କଳ୍ପନାର କାଚକେନ୍ଦୁ ପାଣି ପରେ
ବିମ୍ଵିତ ହେ ବିଦଗ୍ଧ ଵିରହ!
ତୁମ ସାଥେ ମିତ ବସିବାର
ଆୟୁଷ ବା କେତେ-
ତଥାପି ତୁମେ ଓ ମୁଁ
ବଞ୍ଚିଛେ ଏମିତି
ଆଖିରେ ଆଖିଏ ସ୍ବପ୍ନ ସହ।।
ତୁମେ, ତୁମ ଅଭିଳାଷ ନେଇ
ଅଭିସାର ରଚ,
ଜୀବନରେ କିଛି ଅନତିକ୍ରମ୍ଯ ସତ୍ୟ
କିଛି ତୁମେ ଜାଣ – କିଛି ମୁଁ,
ଫରକ୍ ଏତିକି-
ତୁମେ ତୃପ୍ତି-ତର୍ପଣରେ ଆତ୍ମମ଼ଗ୍ନ
ମୁଁ ଏକ ପ୍ରଲୁଵ୍ଧ ପ୍ରପଞ୍ଚ।।
ଗ୍ରହଣ ଲାଗିଲେ ତୁମ
ଚର୍ଚ୍ଚିତ ଚନ୍ଦ୍ରିକା ହୁଏ
ବିଭକ୍ତ ଵିଭଵ-
ଶୁକ୍ଳାମ୍ଵରୀ ରାତିର ଲାବଣ୍ୟ
ହୁଏ ମୂଲ୍ୟହୀନ,
ହେଲେ-
ମୁଁ କିନ୍ତୁ ରାତିର ରାଗକୁ ବୁଝେ
ରସୋତ୍ତୀର୍ଣ ଅଳ୍ପ ଆଳାପରେ।।
ଗଳ୍ପ ସରେ ନାହିଁ ସିନା
ମେଘ ତଳୁ ମୋକ୍ଷ ଖୋଜୁଥାଏ
ତୁମ ଲାଜକୁଳୀ ଆଖି,
ତୁମେ ପୁଣି କେବେ କେବେ ପ୍ରୀତିପ୍ରଞା ପ୍ରତୀକ୍ଷାରେ
ରହିଯାଅ-
ମନର ମାନସୀ ହୋଇ।।
ତୁମେ କେବେ ମୋହମୁଗ୍ଧ ମଦିରା ମାୟାରେ ବନ୍ଦିନୀ ତ
କେବେ ପୁଣି ଛଳ ଛଳ ଚହଲା
ପାଣି ରେ ଭାସ,
ଧରାଦିଅ ନାହିଁ ସିନା
ଆକାଙ୍କ୍ଷୀତ ଆଭା-
ମୋ ମନର ଓଦା ଓଦା ଆଖିର ଅଗଣା ପରେ
ଭିନ୍ନ ଏକ ନିଆରା ନାୟିକା ତୁମେ!
ଏଇମିତି ଖେଳୁଥାଅ
ଅନ୍ତହୀନ ସୋହାଗର
ସପ୍ତରଙ୍ଗୀ ରାସ।।