ଓଡ଼ିଆ ଖଣ୍ଡ

ଚରକ ସୁଶ୍ରୁତ

ବହୁବିଧ ବନସ୍ପତି-ବିମଣ୍ଡିତ ଏହି ଭାରତବର୍ଷ ଦିନେ ଯେ ଚିକିତ୍ସାବିଜ୍ଞାନରେ ପରାକାଷ୍ଠା ଲାଭକରିଥିଲା, ଏ ଦେଶ ଯେ ସମଗ୍ର ପୃଥ‌ିବୀର ଚିକିତ୍ସାବିଜ୍ଞାନର ବିଧାତା ଏବଂ ଏହି ଦେଶର ଚିକିତ୍ସାବିଧାନ ଯେ ଦିନେ ଆରବ, ପାରସ୍ୟ ଓ ଗ୍ରୀକ୍ ଦେଶ ଅତିକ୍ରମ କରି ଇଉରୋପ ଭୂମିରେ ମଧ୍ଯ ପ୍ରସାର ଲାଭ କରିଥିଲା, ଏ କଥାର ପ୍ରମାଣ ଦେବାପାଇଁ ହୁଏତ ଭାରତୀୟ ଆୟୁର୍ବେଦର ବର୍ତ୍ତମାନ ଅବସ୍ଥା ଯଥେଷ୍ଟ ଶକ୍ତିଶାଳୀ ନୁହେଁ; ତଥାପି ଐତିହାସିକମାନେ ଭାରତୀୟ ଆୟୁର୍ବେଦକୁ ହିଁ ମାନବସମାଜର ସର୍ବପ୍ରଥମ ଓ ସର୍ବପ୍ରଧାନ ଚିକିତ୍ସାଶାସ୍ତ୍ର ବୋଲି କହିବାକୁ ଦ୍ବିଧା କରନ୍ତି ନାହିଁ।

ଋକ୍‌ବେଦ ସମୟର କଥା। ଋକ୍‌ବେଦ ସର୍ଜନାର ସମୟ ମଧ୍ୟ ନୁହେଁ – ତତ୍ପୂର୍ବ ବହୁ ଶତାବ୍ଦୀ କାଳକ୍ରମରେ ରାଜମହିଷୀ ବିଶ୍ଵଳାଙ୍କ ନଷ୍ଟପାଦ ବିନିମୟରେ ଧାତୁନିର୍ମିତ କୃତ୍ରିମ ଅଙ୍ଗ ବିନିଯୋଗ କରିବା ନିମନ୍ତେ ଦେବବୈଦ୍ୟ ଅଶ୍ବିନୀକୁମାରଙ୍କର ମର୍ତ୍ତ୍ୟ-ଆଗମନ ବାର୍ତ୍ତା ଋକ୍‌ବେଦର ୧୧୬ଶ ସୂକ୍ତରେ ବର୍ଣ୍ଣିତ ଅଛି। ସେ ଆଜକୁ କେତେ ସହସ୍ର ବର୍ଷର କଥା, କିଏ କହିବ ! ସେତେବେଳେ ମଧ୍ୟ ଏ ଦେଶ ଭେଷଜବିଦ୍ୟା ଓ ଶଲ୍ୟଚିକିତ୍ସାରେ ଅଦ୍ଵିତୀୟ ଥିଲା।

ଏହି ଭେଷଜତତ୍ତ୍ଵ ଓ ଚିକିତ୍ସାନିଦାନ ସମ୍ବନ୍ଧରେ ପୁରାତନ ଭାରତରେ ଜ୍ଞାନର ପ୍ରମାଣ ସ୍ଵରୂପ ଆମ୍ଭେମାନେ ପାଉଁ ସର୍ବପ୍ରଥମ ଆୟୁର୍ବିଦ୍ୟା ‘ଚରକ ସଂହିତା’। ମାତ୍ର କିଏ ଏହି ଆଦି ଚିକିତ୍ସକ ସଂହିତାରଚୟିତା ଚରକ ? କିଏ ଏହି ଅଦ୍ଭୁତକର୍ମା ମନୀଷୀ ? କେଉଁ ଯୁଗରେ କେଉଁ ନିର୍ଦ୍ଦିଷ୍ଟ କାଳରେ ସେ ଏହି ଭାରତଭୂମିରେ ହିଁ ଜନ୍ମଲାଭ କରି ସ୍ଵୟ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ସମଗ୍ର ପୃଥ‌ିବୀକୁ ଧନ୍ଯକରିଗଲେ ?

