ଓଡ଼ିଆ ଖଣ୍ଡ

ଗଣକ ଗର୍ଗ

ଖ୍ରୀଷ୍ଟଜନ୍ମର ଚଉଦ ଶହ ବର୍ଷ ପୂର୍ବେ – ସେହିଦିନଠାରୁ ଆଜି ଭିତରେ ପ୍ରାୟ ସାଢେ ତିନିହଜାର ବର୍ଷ ଅତୀତ ହୋଇଗଲାଣି – ସରସ୍ଵତୀତଟନିକଟସ୍ଥ ସେହି ବୃଦ୍ଧ ଓ ଉର୍ଦ୍ଧ୍ୱରେତା ମହର୍ଷି ଗର୍ଗ, ଜ୍ୟୋତିଷୀ ଗର୍ଗ, ଗଣିତାଚାର୍ଯ୍ୟ ଗର୍ଗ, ଭାରତୀୟ ଫଳିତ ଓ ଗଣିତ ଜ୍ୟୋତିଷଶାସ୍ତ୍ରର ଜନକ ଗର୍ଗ ସେଦିନ ଯେଉଁ ଜ୍ଞାନାଲୋକ ବିକିରଣ କରିଗଲେ, ତାହାକୁ ଆଜି ସମଗ୍ର ପୃଥ‌ିବୀର ଆଲୋକସ୍ତମ୍ଭ ବୋଲାଯାଇପାରେ।

ଭାରତ ଅବଶ୍ୟ ଜ୍ୟୋତିଷଶାସ୍ତ୍ରରେ ଅଜ୍ଞ ନଥିଲା। ବୈଦିକ ଆର୍ଯ୍ୟଙ୍କର ଯଜ୍ଞୟ କର୍ମକାଣ୍ଡ ନିର୍ଦ୍ଦିଷ୍ଟ ଶୁଭ ମୁହୂର୍ଭରେ ଅନୁଷ୍ଠିତ ହେଉଥିଲା – ଋଗ୍‌ବେଦରେ ତାହାର ଭୂରିଶଃ ପ୍ରମାଣ ରହିଛି। ଆଜକୁ ଛଅ ହଜାର ବର୍ଷ ପୂର୍ବେ ଏ ଦେଶର ଲୋକେ ସତ୍ୟଦେବ ସୂର୍ଯ୍ୟଙ୍କୁ ଦିବାରାତ୍ରି, ଋତୁସମ୍ବତ୍ସରାଦିର ହେତୁଭୂତ ଆଧାରରୂପେ ପରିଗଣନା କରିଥିଲେ। ସୂର୍ଯ୍ୟରଶ୍ମି ସଂପାତରେ ଚନ୍ଦ୍ରାଲୋକର ପରିପ୍ରକାଶ ସମ୍ବାଦ ସେମାନଙ୍କର ବୁଦ୍ଧିଗମ୍ୟ ଥିଲା। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ତଥା ଅୟନଚଳନର ବୃତ୍ତାନ୍ତ ବିଧ୍ଵବଦ୍ଧଭାବରେ ନିରୀକ୍ଷଣକରି ଶାରଦ ତଥା ବିଷୁବ ଦିବସର ତାତ୍ପର୍ଯ୍ୟ ସେମାନଙ୍କର ଅଗୋଚର ନଥିଲା। ପୃଥ‌ିବୀକକ୍ଷର ତିର୍ଯ୍ୟକ୍ ଅବନତି, ପୃଥ‌ିବୀର ବୃତ୍ତାକାର ଆକୃତି ଓ ନିରବଲମ୍ବ ଅବସ୍ଥିତି ମଧ୍ୟ ସେମାନଙ୍କୁ ସୁବିଦିତ ଥିଲା ବୋଲି ଜର୍ମାନ୍ ପଣ୍ଡିତ ‘ଲୁଡ୍ ବିଗ’ ମତ ଦେଇଛନ୍ତି।

ଯଜୁର୍ବେଦ – ବ୍ରାହ୍ମଣ ଓ ଉପନିଷଦ ଯୁଗରେ ଏହି ଜ୍ୟୋତିଷ ଓ ଗଣିତ କ୍ରମେ ନକ୍ଷତ୍ରବିଦ୍ୟା, ରାଶିବିଦ୍ୟା ଓ ଶୁକ୍ଳବ (ରେଖାଗଣିତ) ବିଦ୍ୟାରେ ପରିଗଣିତ ହେଲା। ଏହି ସୂତ୍ରକାଳବେଳକୁ ତାହା ବେଦାଙ୍ଗର ଅନ୍ତର୍ଭୁକ୍ତ ହୋଇଯାଇଥିଲା।

ଏହି ବର୍ଦ୍ଧମାନ ଯୁଗର ନକ୍ଷତ୍ରଦର୍ଶୀ ଓ ଗଣକମାନଙ୍କର ସୁଯୋଗ୍ୟ ବଂଶଧର ହିଁ ଗର୍ଗସଂହିତାର ରଚୟିତା ମହର୍ଷି ଗର୍ଗ। ଆଜି ଆମ୍ଭେମାନେ ଯେଉଁ ଭାରତୀୟ ଗଣିତ ଓ ଜ୍ୟୋତିଷଶାସ୍ତ୍ର ଦେଖିବାକୁ ପାଉଁ, ତାହାର କ୍ରମପରିଣାମ ଓ ଆଧୁନିକ ବିକାଶ ଗର୍ଗଙ୍କ ଉତ୍ତରକାଳରେ ଧାରାବାହିକ ଓ ବିଧବଦ୍ଧଭାବରେ ସମ୍ଭବ ହୋଇଥିଲା। କାଶ୍ମୀରନିବାସୀ ଜ୍ୟୋତିଷାଚାର୍ଯ୍ୟ ଲଗଧ ସମ୍ଭବତଃ ଚଉଦଶହ ଖ୍ରୀ:ପୂ:ରେ ତାଙ୍କର ପ୍ରସିଦ୍ଧ ‘ଯାକୁଶ ଜ୍ୟୋତିଷ ବେଦାଙ୍ଗ’ ପ୍ରଣୟନ କରି ତହିଁରେ ସତାଇଶ ନକ୍ଷତ୍ରର ଅୟନଚଳନ ଓ ସୌର ତଥା ଚାନ୍ଦ୍ର ପଞ୍ଚ ବର୍ଷଚକ୍ରର ସୂଚନା ଦେଇଥିଲେ। ତୈଭୀରୀୟ, କାଠକ ଏବଂ ମୈତ୍ରାୟଣୀ ସଂହିତାରେ ତାହାର ଉଲ୍ଲେଖ ରହିଛି। ଏହି ବିଚାରଧାରା ପରବର୍ତ୍ତୀ କାଳରେ ‘ସୂର୍ଯ୍ୟବିଜ୍ଞପ୍ତି’ ନାମକ ଜୈନଗ୍ରନ୍ଥ ଏବଂ ‘ପୈତାମହ’ ସିଦ୍ଧାନ୍ତରୂପେ ଦେଖାଦେଇଥିଲା।

ଭାରତୀୟ ଜ୍ୟୋତିଷଶାସ୍ତ୍ରର ଅନ୍ୟ ଏକ ବିପ୍ଳବାତ୍ମକ ଯୁଗ ଆରମ୍ଭ ହୋଇଥିଲା ଖ୍ରୀଷ୍ଟ ଅବ୍ଦର ପ୍ରାରମ୍ଭିକ କାଳରେ ‘ସୂର୍ଯ୍ୟସିଦ୍ଧାନ୍ତ’ ଦ୍ଵାରା। ବରାହମିହିରଙ୍କ ‘ପଞ୍ଚସିଦ୍ଧାନ୍ତକା’ରେ ସୌରଙ୍କ ବ୍ୟତୀତ ପୌଲିଶ, ରୋମକ, ବାଶିଷ୍ଠ ଓ ପୈତାମହ ନାମକ ସିଦ୍ଧାନ୍ତର ଉଲ୍ଲେଖ ଅଛି। ତନ୍ମଧ୍ୟରୁ ‘ପୌଲିଶ’ ଓ ‘ରୋମକ’ ନିଃସଂଶୟରେ ବୈଦେଶିକ (ଗ୍ରୀସ୍) ବିଚାରଧାରା ଦ୍ଵାରା ପ୍ରଭାବିତ।

