‘ନ ତ୍ଵବାର୍ଯ୍ୟସ୍ୟ ଦାସଭାବ’’ ଏ ଆର୍ଯ୍ୟଜାତି କାହାରି ଦାସ ହେବା ଅସମ୍ଭବ।
ଚତୁର୍ବିଂଶ ଶତାବ୍ଦୀ ଅତୀତ ହେବା ପରେ ମଧ୍ୟ ସଦ୍ୟ ପରାଧୀନତା ନିଗଡରୁ ମୁକ୍ତ ଭାରତ ପକ୍ଷରେ ଏ ବାଣୀ ଅଦ୍ୟପି ସତ୍ୟ ଓ ଜୀବନ୍ତ ପରି ପ୍ରତୀୟମାନ ହୁଏ। ଚତୁର୍ବିଂଶ ଶତାବ୍ଦୀ ପୂର୍ବେ ଏହି ଦେଶରେ, ଏହି ଭାରତଭୂମିରେ ଜଣେ ମହିମାମୟ ମନୀଷୀ ପୃଥିବୀର ତାତ୍କାଳିକ ଅଦ୍ୱିତୀୟ ରାଜନୀତିକ ପୁରୁଷରୂପେ ଜନ୍ମ ଗ୍ରହଣ କରି ବୈଦେଶିକ ଆକ୍ରମଣରେ ବିଚଳିତ ଆର୍ଯ୍ୟ ଭାରତକୁ ଏ ମନ୍ଦ୍ରବାଣୀ, ଏ ମହାମନ୍ତ୍ରରେ ଦୀକ୍ଷିତ କରିଯାଇଥିଲେ। ଭାରତ କଣ ସେ ମନ୍ତ୍ର କେବେ ଭୁଲିପାରେ? ସେ ମନ୍ତ୍ର ଅଦ୍ୟାବଧୂ ଭାରତୀୟ ଧମନୀକୁ ଉଷ୍ଣ ଚଞ୍ଚଳ କରୁଛି। ସେ ମନ୍ତ୍ର ଉଚ୍ଚାରଣ କରି ଭାରତୀୟ ଆଜି ଅନାର୍ଯ୍ୟ ବିଦେଶୀ ଜାତିର ଶୃଙ୍ଖଳକୁ ଛିନ୍ନଭିନ୍ନ କରିପାରିଛି – ଚାଣକ୍ୟଙ୍କର ଅତୃପ୍ତ ଆତ୍ମା ଆଜି ହୁଏତ ସ୍ବର୍ଗଭୂମିରେ ଥାଇ ପରିତୃପ୍ତିର ଦୃଷ୍ଟିପାତ କରୁଥିବ ଏହି ସ୍ଵାଧୀନ ଭାରତବର୍ଷ ଉପରେ।
ସାମାନ୍ୟ କୁଶ, ତୁଚ୍ଛ ତୃଣଶୀର୍ଷଟାଏ – ଶାସନ ଅଭାବରେ ସେ ମଧ୍ୟ ଶକ୍ତିଶାଳୀ ମନୁଷ୍ୟକୁ ଆଘାତ କରିପାରେ ! ନା ନା, ଉତ୍କୃଙ୍ଖଳ ସମାଜରେ ଶାନ୍ତି ଓ ସ୍ବାଚ୍ଛନ୍ଦ୍ୟ ଆଣିବା ପାଇଁ ନିର୍ମମ ଶାସନର ଅବଶ୍ୟ ପ୍ରୟୋଜନ। ସେ ସ୍ଵୟଂ ରାଜା ହେଉ ବା ଶାସକ ହେଉ ଅଥବା ଅଧୀନସ୍ଥ ଶାସିତ ପ୍ରଜା ହେଉ, ପ୍ରତ୍ୟେକକୁ ସମାଜର ଶୃଙ୍ଖଳା ମଧ୍ୟରେ ରହି, ସମାଜର ପୁଷ୍ଟି ସାଧନ କରିବାକୁ ହିଁ ପଡିବ ଅନ୍ୟଥା ସମାଜ ରସାତଳଗାମୀ ହେବା ଅନିବାର୍ଯ୍ୟ।
