ଓଡ଼ିଆ ଖଣ୍ଡ

ମହାବୀର ଜିନ

ଏକଦା ବ୍ରହ୍ମର୍ଷିମାନଙ୍କର ସାମନାଦରେ ନିନାଦିତ ଭାରତବର୍ଷ ପରେ ଦିନେ ମହାମହିମାମୟ ରାଜର୍ଷିମାନଙ୍କର ପ୍ରସବିନୀରୂପେ ପୂଜାପାଇପାରିଲା। ଅଧ୍ୟାତ୍ମଚିନ୍ତା ପ୍ରାକୃତିକ ଶୋଭାମଣ୍ଡିତ ଋଷି ଆଶ୍ରମରୁ ଯାଇ ରାଜପ୍ରାସାଦର ସାଙମ୍ବର କୋଳାହଳମଧ୍ୟରେ ମଧ୍ୟ ପ୍ରବେଶ କରିଥିଲା। ରାମାୟଣ-ପ୍ରସିଦ୍ଧ କର୍ମଯୋଗୀ, ସ୍ଥିତପ୍ରଜ୍ଞ ଜନକଙ୍କ ପରେ ଯେଉଁମାନେ ରାଜକୁଳରେ ଜନ୍ମଗ୍ରହଣ କରି ମଧ୍ୟ ଭାରତକୁ ଅଧ୍ୟାତ୍ମ ଚିନ୍ତନର ନବତନ ଆଭାରେ ଉଦ୍‌ଭାସିତ କରିଥିଲେ, ସେମାନଙ୍କ ମଧ୍ୟରୁ ମହାବୀର ବର୍ଦ୍ଧମାନ ଓ ଗୌତମ ବୁଦ୍ଧ ପ୍ରଧାନ।

ଖ୍ରୀ: ପୂ: ପାଞ୍ଚଶହ ଅନେଶତର କଥା ରାଜା ସିଦ୍ଧାର୍ଥ କୌଣ୍ଡିନ୍ୟପୁରରେ ଅବସ୍ଥାନ କରୁଥିଲେ। ମଗଧ ଅନ୍ତର୍ଗତ ବୈଶାଳୀ ରାଜ୍ୟର ପରାକ୍ରମୀ ଲିଚ୍ଛବି ନରପତିଙ୍କର କନ୍ୟା ତ୍ରିଶଳା ତାଙ୍କ ସହଧର୍ମିଣୀ। ସେହି ସାର୍ଥୀ ତ୍ରିଶଳାଙ୍କ ଗର୍ଭରେ ମହାବୀର ଜିନ ଜନ୍ମଗ୍ରହଣ କରିଥିଲେ।

ବାଳକାଳରୁ ହିଁ ମହାବୀର ବଡ ଶାନ୍ତ ଓ ଚିନ୍ତାଶୀଳ। ବିବାହ ପରେ ପରେ ମଧ୍ୟ ତାଙ୍କର ଉଦାସୀନ ସ୍ଵଭାବରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇନଥିଲା। ଯଥାସମୟରେ ତାଙ୍କର ଅନୋଜ୍ଜା ବା ପ୍ରିୟଦର୍ଶନା ନାମରେ ଗୋଟିଏ କନ୍ୟା ଜାତ ହେଲା। କିନ୍ତୁ ସ୍ତ୍ରୀ, କନ୍ୟାର ସ୍ନେହ ଓ ମମତାବନ୍ଧନ ତାଙ୍କୁ ସଂସାରରେ ବାନ୍ଧି ରଖୁପାରିଲା ନାହିଁ। ତିରିଶ ବର୍ଷ ବୟସକ୍ରମରେ ସେ ଜଣେ ବିରକ୍ତ ସନ୍ନ୍ୟାସୀରୂପେ ଏହି ବିଶାଳ ବୈଭବ ପରିତ୍ୟାଗ କରି ଅରଣ୍ୟ ଗମନକଲେ। ଦୀର୍ଘ ଦ୍ବାଦଶ ବର୍ଷ କଠିନ ତପସ୍ୟା ପରେ ସେ ଜ୍ଞାନର କୈବଲ୍ୟ ପ୍ରାପ୍ତ ହୋଇ ଜୀବନର ତୃଷ୍ଣା ପରିତୃପ୍ତ କରିଥିଲେ। ସେ ନିଜର ସେହି ସଦ୍‌ଜ୍ଞାନସମ୍ଭୂତ ମତବାଦକୁ ଜୀବନର ଦୀର୍ଘ ତିରିଶବର୍ଷ ବ୍ୟାପୀ ଶେଷଭାଗରେ ଭାରତର ପୁରପଲ୍ଲୀରେ ପ୍ରଚାର କରିଥିଲେ।

