ଓଡ଼ିଆ ଖଣ୍ଡ

ରଜ

ସଭ୍ୟତାର ସୁରମ୍ୟ ଚଟ୍ଟାଣପରେ

ପରମ୍ପରାର ପ୍ରାଚୀନ ପ୍ରାଚୁର୍ଯ୍ଯ

ଆଜି ରଜ!

ସମୟର ନିଆରା ମିଜାଜ୍

ହସ-ଖୁସିର ଡିଜିଟାଲ ସଂସ୍କରଣ,

ମନ ଆଉ ମେହେଫିଲ୍

ସବୁ ଯେମିତି ଖାଁ ଖାଁ

ଏକ ଧୂସର ନୀରବତାର ରାଜତ୍ୱ,

ଆଜିର ରଜ –

ନିଜ ଭିତରେ ନିଜେ ସମାହିତ।।ସେମାନଙ୍କ ସମୟର ଆସ୍ପର୍ଧା

ଆମ ବେଳକୁ ଚୁରମାର୍,

ସବୁକିଛି ବେଢଙ୍ଗିଆ

ରଜର ରାଜସିକ ମିଜାଜ୍

ଏକ ଶୂନ୍ୟତାର ସୈଦ୍ଧାନ୍ତିକ ଝାଞ୍ଜିରେ

ଆଜି ମ୍ରିୟମାଣ, ଶୁଷ୍କ ପ୍ରାଣ

ଆତ୍ମଛଡା ଆତ୍ମୀୟତା!

ସତରେ, କାହା ନଜର ଲାଗିଲା କି

ଆମ ରସୋତ୍ତୀର୍ଣ ରଜ-ମଉଜକୁ??

ମହାମାରୀ, ଘଟଣା – ଦୁର୍ଘଟଣା, ଦୁଃଖର ପାହାଡ଼ ଡେଇଁ

ବେଶ୍ କିଛିଦିନ ପରେ

ରଜ ଆଜି ଗାଁରୁ ସହର ଵୁଲୁଛି

ବାସ୍ତୁହରା ହୋଇ

ନିଃସଙ୍ଗ ଭିନ୍ନକ୍ଷମର ଅସହାୟତାରେ, ଅଲୋଢାପଣରେ।।

ରଜ, ବେଫିକର ମଣଷର ପର୍ବ

ରଜ, ଉତ୍ସବୀୟ ଉଦ୍ଦୀପନା ନୁହଁ-

ଜୀବନୀୟ ସୌନ୍ଦର୍ଯ୍ୟରେ ମଜଗୁଲ

ଅନ୍ତହୀନ ଆଦିମ ଖିଆଲ୍,

ରଜ, ଆମ ମାଟିର ମହକ

ରଜ କେବେ ରଙ୍ଗହୀନ ନୁହଁ,

ରଜ ଚିରନ୍ତନ, ସ୍ମୃତିର ସୌଜନ୍ୟ-

ଲାଜବତୀ ନାୟିକାର ଲାସ୍ୟମୟୀ

ପ୍ରଣୟ ସ୍ୱାକ୍ଷର, ଖୁସି ବାଣ୍ଟିବାର

ଏକ  ଅନନ୍ୟ ପ୍ରୟାସ।।

About the author

Avinash Ranjan Gupta

Leave a Comment

You cannot copy content of this page