ମନର ଭାବ ଯେତେବେଳେ ଭାଷା ସୃଷ୍ଟି କରେ, ପୁଣି ଭାଷାକୁ ଯେତେବେଳେ ସମାଜ ଭାବବିନିମୟର ବାହକ କରି ଜୀବନ୍ୟାସ ଦିଏ, ଭାଷା ଯେତେବେଳେ ଭାବର ଅନନ୍ତ ସମୁଦ୍ରରେ ଦିଗହରା, ସେତେବେଳେ ଭାଷାର ପ୍ରକ୍ଷିପ୍ତ ଗତିକୁ ନିୟନ୍ତ୍ରିତ କରିବାପାଇଁ ସୃଷ୍ଟି ହୁଏ ଭାଷାର ନିୟାମକ – ବ୍ୟାକରଣ। ବ୍ୟାକରଣ ଭାଷାର ଶୃଙ୍ଖଳ ନୁହେଁ, ବରଂ ଭାଷାକୁ ଉଚ୍ଛୁଙ୍ଖଳତାରୁ ରକ୍ଷାକରି ତା’ର ପ୍ରାକୃତିକ ବିକାଶଭଙ୍ଗୀରେ ଅଗ୍ରସର ହେବାର ସୁଯୋଗ ଦିଏ।
ଅନନ୍ତ ଆକାଶସମ ସମୁଜ ଭାରତୀୟ ଭାବରାଶିକୁ ବିକଶିତ କରିବା ପାଇଁ ଏକଦା ଯେଉଁ ଭାଷାର ସୃଷ୍ଟି ହୋଇଥିଲା, ତାକୁ ବ୍ୟାକରଣର ପ୍ରଖର ରସାଣରେ ଶାଣିତ କରି ସର୍ବ ପ୍ରଥମେ ଯେଉଁ ମହାପୁରୁଷ ଏକ ସଂସ୍କୃତ ରୂପ ଦେଇଥିଲେ, ବାଣୀର ବୈଖରୀ ମୂର୍ତ୍ତିସ୍ୱରୂପ ବୈଦିକ ଯୁଗର ସେହି ଅନ୍ତିମ ଆଚାର୍ଯ୍ୟହିଁ ପାଣିନି ବା ଶାଳାତୁରୀୟ ନାମରେ ଅଭିହିତ।
ଗାନ୍ଧାର ଦେଶର ଏକ କ୍ଷୁଦ୍ର ଜନପଦ। ଆଧୁନିକ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶରେ ଅବସ୍ଥିତ ଶାଳାତୁର ବା ଶୋଲାତୁଲୋରେ ଏହି ଶାଳାତୁରୀୟ ପାଣିନିଙ୍କର ଜନ୍ମ। ସାଧୀ ଦାକ୍ଷୀଙ୍କ ଗର୍ଭରୁ ଏହି ମହାପୁରୁଷ ଭୂମିଷ୍ଠ ହୋଇଥିଲେ। ସେ ଆଜକୁ ପ୍ରାୟ ସାଢେ ଚାରି ହଜାର ବର୍ଷ ତଳର କଥା କେତେକଙ୍କ ମତରେ ଖ୍ରୀ.ପୂ. ତିନିଶ ପଚାଶ। କେହି କେହି ଖ୍ରୀ.ପୂ. ଛଅ ଶହ, ସାତ ଶହ, ଆଠ ଶହ ବା ନଅଶହ ମଧ୍ୟ କହିଥାନ୍ତି।
ଉପାଧ୍ୟାୟ ବର୍ଷଙ୍କ ଆଶ୍ରମରେ ବହୁ ଧୀମାନ୍, ମତିପନ୍ନ ଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱନାମଧନ୍ୟ କାତ୍ୟାୟନ, ବ୍ୟାଡି ଓ ଇନ୍ଦ୍ରଦତ୍ତ ନାମକ ବୈୟାକରଣିକମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ପ୍ରବାଦ ଅଛି। ସେହି ବୈୟାକରଣିକମାନଙ୍କ ଗଣନାରେ ପାଣିନି ସେତେବେଳେ ଜଣେ ଅଳ୍ପବୁଦ୍ଧି ବିଦ୍ୟାର୍ଥୀ। ଅଧ୍ୟୟନରେ ବିଶେଷ ସଫଳତା ଲାଭକରି ନ ପାରିବାରୁ, କଥୁତ ଅଛି, କୁଣ୍ଠିତବୁଦ୍ଧି ଘେନି ପାଣିନି ଭଗବାନ ଶିବଙ୍କର ଆରାଧନା କଲେ। ଆଶୁତୋଷ ସଦାଶିବଙ୍କର ବରସ୍ଵରୂପ ସେ ବ୍ୟାକରଣର ପ୍ରଥମ ପ୍ରାରମ୍ଭିକ ଚତୁର୍ଦ୍ଦଶ ସୂତ୍ର ପ୍ରାପ୍ତ ହୋଇଥିଲେ। ସେହି ସୂତ୍ରଗୁଡ଼ିକ ‘ଶିବସୂତ୍ର’ ବା ‘ମହେଶ୍ଵର ସୂତ୍ର’’ ନାମରେ ପ୍ରସିଦ୍ଧ। ଏହାହିଁ ପାଣିନିକୃତ ବ୍ୟାକରଣର ମୂଳାଧାର।
କିନ୍ତୁ ପାଣିନିଙ୍କ ଅମରକୀର୍ତ୍ତିର ସ୍ମାରକ ପ୍ରାୟ ଚାରି ହଜାର ସୂତ୍ରସମ୍ବଳିତ ଏକ ବିରାଟ ସଂସ୍କୃତ ଶାସ୍ତ୍ର। ଏହା ଆଠଭାଗରେ ବିଭାଜିତ ଥିବାରୁ ଏହାକୁ ‘ଅଷ୍ଟଧ୍ୟାୟୀ’ କୁହାଯାଏ। ଏହି ଅଦ୍ଭୁତ ପୃଥିବୀର ଏହା ଏକ ଅତ୍ୟାଶ୍ଚର୍ଯ୍ୟ ସାମଗ୍ରୀ କହିଲେ ଚଳେ। ଏହାରି ସୂତ୍ର-ଶୈଳୀ ବ୍ୟାକରଣପ୍ରକରଣର ପୂର୍ଣ୍ଣ ପରାକାଷ୍ଠା। ଅବଶ୍ୟ ଭାରତରେ ବହୁ ବ୍ୟାକରଣସମ୍ପ୍ରଦାୟ ସେତେବେଳେ ଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟନ, ଆନୁମାନିକ ତିନି ଶହ ଉଦ୍ଭଟ ଆଚାର୍ଯ୍ୟଙ୍କର ନାମ ମିଳେ। ବ୍ୟାଡି, କାତ୍ୟାୟନ (ବରରୁଚି), ପତଞ୍ଜଳି, ବୈଜି, ସୌରଭ, ହର୍ଯ୍ୟକ୍ଷ, ଭର୍ତ୍ତୃହରି, କୈଶ୍ୟଟ, ହେମଚନ୍ଦ୍ର, ହରଦତ୍ତ, ଭଟ୍ଟାଜି, ନାଗେଶ ପ୍ରମୁଖ ବହୁ ବୈୟାକରଣିକ ପାଣିନିଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ମୁଷ୍ଟିମେୟ ପଣ୍ଡିତ ମୌଳିକ ତଥ୍ୟ ଦାନ କରିଥିବେ। ଅଷ୍ଟାଧ୍ୟାୟୀ ବ୍ୟତିରେକେ ଗଣପାଠ, ଧାତୁପାଠ, ଲିଙ୍ଗାନୁଶାସନ, ଶିକ୍ଷାସୂତ୍ର ଆଦି ଅନ୍ୟାନ୍ୟ ଅନେକ ଗ୍ରନ୍ଥ ମଧ୍ଯ ପାଣିନିଙ୍କ ରଚନା ବୋଲି କୁହାଯାଏ। ଏ ସମ୍ବନ୍ଧରେ ବିଶେଷଜ୍ଞମାନଙ୍କର ମତଦ୍ଵୈଧ ଥିବା ଦୃଷ୍ଟିରୁ ବିଚାର କଲେ ମଧ୍ୟ କେବଳ ଅଷ୍ଟାଧ୍ୟାୟୀ ପାଣିନିଙ୍କୁ ଅମର କରି ରଖୁ। ଅଷ୍ଟାଧ୍ୟାୟୀ ବ୍ୟାକରଣ ତତ୍କାଳୀନ ଭାରତର ଇତିହାସ, ଭୂଗୋଳ, ସାହିତ୍ୟ, ଧର୍ମ, ଆଚାର, ବ୍ୟବହାର, ଭାଷା ପ୍ରକରଣାଦି ନାନା ମୂଲ୍ୟବାନ୍ ବିଷୟରେ ଆଲୋକ ସଂପାତ କରେ।
