Mo Jibanara Abhulā Kathā (Autobiography) – Satyanarayan Rajguru, Sahitya Sudha Class VI, Odia Book, The Best Solutions

ମୋ ଜୀବନର ଅଭୁଲାକଥା

୧୯୨୧ ମସିହାରେ ଯେତେବେଳେ ମୁଁ ଚତୁର୍ଥଶ୍ରେଣୀରେ ପଢ଼ୁଥିଲି, ସେତେବେଳେ ମହାତ୍ମା ଗାନ୍ଧିଙ୍କର ଭାରତବ୍ୟାପୀ ସ୍ଵାଧୀନତା ଆନ୍ଦୋଳନର ଆହ୍ବାନ ଦେଶସାରା ବ୍ୟାପିଗଲା । ପାରଳାଖେମୁଣ୍ଡିରେ ମଧ୍ୟ ସେଣ୍ଡ୍‌ର ପ୍ରଭାବ ପଡ଼ିଥିଲା । ସମ୍ବଲପୁର ଆଡୁ ଜଣେ ଉତ୍ତମ ବକ୍ତା ଏଠାରେ ଗୋଟିଏ ସଭା କରି ଓଡ଼ିଆରେ ଯେଉଁ ବକ୍ତୃତା ଦେଇଥିଲେ, ତାହା ବହୁ ଯୁବକ ଛାତ୍ରଙ୍କୁ ପ୍ରଭାବିତ କଲା । ସ୍କୁଲ୍ କଲେଜ ଛାଡ଼ି ଅନେକ ଅସହଯୋଗ ଆନ୍ଦୋଳନରେ ଭାଗ ନେଲେ । ଠିକ୍ ସେ ବର୍ଷ ମହାତ୍ମା ଗାନ୍ଧି ନିଜେ ତାଙ୍କର ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ୍ ସରକାରଙ୍କର କଟକଣା ହେତୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ । ଆମେ ଛାତ୍ରମାନେ ଜୋର୍ କରି ପୁରୁଣା ମାର୍କେଟ ପଡ଼ିଆରେ (ଏବେ ଯେଉଁଠାରେ ମ୍ୟୁନିସିପାଲ୍ ରିଡ଼ିଙ୍ଗ୍ ରୁମ୍ ନିର୍ମିତ ହୋଇଛି) ସଭା କରିବାକୁ ସ୍ଥିର କଲୁ । ହଜାରହଜାର ଲୋକ ମହାତ୍ମାଙ୍କର ବକ୍ତୃତା ଶୁଣିବାକୁ ଆସୁଥାନ୍ତି । ଲୋକଗହଳି ଏତେ ଅଧିକ ହେଲା ଯେ ପୋଲିସ୍ ସମ୍ଭାଳିବାକୁ ଅସମର୍ଥ ହେଲେ । ଆମେ କେତେଜଣ ଛାତ୍ର ଚକ୍ରାକାରରେ ଘେର କରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖ୍ ସେହି ଜନଗହଳି ଭିତର ଦେଇ ମଞ୍ଚ ଉପରକୁ ନେବାକୁ ଚେଷ୍ଟା କଲୁ । ମୁଁ ଠିକ୍‌ ତାଙ୍କର ପଛପଟେ ଚାଲିଥାଏ । ମୋ ସାଙ୍ଗକୁ ଆଉ ଦୁଇଜଣ ପିଲା ମଧ୍ଯ ହାତକୁ ହାତ ଛନ୍ଦିଥିଲେ; କିନ୍ତୁ ଜନତାର ଚାପ ଏତେ ପରିମାଣରେ ଆମ ପଛଆଡୁ ପଡ଼ିଲା ଯେ, ମୁଁ ଆଉ ସମ୍ଭାଳି ନ ପାରି ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଗଲି । ସେ ମୋ ଆଡେ ଚାହିଁ ସ୍ମିତ ହାସ୍ୟ କରି ହିନ୍ଦୀରେ କହିଲେ, “ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?”

ଏହା କହି ସେ ଆମ ଘେର ଭିତରୁ ବାହାରିପଡ଼ି କି ଉପାୟରେ କେଜାଣି ଜନତା ଭିତରେ ଗଳିଗଳି ମଞ୍ଚ ଉପରକୁ ଉଠିଲେ, ତାହା ଆମେ ଜାଣିପାରିଲୁ ନାହିଁ । ସେଦିନ ସେ ଯେଉଁ ନାତିଦୀର୍ଘ ଭାଷଣରେ ଜାତୀୟତାର ବୀଜ ଆମମାନଙ୍କ ହୃଦୟରେ ରୋପଣ କଲେ, ତାହା କାଳକ୍ରମେ ଅଙ୍କୁରିତ ହୋଇ ତାଙ୍କର ଆଶୀର୍ବାଦ ତୁଲ୍ୟ ଆମକୁ ଯଥେଷ୍ଟ ପ୍ରଭାବିତ କଲା କହିଲେ ଚଳେ । ସଭାରୁ ଫେରିଆସି ମୁଁ ସ୍କୁଲରୁ ନାମ କାଟି ରାଜନୀତିରେ ମାତିଲି । ଏହା ନନାଙ୍କର ଆଦୌ ସଭ୍ୟ ହେଲା ନାହିଁ । ସେ ଏହି ପନ୍ଥାରୁ ମତେ ନିବୃତ୍ତ କଲେ ଆଉ କହିଲେ, “ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ବ ହେଲେ ଦେଶପାଇଁ କର୍ମ କରିବାକୁ ଶକ୍ତି ପାଇବ । ସେତେବେଳ ଯାଏ ତୁମେ ଅପେକ୍ଷା କରିବା ଆବଶ୍ୟକ ।”

