ମା’ କୁ ଲେଖିବ କେଉଁ କବି ଏଯାଏ ସେ ଜନ୍ମ ନେଇ ନାହିଁ
ମା’ ଏକ ଶବ୍ଦ ନୁହଁ ନିଶବ୍ଦ ସ୍ପନ୍ଦନ,
ଆକାଶ, ସମୁଦ୍ର, ପୃଥ୍ବୀ, ସ୍ଵର୍ଗର ଅମୃତ
ମା’ ପାଖେ ମୂଲ୍ୟହୀନ ଭାଷା –
ମା’ ର କବିତା ଏକ ସ୍ଵୟଂଭୂ ସୃଜନ II
ସ୍ଵର, ଛନ୍ଦ, ତାଳରେ ଯା’ ଭାବୁକର ଭାବ ହୁଏ ବନ୍ଦୀ
ମା’ – ଏକ ମୁହୁର୍ମୁହୁ ଚେତନାର ଧାରା,
ଋତୁ ନୁହେଁ ଋତୁମ୍ଭରା ସିଏ, ଇତିମୁକ୍ତ ନିର୍ଲିପ୍ତ ନିର୍ବାଣ
ମମତାମୁଗ୍ଧ ସେ କେଉଁ ଅନ୍ତହୀନ ଉତ୍ତାଳ ଅଧୀରା II
ମା’ ଏକ ଦେଦୀପ୍ୟ ଦୀପାଳୀ
ଜଳି ଜଳି ଜାଳିଦିଏ ଅନ୍ତହୀନ ଅହଂ ଅନ୍ଧକାର,
ମା’ ନିଜେ କବିର ଈଶ୍ଵର
ସୃଷ୍ଟି ସିଏ, ସ୍ରଷ୍ଠା ସିଏ ସାହିତ୍ୟର ଆଦିମ ଓଂକାର II
କବି ଜଣେ କଳ୍ପନା-କବନ୍ଧ
ପଦକୁ ପଦ ପକାଇ ପଦ୍ୟାକାରେ ପ୍ରାଚୁର୍ଜ୍ୟ ପରସେ,
ମା’ କୁ ଭାବିବା ଏକ କାବ୍ୟିକ ଧୃଷ୍ଟତା ଯାହା
ମା’ ଏକ ବାସ୍ନାୟିତ ଅବ୍ୟକ୍ତ ଆବେଗ-
ଝରି ଝରି ଝରା ଶେଫାଳୀରେ ବାସେ II
- ପ୍ରଦୀପ୍ତ କୁମାର ଦାସମହାପାତ୍ର