ଯେଉଁମାନଙ୍କର ଜୀବନୀ ସ୍ଵୀୟ କୀର୍ତ୍ତି-ସୌଧର ସୌକର୍ଯ୍ୟରେ ସମାହିତ – ଯେଉଁମାନଙ୍କର ଆତ୍ମଚରିତ ଅମରକୃତିର ଦୀପ୍ତି ମଧ୍ୟରେ ବିଲୀୟମାନ – ସେହି ଅପୂର୍ବକର୍ମା, ତ୍ୟାଗଧର୍ମୀ ମହର୍ଷିମାନଙ୍କ ମଧ୍ୟରେ ଅନ୍ୟତମ ଜ୍ଞାନ-ପାରଙ୍ଗମ ପ୍ରଜ୍ଞାବାନ୍ ନାଗାର୍ଜୁନ। ଧାରାବଦ୍ଧ ଇତିହାସ ନ ଥାଇପାରେ – ଲୋକମୁଖରେ କିମ୍ବଦନ୍ତୀର ଶ୍ରୁତିମଧୁର କୌଣସି ଗାଥା ପ୍ରଚଳିତ ନ ଥାଇପାରେ; ତଥାପି ନାଗାର୍ଜୁନ ଜୀବିତ – ସଶରୀରେ ନହେଉନ୍ତୁ, ପୃଥିବୀର ଚିନ୍ତାଧାରାରେ ସେ ଅକ୍ଷତ—ଅବିନାଶୀ।
ଭାରତବର୍ଷରେ ଘୋର ଦୁର୍ଭିକ୍ଷ – କଙ୍କାଳମାଳର ବୀଭତ୍ସ ନୃତ୍ୟ – ଚତୁର୍ଦ୍ଦିଗରେ କ୍ଷୁଧୂର ଆର୍ତ୍ତନାଦ। ସେହି ମର୍ମପୀଡାରେ ବିଚଳିତ, ବ୍ୟଥ୍ ଗୋଟିଏ ତରୁଣର ହୃଦୟ ସେତେବେଳେ ଉନ୍ମତ୍ତ, ଉତ୍କ୍ଷିପ୍ତ ହୋଇଉଠିଥିଲା।
ଦକ୍ଷିଣ କୋଶଳ ବା ବିଦର୍ଭର ଗୋଟିଏ ବିଚକ୍ଷଣ ପ୍ରତିଭାପନ୍ନ ଶିକ୍ଷାର୍ଥୀ ସେ। ସମାଜରେ ଏହି ଅନଟନ ଅବ୍ୟବସ୍ଥାର ଆମୂଳ ଉଦ୍ଘାଟନ କରିବା ନିମନ୍ତେ ଦୃଢଭାବରେ ପ୍ରତିଜ୍ଞାବଦ୍ଧ ହୋଇ ଗବେଷଣା ଆରମ୍ଭକଲେ। ଗ୍ରାମେ ଗ୍ରାମେ, ନଗରେ ନଗରେ, ପର୍ବତ କନ୍ଦରରେ, ଘୋର ଅରଣ୍ୟ ମଧ୍ୟରେ ନିର୍ଜନ ନିକାଞ୍ଚନରେ, ଜନମାନବବହୁଳ କୋଳାହଳମୟ ସ୍ଥାନରେ ମଧ୍ୟ ଚାଲିଲା ସତ୍ୟର ଅନ୍ଵେଷଣ। ଦୁଃଖ ଦାରିଦ୍ର୍ୟର ବିଲୋପ ସାଧନ କରିବାକୁ ହିଁ ହେବ, ଅଭାବ ଓ ଅନଟନକୁ ସମାଜ-ରଚନା ଶାସ୍ତ୍ରରୁ ଉଚ୍ଛନ୍ନ କରିଦେବାକୁ ହେବ। ଏହି ଅବିଚଳ ସଂକଳ୍ପ ଘେନି ସେ ନାନା ପ୍ରୟୋଗ ଏବଂ ପରୀକ୍ଷା ଆରମ୍ଭକଲେ। ବହୁ ସିଦ୍ଧ ଏବଂ ସାଧକଙ୍କର ଦ୍ବାରସ୍ଥ ହେଲେ।