ପିତାଙ୍କର ଏହି ଆଦେଶ ଲଙ୍ଘନ କରିବାକୁ ମୁଁ ସମର୍ଥ ହେଲି ନାହିଁ । ବହୁ ଚିନ୍ତା ପରେ ମୁଁ ସ୍ଥିର କଲି ଯେ, ଭାରତୀୟ ରାଜନୀତିରେ ଯୋଗଦେବାକୁ ହେଲେ ପ୍ରଥମେ ନିଜେ ଓ ନିଜର ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବା ପ୍ରୟୋଜନ । ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗ ଓଡ଼ିଆଭାଷୀମାନଙ୍କର ଏକତ୍ରୀକରଣପାଇଁ ଯେଉଁ ଡାକ ଦେଇଥାନ୍ତି ସେଥ‌ିରେ ଅନୁପ୍ରାଣିତ ହୋଇ ମୁଁ ସ୍ଥିର କଲି ଯେ, ମୋ ଜୀବନର ପ୍ରଥମ ଲକ୍ଷ୍ୟ ଉତ୍କଳମାତାର ସେବା । ଭାରତମାତା ମୋର ପିତାମହୀ; କିନ୍ତୁ ଉତ୍କଳ ମୋର ଜନନୀ । ଉଭୟଙ୍କର ସେବା ମୋର କର୍ତ୍ତବ୍ୟ; କିନ୍ତୁ ସେଥୁମଧ୍ୟରୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ମା’ଙ୍କର ସେବା । ଏହି କଥା ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ ଏବଂ ଅନ୍ୟାନ୍ୟ ନେତୃବର୍ଗଙ୍କ ଭାଷଣରେ ପ୍ରକଟିତ ହୋଇଛି । ତାକୁ ମୁଁ ଅନୁସରଣ କରିବା ଉଚିତ୍ । ଏପରି ସ୍ଥିର କରି ମୋ ଜୀବନର ଲକ୍ଷ୍ୟ ସାଧନ ପଥରେ ଅଗ୍ରସର ହେବାକୁ ଲାଗିଲି ।

ଗୋଟିଏ ଦିନର କଥା ଆଜି ମୋର ସ୍ମରଣ ହେଉଛି । ଆମ ଗୃହ ବାରଣ୍ଡାରେ କେତେଜଣ ଛାତ୍ରଙ୍କ ସଙ୍ଗେ ବସି ମୁଁ ଗପସପ କରୁଥାଏ । ସେତିକିବେଳେ ଗୋଟିଏ ଗରିବ ବାଳକ ଛିଣ୍ଡାଲୁଗା ଖଣ୍ଡିଏ ପିନ୍ଧି ମଇଳା ବୁକୁଚାଟିଏ ଧରି ଆମ ନିକଟକୁ ଆସିଲା, ବୋଧେ କିଛି ଭିକ୍ଷା ଆମଠାରୁ ପାଇବା ଆଶାରେ । ପିଲାଟି ଗୌରବର୍ଣ୍ଣ, ସୁସ୍ଥସବଳ; କିନ୍ତୁ ତା’ର ମୁହଁ ଅନାହାରକ୍ଳିଷ୍ଟ ଓ ଶୁଷ୍କ । ତାକୁ ଦେଖୁ କେଜାଣି କାହିଁକି ମୋ ମନରେ କୌତୁହଳ ହେଲା । ପଚାରିଲି, “ଘର ତୁମର କେଉଁଠି ?” ସେ କହିଲା, “ଖଲ୍ଲିକୋଟ ।”

ମୁଁ – ନାମ ?

ସେ – ବ୍ରହ୍ମଚାରୀ ମୁଇଁ ।

ମୁଁ – ବାପା ମା’ କିଏ ଅଛନ୍ତି ?

ସେ – ମୋର କେହି ନାହାନ୍ତି । ବୁଢ଼ୀ ମା’ ଥିଲେ, ମରିଗଲେ ।

ମୁଁ – ଅନାଥ ଭିକାରି ! ତୁମ ବୟସ ?

ସେ – ବାରବର୍ଷ

ମୁଁ – ଆଚ୍ଛା ଆମେ ଯଦି ସବୁ ପ୍ରକାର ସାହାଯ୍ୟ କରୁ, ତୁମେ ପାଠ ପଢ଼ିବ ?

ଏହା ଶୁଣି ତା’ର ମୁହଁ ଉତ୍‌ଫୁଲ୍ଲ ଦେଖାଗଲା; କିନ୍ତୁ ଅଳ୍ପକ୍ଷଣ ପରେ ସେ ମୁଣ୍ଡ ନୁଆଇଁ କହିଲା,–”ବାବୁ, ମୁଁ ତ ଖାଇବାକୁ ପାଉନାହିଁ, ଟଙ୍କା ଦେଇ ପଢ଼ିବି କେମିତି ? ବହିପତ୍ର, ଲୁଗାପଟା ପାଇବି କୁଆଡ଼ୁ ?”

ଏକଥା ଶୁଣି ମୁଁ ଆମର ସଙ୍ଗୀମାନଙ୍କୁ ଚାହିଁ କହିଲି, “ଆସ । ଆମେ ସମସ୍ତେ ମିଶି ଏ ପିଲାଟିକୁ ଚାନ୍ଦା କରି ପଢ଼ାଇବା । ଯଦି ଗୋଟିଏ ଗରିବ ଛାତ୍ରକୁ ମଣିଷ କରାଇ ପାରିବା, ତେବେ ଆମମାନଙ୍କର ଦାନ ସାର୍ଥକ ହେବ।”

ଏହା ଶୁଣି ମୋର ସଙ୍ଗୀମାନେ ସମସ୍ତେ ଉତ୍ସାହିତ ହେଲେ । କିଏ ବହିପତ୍ର ଦେଲା ତ କିଏ ଜାମାଲୁଗା ତା’ପାଇଁ ଆଣିଦେଲା । ମୁଁ ତା’ର ଖିଆପିଆର ବନ୍ଦୋବସ୍ତ କରିଦେଲି, ରାଧାକାନ୍ତ ମଠର ମହନ୍ତଙ୍କୁ ଅନୁରୋଧ କରି । ଆଉ ତା’ର ଦରମାପାଇଁ ସ୍କଲରସିପ୍ ମଧ୍ଯ ବନ୍ଦୋବସ୍ତ କଲି । ଏଠାରେ କହି ରଖୁବା ଆବଶ୍ୟକ ଯେ, ମହାରାଜାଙ୍କ ଅନୁଗ୍ରହରୁ ଓଡ଼ିଆ ଛାତ୍ରମାନେ ସମସ୍ତେ ଅଧା ସ୍କୁଲଫିସ୍ ଦେଇଥାନ୍ତି । ପୁଣି ମେଧାବୀ ଗରିବ ଛାତ୍ରମାନଙ୍କୁ ସ୍କୁଲଫିସ୍ ଦେବା ଛାଡ଼ ହୋଇଥାଏ । ଏପରି ଗରିବ ଛାତ୍ରମାନଙ୍କୁ ଫ୍ରି ସ୍କଲାରସିପ୍ ଦେବା ବିଷୟରେ ଯେଉଁ ଛୋଟ ବିଚାରକମଣ୍ଡଳୀ ମହାରାଜା ଗଢ଼ିଥିଲେ, ସେଥିରେ ମୋର ନନା ଥିଲେ ଜଣେ ସଭ୍ୟ । ତାଙ୍କୁ କହି ବ୍ରହ୍ମଚାରୀପାଇଁ ଗୋଟିଏ ଅବୈତନିକ ସ୍ଥାନ ଯୋଗାଡ଼ କଲି । ଯଥାସମୟରେ ସେ ସ୍କୁଲରେ ନାଆଁ ଲେଖାଇଲା । ଆଉ ପଢ଼ିବା ଆରମ୍ଭ କରିଦେଲା । କଠିନ ଅଧ୍ୟବସାୟ ବଳରେ ସେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ୍ କରିଥିଲା । ସେତେବେଳକୁ ଭାରତରେ ଦ୍ଵିତୀୟ ପୃଥ‌ିବୀ ମହାସମର ପୂର୍ବରୁ ଗୋଟିଏ ଗୋଟିଏ ଇଣ୍ଡିଆନ୍ ବାଟାଲିୟନ ଭାରତର ପ୍ରତି ଅଞ୍ଚଳରେ ଗଢ଼ିବା ନିୟମ ଥାଏ । ମାନ୍ଦ୍ରାଜର ପ୍ରତି ଜିଲ୍ଲାରୁ ସୁସ୍ଥସବଳ ଲୋକଙ୍କୁ ବାଛି ସେଥୁରେ ନାମ ଲେଖାଇବା କାର୍ଯ୍ୟ ଚାଲିଥାଏ । ମହାରାଜାଙ୍କ ଉପରେ ଭାର ଦିଆଗଲା ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧଶିକ୍ଷା କରିବାକୁ ପଠାଇବାପାଇଁ ।

ଦିନେ କଲେଜରେ ଗୋଟିଏ ବିରାଟ ସଭାରେ ମହାରାଜା ଭାଷଣ ଦେଇ ଆହ୍ବାନ କଲେ, “ଯେଉଁ ଛାତ୍ରମାନେ ସମରଶିକ୍ଷା କରିବାକୁ ଇଚ୍ଛା କରନ୍ତି, ସେମାନେ ଠିଆ ହୁଅନ୍ତୁ । ମୁଁ ତାଙ୍କୁ ସରକାରଙ୍କଠାରେ ସୁପାରିଶ ପତ୍ର ଦେଇ ମାନ୍ଦ୍ରାଜ ପଠାଇ ଦେବି ।” ଯୁଦ୍ଧର ନାମ ଶୁଣି କେହି ଛାତ୍ର ମହାରାଜାଙ୍କ ଆହ୍ବାନର ଉତ୍ତର ଦେଲେ ନାହିଁ । ଆମେ ସମସ୍ତେ ପରସ୍ପର ମୁହଁକୁ ଚାହାଁଚାହିଁ ହେଲୁ । ସେତିକିବେଳେ ଦେଖାଗଲା ଯେ ଟିକିଏ ଦୂରରେ ଗୋଟିଏ ଗୌରବର୍ଣ୍ଣ ସୁସ୍ଥସବଳ ବାଳକ ମହାରାଜାଙ୍କ ଆଡ଼କୁ ଚାହିଁ ଠିଆ ହୋଇଛି । ସେ ହେଉଛି ବ୍ରହ୍ମଚାରୀ ମୁଇଁ । ଆମେ ସବୁ ହାହାକାର କଲୁ । ପିଲାଟା କ୍ଲାସ୍‌ରେ ଭଲ ପଢ଼ୁଥିଲା । ଆମର ସାଥୀ ହୋଇ ଯେତେସବୁ କାମ କରୁଥିଲା । ଆମର ଅନୁଗତ ହୋଇ ରହିଥିଲା । ସେ ଆଜି ଯୁଦ୍ଧଶିକ୍ଷା କରିବାକୁ ଯିବ ?

ମହାରାଜା ଆନନ୍ଦରେ ହସିହସି ତାକୁ ପାଖକୁ ଡାକି ନେଇ ସବୁକଥା ପଚାରିଲେ । ପରଦିନ ଗୋଟିଏ ସାର୍ଟିଫିକେଟ ଦେଇ ତାକୁ ମାନ୍ଦ୍ରାଜ ପଠାଇଲେ । ଏହାର କେତେବର୍ଷ ପରେ ଦ୍ଵିତୀୟ ପୃଥିବୀ ମହାସମର ଲାଗିଲା । ମୋର ମନେପଡୁଛି ୧୯୪୩ ମସିହାରେ ପୁରୀରୁ ମୁଁ ପାରଳାଖେମୁଣ୍ଡି ଫେରୁଥାଏ । ଖୋର୍ଦ୍ଧା ଷ୍ଟେସନରେ ମାନ୍ଦ୍ରାଜ ମେଲ୍‌କୁ ମୁଁ ଅପେକ୍ଷା କରିଥାଏ ।