ଭାରତର ଯୁବକ ପିଣ୍ଡପାତ କରି ଯେଉଁ ସ୍ଵାଧୀନତାର ଅଧିକାରୀ ହୋଇଛି, ତାହାର ସୁରକ୍ଷା ଏବଂ ସଂବୃଦ୍ଧି ନିମନ୍ତେ ଏ ବାଣୀ ଅଦ୍ୟାପି ଅନୁ ପେକ୍ଷ ଅନୁଶାସନରୂପେ ଭାରତବାସୀଙ୍କ ମାନସ-ପଟରେ ଅଙ୍କିତ ହେବା ବାଞ୍ଛନୀୟ।
ସିକନ୍ଦରଙ୍କର ସେନା ସିନ୍ଧୁନଦୀର ପଶ୍ଚିମ ତଟରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ତଦୀୟ ସେନାପତି, ସେଲ୍ୟୁକ୍ସଙ୍କର ଲୋଲୁପ ଦୃଷ୍ଟି ଶସ୍ୟଶ୍ୟାମଳ ଭାରତଭୂମିରୁ ଅପସାରିତ ହୋଇନାହିଁ। ତକ୍ଷଶୀଳା ଗ୍ରୀକ୍ପଦାନତ I ଜନ୍ମଭୂମିର ଏ ଦୁର୍ଦ୍ଦଶା ଦେଖୁ ସେଦିନ ଗୋଟିଏ ବ୍ରାହ୍ମଣସନ୍ତାନ ପ୍ରତିଶୋଧର ଜ୍ଵଳନ୍ତ ଶିଖା ହୃଦୟରେ ପ୍ରଜ୍ଜ୍ୱଳିତ କରି ଆର୍ଯ୍ୟାବର୍ତ୍ତକୁ ପଳାଇଆସିଥିଲେ।
କିନ୍ତୁ ଏ କ’ଣ ? ତାଙ୍କ ସ୍ଵପ୍ନର ଆର୍ଯ୍ୟାବର୍ଭର ଏ କି ଦୁରବସ୍ଥା ? ଚତୁର୍ଦ୍ଦିଗ ଅନ୍ଧକାରମୟ। ସମାଜରେ ଶୃଙ୍ଖଳା ନାହିଁ। ବ୍ରାହ୍ମଣ ଭଣ୍ଡ, କ୍ଷତ୍ରିୟ ଭୀରୁ, ବୈଶ୍ୟ ତସ୍କରଠାରୁ ହୀନ – ଅରାଜକତାରେ, ଉଚ୍ଛୁଙ୍ଖଳତାରେ ସାମାନ୍ୟ କୁଶଗୁଳ୍ମ ମଧ୍ୟ ମସ୍ତକ ଉତ୍ତୋଳନ କରି ମନୁଷ୍ୟର ଗତିରୋଧକରିଛି। ବ୍ରାହ୍ମଣ ବିଷ୍ଣୁ ଗୁପ୍ତ ମଗଧରାଜ ମହାନନ୍ଦଙ୍କ ନିକଟରେ ରାଜ୍ୟର ବିକ୍ଷିପ୍ତ ଅବସ୍ଥାର ପ୍ରତିକାର ପାଇଁ ଆବେଦନ କଲେ। ବିଳାସୀ ପତନୋନୁ ଖ ନନ୍ଦବଂଶର ଶେଷରାଜାଙ୍କଠାରୁ ସେ ପ୍ରାର୍ଥନାର ପ୍ରତିବଦଳରେ ପାଇଲେ ତୀବ୍ର ଅପମାନ।