ଏହାର ସାଧୁ ଉତ୍ତର ଦେବା ଏବେ ମଧ୍ୟ ସମ୍ଭବ ନୁହେଁ। ଏଯାବତ୍ ସମସ୍ତ ନିଶ୍ଚୟ କେବଳ ଅନୁମାନସିଦ୍ଧ – ପ୍ରମାଣପୁଷ୍ଟ ନୁହେଁ। ଚୀନ୍ ଦେଶର ଏକ ପୁରାତନ ତ୍ରିପିଟକରେ ଚରକ ନାମକ କୌଣସି ବୈଦ୍ୟ କୁଷାଣ ସମ୍ରାଟ୍ କନିଷ୍କଙ୍କର ଆଧ୍ୟାତ୍ମିକ ଗୁରୁ ଥିଲେ ବୋଲି ଉଲ୍ଲେଖ ଅଛି। ସେହି ପୁସ୍ତକାନୁସାରେ ଚରକଙ୍କୁ ଦ୍ଵିତୀୟ ଶତାବ୍ଦୀର ମନୁଷ୍ୟ ବୋଲି ବୋଲାଯାଇପାରେ। କିନ୍ତୁ ଅନ୍ୟ କେତେକ ପୁରାତନତତ୍ତ୍ଵବେତ୍ତା ଚରକର ରଚନାକାଳ ଓ ଅଥର୍ବବେଦର ରଚନାକାଳ ମଧ୍ୟରେ ଏକ ହଜାର ବର୍ଷ ବ୍ୟବଧାନ ଥିବାର ପ୍ରମାଣ କରନ୍ତି। ମାତ୍ର ଏ କଥା ଅତ୍ୟନ୍ତ ସତ୍ୟ ଯେ ‘ସ୍କୃତି’ର ସଂସ୍କାର ଭଳି କାଳକ୍ରମେ ଚରକର ମଧ୍ୟ ଦୈନନ୍ଦିନ ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ଫଳରେ ସଂସ୍କାର ସାଧୂ ହୋଇଛି। ଏହାର ଶେଷ ୪୧ ଅଧ୍ୟାୟ ପରବର୍ତୀ ସଂକଳନ ବୋଲି ସ୍ପଷ୍ଟ ବୋଧ ହୁଏ।

ସୁତରାଂ ଭାରତୀୟ ଚିକିତ୍ସାଶାସ୍ତ୍ର ଆୟୁର୍ବେଦ କେବଳ ଚରକଙ୍କ ଦାନରେ ପୃଷ୍ଟ ନୁହେଁ, ବହୁଋଷି ମଧ୍ୟ ସ୍ୱ ସ୍ୱ ପ୍ରତିଭାର ପରିଚୟ ଏହି ଶାସ୍ତ୍ର ଜରିଆରେ ଦେଇ ଏ ଶାସ୍ତ୍ରର ପୁଷ୍ଟିସାଧନ କରିଛନ୍ତି। ଏ ଶାସ୍ତ୍ରର ମୌଳିକ ନିର୍ମାତାମାନଙ୍କ ମଧ୍ୟରେ ଭରଦ୍ୱାଜ, ପୁନର୍ବସୁ, ଅଗ୍ନିବେଶ, ଭେଲ୍, ଜାତୁକଣ୍ଠ, ପରାଶର, ହାରିତ ଓ କ୍ଷାରପାଣି ଆଦିଙ୍କର ନାମ ଉଲ୍ଲେଖଯୋଗ୍ୟ। ଏମାନଙ୍କ ମଧ୍ୟରେ ଅଗ୍ନିବେଶ ଅତ୍ୟନ୍ତ ମେଧାବୀ ଥିଲେ। କୁହାଯାଏ, ତାଙ୍କର ବିଚାରଧାରାର ସାରାଂଶ ସଂଗ୍ରହ ହିଁ ଚରକସଂହିତାର ରୂପ ପରିଗ୍ରହ କରିଛି ପରବର୍ତ୍ତୀ କାଳରେ।