ସେତେବେଳେ ଗୋଟିଏ ସ୍ପେଶାଲ ମିଲିଟାରୀ ଗାଡ଼ି ମାନ୍ଦ୍ରାଜ ଆଡୁ ଆସି ଖୋର୍ଦ୍ଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ମୁଁ ଛିଡ଼ା ହୋଇଛି, ହଠାତ୍ ସେ ଗାଡ଼ିର ଗୋଟିଏ ସ୍ୱତନ୍ତ୍ର ବଗିରୁ ଜଣେ ସାହେବ ଓହ୍ଲାଇ ମୋ ଆଡ଼କୁ ଆସିଲେ । ମୁଁ ବାଟରୁ ଟିକିଏ ଆଡ଼େଇ ହୋଇଯାଇଛି, ମୋର ହାତ ଦୁଇଟି ସେ ଧରି ପକାଇ ନମସ୍କାର କଲେ । ମୁଁ ଅବାକ୍ ! ଏ କିଏ ? ମୋତେ କାହିଁକି ନମସ୍କାର କରୁଛନ୍ତି ? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଥାଏ । ମିଲିଟାରୀ ଡ୍ରେସ୍ ମଣ୍ଡିତ ଜଣେ ଉଚ୍ଚ କର୍ମଚାରୀ ସେ । ଗୋରା ତକ୍‌ତକ୍ ସୁସ୍ଥ ସବଳକାୟ । ସେ ହ୍ୟାଟ୍ ଖଣ୍ଡିକ ବାହାର କରି ସ୍ପଷ୍ଟ ଓଡ଼ିଆରେ କହିଲେ, “ଚିହ୍ନି ପାରୁନାହାନ୍ତି ? ମୁଁ ପରା ଆପଣଙ୍କର ସେହି ବ୍ରହ୍ମଚାରୀ ମୁଇଁ । ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି ।”

ମୁଁ ଆଶ୍ଚର୍ଯ୍ୟ ହେଲି । ସତେ ଯେପରି ଗୋଟିଏ ନଗଣ୍ୟ ଭିକାରି ଆଜି ଦେଶମାତୃକାର ସେବାରେ ଉଚ୍ଚତମ ସ୍ଥାନ ଅଧିକାର କରିଛି । ମୋ ମନରେ ଟିକିଏ ଗର୍ବ ସଞ୍ଚାର ହେଲା । ସତେ, ସେଦିନ ମୋର ଉଦ୍ୟମ ଯୋଗୁଁ ଯେଉଁ ପିଲାଟି ସ୍କୁଲରେ ନାମ ଲେଖାଇ ପାରିଥିଲା, ଆଜି ସେ ଭାଗ୍ୟବଳରେ କେତେ ଉଚ୍ଚକୁ ଉଠିପାରିଛି ! ତେଣୁ ସୁବିଧା ଓ ପାରିପାର୍ଶିକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ ।

ଲେଖକ ପରିଚୟ

ସତ୍ୟନାରାୟଣ ରାଜଗୁରୁ (୧୯୦୩-୧୯୯୭)-

ସେ ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ଜଣେ ଐତିହାସିକ ଓ ଲିପିତତ୍ତ୍ବବିତ୍ ଭାବରେ ସୁପପରିଚିତ । ସେ ‘ଓଡ଼ିଆ ଭାଷାର ଉପଭାଷା’, ‘କଳିଙ୍ଗର ଆତ୍ମକଥା’, ‘ଗଙ୍ଗବଂଶର ଇତିହାସ’ ପ୍ରଭୃତି ପୁସ୍ତକ ରଚନା କରିଛନ୍ତି । ନିଜର ଆତ୍ମକାହାଣୀ ‘ମୋ ଜୀବନ ସଂଗ୍ରାମ’ ପାଇଁ ଏକାଡେମୀଦ୍ଵାରା ପୁରସ୍କୃତ । ସଂକଳିତ ପାଠ୍ୟଶଟି ‘ମୋ ସେ କେନ୍ଦ୍ର ସାହିତ୍ୟ ଜୀବନ ସଂଗ୍ରାମ’ ପୁସ୍ତକରୁ ଗୃହୀତ । ସେ ନିଜର ଐତିହାସିକ ଗବେଷଣା ନିମନ୍ତେ ୧୯୭୪ ମସିହାରେ ‘ପଦ୍ମଶ୍ରୀ’ ପୁରସ୍କାର ପାଇଥିଲେ ।

ସାରାଂଶ

“ମୋ ଜୀବନର ଅଭୁଲାକଥା” ପାଠଟି ଲେଖକଙ୍କର ପିଲାଦିନର ଏକ ସ୍ମରଣୀୟ ଘଟଣା ଉପରେ ଆଧାରିତ। ୧୯୨୧ ମସିହାରେ ଯେତେବେଳେ ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ଆନ୍ଦୋଳନର ପ୍ରଭାବ ସାରା ଦେଶ ସହ ପାରଳାଖେମୁଣ୍ଡିରେ ମଧ୍ୟ ପଡ଼ିଥିଲା। ଗାନ୍ଧିଜୀଙ୍କ ଏକ ସଭାରେ ଭିଡ଼ ଭିତରେ ଲେଖକ ଗାନ୍ଧିଜୀଙ୍କ ପିଠିରେ ଠେଲି ହୋଇଯିବାରୁ ଗାନ୍ଧିଜୀ ହସି ହସି କହିଥିଲେ, “ତୁ ନିଜକୁ ସମ୍ଭାଳି ପାରୁନାହୁଁ, ମୋତେ କିପରି ସମ୍ଭାଳିବୁ?” ଏହି ଘଟଣା ପରେ ଲେଖକ ରାଜନୀତିରେ ଯୋଗ ଦେବାକୁ ଇଚ୍ଛା କରିଥିଲେ, କିନ୍ତୁ ପିତାଙ୍କ ଉପଦେଶ କ୍ରମେ ସେ ପ୍ରଥମେ ନିଜ ଜ୍ଞାନ ବଢ଼ାଇବା ଏବଂ ଜନ୍ମଭୂମି ଉତ୍କଳ ମାତାର ସେବା କରିବାକୁ ଲକ୍ଷ୍ୟ ସ୍ଥିର କଲେ।