ଭାରତୀୟ ଜ୍ୟୋତିଷଶାସ୍ତ୍ରର ସ୍ଵର୍ଣ୍ଣଯୁଗ ପଞ୍ଚମଠାରୁ ସପ୍ତମ ଶତାବ୍ଦୀ ମଧ୍ଯରେ। ଏହି ସମୟରେ ତିନି ଜଣ ଜ୍ୟୋତିଷଶାସ୍ତ୍ରର ରଥୀ ଆର୍ଯ୍ୟଭଟ୍ଟ, ବରାହମିହିର ଓ ବ୍ରହ୍ମଗୁପ୍ତଙ୍କର ଜନ୍ମ। ଆର୍ଯ୍ୟଭଟ୍ଟ ପାଟଳିପୁତ୍ରସ୍ଥ କୁସୁମପୁରର ଅଧିବାସୀ ଥିଲେ। ଚାରିଶହ ଛସ୍ତରି ଖ୍ରୀଷ୍ଟାବ୍ଦରେ ତାଙ୍କର ଜନ୍ମ। ଆର୍ଯ୍ୟଭଟ୍ଟଙ୍କୁ ‘ଭାରତର ନ୍ୟୁଟନ୍’ ବୋଲାଯାଏ। କାପନିକସ୍‌ଙ୍କ ବହୁପୂର୍ବରୁ ଏହି ମହାନ୍ ଜ୍ୟୋତିଷୀ କହିଯାଇଥିଲେ ଯେ, ପୃଥ‌ିବୀ ଗୋଲ ଏବଂ ତାହା ନିଜର କକ୍ଷ ଚତୁଃପାର୍ଶ୍ଵରେ ଘୂର୍ଣାୟମାନ। ସେ ଆହୁରି ମଧ୍ୟ କହିଥିଲେ, ଯେ, ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ରାହୁ କେତୁର ଗ୍ରାସ ନୁହେଁ – ସୂର୍ଯ୍ୟ ଓ ଚନ୍ଦ୍ରମାର ଅନ୍ତରାଳରେ ତାହା ପୃଥ‌ିବୀ କିମ୍ବା ଚନ୍ଦ୍ରମାର ଛାୟା ମାତ୍ର। ଗ୍ରହମାନଙ୍କର ଗତି ସମ୍ବନ୍ଧରେ ଆର୍ଯ୍ୟଭଟ୍ଟଙ୍କର ନୂତନ ଗଣନା ପ୍ରଣାଳୀ ଅଭିନବ। ଆର୍ଯ୍ୟଭଟ୍ଟଙ୍କର କୃତି ‘ଆର୍ଯ୍ୟଭଙ୍ଗୀୟ’ ନାମରେ ପ୍ରସିଦ୍ଧ। ଏହା ‘ଗୀତିକା’, ‘ଗଣିତ’, ‘କାଳକ୍ରିୟା’ ଓ ‘ଗୋଲ’ ଏହି ଚାରି ଖଣ୍ଡରେ ବିଭକ୍ତ।

ଆର୍ଯ୍ୟଭଟ୍ଟଙ୍କ ପରେ ଚତୁର୍ଥ ଶତାବ୍ଦୀରେ ଆବିର୍ଭୂତ ହେଲେ ବରାହମିହିର – ଉଜ୍ଜୟିନୀର ବିଖ୍ୟାତ ଫଳିତଜ୍ୟୋତିଷୀ। ବୃହସଂହିତା, ବୃହଜାତକାଦି ଫଳିତ ଜାତକଶାସ୍ତ୍ର ଏହାଙ୍କର କୃତି। ଏହାଙ୍କର ସର୍ବପ୍ରସିଦ୍ଧ ଗ୍ରନ୍ଥ ‘ପଞ୍ଚସିଦ୍ଧାନ୍ତିକା’ରେ ସେ ପୂର୍ବବର୍ତୀ ପାଞ୍ଚଟି ପ୍ରାଚୀନ ସିଦ୍ଧାନ୍ତର ପରିଚୟ ଦେଇ ଭାରତୀୟ ଜ୍ୟୋତିଷର ଏକ ପରମ୍ପରା ରଖିଦେଇ ଯାଇଛନ୍ତି। ବରାହମିହିରଙ୍କର ତିରୋଧାନ ହେଲା ୫୮୭ ଖ୍ରୀଷ୍ଟାବ୍ଦରେ।

