ଓଡ଼ିଆ ଖଣ୍ଡ

ଜ୍ଞାନବୃଦ୍ଧ ଯାଜ୍ଞବଳ୍‌କ

‘ସୌମ୍ୟ ସାମଶ୍ରବା, ଏ ଗୋକୁଳକୁ ତାଡ଼ନ କରି ଘେନିଯାଅ।’’

ଏହି ଗୁରୁଗମ୍ଭୀର ଆଦେଶ ଶୁଣି ସଭା ତଟସ୍ଥ ହୋଇଗଲା। ବିଦେହରାଜ ଜନକଙ୍କର ବହୁ-ଦକ୍ଷିଣ ଯଜ୍ଞ। ଯଜ୍ଞକ୍ଷେତ୍ରରେ କୁରୁପାଞ୍ଚାଳର ମହା ମହା ତତ୍ତ୍ବବେତ୍ତାମାନଙ୍କ ସମାବେଶ। ସମ୍ମୁଖରେ ସହସ୍ରସଂଖ୍ୟକ ଗୋଗୋଷ୍ଠ ପକ୍ତିବଦ୍ଧ ଭାବରେ ଉଦଗ୍ର। ପ୍ରତ୍ୟେକଙ୍କର ଶୃଙ୍ଗଦେଶରେ ଦଶ ଦଶ ପାଦ ସୁବର୍ଣ୍ଣ ମୁଦ୍ରା ଗ୍ରସ୍ତୁତ ରହିଛି। ସର୍ବଶ୍ରେଷ୍ଠ ବ୍ରହ୍ମବିତ୍ ବୋଲି ଯେଉଁ ବିଦ୍ୟାର୍ଥୀଙ୍କର ଆତ୍ମପ୍ରତ୍ୟୟ ଥ‌ିବ, ସେହି କେବଳ ଏହି ଗୋକୁଳର ଅଧିକାରୀ ରୂପେ ଗୋଗୋଷ୍ଠ ତାଡନ କରି ଘେନିଯାଇପାରନ୍ତି। ଏତାଦୃଶ ଘୋଷଣା ଶୁଣି ସଭାସଦ୍‌ବର୍ଗ ପ୍ରତ୍ୟେକେ ପ୍ରତ୍ୟେକର ମୁଖାରବିନ୍ଦକୁ ସନ୍ଦେହ ଦୃଷ୍ଟିରେ ଚାହିଁରହିଛନ୍ତି – କିଏ ସେହି ମତିମାନ୍ ପ୍ରଜ୍ଞାବାନ୍ ପୁରୁଷ, ଯେ କି ସମଗ୍ର ଆର୍ଯ୍ୟାବର୍ଭର ଜ୍ଞାନସମକ୍ଷରେ ଏ ଦୁଃସାହସିକ କାର୍ଯ୍ୟସାଧନର ଗର୍ବ ଧାରଣ କରିପାରେ ?

ଜନକଙ୍କର ଋତ୍ନିକ୍ ସନ୍ଦିଗ୍‌ଧ ଅଶ୍ଵକ ପ୍ରଶ୍ନ କଲେ, ‘ଯାଜ୍ଞବଳ୍‌କ, ଏହା କ’ଣ ସତ୍ୟ ଯେ ତୁମ୍ଭେ ଆପଣାକୁ ଏ ସଭାରେ ସର୍ବଶ୍ରେଷ୍ଠ ବ୍ରହ୍ମଜ୍ଞାନୀ ବୋଲି ବିବେଚନା କରୁଛ ?”

“ପରୀକ୍ଷା ପ୍ରାର୍ଥନୀୟ।’’ ଯାଜ୍ଞବଳ୍‌କ ଉତ୍ତର ଦେଲେ।

ଚତୁର୍ଦ୍ଦିଗରୁ ପ୍ରଶ୍ନବଳୀର ବୃଷ୍ଟି ହେଲା। ଉଦ୍ଦାଳକ-ଆରୁଣିଙ୍କର ଶିଷ୍ୟ ଯାଜ୍ଞବଳ୍‌କ ନିଭୀକଭାବରେ ସମସ୍ତ ପ୍ରଶ୍ନର ଯଥୋଚିତ ଉତ୍ତର ଦେଲେ। ସର୍ବଶେଷରେ ସୁପଣ୍ଡିତା ଗାର୍ଗୀ ବାଚକ୍‌ନବୀ ବ୍ୟକ୍ତ କଲେ, ‘ହେ ବ୍ରାହ୍ମଣମଣ୍ଡଳି! ମୁଁ ଯାଜ୍ଞବଳ୍‌କଙ୍କୁ ମାତ୍ର ଦୁଇଟି ପ୍ରଶ୍ନ ପଚାରିବି। ସେ ଯଦି ସନ୍ତୋଷଜନକ ଉତ୍ତର ଦେଇପାରନ୍ତି ତେବେ ସେ ବ୍ରହ୍ମବିଦ୍ୟାରେ ଅଜେୟ ବୋଲି ଅବଶ୍ୟ ମାନ୍ୟ ହେବେ।’’