ଦିନେ ‘ବ୍ରହ୍ମଚାରୀ ମୁନି’ ନାମକ ଏକ ଅନାଥ ଓ ଭୋକିଲା ପିଲା ଲେଖକଙ୍କ ପାଖକୁ ଆସିଲା। ଲେଖକ ଏବଂ ତାଙ୍କ ସାଙ୍ଗମାନେ ମିଶି ତାକୁ ସାହାଯ୍ୟ କଲେ, ସ୍କୁଲରେ ନାମ ଲେଖାଇଲେ ଏବଂ ମହାରାଜାଙ୍କ ସାହାଯ୍ୟରେ ତାର ପାଠପଢ଼ା ମାଗଣା କରାଇଲେ। ପିଲାଟି କଠିନ ପରିଶ୍ରମ କରି ପାଠ ପଢ଼ିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମହାରାଜାଙ୍କ ଆହ୍ୱାନ କ୍ରମେ ସେ ଯୁଦ୍ଧ ଶିକ୍ଷା ପାଇଁ ମାନ୍ଦ୍ରାଜ ଗଲା। କିଛି ବର୍ଷ ପରେ ଖୋର୍ଦ୍ଧା ଷ୍ଟେସନରେ ଲେଖକ ସେହି ଅନାଥ ପିଲାଟିକୁ ଏକ ଉଚ୍ଚ ମିଲିଟାରୀ ଅଫିସର (ଲେଫ୍ଟନାଣ୍ଟ) ବେଶରେ ଦେଖି ଆଶ୍ଚର୍ଯ୍ୟ ଓ ଗର୍ବିତ ହେଲେ। ସେ ବୁଝିପାରିଲେ ଯେ ସୁବିଧା ଓ ସୁଯୋଗ ମିଳିଲେ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଜୀବନରେ ବହୁତ ଉଚ୍ଚକୁ ଯାଇପାରିବ।

 

सारांश

“मो जीबनरो अभुलाकथा” (मेरे जीवन की अविस्मरणीय कहानी) लेखक के बचपन की एक यादगार घटना पर आधारित है। 1921 में जब लेखक चौथी कक्षा में पढ़ रहे थे, तब महात्मा गांधी के स्वतंत्रता आंदोलन का प्रभाव पूरे देश के साथ पारलाखेमुंडी पर भी पड़ा था। गांधीजी की एक सभा में भीड़ के बीच लेखक गांधीजी की पीठ से टकरा गए, जिस पर गांधीजी ने हँसते हुए कहा, “तुम खुद को संभाल नहीं पा रहे हो, मुझे कैसे संभालोगे?” इस घटना के बाद लेखक राजनीति में शामिल होना चाहते थे, लेकिन पिता की सलाह पर उन्होंने पहले अपना ज्ञान बढ़ाने और अपनी जन्मभूमि ‘उत्कल माता’ (ओड़िशा) की सेवा करने का लक्ष्य तय किया।

एक दिन ‘ब्रह्मचारी मुनि’ नाम का एक अनाथ और भूखा लड़का लेखक के पास आया। लेखक और उनके दोस्तों ने मिलकर उसकी मदद की, स्कूल में उसका दाखिला करवाया और महाराजा की मदद से उसकी पढ़ाई मुफ्त करवाई। लड़के ने कड़ी मेहनत से पढ़ाई की। बाद में द्वितीय विश्व युद्ध के दौरान, महाराजा के आह्वान पर वह सैन्य प्रशिक्षण के लिए मद्रास चला गया। कुछ वर्षों बाद, खोरधा रेलवे स्टेशन पर लेखक ने उसी अनाथ लड़के को एक उच्च सैन्य अधिकारी (लेफ्टिनेंट) की वर्दी में देखा, जिसे देखकर वे हैरान और गौरवान्वित हुए। उन्होंने महसूस किया कि अगर सही सुविधा और अवसर मिले, तो एक साधारण इंसान भी जीवन में बहुत ऊँचाइयों तक पहुँच सकता है।

 

ଶବ୍ଦାର୍ଥ

Odia Word (ଓଡ଼ିଆ)

Hindi Meaning (हिंदी)

English Meaning

ଆହ୍ବାନ (Awhana)

पुकार / आह्वान

Call / Invitation

କଟକଣା (Katakana)

प्रतिबंध / रोक

Restriction

ଜନଗହଳି (Janagahali)

भीड़

Crowd

ସ୍ମିତ ହାସ୍ୟ (Smita Hasya)

मुसकुराहट

Smile

ନାତିଦୀର୍ଘ (Natidirgha)

बहुत लंबा नहीं / छोटा

Not very long / Short

ଅଙ୍କୁରିତ (Ankurita)

अंकुरित होना

Sprouted

ନିବୃତ୍ତ (Nibrutta)

रोकना / विमुख करना

Refrain / Stop

ପିତାମହୀ (Pitamahi)

दादी

Grandmother

ଅନାହାରକ୍ଳିଷ୍ଟ (Anaharaklishta)

भूख से पीड़ित / कमज़ोर

Weak from starvation / Malnourished

ଉତ୍‌ଫୁଲ୍ଲ (Utphulla)

प्रफुल्लित / खुश

Delighted / Joyful

ଅବୈତନିକ (Abaitanika)

अवैतनिक / निःशुल्क

Free (of cost) / Unpaid

ମେଧାବୀ (Medhabi)

मेधावी / बुद्धिमान

Meritorious / Brilliant

ନଗଣ୍ୟ (Naganya)

नगण्य / साधारण

Insignificant / Ordinary

ପାରିପାର୍ଶିକ (Pariparshika)

आसपास का / परिवेशी

Surrounding / Environmental

 

ପାଠ ଅନ୍ତର୍ଗତ –

ମୋ ବୁଝିବାରେ

(କ) ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (*)ଚିହ୍ନ ଦିଅ ।

 

୧. “ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ । ମୋତେ ସମ୍ଭାଳିବୁ କିପରି ?” ଏଠାରେ ‘ଆରେ ପିଲା’ ବୋଲି କାହାକୁ କୁହାଯାଇଛି?


ରାଧାକାନ୍ତ ମଠର ମହନ୍ତ

ମହାତ୍ମା ଗାନ୍ଧି

ବ୍ରହ୍ମଚାରୀ ମୁଇଁ

ସତ୍ୟନାରାୟଣ ରାଜଗୁରୁ (*)

 

୨. ଗାନ୍ଧିଜୀ କାହିଁକି ପାରଳାଖେମୁଣ୍ଡି ଆସିଥିଲେ ?