ବାସ୍ତବରେ ଚରକସଂହିତା ଏକ ଅଦ୍ଭୁତ ଚିକିତ୍ସାଶାସ୍ତ୍ର। ଏହି ପୁସ୍ତକର ପ୍ରାରମ୍ଭିକ ପ୍ରକରଣରେ କି ମନୋରମ ଚିତ୍ର ! ଚୈତ୍ରରଥର ଗହନ ରମଣୀୟ ଅରଣ୍ୟ। ଆତ୍ରେୟ, ପୁନର୍ବସୁ, ଭଦ୍ରକାଶ୍ୟପ, ଶାକୁନ୍ତେୟ, ମୌଦଗଲ୍ୟ, କୌଶିକ, ଭରଦ୍ୱାଜ, ବାରି ଓ ବିଦ ତଥା ନିମି, ବାଦିଶ, ଧାମାଗର୍ଗ ଓ ବଳ୍‌କ ଆଦି ବିଶିଷ୍ଟ ପ୍ରାଣାଚାର୍ଯ୍ୟ ରୋଗବ୍ୟାଧ୍ ଓ ତା’ର ଔଷଧ ଉପରେ ସ୍ୱ ସ୍ୱ ମତ ବ୍ୟକ୍ତ କରୁଛନ୍ତି। ସେହି ସମସ୍ତ ଗବେଷକ ଋଷିଙ୍କର ଶ୍ରେଷ୍ଠ ବିଚାରସଂଗ୍ରହ ରୂପ ନେଲା ଚରକସଂହିତାରେ। ବାତ, ପିତ୍ତ, କଫ ଏହି ତ୍ରିବିଧ ଶାରୀରିକ କ୍ଷରଣର ବୈଷମ୍ୟରେ ରୋଗର ଉତ୍ପତ୍ତି ବୋଲି ଏହି ପ୍ରାଣାଚାର୍ଯ୍ୟମାନେ ଯେଉଁ ନିଷ୍ପତ୍ତି କରିଗଲେ, ତାହାହିଁ ଭାରତୀୟ ଆୟୁର୍ବେଦର ମୂଳଭିଭି ବୋଲି କହିବାକୁ ହେବ।

ପାଶ୍ଚାତ୍ୟ ବା ଆଧୁନିକ ଚିକିତ୍ସାବିଜ୍ଞାନ ରୋଗନିର୍ଣ୍ଣୟ ପ୍ରଣାଳୀରେ ଆଜି ପର୍ଯ୍ୟନ୍ତ ଏହି ସିଦ୍ଧାନ୍ତର ସମକକ୍ଷ ଆବିଷ୍କାର କରିପାରିନାହିଁ।

ଭାରତ ଯେ କେବଳ ରୋଗତତ୍ତ୍ଵ, କାୟାତତ୍ତ୍ଵ ଓ ଔଷଧ ପ୍ରକରଣାଦି ବିଶିଷ୍ଟ ବିଜ୍ଞାନବିଦ୍ୟାରେ ଉତ୍କର୍ଷ ଲାଭ କରିଥିଲା ତାହା ନୁହେଁ, ଶଲ୍ୟଚିକିତ୍ସା ବା ଅସ୍ତ୍ରୋପଚାର ବିଦ୍ୟାରେ ମଧ୍ୟ ସେ ଯଥେଷ୍ଟ ଧୂରୀଣ ଥିଲା। ବର୍ତ୍ତମାନ କାଳର ପ୍ରତ୍ନତାତ୍ତ୍ଵିକମାନେ ଏପରି ଅଦ୍ଭୁତ ପ୍ରାଚୀନ ଶଲ୍ୟ-ଉପକରଣର ସନ୍ଧାନ ପାଇଛନ୍ତି, ଯାହାର ଉପଯୁକ୍ତ ବ୍ୟବହାର ସମ୍ବନ୍ଧରେ ଆଧୁନିକ କୃତୀ ଅସ୍ତ୍ରୋପଚାରକମାନେ କୌଣସି ସିଦ୍ଧାନ୍ତ କରିପାରୁନାହାନ୍ତି।