ଜିନ ବା ମହାବୀର ତାଙ୍କର ଜନ୍ମନାମ ନଥିଲା। ମହାବୀରଙ୍କ ଭକ୍ତମାନେ ହିଁ ତାଙ୍କୁ ଜିନ, ମହାବୀର, ବଦ୍ଧମାନ, ନିଗ୍‌ଗଳ୍ପ – ଆତପୁତ୍ତ ବା ଅହତ ନାମରେ ବିଖ୍ୟାତ କରିଥିଲେ। ମହାବୀର ନିଜେ ଜୈନଧର୍ମର ପ୍ରତିଷ୍ଠାତା ନୁହନ୍ତି। ସେ ତାଙ୍କର ପୂର୍ବଗାମୀ ତ୍ରୟୋବିଂଶ ତୀର୍ଥଙ୍କରଙ୍କଦ୍ଵାରା ପ୍ରତିପାଦିତ ମତର ପ୍ରବର୍ତ୍ତକ ବୋଲି ନିଜେ ସ୍ଵୀକାର କରିଛନ୍ତି। ଏହି ତୀର୍ଥଙ୍କରମାନଙ୍କର ସର୍ବପ୍ରଥମ ତୀର୍ଥଙ୍କର ଋଷଭଦେବଙ୍କ ନାମ ଯଜୁର୍ବେଦ, ବିଷ୍ଣୁପୁରାଣ, ଶ୍ରୀମଦ୍ଭାଗବତାଦି ବେଦାନୁସଂଗତ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ଅଛି। କିନ୍ତୁ ଏହି ତୀର୍ଥଙ୍କର ଜୈନଧର୍ମର ଯଥାର୍ଥ ସ୍ଵରୂପ ତୀର୍ଥଙ୍କର-ପରମ୍ପରାରେ ସର୍ବଶେଷ ଦୁଇ ମନୀଷୀ ପାର୍ଶ୍ଵନାଥ ଓ ମହାବୀରଙ୍କ ସମୟରେ ହିଁ ପୂର୍ଣ୍ଣ ବିକାଶ ଲାଭକରିଥିଲା। ପାର୍ଶ୍ଵନାଥ ମହାବୀର ଦୁଇଶହ ପଚାଶ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିଲେ। ମହାବୀର ଗୌତମ ବୁଦ୍ଧଙ୍କ ସମସାମୟିକ। ପାର୍ଶ୍ଵନାଥଙ୍କର ଅହିଂସା, ସତ୍ୟ, ଅସ୍ତେୟ ଓ ଅପରିଗ୍ରହ ଏହି ଚାରି ନାମକ ନିୟମ ସହିତ ମହାବୀର ପଞ୍ଚମ ବ୍ରତ ବ୍ରହ୍ମଚର୍ଯ୍ୟ ଉପରେ ଜୋର୍ ଦେଇ ମୋକ୍ଷମାର୍ଗ ଦର୍ଶାଇଥିଲେ; କିନ୍ତୁ ଅହିଂସା ତାଙ୍କ ଧର୍ମପ୍ରଚାରର ମୁଖ୍ୟ ସୂତ୍ର ଥିଲା।

ଜୈନଧର୍ମ ଏକପ୍ରକାର ନିରୀଶ୍ଵରବାଦୀ ଧର୍ମ। ସ୍ବାଦ୍‌ବାଦ ନାମକ ଏହି ଧର୍ମର ଏକ ଦାର୍ଶନିକ ବିଚାରଧାରା ଅନୁଯାୟୀ ସଭ୍ୟ-ଅସତ୍ତ୍ବ, ନିତ୍ୟତ୍ଵ-ଅନିତ୍ୟତ୍ବ, ସାଦୃଶ୍ୟ-ବିରୂପତ୍ଵ ଏକ ବସ୍ତୁର ହିଁ ଦ୍ବିବିଧ ରୂପ ବା ଗୁଣ ବୋଲି ବର୍ଣ୍ଣିତ ହୋଇଛି। ଜୈନମାନେ ଏକପ୍ରକାର କର୍ମବାଦୀ। ସେମାନଙ୍କ ମତରେ ପୁଦ୍‌ଗଳ ବା କର୍ମର ଆବରଣରୁ ମୁକ୍ତ ହୋଇ ମୋକ୍ଷ ବା କୈବଲ୍ୟ ସ୍କୃ ତିର ପ୍ରାପ୍ତି ହିଁ ଜୀବନର ପରମ ଲକ୍ଷ୍ୟ। ବାସ୍ତରି ବର୍ଷ ବୟସରେ ପାବା ନାମକ ସ୍ଥାନରେ ମହାବୀରଙ୍କର ମହାପ୍ରୟାଣ ହୋଇଥିଲା ଖ୍ରୀ: ପୂ: ୫୨୭ ଅବ୍ଦରେ। ସେତେବେଳକୁ ତାଙ୍କର ଶିଷ୍ୟମାନଙ୍କର ଗୋଟିଏ ସୁସଂଗଠିତ ସଂଘ ପ୍ରତିଷ୍ଠାପିତ ହୋଇଯାଇଥିଲା। ମହାବୀରଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଗୌତମ ଇନ୍ଦ୍ରଭୂତି ଓ ସୁଧର୍ମନ ମୁଖ୍ୟ ଥିଲେ। ତାଙ୍କ ପରେ ଜମ୍ମୁସ୍ୱାମୀ, ସ୍ଵୟଂଭବ, ଭଦ୍ରଭାନୁ ଓ ସ୍ତୂଳଭଦ୍ର ପ୍ରଭୃତି ଆଚାର୍ଯ୍ୟ