ଉତ୍କଳ ସମ୍ମିଳନୀରେ ଯୋଗ ଦେବାପାଇଁ

ଲୋକଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାପାଇଁ (*) (ପ୍ରଚାର ଉଦ୍ଦେଶ୍ୟରେ)

ଉତ୍କଳମାତାର ସେବା କରିବାପାଇଁ

ମାନ୍ଦ୍ରାଜରେ ସମରଶିକ୍ଷା ପାଇଁ ଛାତ୍ର ବାଛିବା ନିମନ୍ତେ

 

(ଖ) ତୁମେ ଏହି ଉତ୍ତରଗୁଡିକ କାହିଁକି ବାଛିଲ ଓ ତା’ର କାରଣ ଆଲୋଚନା କର ।

ଉତ୍ତର – ପ୍ରଥମ ପ୍ରଶ୍ନର ଉତ୍ତର ସତ୍ୟନାରାୟଣ ରାଜଗୁରୁ (ଯିଏ କି ଏହି ପାଠର ଲେଖକ) ବାଛିଲି, କାରଣ ସେ ହିଁ ମହାତ୍ମା ଗାନ୍ଧିଙ୍କୁ ଘେରି ରହିଥିଲେ ଓ ଭିଡ଼ରେ ଠେଲି ହୋଇଯାଇଥିଲେ, ତେଣୁ ଗାନ୍ଧିଜୀ ତାଙ୍କୁ ହିଁ କହିଥିଲେ। ଦ୍ୱିତୀୟ ପ୍ରଶ୍ନର ଉତ୍ତର ଖ’ ବାଛିଲି କାରଣ ମହାତ୍ମା ଗାନ୍ଧି ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ବା ଜାତୀୟତାର ପ୍ରଚାର ପାଇଁ ସେଠାକୁ ଆସିଥିଲେ।

 

ବାକ୍ୟ ଉପରେ ଆଲୋଚନା

ନିମ୍ନଲିଖତ ବାକ୍ୟଦୁଇଟିକୁ ମନଦେଇ ପଢ଼ ଓ ସାଙ୍ଗମାନଙ୍କ ସହ ଆଲୋଚନା କର । ଏହାର ବ୍ୟାଖ୍ୟାକୁ ଆଲୋଚନା କରି ସାରାଂଶକୁ ଶ୍ରେଣୀରେ

କୁହ ଓ ଖାତାରେ ଲେଖ ।

(କ) ‘ମନୁଷ୍ୟର ଜ୍ଞାନ ଓ କର୍ମ ଏକାସ୍ତରରେ ରହିବା ଆବଶ୍ୟକ ।’

ସାରାଂଶ – ଏହାର ଅର୍ଥ ହେଲା, ମଣିଷ ପାଖରେ ଯେତିକି ଜ୍ଞାନ ବା ଶିକ୍ଷା ଥିବ, ସେ ସେତିକି ହିଁ ଭଲ କାମ କରିପାରିବ। ବିନା ଜ୍ଞାନରେ କୌଣସି ବଡ଼ କାମ (ଯେପରି ଦେଶସେବା) କରିହେବ ନାହିଁ। ତେଣୁ ଆଗ ପାଠ ପଢ଼ି ଜ୍ଞାନ ଅର୍ଜନ କରିବା ଦରକାର।

 

(ଖ) ‘ଭାରତମାତା ମୋର ପିତାମହୀ; କିନ୍ତୁ ଉତ୍କଳ ମୋର ଜନନୀ । ଉଭୟଙ୍କର ସେବା ମୋର କର୍ତ୍ତବ୍ୟ; କିନ୍ତୁ ସେଥୁମଧ୍ଯରୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ମା’ଙ୍କର ସେବା ।

ସାରାଂଶ – ଲେଖକ କହୁଛନ୍ତି ଯେ ସମଗ୍ର ଭାରତ ହେଉଛି ଜେଜେମାଆ ସମାନ ଏବଂ ନିଜ ରାଜ୍ୟ ଉତ୍କଳ (ଓଡ଼ିଶା) ହେଉଛି ନିଜ ଜନ୍ମଦାତ୍ରୀ ମାଆ ସମାନ। ଦୁହିଁଙ୍କର ସେବା କରିବା ଜରୁରୀ, କିନ୍ତୁ ସର୍ବପ୍ରଥମେ ନିଜ ଜନ୍ମଭୂମି ଓଡ଼ିଶାର ଉନ୍ନତି ପାଇଁ କାମ କରିବା ଆମର ପ୍ରଥମ କର୍ତ୍ତବ୍ୟ।

 

ମିଳିମିଶି ଯୋଡ଼ିବା

ପଠିତ ପାଠରୁ କିଛି ଶବ୍ଦ ଓ ତା’ର ଅର୍ଥ ନିମ୍ନରେ ଦିଆଯାଇଛି । ସାଙ୍ଗମାନଙ୍କ ସହିତ ଦଳରେ ଆଲୋଚନା କରି ଶବ୍ଦ ସହ ତା’ର ଅର୍ଥକୁ ଗାର ଟାଣି ଯୋଡ଼ ।

୧. ଅସହଯୋଗ ➔ ୫. ସହଯୋଗ ନ କରିବା ।

୨. ଚକ୍ରାକାର ➔ ୭. ଚକ୍ର ପରି ଗୋଲ ଆକାର

୩. ପିତାମହୀ ➔ ୧. ପିତାଙ୍କ ମାତା ବା ଜେଜେମାଆ

୪. ବୁକୁଚା ➔ ୬. ଗଣ୍ଠିଲି, ବୁଜୁଳା

୫. ଅନାହାରକ୍ଳିଷ୍ଟ ➔ ୨. ଭୋକରେ ଦୁର୍ବଳ ହୋଇପଡ଼ିଥିବା ବା ଖାଦ୍ୟ ନ ପାଇ ଶରୀର କ୍ଷୀଣ ହୋଇଯାଇଥିବା ।

୬. ସ୍କଲାରସିପ୍ ➔ ୪. ସରକାରୀ, ବେସରକାରୀସ୍ତରରୁ ମିଳୁଥିବା ଆର୍ଥିକ ସହାୟତା ବା ବୃତ୍ତି ।

୭. ଲେଫ୍ଟନାଣ୍ଟ ➔ ୩. ସୈନ୍ୟବିଭାଗର ଉଚ୍ଚ ପଦାଧିକାରୀ ।

ଚିନ୍ତା କରିବା

ପାଠଟିକୁ ଆଉଥରେ ପଢି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

୧. ଲେଖକ ଜଣେ ପରୋପକାରୀ ଓ ଦୟାର୍ଦ୍ର ବ୍ୟକ୍ତି ଥିଲେ ବୋଲି ଆମେ କାହିଁକି କହିପାରିବା ?