ସେଦିନ ନାଗାର୍ଜୁନଙ୍କର ଆନନ୍ଦର ସୀମା ନାହିଁ – ଯେକୌଣସି ଧାତବ ପଦାର୍ଥକୁ ସ୍ଵର୍ଣ୍ଣରେ ପରିଣତ କରିବାର ପ୍ରଣାଳୀ ତାଙ୍କୁ ଆଜି ଆଉ ଅବିଦିତ ନୁହେଁ। ଜଣେ ସିଦ୍ଧ ସାଧୁଙ୍କର କୃପାବଳରେ ସେ ଏବେ ଏହି ଅଦ୍ଭୁତ କୌଶଳର ଅଧିକାରୀ। ସେହି ସ୍ଵର୍ଣ୍ଣରାଜିର ସାହାଯ୍ୟରେ ସେ ସମଗ୍ର ଦେଶକୁ ମନୁଷ୍ୟକୃତ ଅନଟନରୁ ରକ୍ଷାକରି ନିଜେ ଧନ୍ୟହୋଇଥିଲେ ଏବଂ ଦେଶବାସୀଙ୍କୁ ମଧ୍ୟ ଧନ୍ୟ କରିଥିଲେ।
ସେହି ନାଗାର୍ଜୁନ – ସେ କେବଳ ଜଣେ ସ୍ଵର୍ଣ୍ଣ-ନିର୍ମାତା ନୁହନ୍ତି – ତତ୍କାଳୀନ ଭାରତୀୟ ସଂସ୍କୃତି ଓ କୃଷ୍ଟିର ଚତୁଃପାର୍ଶ୍ଵରେ ନିଜର ପ୍ରତିଭା ବିକଶିତ କରି ଅମର ଏବଂ ଅକ୍ଷୟ କୀର୍ତ୍ତି ପୃଥିବୀର ଜ୍ଞାନପୀଠରେ ପ୍ରୋତ୍ତ କରିଯାଇଛନ୍ତି।
ସପ୍ତଦଶ ଶତାବ୍ଦୀର ତିବ୍ବତୀୟ କୌଣସି ପୁସ୍ତକରୁ ଜଣାଯାଏ, ନାଗାର୍ଜୁନ ମହାବୋଧ ସତ୍ତ୍ଵ ଅବଲୋକିତେଶ୍ୱରଙ୍କ ଆଦେଶରେ ନାଳନ୍ଦା ବିଶ୍ଵବିଦ୍ୟାଳୟ ମଧ୍ୟରେ ପ୍ରବେଶକରିଥିଲେ। ସମ୍ଭବତଃ ସେ କୁଶାଣ କନିଷ୍କଙ୍କର ସମସାୟୟିକ। ୟାନ୍ ଚ୍ୟାଙ୍ଗ୍ଙ୍କ ବର୍ଣ୍ଣନାନୁସାରେ ନାଗାର୍ଜୁନଙ୍କର ସ୍ଥାନ ଦେବ, ଅଶ୍ୱଘୋଷ, କୁମାରଲବ୍ଦି ‘ଚାରି ଦିବ୍ୟ ସୂର୍ଯ୍ୟ’ଙ୍କ ମଧ୍ୟରେ ଗଣ୍ୟ। ଚୀନ୍ ଭାଷାର ଗୋଟିଏ ପୁରାତନ ସମାଚାରରୁ ଜଣାଯାଏ ଯେ, ନାଗାର୍ଜୁନଙ୍କର ‘ସାତବାହନ’ ବା ‘ଶାଳୀବାହନ’ ନାମକ ଜନୈକ ରାଜାଙ୍କ ସହିତ ମିତ୍ରତା ଥିଲା।
ନାଗାର୍ଜୁନ କେବଳ ଭାରତୀୟ କୃଷ୍ଟିର ପ୍ରତୀକ ନ ଥିଲେ – ବୌଦ୍ଧଧର୍ମର ବିଚାରଧାରା ଯେତେବେଳେ ନାନା ବାଦବିସମ୍ବାଦ ଓ ସାମ୍ପ୍ରଦାୟିକତାରେ ଦୁର୍ବଳ ହୋଇପଡିଥିଲା, ଲୁପ୍ତପ୍ରାୟ ବୌଦ୍ଧଧର୍ମକୁ ପୁନରୁଦ୍ଧାର କରି ବୌଦ୍ଧଧର୍ମର ପ୍ରଚାରକ ଅଥବା ଅବତାରରୂପେ ନାଗାର୍ଜୁନ ଆବିର୍ଭୂତ ହୋଇଥିଲେ ବୋଲି କୁହାଯାଇପାରେ।