ଥିଲେ।

ଖ୍ରୀ: ପୂ: ଚତୁର୍ଥ ଶତାବ୍ଦୀରେ ପାଟଳିପୁତ୍ରଠାରେ ଏକ ଜୈନ ସଙ୍ଗୀତି ସଙ୍ଗଠିତ ହୋଇ ଜୈନ ସିଦ୍ଧାନ୍ତକୁ ଏକ ଶାସ୍ତ୍ରୀୟରୂପ ଦେବାର ପ୍ରଯତ୍ନ ହୋଇଥିଲା, କିନ୍ତୁ ଏ ଉଦ୍ୟମ ସଫଳ ହେବା ନିମନ୍ତେ ବହୁ ଶତବର୍ଷ ଅତିବାହିତ ହୋଇଗଲା। ଆନୁମାନିକ ଅଷ୍ଟଶତ ବର୍ଷ ପରେ ଚାରିଶହ ଚଉବନ ଖ୍ରୀଷ୍ଟାବ୍ଦରେ ବଳଭିଠାରେ ଦେବର୍ଷିଙ୍କ ସଭାପତିତ୍ବରେ ନିୟୋଜିତ ସଙ୍ଗୀତିଦ୍ଵାରା ଏହି ମହାକାର୍ଯ୍ୟର ପରିସମାପ୍ତି ସମ୍ଭବପର ହୋଇଥିଲା।

ଏହି ସମସ୍ତ ଧର୍ମଗ୍ରନ୍ଥର ମୋଟ ସଂଖ୍ୟା ଚଉରାଅଶୀ। ଏଥୁରେ ଏକଚାଳିଶଟି ସୂତ୍ର, ବହୁ ପ୍ରକୀର୍ୟକ, ବୀର ନିଯୁକ୍ତି ଓ ଏକ ମହାଭାଷ୍ୟ ମଧ୍ୟ ନିହିତ ଅଛି। ସୂତ୍ରଟି ଏଗାର ଅଙ୍ଗ, ବାର ଉପାଙ୍ଗ, ପଞ୍ଚଚ୍ଛେଦ୍ୟ, ପଞ୍ଚ ମୂଳ ଓ ଅଷ୍ଟ ପ୍ରକୀର୍ୟାଦି ରଚନାବଳୀରେ ବିମଣ୍ଡିତ। ଏହାର ଭାଷା ଅନ୍ଧମାଗଧୀ।

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଭଦ୍ରବାହୁଙ୍କ ନେତୃତ୍ୱରେ ଏକ ଜୈନ ପରିବ୍ରାଜକ ଦଳ ଏହି ଧର୍ମର ପ୍ରଚାର କାର୍ଯ୍ୟରେ ବାହାରିଥିଲେ। ପରେ ପରେ ଗଙ୍ଗ, କଦମ୍ବ, ଚାଲୁକ୍ୟ, ରାଷ୍ଟ୍ରକୂଟ ଆଦି ରାଜବଂଶଦ୍ବାରା ଏ ଧର୍ମ ସୁପ୍ରତିଷ୍ଠିତ ହୋଇଥିଲା ଏବଂ ସେହି ସମୟରେ ଜୈନ ସ୍ତୂପ ଓ ଜଳାଶୟାଦି ସ୍ଥାପନା କରାଯାଇଥିଲା।

About the author

हिंदीभाषा

Leave a Comment

You cannot copy content of this page