ଉତ୍ତର – ଲେଖକ ଯେତେବେଳେ ଭୋକିଲା ଓ ଅନାଥ ଗରିବ ପିଲା ‘ବ୍ରହ୍ମଚାରୀ ମୁଇଁ’ କୁ ଦେଖିଲେ, ସେ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ନିଜ ସାଙ୍ଗମାନଙ୍କ ସହ ମିଶି ତା’ର ପଢ଼ାପଢ଼ି, ଖାଇବା ଏବଂ ଲୁଗାପଟାର ବନ୍ଦୋବସ୍ତ କରି ତାକୁ ମଣିଷ କରିଥିବାରୁ, ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ।

 

୨. ଲେଖକଙ୍କ ଜୀବନର ଲକ୍ଷ୍ୟ କ’ଣ ଥିଲା?

ଉତ୍ତର – ନିଜକୁ ଜଣେ ସୁଯୋଗ୍ୟ ନାଗରିକ ଭାବେ ଗଢ଼ି ଜନ୍ମଭୂମି ଉତ୍କଳମାତା ଏବଂ ଭାରତମାତାର ସେବା କରିବା ଥିଲା ଲେଖକଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ।

 

୩. ବ୍ରହ୍ମଚାରୀ ମୁଇଁ, ଲେଖକଙ୍କ ନିକଟରେ କୃତଜ୍ଞ ଥିଲେ । ଏହା କେଉଁ ଘଟଣାରୁ ଜାଣିପାରୁଛ ?

ଉତ୍ତର – ବହୁ ବର୍ଷ ପରେ ଖୋର୍ଦ୍ଧା ଷ୍ଟେସନରେ ବ୍ରହ୍ମଚାରୀ ମୁଇଁ ଯେତେବେଳେ ଜଣେ ଉଚ୍ଚ ସୈନ୍ୟ ଅଧିକାରୀ ଲେଫ୍ଟିନାଣ୍ଟ ହୋଇ ଆସିଥିଲେ, ସେତେବେଳେ ସେ ଲେଖକଙ୍କୁ ଦେଖିବା ମାତ୍ରେ ନିଜେ ଯାଇ ତାଙ୍କ ହାତ ଧରି ନମସ୍କାର କରିଥିଲେ ଏବଂ ତାଙ୍କୁ ସମ୍ମାନ ଜଣାଇଥିଲେ। ଏଥିରୁ ତାଙ୍କର କୃତଜ୍ଞତା ଜଣାପଡ଼େ।

 

୪. “ବ୍ରହ୍ମଚାରୀ ମୁଇଁ ଜଣେ ଗରିବ ବାଳକ ଥିଲେ । ତଥାପି ସେ ପାଠ ପଢ଼ି ସୈନ୍ୟବାହିନୀର ଉଚ୍ଚ ପଦାଧିକାରୀ ହୋଇ ପାରିଥିଲେ।”

(କ) ସେ ସ୍କୁଲରେ ପାଠ ପଢ଼ିବା ପାଇଁ କିପରି ସୁଯୋଗ ପାଇଥିବେ ?

ଉତ୍ତର – ଲେଖକଙ୍କ ବାପା ଯେଉଁ ଛୋଟ ବିଚାରକମଣ୍ଡଳୀର ସଭ୍ୟ ଥିଲେ, ତାଙ୍କ ଜରିଆରେ ଲେଖକ ବ୍ରହ୍ମଚାରୀ ପାଇଁ ଗୋଟିଏ ଅବୈତନିକ ସ୍ଥାନ ବା ଫ୍ରି ସ୍କଲାରସିପ୍ ଯୋଗାଡ଼ କରିଦେଇଥିଲେ।

 

(ଖ) ତାଙ୍କର ଖାଦ୍ୟପେୟର ଆବଶ୍ୟକତା କିପରି ମେଣ୍ଢି ପାରିଥବ ?

ଉତ୍ତର – ଲେଖକ ରାଧାକାନ୍ତ ମଠର ମହନ୍ତଙ୍କୁ ଅନୁରୋଧ କରି ବ୍ରହ୍ମଚାରୀ ପାଇଁ ସେହି ମଠରେ ଖିଆପିଆର ବନ୍ଦୋବସ୍ତ କରିଦେଇଥିଲେ।

 

ଆତ୍ମକଥା ଲିଖନ

କ. ଲେଖକ ନିଜ ବିଷୟରେ କିଛି କହୁଥିବା କଥା (ବାକ୍ୟ) ର ତାଲିକା କର –

ଉତ୍ତର –

୧. “୧୯୨୧ ମସିହାରେ ଯେତେବେଳେ ମୁଁ ଚତୁର୍ଥଶ୍ରେଣୀରେ ପଢ଼ୁଥିଲି…”

୨. “ମୁଁ ଠିକ୍‌ ତାଙ୍କର (ମହାତ୍ମା ଗାନ୍ଧିଙ୍କ) ପଛପଟେ ଚାଲିଥାଏ।”

୩. “ସଭାରୁ ଫେରିଆସି ମୁଁ ସ୍କୁଲରୁ ନାମ କାଟି ରାଜନୀତିରେ ମାତିଲି।”

୪. “ମୁଁ ସ୍ଥିର କଲି ଯେ, ମୋ ଜୀବନର ପ୍ରଥମ ଲକ୍ଷ୍ୟ ଉତ୍କଳମାତାର ସେବା।”

ଶବ୍ଦ ପ୍ରୟୋଗର ରୂପ

ଏହି ପାଠରେ ବ୍ୟବହୃତ ଶବ୍ଦ ‘ନାତିଦୀର୍ଘ’ର ଅର୍ଥ ‘ ଯାହା ଅତି ଦୀର୍ଘ ନୁହେଁ’ । ଆମ୍ଭେ ଏହି ଶବ୍ଦକୁ ବାକ୍ୟରେ ବ୍ୟବହାର କରିଥାଉ ।

ଉତ୍ତର – ନାତିଦୀର୍ଘ (ଯାହା ଅତି ଦୀର୍ଘ ନୁହେଁ)