ପ୍ରଶ୍ନ ଉଠେ – ଏଭଳି ଉନ୍ନତ ଏକ ବିଜ୍ଞାନ କାଳକ୍ରମେ ଏକାବେଳକେ ଲୋପ ପାଇଯିବାର କାରଣ କ’ଣ ? ଗବେଷକମାନେ ଏହାର ଉତ୍ତର ଦିଅନ୍ତି ଯେ, ଉତ୍ତରକାଳରେ ଭେଷଜଶାସ୍ତ୍ରର ଏଭଳି ଉନ୍ନତି ସାଧୂତ ହେଲା, ଯାହା ଫଳରେ ଚିକିତ୍ସକମାନେ ବିଶଲ୍ୟକରଣୀମାନ ଆବିଷ୍କାର କରିବାରୁ ଶଲ୍ୟକରଣର ଆଉ ଆବଶ୍ୟକତା ଦେଖ‌ିଲେ ନାହିଁ। ତେଣୁ କାଳକ୍ରମେ ଶଲ୍ୟବିଦ୍ୟା ଅପକ୍ରିୟା, ନିର୍ମମ ଓ ଅମାନୁଷିକ ବିବେଚିତ ହେବାକୁ ଲାଗିଲା। ଫଳରେ ତାହା ବୈଦ୍ୟପ୍ରକ୍ରିୟା ହେବା ପରିବର୍ଭରେ ନାପିତକ୍ରିୟାରେ ପରିଣତ ହେଲା। ଶଲ୍ୟ-ଉପଚାରକମାନଙ୍କୁ ସମାଜ ପତିତ ଶ୍ରେଣୀରେ ଗଣ୍ୟ କଲା।

‘ଶଲ୍ୟତନ୍ତ୍ର’ର ପ୍ରଧାନ ଉଦ୍‌ଗାତା ହେଉଛନ୍ତି ସୁଶ୍ରୁତ। ସୁଶ୍ରୁତିଙ୍କର ସଂହିତା ଚରକସଂହିତା ସଂକଳନଠାରୁ ଅଧ୍ଵ ସୁବ୍ୟବସ୍ଥିତ, କ୍ରମବର୍ଷ ଓ ସୁସଙ୍ଗତ ମନେହୁଏ। ମହାଭାରତ ଅନୁସାରେ ସୁଶ୍ରୁତ ବିଶ୍ଵାମିତ୍ରଙ୍କର ପୁତ୍ର ଥିଲେ। ଅନୁସୃତି ଅନୁସାରେ ସେ ଦେବବୈଦ୍ୟ ଧନ୍ବନ୍ତରୀଙ୍କର ଶିଷ୍ୟ। ସୁଶ୍ରୁତଙ୍କର ଶଲ୍ୟ-ଚିକିତ୍ସା ଶାସ୍ତ୍ରରେ ଅନ୍ୟ କାହାରି ହସ୍ତମୁଦ୍ରା ଅଙ୍କିତ ଥିବାର ପ୍ରମାଣ ମିଳେନାହିଁ; କିନ୍ତୁ ଚରକସଂହିତା ଚରକଙ୍କର ମୂଳକୃତି ନୁହେଁ; ନାଗାର୍ଜୁନ ତାହାକୁ ପରିମାର୍ଜିତ ଓ ପରିବର୍ଦ୍ଧିତ କରିଛନ୍ତି ଏବଂ ଏହି ସଂହିତାର ପରିଶିଷ୍ଟ ଭାଗର ପ୍ରଣେତା ସ୍ଵୟଂ ନାଗାର୍ଜୁନ ବୋଲି ଟୀକାକାର ବଲ୍ବଣାଚାର୍ଯ୍ୟଙ୍କର ମତ।

ଚରକ ସୁଶ୍ରୁତଙ୍କ ପରେ ଆୟୁର୍ବେଦଜଗତରେ ଧାତୁଶାସ୍ତ୍ରବିଶେଷଜ୍ଞ ନାଗାର୍ଜୁନ, ଅଷ୍ଟାଙ୍ଗହୃଦୟର ରଚୟିତା ବାଗଭଟ୍ଟ, ମାଧବନିଦାନର ପ୍ରଣେତାବୃନ୍ଦ, ଚକ୍ରଦତ୍ତର ନିର୍ମାତା ଓ ଚରକଟୀକାକାର ଚକ୍ରପାଣି, ସାରଙ୍ଗଧରସଂହିତା ଲେଖକ ନିଜେ ସାରଙ୍ଗଧର, ରସଗଙ୍ଗାଧର ରଚୟିତା ଗଙ୍ଗାଧର, ଭାବପ୍ରକାଶର ଲେଖକ ଭାବମିଶ୍ର ଆଦି ପ୍ରସିଦ୍ଧ।

About the author

हिंदीभाषा

Leave a Comment

You cannot copy content of this page