ୍ଧୁ” । କିପରି ?
ଆମ ପରି ଶ୍ଵାସକ୍ରିୟା କରନ୍ତି ।
ଆମ ସହିତ ଧରିତ୍ରୀରେ ଜନ୍ମଗ୍ରହଣ କରନ୍ତି ।
ବାୟୁକୁ ଶୁଦ୍ଧ କରିବାରେ ସହାୟତା କରନ୍ତି । (*)
ବାୟୁକୁ ଦୂଷିତ କରିବାରେ ସହାୟତା କରନ୍ତି ।
(ଖ) ତୁମେ ଏହି ଉତ୍ତର ଦୁଇଟି କାହିଁକି ବାଛିଲ, ସାଙ୍ଗମାନଙ୍କ ସହ ଆଲୋଚନା କର ।
ଉତ୍ତର – ପ୍ରଥମ ପ୍ରଶ୍ନର ଉତ୍ତର ‘ଚିକିତ୍ସାବିଜ୍ଞାନୀ’ ବାଛିଲି କାରଣ ବହିରେ ଲେଖାଅଛି ଯେ ପରବର୍ତ୍ତୀ ଜୀବନରେ ଚରକ ଜଣେ ‘ଚିକିତ୍ସାବିଜ୍ଞାନୀ’ (ଆୟୁର୍ବେଦ ଚିକିତ୍ସକ) ଭାବରେ ସୁପ୍ରତିଷ୍ଠିତ ହୋଇଥିଲେ। ଦ୍ୱିତୀୟ ପ୍ରଶ୍ନର ଉତ୍ତର ବାଛିଲି କାରଣ ଗଛଲତା ବାୟୁମଣ୍ଡଳରୁ ଦୂଷିତ ଅଙ୍ଗାରକାମ୍ଳ ଗ୍ୟାସ୍ ଶୋଷିନେଇ ଆମକୁ ଅମ୍ଳଜାନ ଦିଅନ୍ତି ଏବଂ ବାୟୁକୁ ଶୁଦ୍ଧ କରି ଆମର ବହୁତ ଉପକାର କରନ୍ତି।
ବାକ୍ୟ ଉପରେ ଆଲୋଚନା (ଭାବାର୍ଥ ଲେଖ)
ନିମ୍ନଲିଖିତ ବାକ୍ୟଦୁଇଟିକୁ ମନଦେଇ ପଢ଼ ଓ ଏହାର ଭାବାର୍ଥକୁ ସାଙ୍ଗମାନଙ୍କ ସହ ଆଲୋଚନା କର ଆଲୋଚନାର ସାରାଂଶକୁ ଲେଖ ।
(କ) “ପ୍ରତ୍ୟେକ ଗଛଲତାର ଉପକାରିତା ଅଛି ।”
ଭାବାର୍ଥ – ଏ ପୃଥିବୀରେ ଥିବା ସମସ୍ତ ଗଛ, ଲତା କିମ୍ବା ଛୋଟ ଘାସର ମଧ୍ୟ କିଛି ନା କିଛି ଔଷଧୀୟ ଗୁଣ ରହିଛି ବା ସେମାନେ ମଣିଷ ଓ ପଶୁପକ୍ଷୀଙ୍କ କାମରେ ଆସନ୍ତି। ଭଗବାନ କୌଣସି ବି ଗଛକୁ ଅଦରକାରୀ କରି ସୃଷ୍ଟି କରିନାହାନ୍ତି।
(ଖ) “ବଣଜଙ୍ଗଲ ନଷ୍ଟ ହେବା ଫଳରେ ମୃତ୍ତିକାକ୍ଷୟ ଘଟି ଜଳଭଣ୍ଡାର ଓ ନଦୀ ପୁଷ୍କରିଣୀର ଶଯ୍ୟା ପୋତି ହୋଇଯାଏ ।”