ବୌଦ୍ଧଧର୍ମର ଏକ ବଳିଷ୍ଠ ସମ୍ପ୍ରଦାୟ ‘ସର୍ବାସ୍ତବାଦ’ ନାଗାର୍ଜୁନଙ୍କଦ୍ୱାରା ପ୍ରବର୍ତ୍ତିତ ହୋଇ ବିସ୍ତାର ଲାଭ କରିଥିଲା। ଏହି ସମ୍ପ୍ରଦାୟର ଗୋଟିଏ ଶାଖା ଗାନ୍ଧାର ଦେଶରେ ଅତ୍ୟନ୍ତ ପ୍ରବଳ ଲୋକପ୍ରିୟତା ଅର୍ଜନ କରିପାରିଥିଲା। କନିଷ୍କଙ୍କର ସମକାଳୀନ ବୌଦ୍ଧଧର୍ମର ଚତୁର୍ଥ ସଙ୍ଗୀତି ତ୍ରିପିଟିକର ‘ମହାବିଭାଷା’ ନାମକ ଭାଷ୍ୟର ନାମାନୁଯାୟୀ ଏହି ଶାଖାର ନାମକରଣ ହୋଇଥିଲା ‘ବୈଭାଷିକ’। ଏହି ବୈଭାଷିକ ସମ୍ପ୍ରଦାୟକୁ ଭିଭିକରି ଯେଉଁ ନୂତନ ବଳଶାଳୀ ବୌଦ୍ଧ ସମ୍ପ୍ରଦାୟ ଗଢିଉଠିଲା, ଗୁରୁରୂପୀ ନାଗାର୍ଜୁନଙ୍କୁ କେନ୍ଦ୍ର କରି ତାର ପରବର୍ତ୍ତୀ ନାମ ହେଲା ବୁଦ୍ଧଧର୍ମର ଅତି ସୁପରିଚିତ ବିଖ୍ୟାତ ଅଙ୍ଗ ‘‘ମହାଯାନ’’। ଏହି ନୂତନ ସୂତ୍ର ମହାଯାନ ପନ୍ଥାର ଅନୁଯାୟୀମାନଙ୍କଦ୍ୱାରା ଏହାର ଆଦି ପ୍ରବର୍ତ୍ତକ ନାଗାର୍ଜୁନ ଏକ ବୋଧେତ୍ତ୍ଵରୂପରେ ଏବେ ମଧ୍ୟ ପୂଜାପାଉଛନ୍ତି।
ନାଗାର୍ଜୁନ ବୁଦ୍ଧତ୍ବପ୍ରାପ୍ତି ନିମନ୍ତେ ତିନୋଟି ମୁଖ୍ୟ ପନ୍ଥା ନିର୍ଦ୍ଦେଶ କରିଯାଇଥିଲେ। ଯଥା – ଅର୍ହତଯାନ, ପଢେକ ବୁଦ୍ଧଯାନ ଓ ସମ୍ମାସ ବା ସମ୍ୟକ୍ ସଂବୁଦ୍ଧଯାନ। ଏହି ଯାନତ୍ରୟମଧ୍ୟରୁ ତୃତୀୟ ବା ଅନ୍ତିମ ଯାନକୁ ପ୍ରାଧାନ୍ୟ ଦେଇ ମହାଯାନ ଆଖ୍ୟାରେ ସୁବିଦିତ କରାଇ ଅନ୍ୟ ଦୁଇ ମାର୍ଗକୁ ନିମ୍ନସ୍ତରର ପନ୍ଥା ‘ହୀନଯାନ’ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ବୌଦ୍ଧଧର୍ମ ‘ହୀନଯାନ’ ଓ ‘ମହାଯାନ’ ନାମରେ ମୁଖ୍ୟତଃ ଦୁଇ ଭାଗରେ ବିଭାଜିତ ହୋଇଗଲା।