ଗୌରବର୍ଣ୍ଣ (ଯାହାର ବର୍ଣ୍ଣ ବା ରଙ୍ଗ ଗୋରା)

ଅନାହାରକ୍ଳିଷ୍ଟ (ଯିଏ ଖାଇବାକୁ ନପାଇ କଷ୍ଟ ପାଉଛି)

ଅବୈତନିକ (ଯେଉଁଠି ଦରମା ବା ଟଙ୍କା ଦେବାକୁ ପଡ଼େ ନାହିଁ)

ପାଠ ବାହାରୁ

କ. ସ୍ୱତନ୍ତ୍ରତା ଆନ୍ଦୋଳନରେ ଭାଗନେଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାମ ଖାତାରେ ଲେଖ । ସେମାନଙ୍କ ବିଷୟରେ ଶ୍ରେଣୀରେ ଆଲୋଚନା କର ।

ଉତ୍ତର – ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହ, ଉତ୍କଳମଣି ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁ, ଲାଲା ଲଜପତ ରାୟ, ବାଲ ଗଙ୍ଗାଧର ତିଳକ।

 

ଖ. ନିଜ ବାପାମାଆ ବା ଅଭିଭାବକଙ୍କ ସହ କଥାବାର୍ତ୍ତା କର । ତାଙ୍କର ଜନ୍ମସ୍ଥାନ, ପ୍ରିୟ ଖାଦ୍ୟ, ରଙ୍ଗ, ଗୀତ, ସ୍ଥାନ, ପିଲାଦିନର ସ୍ମୃତି ବିଷୟରେ ପଚାରି ବୁଝ ଓ ଲେଖ । ଯେପରିକି –

ତୁମେ କେଉଁଠାରେ ଜନ୍ମ ହୋଇଥିଲ ?

ତୁମର ପ୍ରିୟ ଖାଦ୍ୟ କ’ଣ ?

ତୁମ ପ୍ରିୟ ପୁସ୍ତକର ନାମ କ’ଣ ?… ଇତ୍ୟାଦି ।

ଉତ୍ତର – ଛାତ୍ର ନିଜେ କରିବେ।

 

ଶବ୍ଦ ପ୍ରୟୋଗ (ମାଆର ପ୍ରତିଶବ୍ଦ)

ମାଆକୁ ମାତା ଓ ଜନନୀ କୁହାଯାଏ । ତୁମେ ତୁମ ମାଆଙ୍କୁ କ’ଣ ବୋଲି ଡାକ ଅନ୍ୟ ଭାଷାରେ ‘ମାଆଙ୍କ ପାଇଁ ବ୍ୟବହୃତ ଶବ୍ଦଗୁଡିକୁ ଲେଖ । ମାଆର ପ୍ରତିଶବ୍ଦ ଓଡ଼ିଆ ଭାଷାରେ କ’ଣ ଅଛି, ଲେଖ ?

ଉତ୍ତର – ଓଡ଼ିଆ ଭାଷାରେ ମାଆର ପ୍ରତିଶବ୍ଦଗୁଡ଼ିକ ହେଲା- ମାତା, ଜନନୀ, ଗର୍ଭଧାରିଣୀ, ପ୍ରସୂତି, ଏବଂ ଜନ୍ମଦାତ୍ରୀ। ଅନ୍ୟ ଭାଷାରେ (ଯେମିତିକି ହିନ୍ଦୀରେ) ମା, ମାତାଜୀ, ଅମ୍ମା ଏବଂ ଇଂରାଜୀରେ ମଦର୍ (Mother), ମମ୍ (Mom) କୁହାଯାଏ।

 

ଶବ୍ଦ ସାରଣୀ

ନିମ୍ନ ସାରଣୀରେ ପାଠରୁ ବାଛି କେତେକ ବିଶେଷଣ ପଦ ଦିଆଯାଇଛି । ସେଗୁଡ଼ିକୁ ଖୋଜି ଗୋଲ ବୁଲାଅ ଓ ଖାତାରେ ଲେଖ । ପାଠରେ ଥିବା ସେହି ବିଶେଷଣ ପଦଗୁଡ଼ିକ ତଳେ ଗାର ଟାଣ ।

  • ଉତ୍ତମ (ପ୍ରଥମ ଧାଡ଼ିରେ ବାମରୁ ଡାହାଣକୁ – ଉଦାହରଣ ସ୍ୱରୂପ ଗୋଲ୍ ବୁଲାଯାଇଛି)
  • ଶୁଷ୍କ (ପ୍ରଥମ ଧାଡ଼ିରେ ବାମରୁ ଡାହାଣକୁ)
  • ଛିଣ୍ଡା (ଦ୍ୱିତୀୟ ଧାଡ଼ିରେ ବାମରୁ ଡାହାଣକୁ)
  • ମଇଳା (ତୃତୀୟ ସ୍ତମ୍ଭରେ ଉପରୁ ତଳକୁ)
  • ଗରିବ (ଚତୁର୍ଥ ସ୍ତମ୍ଭରେ ଉପରୁ ତଳକୁ)
  • ପୁରୁଣା (ପ୍ରଥମ ସ୍ତମ୍ଭରେ ଉପରୁ ତଳକୁ)
  • ଦୀର୍ଘ (ଦ୍ୱିତୀୟ ସ୍ତମ୍ଭରେ ଉପରୁ ତଳକୁ)
  • ବୁଢ଼ୀ (ଚତୁର୍ଥ ଧାଡ଼ିରେ ବାମରୁ ଡାହାଣକୁ)
  • ଗୋରା (ଚତୁର୍ଥ ସ୍ତମ୍ଭରେ ଉପରୁ ତଳକୁ)
  • ବିରାଟ (ପଞ୍ଚମ ଧାଡ଼ିରେ ବାମରୁ ଡାହାଣକୁ)
  • ପ୍ରଥମ (ଷଷ୍ଠ ଧାଡ଼ିରେ ବାମରୁ ଡାହାଣକୁ)
  • ଗୌର (ଷଷ୍ଠ ସ୍ତମ୍ଭରେ ଉପରୁ ତଳକୁ)
  • ଅବୈତନିକ (ସପ୍ତମ ଧାଡ଼ିରେ ବାମରୁ ଡାହାଣକୁ)

 

 

You cannot copy content of this page