ଭାବାର୍ଥ – ଗଛର ଚେର ମାଟିକୁ ଜାବୁଡ଼ି ଧରି ରଖେ। କିନ୍ତୁ ଜଙ୍ଗଲ କାଟିଦେଲେ, ବର୍ଷା ହେଲେ ମାଟି ଧୋଇ ହୋଇଯାଏ (ମୃତ୍ତିକା କ୍ଷୟ) ଏବଂ ସେହି ମାଟି ବୋହିଯାଇ ନଦୀ, ପୋଖରୀ ଓ ଡ୍ୟାମ୍ (ଜଳଭଣ୍ଡାର)ର ତଳେ ଜମା ହୋଇ ସେଗୁଡ଼ିକୁ ପୋତି ପକାଏ (ଗଭୀରତା କମାଇଦିଏ)।
ମିଳିମିଶି ଯୋଡ଼ିବା (ଶବ୍ଦ/ବାକ୍ୟାଂଶ ସହ ଉପଯୁକ୍ତ ଭାବାର୍ଥ ଯୋଡ଼)
“ବୃକ୍ଷଲତା ଆମର ବନ୍ଧୁ” ବିଷୟରୁ କିଛି ଶବ୍ଦ ବା ବାକ୍ୟଶ ଓ ତା’ର ଭାବାର୍ଥ ନିମ୍ନରେ ଦିଆଯାଇଛି । ସାଙ୍ଗମାନଙ୍କ ସହିତ ଦଳରେ ଆଲୋଚନା କରି ଶବ୍ଦ ବା ବାକ୍ୟଶ ସହ ତା’ର ଉପଯୁକ୍ତ ଭାବାର୍ଥକୁ ଯୋଡ଼ ।
୧. ଅମ୍ଳଜାନ ➔ ୪. ପ୍ରତ୍ୟେକ ଜୀବଜନ୍ତୁଙ୍କର ଶ୍ଵାସକ୍ରିୟା ନିମନ୍ତେ ଆବଶ୍ୟକ ହେଉଥିବା ବାୟୁର ଏକ ଉପାଦାନ ।
୨. ଅଙ୍ଗାରକାମ୍ଳ ➔ ୬. ଶ୍ଵାସକ୍ରିୟାରେ ଶରୀରରୁ ବାହାରୁଥିବା ବାୟୁର ଏକ ଉପାଦାନ ।
୩. ଆଲୋକସଂଶ୍ଳେଷଣ ➔ ୭. ବୃକ୍ଷଲତା ବାୟୁରୁ ଅଙ୍ଗାରକାମ୍ଳବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ିବା ପ୍ରକ୍ରିୟା ।
୪. ସବୁଜସ୍ଵର୍ଣ୍ଣ ➔ ୩. ସୁନା ଏକ ମୂଲ୍ୟବାନ ଧାତୁ, ମାତ୍ର ସବୁଜ ରଙ୍ଗରେ ଶୋଭା ପାଉଥିବା ଗଛଲତାଗୁଡ଼ିକ, ସୁନାଠାରୁ ମଧ୍ୟ ମୂଲ୍ୟବାନ।
୫. ଉପକାରୀ ବନ୍ଧୁ ➔ ୧. ଯିଏ ବନ୍ଧୁ ପରି ଅନ୍ୟର ଉପକାର କରିଥାଏ ।
୬. ଅନାବୃଷ୍ଟି ହୋଇ ଦୁର୍ଭିକ୍ଷ ଦେଖାଯିବା ➔ ୨. ବର୍ଷା ନ ହେଲେ ଶସ୍ୟ ବା ଫସଲ ଉତ୍ପାଦନ ହୋଇପାରିବ ନାହିଁ (ଫଳରେ ଖାଦ୍ୟ ଅଭାବ/ଦୁର୍ଭିକ୍ଷ ହେବ) ।
