ମନୁଷ୍ୟ ତାର ବୁଦ୍ଧି ଦ୍ବାରା ନିଚ୍ଛକ ଜ୍ଞାନଯୋଗ ବଳରେ ଈଶ୍ଵର ଉପଲବ୍ ପ୍ରୟାସକ୍ରମେ ଏପରି ଏକ ସୀମାନ୍ତରେ ଆସି ପ୍ରବେଶ କରିଥିଲା, ଯାହାର ଅତିକ୍ରମଣ କଳ୍ପନା ରକ୍ତମାଂସର ନିଗଡ ମଧ୍ୟରେ ସନ୍ନିବେଷ୍ଟିତ ମସ୍ତକ ପକ୍ଷରେ ହୁଏତ ଅସମ୍ଭବ ହୋଇପଡିଲା। ଭଗବାନ ଓ ମନୁଷ୍ୟକୁ ସମାସନରେ ଆସୀନ କରି ଅଥବା ମନୁଷ୍ୟକୁ ମାୟା ଏବଂ ଭଗବାନଙ୍କୁ ହିଁ ଏକମାତ୍ର ସତ୍ୟ ବୋଲି ବିବେଚନା କରି ଏକ ଅଗାଧ କଳ୍ପନାର ସମୁଦ୍ର ଭିତରେ ଅବଗାହନ କରିବାର ସଂକେତ ଦେଇ ଆଚାର୍ଯ୍ୟ ଶଙ୍କର ଭାରତୀୟ ପଟ୍ଟଭୂମିକାରୁ ସେତେବେଳକୁ ଅପସରି ଯାଇଥିଲେ। ତାହାପରେ ? ମନୁଷ୍ୟ ଆପଣାକୁ ପ୍ରଶ୍ନ କଲା – ‘‘ଭଗବାନ୍ ଓ ମନୁଷ୍ୟର ଏକତ୍ଵ ସମ୍ଭାବନାରେ କଣ ମନୁଷ୍ୟର ଚରମ ଲକ୍ଷ୍ୟ ଲାଭ ସମ୍ଭବ ? ମନୁଷ୍ୟ କେବଳ କଣ ବୁଦ୍ଧି-ସର୍ବସ୍ଵ ଓ ଜ୍ଞାନ-ସର୍ବସ୍ଵ ? ସେଦିନ ମନୁଷ୍ୟ ବୋଧହୁଏ ଅନୁଭବ କଲା ଯେ, ବୁଦ୍ଧିଦ୍ଵାରା ଏକ ଅତୀନ୍ଦ୍ରିୟ ବସ୍ତୁର ଉପଲବଧୂ ଅଥବା ଆପଣାକୁ ମିଥ୍ୟା ପ୍ରମାଣ କରିବା ସଙ୍ଗେ ସଙ୍ଗେ ଏକ ନିର୍ଗୁଣ ନିରାକାର ବସ୍ତୁର ସାଯୁଜ୍ୟ, ସାମୀପ୍ୟ ଓ ସାଲୋକ୍ୟ ଅନୁଭବ ନିତାନ୍ତ ନିଷ୍ଠୁରତା ଏବଂ ଈଶ୍ବରଦତ୍ତ ଏକ ଅପୂର୍ବ ଅମୂଲ୍ୟ ନିଧ୍ରର ଅନ୍ୟାୟ ଉପେକ୍ଷା ବ୍ୟତୀତ ଅନ୍ୟ କିଛି ନୁହେଁ। ସେହି ଅନୁପମ ରତ୍ନ ହିଁ ମନୁଷ୍ୟର ହୃଦୟ।
ସାଧାରଣ ମନୁଷ୍ୟ, ଏହି ମାଟିର ମନୁଷ୍ୟ, ଯାହାର ରକ୍ତ ଶ୍ରମ-ଝାଳରେ ପରିଣତ ହୋଇ ଶୋଷକ ଓ ଶୋଷିତ ନିର୍ବିଶେଷରେ ସମଗ୍ର ମନୁଷ୍ୟ ଜାତିକୁ ଜୀବିତ କରି ରଖୁଛି, ଜ୍ଞାନଗମ୍ୟ ଏକ ନିରାକାର ପରମବ୍ରହ୍ମ ପରମେଶ୍ଵରଙ୍କ ଉପଲବ୍ଧ ନିମନ୍ତେ ଆବଶ୍ୟକ ସାଧ୍ୟ ସାଧନା, ଯାଗ ଯଜ୍ଞ, ଯୋଗ ଯୋଜନା ତା’ ପକ୍ଷରେ ଏହି ଯୁଗରେ ଏକାବେଳକେ ଅସମ୍ଭବ। ସେ ମଧ୍ୟ ପ୍ରଶ୍ନ କଲା, ‘ଏ ଭଗବତ୍ପ୍ରାପ୍ତିରେ ମୋର କଣ ଲେଶମାତ୍ର ଅଧିକାର ନାହିଁ?’’ ଯେଉଁମାନେ ଅଧ୍ୟୟନ ଅଧ୍ୟବସାୟ ଫଳରେ ବୁଦ୍ଧିକୁ ସୂକ୍ଷ୍ମ ଓ ତୀକ୍ଷଣ କରିବାର ସୁଯୋଗ ଓ ସୁବିଧା ସମାଜରୁ ଅପହରଣକରି ନେଇଛନ୍ତି, ମହାମହିମ ତତ୍ତ୍ଵନିଚୟକୁ ଅନୁଭବ କରିବାର ଯଥେଷ୍ଟ ଅବସର ଓ ଅବକାଶ ପାଉଛନ୍ତି – ଈଶ୍ବର କଣ କେବଳ ସେହି ପଣ୍ଡିବର୍ଗଙ୍କର ଅଧିକାର ମଧ୍ୟରେ ଆବଦ୍ଧ? ମୂର୍ଖ ବା ସାଧାରଣ ଶିକ୍ଷାପ୍ରାପ୍ତ ମାଟିର ମଣିଷ କଣ ଈଶ୍ଵରଙ୍କ ନିକଟରେ ତାହାର ଆସନ ଦାବି କରିପାରେନାହିଁ?
ବାସ୍ତବରେ ସେ ଯୁଗର ସାଧାରଣ ମାନବ ଶଙ୍କରଙ୍କ ନିର୍ଦ୍ଦିଷ୍ଟ ଈଶ୍ବରଙ୍କୁ ଭୟ- ବିହ୍ବଳ ବିସ୍ମିତ ନେତ୍ରରେ ଚାହିଁବାକୁ ଲାଗିଲା। ଭଗବାନ ବୁଦ୍ଧଙ୍କର ଈଶ୍ଵର ସମ୍ବନ୍ଧୀୟ ନୀରବତା ଅନୁକ୍ରମରେ ଆଚାର୍ଯ୍ୟ ଶଙ୍କରଙ୍କର ନିରାକାର ବ୍ରହ୍ମ ଉପାସନା ତାଙ୍କୁ ଯଥାର୍ଥରେ ପ୍ରଚ୍ଛନ୍ନ ବୁଦ୍ଧ ଆଖ୍ୟା ଦେଇ ସାଧାରଣ ମନୁଷ୍ୟ ପୁଣି ଥରେ ସେହି ପ୍ରଶ୍ନବାଚୀ ସମ୍ମୁଖରେ ଦଣ୍ଡାୟମାନ ହୋଇ ରହିଲା। କିମଧ୍ଵ ଅତଃ ପରଃ? ଏହା ପରେ ଆଉ କଣ ଅଛି ? ମହାଭାରତର ଅର୍ଜୁନ ସଦୃଶ ବିଶ୍ବରୂପୀ ଭଗବାନଙ୍କୁ ସେ ମଧ୍ୟ ସେଦିନ ପ୍ରାର୍ଥନା କରିଥିଲା – ତେନେବ ରୂପେଣ ଚତୁର୍ଭୁଜେନ, ସହସ୍ରବାହୁ ଭବ ବିଶ୍ବମୂର୍ତ୍ତେ !
ଜୀବ ଏବଂ ବ୍ରହ୍ମର ଐକ୍ୟ ପ୍ରତିପାଦିତ ହେଲେ, ସଗୁଣ ମାନବ-ହୃଦୟ ନିର୍ଗୁଣ ଈଶ୍ବର ପ୍ରତି ଭକ୍ତି-ଅର୍ଘ୍ୟ ଅର୍ପଣ କରିବାର ଅବକାଶ ନାହିଁ ? ଅବତାରବାଦର ବା ଆବଶ୍ୟକତା କେଉଁଠି?