କେତେକଙ୍କ ମତରେ ପାଣିନି ମଧ୍ୟ ଭାରତୀୟ ଭାଷା-ବ୍ୟାକରଣବିଧାନର ପ୍ରକୃତ ଭିତ୍ତିସ୍ଥାପକ ନୁହଁନ୍ତି। ପାଣିନି-କୃତ ଗ୍ରନ୍ଥରେ ଉଲ୍ଲିଖ ତାଙ୍କର ପୂର୍ବଗାମୀ ଶକଟାୟନ, ଆପିଶଳି, କାଶକୃତ, ଗାର୍ଗ୍ୟ, କାଶ୍ୟପ, ଗାଲବ୍ୟ ଆଦି ବିବିଧ ବୈୟାକରଣିକ ତଥା ଅନ୍ୟାନ୍ୟ ଅନେକ ମନୀଷୀ ଯେଉଁ ଭିଭି ସ୍ଥାପନ କରିଥିଲେ, ପାଣିନି ତାହାରି ଉପରେ ଏକ ପୂର୍ଣ୍ଣାଙ୍ଗ ସୌଧ ରଚନା କରିଗଲେ ମାତ୍ର।
ବୈଦିକ ଭାଷା ପ୍ରାଚୀନ ହୋଇ ଆସିଥିଲା। ଲୋକମୁଖରେ ପ୍ରାକୃତ ଭାଷା ବୈଦିକ ମନ୍ତ୍ରରୁ କାଳକ୍ରମେ ବହୁ ଦୂରକୁ ବିକ୍ଷିପ୍ତ ହୋଇଯାଇଥିଲା। କିନ୍ତୁ ବୈଦିକ ମନ୍ତ୍ରର ମାଧୁର୍ଯ୍ୟମଣ୍ଡିତ ଚିରନ୍ତନ ସନାତନ ଭାବଧାରା ପୂର୍ବବତ୍ ଅକ୍ଷୁଣ୍ଣ ରହି ଜନମନ ମୁଗ୍ଧ କରୁଥିଲା। ବୈଦିକ ପଦ ଓ ଶବ୍ଦ ସମ୍ବଳିତ ବିବିଧ ରଚନାର ଅଧ୍ୟୟନ ଓ ଗବେଷଣା ଥିଲା ସଭ୍ୟତାର ସୂଚନା ଓ ସମାଜର ପ୍ରବୃତ୍ତି। ‘ପ୍ରାତିଶାଖ୍ୟ’’ ତାହାର ଉଦାହରଣ। କ୍ରମେ ଶବ୍ଦର ବ୍ୟୁତ୍ପତ୍ତି ଓ ରଚନାର ସମୀକ୍ଷାଦ୍ବାରା ମୂଳ ଶବ୍ଦ ଓ ଧାତୁର ରୂପ ରୂପାନ୍ତରକୁ ନିରୀକ୍ଷଣ କରି ବିବିଧ ଗଣ ନିର୍ଣ୍ଣୟ କରାଗଲା। ଏହିପରି ଧୀରେ ଧୀରେ ପ୍ରାଚୀନ ସଂସ୍କୃତର ଗୋଟିଏ ବିଧ୍ଵବଦ୍ଧ ବ୍ୟାକରଣ ପ୍ରକଟିତ ହେଲା। ପ୍ରଥମ ଅବସ୍ଥାରେ ସେହି ନିହାରିକାପୁଞ୍ଜ କ୍ରମେ ପାଣିନିଙ୍କ ସମୟରେ ଏକ ବିରାଟ ଜ୍ୟୋତିଷ୍କର କିରଣଜାଳରେ ଭାରତୀୟ ସାହିତ୍ୟକୁ ଉଦ୍ଭାସିତ କରିଦେଲା। ତେଣୁ ପାଣିନିଙ୍କ ବ୍ୟାକରଣ ମୂଳରେ କେବଳ ପାଣିନିଙ୍କ ପ୍ରତିଭାର ବିକାଶ ନୁହେଁ, ବହୁ ତପଃସିଦ୍ଧ ମନୀଷୀଙ୍କର ଅଜ୍ଞାତ ସାଧନା ମଧ୍ଯ ସନ୍ନିହିତ।
‘ପଞ୍ଚତନ୍ତ୍ର’ର ଏକ ଆଖ୍ୟାୟିକାନୁଯାୟୀ ପାଣିନି ଏକଦା ଗୋଟିଏ ହିଂସ୍ର ସିଂହମୁଖରେ ପ୍ରାଣହରାଇଥିଲେ। ଏହି ମହାପୁରୁଷଙ୍କର ଅନ୍ତିମ ଦଶା ଏପରି ଆକସ୍ମିକ ଓ ମର୍ମନ୍ତୁଦ ହୋଇଥିଲେହେଁ ତାଙ୍କର ଜୀବନ ସାର୍ଥକ ଓ କାଳାତୀତ।