ବ୍ରହ୍ମଶାପରେ ଆଜି କ’ଣ ପୃଥିବୀ ଭସ୍ମୀଭୂତ ହେବା ସମ୍ଭବ ନୁହେଁ ? ବ୍ରାହ୍ମଣ କ’ଣ ଆଜି ଏତେଦୂର ଅଧଃପତିତ? ରାଜଦୂତମାନେ ବିଷ୍ଣୁଗୁପ୍ତଙ୍କର ଶିଖା ଆକର୍ଷଣ କରି ଅର୍ଦ୍ଧଚନ୍ଦ୍ରରେ ବିତାଡିତ କରିଦେଲେ। ତଥାପି ଏ ପୃଥିବୀ ରସାତଳଗତ ହେଲା ନାହିଁ, ବ୍ରହ୍ମ ଅଗ୍ନିରେ ନନ୍ଦବଂଶ ଧ୍ୱଂସପ୍ରାପ୍ତ ହେଲା ନାହିଁ ! ଅଧୋବଦନରେ ରାଜଦ୍ୱାରରୁ ଫେରିଆସିଲେ ବିଷ୍ଣୁଗୁପ୍ତ। ଅନ୍ତର୍ଗତରେ ଅହିଂସାର ପ୍ରବଳ ବହ୍ନି କୁହୁଳିଉଠିଲା – ନନ୍ଦବଂଶର ଧ୍ବଂସ – ନନ୍ଦବଂଶର ଧ୍ବଂସ ନନ୍ଦବଂଶର ଧ୍ବଂସ ସାଧୁ ନ ହେବାଯାଏ ଗ୍ରସ୍ତ ଶିଖା ସେହିପରି ଉନ୍ମୁକ୍ତ ରହିଲା। ଏହା ହିଁ ହେଲା ଚାଣକ୍ୟର ପଣ–ବ୍ରାହ୍ମଣ ବିଷ୍ଣୁଗୁପ୍ତର ପ୍ରତିଜ୍ଞା।
ପଥ ମଧ୍ୟରେ ଦେଖାଦେଲେ ଅନ୍ୟ ଏକ ମେଧାବାନ୍ ଶକ୍ତିଶାଳୀ ପୁରୁଷ। ଅତୀତର ଧ୍ବଂସସ୍ତୂପରେ ଠିଆହୋଇ ସେ ଏକ ଉଜ୍ଜ୍ବଳ ସ୍ଵପ୍ନ ଦେଖିଥିଲେ।
‘‘ଅରାଜକ ଭାରତର ଦରିଦ୍ର କୁଟୀରମଧ୍ୟରୁ ଉତ୍ତ ହାହାକାର ଆର୍ତ୍ତନାଦରେ ବ୍ୟର୍ଥାତ ମୌର୍ଯ୍ୟ ଚନ୍ଦ୍ରଗୁପ୍ତ ! ତୁମେ ଏ କଣ କରୁଛ ? ଏ ଦୁଃଖ କରିବାର ସମୟ ନୁହେଁ – ଅବସାଦରେ ଅବସନ୍ନ ହେବାର ସମୟ ନୁହେଁ। ଏ କୈବ୍ୟ ପରିତ୍ୟାଗ କର। ଉଠ – ଜାଗ – ତୁମର ସ୍ବପ୍ନକୁ ସତ୍ୟରେ ପରିଣତ କର।’’
ଚନ୍ଦ୍ରଗୁପ୍ତ ଚକିତ ହୋଇ ଚାହିଁଲେ – ସମ୍ମୁଖରେ ବ୍ରାହ୍ମଣ ବିଷ୍ଣୁଗୁପ୍ତ।
ବ୍ରାହ୍ମଣର ବୁଦ୍ଧି, କ୍ଷତ୍ରିୟର ବାହୁ ଭାରତର ମୁକ୍ତ ଆକାଶତଳେ ପୁଣି ଥରେ ପ୍ରତିଜ୍ଞାବଦ୍ଧ ହେଲା – ଭାରତକୁ ମୁକ୍ତ ଓ ସ୍ଵାଧୀନ କରିବାକୁ ହିଁ ହେବ।