ଏହି ସମ୍ପ୍ରଦାୟର ଜନକରୂପୀ ନାଗାର୍ଜୁନ ବୌଦ୍ଧ ଦର୍ଶନର ଏହି ମହତ୍ତ୍ଵପୂର୍ଣ୍ଣ ଦାର୍ଶନିକ ବିଚାରର ଉଦ୍ଗାତା ମଧ୍ୟ। ନାଗାର୍ଜୁନିକ ଏହି ବିଚାର ବା ସୂତ୍ରର ନାମ ‘ସର୍ବ ଶୂନ୍ୟ’। ଏହାହିଁ ପରବର୍ତ୍ତୀ କାଳରେ ଭାରତୀୟ ଦର୍ଶନ କ୍ଷେତ୍ରରେ ଶୂନ୍ୟବାଦ ବା ମାୟାବାଦ ନାମରେ ଆଖ୍ୟାତ ହେଲା। ନାଗାର୍ଜୁନଙ୍କର ଦାର୍ଶନିକ ବିଚାର ପ୍ରଜ୍ଞାପାରମିତା ସୂତ୍ର, ମାଧ୍ୟମିକ ସୂତ୍ର ଓ ଦ୍ଵାଦଶନିକାୟ ନାମକ ସଂସ୍କୃତ ରଚନାବଳୀରେ ସଂକଳିତ ହୋଇଛି। ପ୍ରଜ୍ଞାପାରମିତା ଅନ୍ୟାନ୍ୟ ଷଟ୍ପାରମିତା, ଯଥା – ଦାନପାରମିତା, ଶୀଳପାରମିତା, ଶାନ୍ତିପାରମିତା, ବୀର୍ଯ୍ୟପାରମିତା, ଧ୍ୟାନପାରମିତା, ଅସୀମଜ୍ଞାନ ବା ବୁଦ୍ଧପାରମିତାଠାରୁ ପୃଥକ୍ ବୋଲି କୁହାଯାଏ। ମୂଳ ସଂସ୍କୃତ ଭାଷାରେ ଲିଖ ପ୍ରଜ୍ଞାପାରମିତା ଶହେ ପଚିଶ ହଜାରରୁ ଅଧିକ ଶ୍ଳୋକସମ୍ବଳିତ ଏବଂ ଏକବିଂଶତି ପୁସ୍ତକରେ ବିଭାଜିତ। ଏହି ଏକବିଂଶତି ପୁସ୍ତକର ପ୍ରତ୍ୟେକ ଖଣ୍ଡ ଅନ୍ୟୁନ ଏକ ସହସ୍ରପୃଷ୍ଠାବ୍ୟାପୀ।
ନାଗାର୍ଜୁନ କେବଳ ବୌଦ୍ଧ ନ ଥିଲେ, ସେ ଜଣେ କୁଶଳୀ ତାନ୍ତ୍ରିକ ମଧ୍ୟ ଥିଲେ। ତନ୍ତ୍ରମନ୍ତ୍ରରେ ନାଗାର୍ଜୁନ ଏକ ସିଦ୍ଧପୁରୁଷ ବୋଲି ବିବେଚିତ ହୁଅନ୍ତି। ଜନନ ବିଜ୍ଞାନ ଓ ତନ୍ତ୍ରସମ୍ବନ୍ଧୀୟ ବହୁ ଗ୍ରନ୍ଥର ରଚୟିତା ନାଗାର୍ଜୁନ। କେହି କେହି ନାଗାର୍ଜୁନଙ୍କୁ ଏହି କାରଣରୁ ତାନ୍ତ୍ରିକ ବୌଦ୍ଧଧର୍ମର ପ୍ରବର୍ତ୍ତକ ବୋଲି କହନ୍ତି। କହିବାକୁ ଗଲେ ନାଗାର୍ଜୁନ ହିଁ ତାନ୍ତ୍ରିକ ଓ ବୌଦ୍ଧ-ମନ୍ତ୍ରର ଯୋଗସୂତ୍ର I