ସେଥିପାଇଁ ମନୁଷ୍ୟହୃଦୟ ବିଦ୍ରୋହ କରି ଉଠିଲା। ଶଙ୍କରଙ୍କର ଜନ୍ମଭୂମି ଦକ୍ଷିଣଭାରତରେ ହିଁ ମାୟାବାଦକୁ ଅତିକ୍ରମ କରି ଉର୍ଦୁତର ଭୂମିକୁ ଅଧୂରୋହଣ କରିବା ନିମନ୍ତେ ପଣ୍ଡିତମାନେ ଯତ୍ନଶୀଳ ହେଲେ। ନାଗାଲବାର ପ୍ରଭୃତି ଦ୍ଵାଦଶ ଆଲବାର ବୈଷ୍ଣବ ଭକ୍ତ, ଯାମୁନାଚାର୍ଯ୍ୟ ଆଦି ଆଚାର୍ଯ୍ୟବୃନ୍ଦ ଏହାର ପରିଣାମରେ ଜୀବ ଏବଂ ବ୍ରହ୍ମର ଅଦ୍ଵୈତ ତତ୍ତ୍ଵକୁ ଏକପ୍ରକାର ଅବହେଳା କରି ଏକ ନୂତନ ବିଶିଷ୍ଟାଦ୍ଵୈତବାଦ ପ୍ରତିଷ୍ଠା କଲେ। ସେହି ଭିଭି ଉପରେ ହିଁ ଏକ ପ୍ରକାଣ୍ଡ ସୌଧ ନିର୍ମାଣ କଲେ ଯାମୁନାଚାର୍ଯ୍ୟଙ୍କର ଗୋଟିଏ ପ୍ରପୌତ୍ରୀଙ୍କ ଗର୍ଭଜାତ ଶ୍ରୀ ରାମାନୁଜ।
ବେଦାନ୍ତସୂତ୍ର ଓ ଗୀତାର ମହତ୍ତ୍ଵପୂର୍ଣ ଭାଷ୍ୟ ‘ଶ୍ରୀଭାଷ୍ୟ’ର ରଚୟିତା ରାମାନୁଜ ନାଗାଲବ୍ବାର କୃତ ପ୍ରସିଦ୍ଧ ‘ତିରୁବୋଇମୋଲୀ’ ବୈଷ୍ଣବ ଗ୍ରନ୍ଥର ପ୍ରାମାଣିକ ଟୀକାକାର ଶ୍ରୀରାମାନୁଜ ଜନ୍ମଗ୍ରହଣ କରିଥିଲେ ଦଶଶହ ସତର ଖ୍ରୀଷ୍ଟାବ୍ଦରେ। ବାଲ୍ୟାବସ୍ଥାରେ ପିତୃବିୟୋଗ ଘଟିବା କାରଣରୁ ଯାଦବ-ପ୍ରକାଶ ନାମକ ଜଣେ ବେଦାନ୍ତୀଙ୍କଠାରୁ ସେ ପ୍ରାଥମିକ ଶିକ୍ଷା ଲାଭ କଲେ। ତତ୍ପରେ ଯାମୁନାଚାର୍ଯ୍ୟ ବା ଆଲବବାରଙ୍କ ଶିଷ୍ୟ ପେରିୟାନାମ୍ବୀଙ୍କୁ ଗୁରୁ କରି ସେ ଦୀକ୍ଷା ନେବାର ଅଳ୍ପଦିନ ପରେ ଗାର୍ହସ୍ଥ୍ୟ ଜୀବନ ପ୍ରତି ବୀତଶ୍ରଦ୍ଧ ହୋଇ ସନ୍ନ୍ୟାସ ଗ୍ରହଣ କଲେ। ସେହି ସମୟରେ ହିଁ ଶ୍ରୀରଙ୍ଗଠାରେ ସେ ଯାମୁନାଚାର୍ଯ୍ୟଙ୍କର ଗାଦି ପ୍ରାପ୍ତହୋଇ ଆଚାର୍ଯ୍ୟ ଉପାଧ୍-ଭୂଷିତ ହେଲେ ଏବଂ ସେହିଠାରେ ହିଁ ସେ ବେଦାନ୍ତସାର, ବେଦାନ୍ତଦୀପ, ବେଦାନ୍ତସଂଗ୍ରହ ତଥା ଶ୍ରୀଭାଷ୍ୟ ଆଦି ଗ୍ରନ୍ଥ ରଚନା କରିଥିଲେ।