ସଭାର ଅନୁମତିକ୍ରମେ ଗାର୍ଗୀ ପୁଚ୍ଛାକଲେ, ‘ଯାଜ୍ଞବଳ୍‌କ, କାଶୀ କିମ୍ବା ବିଦେହର ରାଜନ୍ୟବର୍ଗ ଯେପରି ସ୍ୱ ସ୍ୱ ଧନୁର୍ଗୁଣରେ ଶତ୍ରୁଘାତୀ କରାଳ ବାଣ ଧାରଣ କରି ଅଗ୍ରସର, ମୁଁ ସେହିପରି ଦୁଇଟି ଅକାଟ୍ୟ ପ୍ରଶ୍ନ ଘେନି ପୁନଃସରଣ କରୁଛି – ଉତ୍ତର ଦେବା ହେଉ।’’

ଯାଜ୍ଞବଳ୍‌କ ଉତ୍କଣ୍ଠ ହୋଇ ଅପେକ୍ଷାକରୁଛନ୍ତି।

ଗାର୍ଗୀ ପ୍ରଶ୍ନ କଲେ, ‘‘ସ୍ବର୍ଗର ଊର୍ଦ୍ଧ୍ଵ ଭାଗରେ ତଥା ମର୍ତ୍ତ୍ୟର ନିମ୍ନଦେଶରେ ଯାହା ବିଦ୍ୟମାନ ଏବଂ ଯାହା ସ୍ବର୍ଗ-ମର୍ତ୍ତ୍ୟ ଉଭୟର ମଧ୍ୟଭାଗରେ ତଥା ଗର୍ଭ ମଧ୍ୟରେ ପରିବ୍ୟାପ୍ତ, ଯାହା ଭୂତ, ଭବିଷ୍ୟ ଓ ବର୍ତ୍ତମାନରୂପେ ଆଖ୍ୟାତ – ସେ ସମସ୍ତ କାହାଦ୍ଵାରା ନିର୍ମିତ ଏବଂ କାହା ଉପରେ ଆଶ୍ରିତ?’’

ବାଜସନେୟ-ପୁତ୍ର ଯାଜ୍ଞବଳ୍‌କ ଉତ୍ତର ଦେଲେ, ‘ସେ ସମସ୍ତ ଆକାଶତରୁ ଦ୍ଵାରା ନିର୍ମିତ ଏବଂ ସେହି ଆକାଶତତ୍ତ୍ବ ଉପରେ ହିଁ ଆଶ୍ରିତ, ଗାର୍ଗ !”

‘‘ପୁଣି ସ୍ଵୟଂ ସେହି ଆକାଶତତ୍ତ୍ଵ କାହା ଉପରେ ଆଶ୍ରିତ?’’

