ମର୍ମନ୍ତୁଦ ସେ ମିଠା ଜହରର
ଗୁରୁ ଗମ୍ଭୀର ରାଗ
କୋଳାହଳ ହୀନ ଝାଞ୍ଜି
ଵତାସୀ ବାଆ,
କେବେ ନିୟତି ନିରବି ଯାଏ
ନିଷ୍ଠୁର ଏକ ଅମା ଅନ୍ଧାର ରାତି
ଅଚାନକ କାହୁଁ ମାଡିଆସେ
ସେହି ଅଜଣା ଡର-
ଜାଣିଛକି ସିଏ କିଏ?
ଅନିମନ୍ତ୍ରିତ ଅତିଥିର ନାମ
ମୃତ୍ୟୁ, ତାକୁ ଦୂରୁ ଜୁହାର!
ତା’ ଆସିଵା ବାଟକୁ
ଅସମୟର ଅପେକ୍ଷା ଥାଏ।।
କେତେବେଳେ ଆସେ
କେଉଁ ବହୁରୂପୀ
ବିଧିର ବିଧାନ ହୋଇ,
ଥରହର ମାଟିରୁ ଆକାଶ ହୁଏ
ଶୂନ୍ ଶାନ୍
ଶ୍ମଶାନରେ ଶୃଗାଳର ଦର୍ପ
ଆୟୁଷର ଦର୍ପଣରେ
ଛାଇ ହୋଇଯାଏ ଦେହ
ଆମେ ରହିଯାଉ ଚିର ନିର୍ବାକ୍
ନିର୍ବିକାର-
ସରିଯାଏ ଏକ ଅକୁହା କାହାଣୀ
ଆରମ୍ଭରୁ ଭାରି କଷ୍ଟ ଦିଏ!
କାଳ କାରାଗାରେ ବନ୍ଦୀ ଜୀବନ
ଯମ ଯନ୍ତ୍ରଣା ଅସହ୍ୟ ହୁଏ
ମୃତ୍ୟୁ ସିଏ-
ଅପ୍ରତୀକ୍ଷିତ ଅଲୋଢା ସବୁରି
ଅଦିନ ଝଡର ଇଗଲ୍ ସିଏ।।