ମହାପୁରୁଷମାନଙ୍କ ପ୍ରତି ତାତ୍କାଳିକ ସମାଜ ଓ ଶାସକବର୍ଗଙ୍କର ଅତ୍ୟାଚାର ଏକ ନିତ୍ୟପ୍ରବୃତ୍ତ ଐତିହାସିକ ଘଟଣା – ରାମାନୁଜ ତହିଁର ବ୍ୟତିକ୍ରମ ନଥିଲେ। ସେତେବେଳେ ଚୋଳାଧ୍ଵତି ଦୁର୍ଘ୍ୟନ୍ତ ଶାସକ ତାଙ୍କର ଲୋକପ୍ରିୟତାକୁ ସହ୍ୟ କରି ନ ପାରି ବହୁ ତାଡନା ଓ ନିର୍ଯାତନା କରିବାରୁ ସେ ଶ୍ରୀରଙ୍ଗରୁ ପଳାଇଯାଇ କାବେରୀତଟସ୍ଥ ଶାଳୀଗ୍ରାମଠାରେ ଦ୍ଵାଦଶ ବର୍ଷ ଅବଧୂ ଆଶ୍ରମବାସକଲେ। ସେହିଠାରେ ସେ ନୋଲୁକୋଟସ୍ଥ ସୁପ୍ରସିଦ୍ଧ ମନ୍ଦିର ନିର୍ମାଣ କରି ତନ୍ମଧ୍ଯରେ ସୁନ୍ଦର କମନୀୟ ମୂର୍ତ୍ତି ପ୍ରତିଷ୍ଠାକରିଥିଲେ ଏବଂ ହରିଜନମାନଙ୍କ ପ୍ରବେଶର ବିହିତ ବ୍ୟବସ୍ଥା ମଧ୍ୟ କରିଥିଲେ। ତା’ପରେ କେତେକ ବର୍ଷ ସେ ଦେଶେ ଦେଶେ ନାମ ପ୍ରଚାର କରି ଏଗାରଶହ ସତତିରିଶ ଖ୍ରୀଷ୍ଟାବ୍ଦରେ ଅପ୍ରକଟ ହୋଇଗଲେ।
ରାମାନୁଜ ପ୍ରକୃତପକ୍ଷରେ କହିବାକୁ ଗଲେ, ଶଙ୍କରଙ୍କ ଅଦ୍ଵୈତବାଦର ବିରୋଧ କରିନାହାନ୍ତି, ବରଂ ସେ ଶଙ୍କରଙ୍କର ଦାର୍ଶନିକ ଅଦ୍ଵୈତବାଦସହ ପ୍ରେମଭକ୍ତିସମ୍ବଳିତ ଭାଗବତ ଧର୍ମର ସଂଯୋଗ ସ୍ଥାପନ କରିଗଲେ। ତାଙ୍କ ମତରେ ଜୀବାତ୍ମା, ଜଗତ୍ ଓ ବ୍ରହ୍ମ ମୂଳତଃ ଏକ; କିନ୍ତୁ ବସ୍ତୁତଃ କାର୍ଯ୍ୟକାରକରୂପରେ ପ୍ରତ୍ୟେକ ପ୍ରତ୍ୟେକଠାରୁ ଭିନ୍ନ ଏବଂ ବିଶିଷ୍ଟ ଗୁଣସମ୍ପନ୍ନ। ରାମାନୁଜଙ୍କର ଏହି ମତକୁ ସେଥିପାଇଁ ବିଶିଷ୍ଟାଦ୍ଵୈତବାଦ ବୋଲି କୁହାଯାଏ। ରାମାନୁଜ ଜ୍ଞାନ ଓ କର୍ମକୁ ଭକ୍ତିର ଉପାଦାନ ବୋଲି କହି ନିଃସଂଶୟ ଭାବରେ ବ୍ୟକ୍ତ କଲେ ଯେ, ଭକ୍ତି ଅର୍ଥାତ୍ ହୃଦୟର କରୁଣ ଅନୁଭୂତି ହିଁ ଈଶ୍ଵର-ସାକ୍ଷାତ୍କାରର ସର୍ବୋତ୍କୃଷ୍ଟ ପନ୍ଥା।