“ଆକାଶତତ୍ତ୍ଵ ଯାହା ଉପରେ ଆଶ୍ରିତ ଏବଂ ଯାହାଦ୍ଵାରା ନିର୍ମିତ, ତାହାକୁ ବିପ୍ରଗଣ ଅକ୍ଷର ଆଖ୍ୟା ଦେଇଛନ୍ତି। ସେ ସୂକ୍ଷ୍ମ ନୁହେଁ କିମ୍ବା ସ୍ଥୂଳ ନୁହେଁ – ଲଘୁ ନୁହେଁ କିମ୍ବା ଦୀର୍ଘ ନୁହେଁ, ଆର୍ଦ୍ର କିମ୍ବା ରକ୍ତିମ ନୁହେଁ – ତା’ର ସ୍ବାଦ ନାହିଁ କିମ୍ବା ଗନ୍ଧ ନାହିଁ, ନେତ୍ର ନାହିଁ କିମ୍ବା କଣ୍ଠ ନାହିଁ, ବାଣୀ ନାହିଁ କିମ୍ବା ମନ ନାହିଁ, ତେଜ କିମ୍ବା ପ୍ରାଣ ନାହିଁ, ଭିତର କିମ୍ବା ବାହାର ନାହିଁ – ସେ ନିରବଲମ୍ବ – ସେ ଭକ୍ଷକ କିମ୍ବା ଭକ୍ଷ୍ୟ ନୁହେଁ – ତଥାପି ତାହାରିଦ୍ଵାରା ସୂର୍ଯ୍ୟ, ଚନ୍ଦ୍ର, ପୃଥୀ, ଘଡି, ପଲ, ଦିନ, ରାତି, ପକ୍ଷ, ମାସ, ଋତୁ, ସମ୍ବତ୍ସରାଦି ନିୟନ୍ତ୍ରିତ ହେଉଛି। ତାହାରି ନିର୍ଦ୍ଦେଶରେ ପୂର୍ବର ନଦନଦୀ, ହିମାଚ୍ଛାଦିତ ପର୍ବତଶୃଙ୍ଗରୁ ଅବତରଣ କରି ପଶ୍ଚିମ ଦିଗରେ ଏବଂ ପଶ୍ଚିମର ସ୍ରୋତସ୍ୱତୀ ପୂର୍ବାଭିମୁଖରେ ପ୍ରଭାହିତ ହେଉଛି। ସେ ଦୃଷ୍ଟ ନୁହେଁ ତଥାପି ଦ୍ରଷ୍ଟା। ଶ୍ରାବ୍ୟ ନୁହେଁ ମାତ୍ର ଶ୍ରୋତା। ଜ୍ଞେୟ ନୁହେଁ ଅଥଚ ସମସ୍ତ ପଦାର୍ଥର ଜ୍ଞାତା। ତଦତିରିକ୍ତ ଏ ସୃଷ୍ଟିରେ ଅନ୍ୟ କେହି ଦ୍ରଷ୍ଟା ନାହିଁ, ଶ୍ରୋତା ନାହିଁ କିମ୍ବା ଜ୍ଞାତା ନାହିଁ। ସେହି ଅକ୍ଷର ବ୍ରହ୍ମ ଉପରେ ହିଁ ଏ ସମଗ୍ର ବିଶ୍ଵ ଆଶ୍ରିତ ଏବଂ ସେହି ଉପାଦାନରୁହିଁ ସମସ୍ତ ଦୃଶ୍ୟାଦୃଶ୍ୟ ନିର୍ଣ୍ଣୀତ ହୋଇଛି।’’

‘ମହାଶୟଗଣ’’ ! ପରାଜିତା ଗାର୍ଗୀ କହିବାକୁ ଲାଗିଲେ, ‘ବ୍ରହ୍ମଜ୍ଞାନରେ ଆପଣମାନଙ୍କ ମଧ୍ୟରୁ କେହି କେବେହେଲେ ଏହି ବିଦ୍ଵାନ୍‌ଙ୍କୁ ପରାଜିତ କରିପାରିବେ ନାହିଁ। ଅତଏବ ଆସନ୍ତୁ, ଆମ୍ଭେମାନେ ସମସ୍ତେ ମିଳି ଯାଜ୍ଞବଳ୍‌କଙ୍କୁ ଅଭିବାଦନ କରିବା।’’

ଉତ୍ତରକାଳୀନ ବୈଦିକ ବାଙ୍ମୟରେ ଆମ୍ଭେମାନେ ଉଦ୍ଦାଳକ, ଆରୁଣି, ସତ୍ୟକାମ ଜାବାଳ, ଗାର୍ଯ୍ୟ ବାଲାକି, ମହୀଦାଶ ଐତରେୟ, ପ୍ରବାହଣ ଜୈବଳୀ, ବିଦଗ୍‌ଧ ଶାକଲ୍ୟ, ଜନକ ବୈଦହ, ଅଶ୍ଵପତି କୈକେୟ, ଶ୍ଵେତକେତୁ ଉଦ୍ଦାଳକ, ଗାର୍ଗୀ ବାଚକନବୀ, ପିପ୍‌ପଲାଦ, ରୈକ୍ସ, ପ୍ରତର୍ଦ୍ଦନ, ଶାଣ୍ଡିଲ୍ୟ, ଅଜାତଶତ୍ରୁ ଆଦି ବହୁ ପ୍ରତିଭାଶାଳୀ ବ୍ରହ୍ମବାଦୀଙ୍କର ପରିଚୟ ପାଇଛୁ। କିନ୍ତୁ ଯାଜ୍ଞବଳ୍‌କ ନକ୍ଷତ୍ରମାନଙ୍କ