ବରାହମିହିରଙ୍କ ମୃତ୍ୟୁର ଏଗାରବର୍ଷ ପରେ ପଞ୍ଜାବର ‘ଭିଲିମଲ’ ନାମକ ଗ୍ରାମରେ ସେ ଯୁଗର ତୃତୀୟ ଜ୍ୟୋତିଷରତ୍ନ ବ୍ରହ୍ମସ୍ଫୁଟ ସିଦ୍ଧାନ୍ତ ଓ ଖଣ୍ଡଖାଣ୍ଡକାର ରଚୟିତା ବ୍ରହ୍ମଗୁପ୍ତଙ୍କର ଜନ୍ମ। ଏହାଙ୍କର ଗଣନାପଦ୍ଧତି ହିଁ ପରବର୍ତୀ ଯୁଗରେ ସର୍ବବାଦିସମ୍ମତ ହୋଇ ଗୃହୀତ ହେଲା।

ବ୍ରହ୍ମଗୁପ୍ତଙ୍କର ବହୁ ଉତ୍ତରାଧିକାରୀ ଦ୍ବିତୀୟ ଆର୍ଯ୍ୟଭଟ୍ଟ, ଭଲ୍ଲ, ଭୋଜ ଆଦିଙ୍କ ମଧ୍ୟରୁ ଭାସ୍କରଙ୍କର ନାମ ଉଲ୍ଲେଖଯୋଗ୍ୟ। ଏକାଦଶ ଶତାବ୍ଦୀରେ ଦକ୍ଷିଣଭାରତରେ ସେ ପ୍ରଖ୍ୟାତ ଜ୍ୟୋତିଷୀ ଥିଲେ। ‘ସିଦ୍ଧାନ୍ତଶିରୋମଣି’ ଗ୍ରନ୍ଥର ଗ୍ରହଗଣିତ ଓ ଗୋଲ ଏହି ଦୁଇ ଭାଗରେ ଭାସ୍କର ପୁଙ୍ଖାନୁପୁଙ୍ଖରୂପେ ଜ୍ୟୋତିଷଶାସ୍ତ୍ର ଆଲୋଚନା କରି ପଥ ପରିଷ୍କୃତ କରି ଦେଇ ଯାଇଛନ୍ତି – ଏହାଙ୍କର ବୀଜଗଣିତ ଉକ୍ତ ବିଷୟକ ସର୍ବଶ୍ରେଷ୍ଠ ଭାରତୀୟ ଗ୍ରନ୍ଥ। ପ୍ରସିଦ୍ଧ ଗାଣିତିକା ଲୀଳାବତୀ ଏହାଙ୍କର ପୁତ୍ରୀ।

ଭାସ୍କରଙ୍କ ପରେ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଆଉ ସେପରି ମେଧାବୀ ଜ୍ୟୋତିଷୀ ଜନ୍ମ ଗ୍ରହଣ କରି ନ ଥିଲେ। ଊନବିଂଶ ଶତାବ୍ଦୀରେ ଆମର ଏହି ପୁଣ୍ୟଭୂମି ଉତ୍କଳରେ ସାମନ୍ତ ଚନ୍ଦ୍ରଶେଖରଙ୍କର ଆବିର୍ଭାବ। ତାଙ୍କର ‘ସିଦ୍ଧାନ୍ତ-ଦର୍ପଣ’ ପାଶ୍ଚାତ୍ୟ ପଣ୍ଡିତମାନଙ୍କୁ ଚମତ୍କୃତ କରିଦେଇଅଛି।

About the author

हिंदीभाषा

Leave a Comment

You cannot copy content of this page