୭. ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ➔ ୫. ଗଛ ଲଗାଇବାଦ୍ଵାରା ଅମ୍ଳଜାନ ଅଭାବ ପୂରଣ, ମୃତ୍ତିକା ସଂରକ୍ଷଣ, ବୃଷ୍ଟିପାତ ପରି ଅତି ଆବଶ୍ୟକ କାର୍ଯ୍ୟ ହୋଇ ପାରିଥାଏ । ଫଳରେ ସମଗ୍ର ଜୀବଜଗତର ଉପକାର ହୋଇଥାଏ ।
ଚିନ୍ତା କରିବା
ବୃକ୍ଷଲତା ଆମର ବନ୍ଧୁ- ବିଷୟଟିକୁ ପଢ଼ି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) ‘ବୃକ୍ଷଲତା’ ନ ଥିଲେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟିବ । କାରଣ କ’ଣ ଲେଖ ।
ଉତ୍ତର – ଗଛଲତା ବାୟୁମଣ୍ଡଳକୁ ଥଣ୍ଡା ରଖନ୍ତି ଏବଂ ମେଘ ସୃଷ୍ଟି କରି ବର୍ଷା ହେବାରେ ମୁଖ୍ୟ ସାହାଯ୍ୟ କରନ୍ତି। ବୃକ୍ଷଲତା ନଥିଲେ ବର୍ଷା ହେବନାହିଁ (ଅନାବୃଷ୍ଟି), ଯାହାଫଳରେ ଚାଷ ହୋଇପାରିବ ନାହିଁ ଏବଂ ଖାଦ୍ୟ ଅଭାବରୁ ଦୁର୍ଭିକ୍ଷ ଦେଖାଦେବ।
(ଖ) ପୃଥିବୀପୃଷ୍ଠକୁ ଏତେ ପରିମାଣର ଅଙ୍ଗାରକାମ୍ଳ ବାଷ୍ପ କେଉଁଠାରୁ ଆସୁଛି ?
ଉତ୍ତର – ମଣିଷ ଓ ପଶୁପକ୍ଷୀ ନିଃଶ୍ୱାସରେ ଛାଡ଼ୁଥିବା ବାୟୁ, ଏବଂ କଳକାରଖାନା, ମଟରଗାଡ଼ି, ସ୍କୁଟର ଆଦିରୁ ବାହାରୁଥିବା ବିଷାକ୍ତ ଧୂଆଁରୁ ପୃଥିବୀ ପୃଷ୍ଠକୁ ପ୍ରଚୁର ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ଆସୁଛି।
(ଗ) ଅଙ୍ଗାରକାମ୍ଳବାଷ୍ପର ପରିମାଣ ବଢ଼ିଗଲେ ମଣିଷର କ’ଣ ସବୁ ଅସୁବିଧା ହେବ ?
ଉତ୍ତର – ଅଙ୍ଗାରକାମ୍ଳ ବଢ଼ିଗଲେ ବାୟୁମଣ୍ଡଳ ଦୂଷିତ ହେବ, ପୃଥିବୀର ତାପମାତ୍ରା ବହୁତ ବଢ଼ିଯିବ (ଗରମ ହେବ), ଏବଂ ଶ୍ୱାସକ୍ରିୟା ପାଇଁ ବିଶୁଦ୍ଧ ଅମ୍ଳଜାନ ମିଳିବ ନାହିଁ ଯାହାଫଳରେ ମଣିଷର ସ୍ୱାସ୍ଥ୍ୟ ଖରାପ ହେବ ଓ ଜୀବନ ପ୍ରତି ବିପଦ ଆସିବ।