ମଧ୍ୟରେ ଚନ୍ଦ୍ରମା ସଦୃଶ। ବୈଦିକ ଆର୍ଯ୍ୟମାନଙ୍କ ଜ୍ଞାନମାର୍ଗୀ ସାଧନାର ଫଳସ୍ବରୂପ ଉପନିଷଦର ପରାକାଷ୍ଠା ବିଷୟରେ ବିଚାରକଲେ ଯାଜ୍ଞବଳ୍‌କଙ୍କର କୃତିତ୍ବ ସର୍ବାଧିକ ବିବେଚିତ ହେବ। ଆର୍ଯ୍ୟ ସଂସ୍କୃତି ଉପରେ ଯାଜ୍ଞବଳ୍‌କଙ୍କ ପ୍ରଭାବ ଅପ୍ରମେୟ।

ଯାଜ୍ଞବଳ୍‌କ ଶୁକ୍ଳ ଯଜୁର୍ବେଦ ଏବଂ ଶତପଥ ବ୍ରାହ୍ମଣର ପ୍ରଣେତା ବୋଲି କୁହାଯାଏ। ‘ଯାଜ୍ଞବଳ୍‌କ ସ୍ମୃତି’ ନାମକ ଗୋଟିଏ ପ୍ରଧାନ ଧର୍ମଶାସ୍ତ୍ର ଏହାଙ୍କ ନାମରେ ପ୍ରଚଳିତ।

ଯାଜ୍ଞବଳ୍‌କଙ୍କର ଦୁଇ ସ୍ତ୍ରୀ ମୈତ୍ରେୟୀ ଓ କାତ୍ୟାୟନୀ। ଜୀବନର ସାୟାହ୍ନରେ ଯାଜ୍ଞବଳ୍‌କ ସନ୍ନ୍ୟାସଗ୍ରହଣପୂର୍ବକ ଗୃହତ୍ୟାଗ କରିବା ସମୟରେ ମୈତ୍ରେୟୀଙ୍କୁ ଡାକି କହିଲେ, ‘ମୈତ୍ରେୟୀ ! ମୋତେ ବିଦାୟ ଦିଅ। ବର୍ତ୍ତମାନ ମୁଁ ତୁମ ଦୁହିଁଙ୍କ ମଧ୍ୟରେ ମୋର ଯାବତୀୟ ସମ୍ପତ୍ତି ବଣ୍ଟନ କରିଦେବାକୁ ଚାହେଁ।’

ମୈତ୍ରେୟୀ ପ୍ରଶ୍ନ କଲେ, ‘ଭଗବାନ୍ ! ଯଦି ସମ୍ପତ୍ତିରେ ପରିପୂର୍ଣ୍ଣ ଏ ସମୁଦାୟ ପୃଥ‌ିବୀ ମୋତେ ପ୍ରାପ୍ତି ହୁଏ, ତେବେ ମୁଁ କ’ଣ ଅମରତ୍ୱ ଲାଭକରିପାରିବି ?” ଯାଜ୍ଞବଳ୍‌କ ଉତ୍ତର ଦେଲେ, “ଅସମ୍ଭବ !”

‘ତେବେ ମୋର ସମ୍ପତ୍ତିରେ କି ଆବଶ୍ୟକ! ଯାହା ଲାଭକଲେ ମୁଁ ଅମରତ୍ଵ ପାଇପାରିବି, ମୋତେ ସେହି ବସ୍ତୁ ଦିଅନ୍ତୁ ପ୍ରଭୋ !’’

ମୈତ୍ରେୟୀଙ୍କ ପ୍ରାର୍ଥନା ପୂର୍ଣ୍ଣ ହେଲା। ପତ୍ନୀଙ୍କୁ ଆତ୍ମଜ୍ଞାନ ଦେବା ଲକ୍ଷ୍ୟରେ ଯାଜ୍ଞବଳ୍‌କ ଯାହା ଦାନକରିଯାଇଛନ୍ତି ତାହାହିଁ ଉପନିଷଦସ୍ଥ ଦାର୍ଶନିକ ଚିନ୍ତନର ସାର ନିର୍ଯ୍ୟାସ।

About the author

हिंदीभाषा

Leave a Comment

You cannot copy content of this page