ନାଗାର୍ଜୁନ କେବଳ ଦାର୍ଶନିକ ନୁହନ୍ତି – ଯୋଗୀ ନୁହନ୍ତି, ଶ୍ରେଷ୍ଠ ବୈଜ୍ଞାନିକ ମଧ୍ୟ ଥିଲେ। ଲୌହଶାସ୍ତ୍ର ଓ ଆଦିଶାସ୍ତ୍ରର ପ୍ରଣେତା ନାଗାର୍ଜୁନ ବିବିଧ ଧାତୁର ରାସାୟନିକ ପ୍ରୟୋଗର ଆବିଷ୍କର୍ମା। ପାଟଳିପୁତ୍ରସ୍ଥିତ ଶୀଳାଲିପିରେ ତପ୍ରଣୀତ ଦୁଇଟି ‘ଯୋଗ’ ଆବିଷ୍କୃତ ହୋଇଛି। ପାରଦ ବା ପାରାର ପ୍ରୟୋଗ ଓ ତୀର୍ଯ୍ୟକ୍ ପାତନ ଯନ୍ତ୍ରର ଆବିଷ୍କାରକ ନାଗାର୍ଜୁନ ପୃଥିବୀର ପ୍ରାଚୀନ ବିଜ୍ଞାନକ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନର ଅଧିକାରୀ। ଚିକିତ୍ସାକ୍ଷେତ୍ରରେ ମଧ୍ୟ ନାଗାର୍ଜୁନ ଏକ ବିଜ୍ଞ ଚିକିତ୍ସକ ଥିଲେ। ସୁଶ୍ରୁତ ସଂହିତାର ସମ୍ପାଦକ ସ୍ଵୟଂ ନାଗାର୍ଜୁନ ବୋଲି କେହି କେହି କହିଥାନ୍ତି। ବୁଦ୍ଧଙ୍କ ପରେ ନାଗାର୍ଜୁନଙ୍କ ସମୟ ପର୍ଯ୍ୟନ୍ତ ଏଭଳି ଏକ ସୁମହାନ୍ ପୁରୁଷ ଭାରତବର୍ଷରେ ଅନ୍ୟ କେହି ଅବତୀର୍ଣ୍ଣ ହୋଇନାହାନ୍ତି। କେବଳ ଭାରତ ନୁହେଁ, ତିବ୍ବତ ତଥା ଚୀନ ଆଦି ଦେଶରେ ମଧ୍ଯ ନବ ଚିନ୍ତା ଓ ନବୀନ ସଂସ୍କୃତିର ରୂପନିର୍ମାଣରେ ତାଙ୍କର ସିଦ୍ଧହସ୍ତ ଅଶେଷ କାର୍ଯ୍ୟ ସାଧନ କରିଯାଇଛି।
‘କଥାସରିଗର’ରୁ ଜଣାଯାଏ, ନାଗାର୍ଜୁନ ଚିରାୟୁ ନାମକ ରାଜାଙ୍କର ପ୍ରଧାନ ମନ୍ତ୍ରୀ ଥିଲେ। ରସାୟନ ବଳରେ ରାଜା ଓ ମନ୍ତ୍ରୀ ଉଭୟେ ଦୀର୍ଘାୟୁ ଲାଭକରିଥିଲେ I ସେ ତାଙ୍କର ମୃତ ପୁତ୍ରକୁ ପ୍ରାଣଦାନ କରିବାକୁ ଉଦ୍ୟତ ହେଉଥିବାବେଳେ ଦେବତାମାନେ ତାଙ୍କୁ ଏହି ଦୁରୂହ କାର୍ଯ୍ୟରୁ କ୍ଷାନ୍ତ କଲେ। ସେ ରାଜାଙ୍କର ଅତୀବ ପ୍ରିୟପାତ୍ର ଥିଲେ। ନାଗାର୍ଜୁନଙ୍କର ବିୟୋଗ ଘଟିଲେ ରାଜାଙ୍କର ଅକାଳମୃତ୍ୟୁ ହେବ ବୋଲି କେହି କେହି ସମ୍ଭାବନା କରୁଥିବାରୁ ସିଂହାସନ ଲୋଭରେ ରାଜପୁତ୍ର ନାଗାର୍ଜୁନଙ୍କୁ ହତ୍ୟା କରିବାର ଉଦ୍ୟମ କଲେ। କିନ୍ତୁ ରାଜକୁମାର ଜୀବହର ରସାୟନ ପ୍ରୟୋଗ ସୁଦୃଢ ନାଗାର୍ଜୁନଙ୍କ ମସ୍ତକକୁ ଛେଦନ କରିବାରେ ଅସମର୍ଥ ହେଲେ। ଦୁଃଖରେ ଓ ଅବସାଦରେ ନାଗାର୍ଜୁନ ସ୍ଵେଚ୍ଛା ମୃତ୍ୟୁ ବରଣକଲେ। ରାଜାଙ୍କ ପକ୍ଷରେ ଏହି ବିୟୋଗଜନିତ ମର୍ମନ୍ତୁଦ ଯନ୍ତ୍ରଣା ବାସ୍ତବରେ ଅସହ୍ୟ ହୋଇପଡିଲା। ସେତିକିବେଳେ ଶୂନ୍ୟବାଣୀ ହେଲା, ‘ରାଜନ୍ ! ନାଗାର୍ଜୁନଙ୍କ ପାଇଁ ଦୁଃଖ ଅକାରଣ। ସେ ଅଶୋଚ୍ୟ। କାରଣ ନାଗାର୍ଜୁନ ଭଗବାନ ବୁଦ୍ଧଙ୍କ ସହିତ ସାଯୁଜ୍ୟ ଲାଭ କରିଛନ୍ତି।’’
ନାଗାର୍ଜୁନ ପ୍ରଣୀତ ‘ଅବତମ୍ବଶାକସୂତ୍ର’ରେ ତଦୀୟ ଶିକ୍ଷାର ସାରାଂଶ ବଣ୍ଡିତ ଅଛି – ‘ବିଦ୍ୟମାନ ଏକ ଶାଶ୍ଵତ ନିର୍ଯ୍ୟାସ ସୁସଜ୍ଜିତ ଦର୍ପଣ ତୁଲ୍ୟ କମନୀୟ। ଏହା ସମସ୍ତ ସଂଘଟନର ଭିଭିସ୍ବରୂପ। ସେହି ଭିଭି ହିଁ ସନାତନ ଓ ବାସ୍ତବ। ମାତ୍ର ଘଟନାବଳୀ ଅସ୍ଥାୟୀ ଓ ଅବାସ୍ତବ। ଦର୍ପଣ ଯେପରି ପଦାର୍ଥରାଜିର ପ୍ରତିଫଳନରେ ସମର୍ଥ, ଉକ୍ତ ଶାଶ୍ୱତ ନିର୍ଯ୍ୟାସ ସେହିପରି ସମସ୍ତ ଘଟନାକୁ ଆଲିଙ୍ଗନ କରି ରହିଥାଏ। ତନ୍ମଧ୍ୟରେ ସକଳ ପଦାର୍ଥ ବିଦ୍ୟମାନ ଏବଂ ତଦ୍ବାରା ସେ ସକଳ ପଦାର୍ଥ କାର୍ଯ୍ୟକାରୀ ହୁଅନ୍ତି।
ରୁଷିଆର ପ୍ରସିଦ୍ଧ ବିଜ୍ଞାନଅଧ୍ୟାପକ ‘ସେରବସ୍କି’ ନାଗାର୍ଜୁନଙ୍କ ମତକୁ ‘ବ୍ରେଡଲି’ ଓ ‘ହେଗେଲ’ଙ୍କ ମତ ସହିତ ତୁଳନା କରି ତାଙ୍କୁ ସମଗ୍ର ପୃଥିବୀର ସୁବିଖ୍ୟାତ ଦାର୍ଶନିକମାନଙ୍କ ମଧ୍ୟରେ ଗଣନା କରିଛନ୍ତି।