ଭାରତ ମୁକ୍ତ, ସ୍ଵାଧୀନ ହେଲା। ସେଲ୍ୟୁକ୍ ପରାଜିତ ହୋଇ ସ୍ୱୀୟ କନ୍ୟା ହେଲେନାଙ୍କୁ ଚନ୍ଦ୍ରଗୁପ୍ତଙ୍କ ହସ୍ତରେ ସମର୍ପଣ କଲେ। ରାଜଦୂତ ମେଘାସ୍ଥିନିସ୍କୁ ଚନ୍ଦ୍ରଗୁପ୍ତଙ୍କ ରାଜସଭାରେ ଦୌତ୍ୟ ଗ୍ରହଣ କରିବାକୁ ପଡିଲା।
ନନ୍ଦବଂଶର ଧ୍ଵଂସ ସାଧୁ ହୋଇଛି। ଚାଣକ୍ୟଙ୍କର ମହାଶିଖା ମହାନନ୍ଦଙ୍କ ରକ୍ତରଙ୍ଗରେ ରଞ୍ଜିତ ହୋଇ ଏତେଦିନେ ସୁବିନ୍ୟସ୍ତ ହେଲା। ଆସମୁଦ୍ରହିମାଚଳ ସହସ୍ର ଯୋଜନ ପରିବ୍ୟାପ୍ତ ‘ଚାତୁରନ୍ତ ରାଜ୍ୟ’ ସ୍ଥାପନା କରାଗଲା। ଚନ୍ଦ୍ରଗୁପ୍ତ ତା’ର ଶାସକ ଆଉ ବ୍ରାହ୍ମଣ ବିଷ୍ଣୁଗୁପ୍ତ, ଅର୍ଥନୀତିଜ୍ଞ କୌଟିଲ୍ୟ, ରାଜନୀତିଜ୍ଞ ଚାଣକ୍ୟ ତାଙ୍କର ମନ୍ତ୍ରୀ – ପ୍ରଧାନ ପୁରୋଧା। ଚାଣକ୍ୟଙ୍କର ପୃଥିବୀକୁ ସର୍ବଶ୍ରେଷ୍ଠ ଦାନ ‘କୌଟିଲ୍ୟ ଅର୍ଥଶାସ୍ତ୍ର’। ଚାଣକ୍ୟ ହିଁ ସର୍ବପ୍ରଥମେ ଏ ଦେଶକୁ ଦର୍ଶାଇଯାଇଥିଲେ – ରାଜନୀତି, ଅର୍ଥନୀତି ଓ ନୀତିଶାସ୍ତ୍ର ସର୍ବଥା ଅଭିନ୍ନ। କୌଟିଲ୍ୟ ଅର୍ଥଶାସ୍ତ୍ରରେ ସେ ବଜ୍ରନିଘୋଷରେ କହିଯାଇଛନ୍ତି, ‘‘ପ୍ରତ୍ୟେକ ବିଜ୍ଞାନର ଲକ୍ଷ୍ୟ ଇନ୍ଦ୍ରିୟସଂଯମ। ଯାହାର ଇନ୍ଦ୍ରିୟ ଅନାୟତ୍ତ, ସେ ଇନ୍ଦ୍ରିୟପ୍ରବଣ ଦିଗନ୍ତବ୍ୟାପୀ ସମଗ୍ର ପୃଥିବୀର ଅଧୀଶ୍ଵର ହେଲେ ହେଁ ତାହାର ଆଶୁ ଧ୍ବଂସ ଅବଶ୍ୟମ୍ଭାବୀ।’’
ଚାଣକ୍ୟଙ୍କର ପଦ୍ଧତି ଯେଉଁଠି ଇଉରୋପୀୟ ମେକିଆଭେଲି ରାଜନୀତି ସହିତ ସମକକ୍ଷ ବୋଲି ପ୍ରତୀୟମାନ ହୁଏ, ସେଠାରେ ମଧ୍ୟ ଚାଣକ୍ୟଙ୍କୁ ନିନ୍ଦାକରିବାର କୌଣସି କାରଣନାହିଁ। ମେକିଆଭେଲିଙ୍କ ତୁଳନାରେ ଚାଣକ୍ୟଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଯେ ସୁମହତ୍ ଥିଲା ଏହା ନିଃସନ୍ଦେହରୂପେ କୁହାଯାଇପାରେ, ଅବଶ୍ୟ ସେ ରାଜ୍ୟ ପଦ୍ଧତିରେ କଠୋର ଶାସନ ଓ ଗୁପ୍ତଚରଙ୍କଦ୍ୱାରା ବ୍ୟକ୍ତିଗତ ସ୍ବାତନ୍ତ୍ର୍ୟକୁ ଖର୍ବକରିବାର ନୀତି ପ୍ରଚଳନ କରିଥିଲେ; କିନ୍ତୁ ଏହା କେବଳ ଆଶୁ ଲକ୍ଷ୍ୟ ଲାଭ ନିମନ୍ତେ ବ୍ୟଗ୍ରତା ଓ ବ୍ୟସ୍ତତାର ହିଁ ପରିଚୟ ଦିଏ।
ବିଷ୍ଣୁପୁରାଣ, ଜୈନ ନନ୍ଦିସୂତ୍ର, ବୁଦ୍ଧଘୋଷଙ୍କଦ୍ୱାରା ବିନୟପିଟକର ଟୀକା, ମହାବଂଶର ଟୀକା, ମୃଚ୍ଛକଟିକ ନାଟକ, କାମାଦକ କୃତ ନୀତିସାର, ପଞ୍ଚତନ୍ତ୍ର ଆଦି ବହୁ ଗ୍ରନ୍ଥରେ ଚାଣକ୍ୟଙ୍କର ନାମ ଉଲ୍ଲେଖ ରହିଛି। ଷସହସ୍ର ଶ୍ଳୋକମଣ୍ଡିତ କୌଟିଲ୍ୟ ଅର୍ଥଶାସ୍ତ୍ରର ପ୍ରଶସ୍ତି ମଧ୍ୟ ମହାକବି ଦଣ୍ଡିନ୍ କରିଯାଇଛନ୍ତି। କଥାସରିତସାଗର, ଚାଣକ୍ୟ କଥା ଓ ମୁଦ୍ରାରାକ୍ଷସରେ ଚାଣକ୍ୟଙ୍କ ଜୀବନର ସମ୍ୟକ୍ ପରିଚୟ ମିଳେ।
ନୀତିଶତକ, ନୀତିସାର, ଲଘୁ ଚାଣକ୍ୟ, ରାଜନୀତି ଶାସ୍ତ୍ର, ଚାଣକ୍ୟ ଶ୍ଳୋକ, ଚାଣକ୍ୟ ସୂତ୍ର ଆଦି ବହୁ ଗ୍ରନ୍ଥ ଚାଣକ୍ୟଙ୍କ ନାମରେ ପ୍ରଚଳିତ। କିନ୍ତୁ ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ ପୁସ୍ତକ ହେଉଛି ‘କୌଟିଲ୍ୟ ଅର୍ଥଶାସ୍ତ୍ର’। ଏଥିରେ ରାଜ୍ୟ ସଂସ୍କାର ସ୍ବରୂପ ରାଜାଙ୍କର କର୍ତ୍ତବ୍ୟ, ଶାସନତନ୍ତ୍ରର ସମ୍ବିଧାନ, ସେନା, କୋଷ ଓ ନ୍ୟାୟରକ୍ଷା, କର, ଦଣ୍ଡ ଓ ନୀତି ଆଦି ସମ୍ବନ୍ଧରେ ନାନା ବିଧାନ ବର୍ଣିତ ହୋଇଛି। ଚାଣକ୍ୟଙ୍କ ଚକ୍ଷୁରେ ରାଜାର ଅସ୍ତିତ୍ବ ବସ୍ତୁତଃ ଓ ମୁଖ୍ୟତଃ ପ୍ରଜାର ସୁଖ ଓ ହିତାର୍ଥେ।