ଦୁଃଖର ବ୍ୟବଚ୍ଛେଦ କଲାପରେ
ଜାଣିଲି ମୁଁ, ଅସ୍ୱସ୍ତିର ସହ –
ସମ୍ପର୍କର ସଉଦା କରୁଥିବା
ସୌଦାଗର ମାନେ ଲୁଣର ଲୋଭ
ଆଗରେ ଏତେ ବିବସ କାହିଁକି??
ହଠାତ୍ ଗଛତଳ ଛାଇର ଛଳନା
ବୁଢ଼ା ବରଗଛକୁ ପ୍ରଶ୍ନକଲା-
ଐକାନ୍ତିକତାର ମୂଲ୍ୟ କେତେ,
ନିରୁତ୍ତର ନିଶ୍ୱାସର ଦମ୍ଭ
ବିକଳ ବିଶ୍ୱାସ ଏବେ ଓହଳରେ
ଝୁଲେ, ଝୁରି ଝୁରି ମରେ!!
ଲୁଣ ବିନା ବ୍ୟଞ୍ଜନ ନିସ୍ୱାଦ
ଭୋଗବାଦୀ ନିଛୁଣା ମଣିଷ ଆଜି
ଦେବାଳିଆ ଆପଣାପଣରେ,
ସମୁଦ୍ରର ସୌର୍ଯ୍ୟ ଲୁଟି
ସୁଖ ସାଉଣ୍ଟୁଛି, ହେଲେ
ପ୍ରୀତିର ପରଶମଣି –
ଲୁଣକୁ ମୂଲ୍ୟହୀନ ମଣେ।।
ଲୁହ-ଲହୁ, ଝାଳ-ନାଳ, ଗୁହ-ମୁତ
ସବୁଥିରେ ଲୁଣର ଅସ୍ତିତ୍ୱ
ଲୁଣ ଆମ ତପସ୍ୟାର ତତ୍ତ୍ଵ
ଵେସାହାରା ଅଲଣା ଜୀବନ
ଲୁଣର ୠଣରେ ସବୁ ତ୍ରସ୍ତ ଆଜି
ହେଲେ, ସେହି ଜୀବନ ବିଭବ
ବନ୍ଧନର ଚନ୍ଦ୍ର ବନ୍ଦନୀରେ
ଏକ ମାତ୍ର ଅନିବାର୍ଯ୍ୟ ସତ୍ୟ,
ଲୁଣକୁ ବା ପରକରି
ଆସ ଆମେ ଦେଖି ନେବା
ସ୍ୱାଦିଷ୍ଠ ଜୀବନ କେତେ ମୂଲ୍ୟହୀନ!!