ନୂଆକଥା ଲେଖିବା
(କ) ପଠିତ ପ୍ରସଙ୍ଗରେ ଲେଖକ ‘ବୃକ୍ଷଲତା’ ବିଷୟରେ ବର୍ଣ୍ଣନା କରିଛନ୍ତି । ସେହିପରି ତୁମେ ତୁମ ପରିବେଶରେ ଦେଖୁଥିବା ଯେକୌଣସି ପ୍ରସଙ୍ଗ ଉପରେ ଲେଖ ।
ଯଥା- ଆମ ବାଡ଼ିବଗିଚା, ବିଲ, ମୁଁ ଲଗାଇଥିବା ଗଛ, ଗଛର ଯତ୍ନ, ବିଦ୍ୟାଳୟର ଔଷଧୀୟ ବଗିଚା, ଫୁଲକୁଣ୍ଡରେ ପନିପରିବା, ମୋର ପ୍ରିୟ ପରିବା/ ଖାଦ୍ୟ ଫୁଲ ଇତ୍ୟାଦି ।
ଉଦାହରଣ (ଆମ ବିଦ୍ୟାଳୟର ଔଷଧୀୟ ବଗିଚା) –
ଆମ ବିଦ୍ୟାଳୟ ପଛପଟେ ଏକ ସୁନ୍ଦର ଔଷଧୀୟ ବଗିଚା ଅଛି। ସେଠାରେ ଆମେ ତୁଳସୀ, ଅଶ୍ୱଗନ୍ଧା, ଘିକୁଆଁରୀ (ଆଲୋଭେରା), ବେଲ ଓ ଗିଲୋୟ ଭଳି ଅନେକ ଦରକାରୀ ଗଛ ଲଗାଇଛୁ। ଆମ ବିଜ୍ଞାନ ଶିକ୍ଷକ ଆମକୁ ଏହି ଗଛଗୁଡ଼ିକର ଔଷଧୀୟ ଗୁଣ ବିଷୟରେ ଶିଖାନ୍ତି। ଯେପରିକି ଥଣ୍ଡା କାଶ ହେଲେ ତୁଳସୀ ପତ୍ର ରସ ଖାଇଲେ ଭଲ ହୋଇଯାଏ। ଆମେ ସବୁଦିନ ବଗିଚାକୁ ପାଣି ଦେଇ ତାର ଯତ୍ନ ନେଉ।
ଅନୁମାନ ଓ କଳ୍ପନା
ସାଙ୍ଗମାନଙ୍କ ସହ ଦଳରେ ଆଲୋଚନା କରି ଲେଖ ।
(କ) ଯଦି ବୃକ୍ଷ ଅଙ୍ଗାରକାମ୍ଳ ଗ୍ରହଣ କରୁନଥାନ୍ତା, ତେବେ କ’ଣ ଅସୁବିଧା ହୁଅନ୍ତା ?
ଉତ୍ତର – ଯଦି ଗଛ ଅଙ୍ଗାରକାମ୍ଳ ଗ୍ରହଣ କରୁନଥାନ୍ତା, ତେବେ ବାୟୁମଣ୍ଡଳରେ କେବଳ ବିଷାକ୍ତ ଗ୍ୟାସ୍ ଭରିଯାଆନ୍ତା, ପରିବେଶ ପ୍ରଦୂଷିତ ହୋଇଯାଆନ୍ତା ଏବଂ ଆମକୁ ଶ୍ୱାସ ନେବା ପାଇଁ ଅମ୍ଳଜାନ ନମିଳିବାରୁ ପୃଥିବୀରୁ ସମସ୍ତ ପ୍ରାଣୀଜଗତ ନଷ୍ଟ ହୋଇଯାଆନ୍ତେ।
(ଖ) “ପ୍ରତ୍ୟେକ ଉଭିଦରେ ଔଷଧୀୟ ଗୁଣ ଭରିରହିଛି ।” ଉଭିଦର କେଉଁସବୁ ଔଷଧୀୟ ଗୁଣ ଅଛି ?
ଉତ୍ତର – ଉଦ୍ଭିଦଗୁଡ଼ିକ ରୋଗ ଭଲ କରିବା କାମରେ ଆସନ୍ତି। ଉଦାହରଣ ସ୍ୱରୂପ – ନିମ୍ବ ପତ୍ର ଚର୍ମ ରୋଗ ଭଲ କରେ, ତୁଳସୀ କାଶ ଓ ଥଣ୍ଡା ପାଇଁ ଭଲ, ବେଲ ପେଟ ଗରମ ଓ ହଜମ ପାଇଁ ଭଲ, ଏବଂ ଅଁଳା ଭିଟାମିନ୍-ସି ଦେଇ ଦେହକୁ ସୁସ୍ଥ ରଖେ।
ଆଗକୁ ଯିବା (ମଞ୍ଜିରୁ ପୁଣି ମଞ୍ଜି ପର୍ଯ୍ୟନ୍ତ ଚକ୍ର)
ମଞ୍ଜି ➔ ୧. ଗଜା (ଗ – ଜା)
୨. ବୀଜପତ୍ର (ବୀ – ଜ – ପ – ତ୍ର)
୩. ପତ୍ର (ପ – ତ୍ର)
୪. ଡାଳ (ଡା – ଳ)
୫. ଫୁଲ (ଫୁ – ଲ)
୬. ଫଳ (ଫ – ଳ) ➔ ମଞ୍ଜି
ଶବ୍ଦର ରୂପ (ଶବ୍ଦଗୁଡ଼ିକ ଭାବି ଖାତାରେ ଲେଖ)
ଯେମିତି ‘ମାଟି’ ସହ– ଉର୍ବର, ଚିକିଟା, ନରମ, ବାଲିଆ, ଝୁରଝୁରିଆ, କଳା ଇତ୍ୟାଦି ଜଡ଼ିତ, ସେହିପରି –
ଗଛ ସହ ଜଡ଼ିତ ଶବ୍ଦ – ସବୁଜ, ଡାଳ, ପତ୍ର, ଛାଇ, ଚେର, ଫୁଲ, ଫଳ, ମଞ୍ଜି।
ସୂର୍ଯ୍ୟ ସହ ଜଡ଼ିତ ଶବ୍ଦ – ଖରା, ଆଲୋକ, ରଶ୍ମି, ତାପ, ଗରମ, ତେଜ, ସକାଳ।
ବର୍ଷା ସହ ଜଡ଼ିତ ଶବ୍ଦ – ପାଣି, ମେଘ, ବୁନ୍ଦା, ଥଣ୍ଡା, ଆଷାଢ଼, ବନ୍ୟା, ଚାଷ।
ପାଠ ବାହାରୁ
(ତୁମକଥା – ନିଜ ପସନ୍ଦର ୩ଟି ଲେଖାଏଁ ନାମ ଲେଖ)
ଫୁଲ – ଗୋଲାପ, ପଦ୍ମ, ମନ୍ଦାର
ଫଳ – ଆମ୍ବ, ସେଓ, କଦଳୀ
ବୃକ୍ଷ – ବରଗଛ, ଆମ୍ବଗଛ, ନିମ୍ବଗଛ
ପକ୍ଷୀ – ମୟୂର, ଶୁଆ, ପାରା
ଖେଳ – କ୍ରିକେଟ୍, ଫୁଟବଲ୍, ଲୁଡୁ
ପୁସ୍ତକ – ରାମାୟଣ, ପଞ୍ଚତନ୍ତ୍ର କାହାଣୀ, ବିଜ୍ଞାନ ବହି
ଅନୁସନ୍ଧାନ କରିବା
(ବିଭିନ୍ନ ଔଷଧୀୟ ପତ୍ରର ଚିତ୍ର ଆଙ୍କି ତାର ଗୁଣ ଖାତାରେ ଲେଖ)
ଉଦାହରଣ –
୧. ତୁଳସୀ ପତ୍ର – ଏହା କାଶ, ଥଣ୍ଡା ଓ ଜ୍ୱର କମାଇବାରେ ସାହାଯ୍ୟ କରେ।
୨. ନିମ୍ବ ପତ୍ର – ଏହା ଦେହର କୁଣ୍ଡିଆ କିମ୍ବା ଚର୍ମ ରୋଗ ଭଲ କରେ ଏବଂ ରକ୍ତ ସଫା କରେ।
୩. ବ୍ରାହ୍ମୀ ପତ୍ର – ଏହା ସ୍ମରଣ ଶକ୍ତି (ମନେ ରଖିବା ଶକ୍ତି) ବଢ଼ାଇଥାଏ।
୪. ପୋଦିନା ପତ୍ର – ଏହା ପେଟ ଗ୍ୟାସ୍ ଏବଂ ହଜମ ସମସ୍ୟା ଦୂର କରେ।

