ଶ୍ରୀକୃଷ୍ଣଙ୍କର ଲୀଳାଭୂମି ବୃନ୍ଦାବନସ୍ଥ କେଳିକୁଞ୍ଜମଞ୍ଜୁଳ କାଳିନ୍ଦୀର ତଟଭୂମି। କିଏ ଏହି ସୁନ୍ଦର, ସୁଗଠ, କମନୀୟ ଅଙ୍ଗକାନ୍ତିବିଶିଷ୍ଟ ନବୀନ ଯୁବ ସନ୍ନ୍ୟାସୀ ଯାହାର ଅସାଧାରଣ ବ୍ୟକ୍ତିତ୍ୱରେ ଆକୃଷ୍ଟ, ଆକର୍ଷିତ ହୋଇ ଦଳଦଳ ନରନାରୀ ଦୂରଦୂରାନ୍ତରରୁ ଆକୁଳ ଆଗ୍ରହରେ ଧାଇଁଛନ୍ତି ଶ୍ରୀଚରଣକମଳୋପରି ଶ୍ରଦ୍ଧାଞ୍ଜଳିଅର୍ପଣ କରିବାପାଇଁ?
କବିସୁଲଭ ଦୁର୍ଲଭ ହୃଦୟ ଘେନି ସନ୍ନ୍ୟାସୀଙ୍କ ପ୍ରାଣରେ ଉଚ୍ଛଳ ଆନନ୍ଦ। ସେ ଆନନ୍ଦ କିନ୍ତୁ ପରମାନନ୍ଦ ନହୋଇପାରେ। ସେ ଉଚ୍ଛାସ ହୁଏତ ଶାଶ୍ଵତ ନୁହେଁ। ସନ୍ନ୍ୟାସୀ ପ୍ରଥମରେ ସ୍ବୀୟ ଦୁର୍ବଳ ଚିତ୍ତର ସଂକେତ ପାଇ ପାରି ନ ଥିଲେ। ଅଧ୍ୟାତ୍ମସାଧକ ପୁଣି ଥରେ ରୂପ ଓ ସୌନ୍ଦର୍ଯ୍ୟ ଆଗରେ ବିଚଳିତ ହୋଇଗଲେ। ଜୀବନର ମହାର୍ଘ ଅଭିଜ୍ଞତାର ପରିମାଣରେ ବହୁବର୍ଷର ସାଧନା ଓ ସିଦ୍ଧି କ୍ଷଣକପାଇଁ ସ୍ଵ ତିପଟରୁ ଅପସାରିତ ହୋଇଗଲା। ଗୋଟିଏ ସୁନ୍ଦରୀ ଯୁବତୀର ରୂପ ଲାବଣ୍ୟ ନିକଟରେ ନିଜର ସର୍ବସ୍ବ – ବହୁକଷ୍ଟ ଆହରିତ ଗୁପ୍ତନିଧି ସେ ସେଦିନ ଜଳାଞ୍ଜଳି ଦେବା ପାଇଁ ବ୍ୟାକୁଳ ହୋଇଉଠିଲେ। ଯେ କାମିନୀ କାଞ୍ଚନର ବିଷମୟ ପରିଣାମରେ ଜର୍ଜରିତ ହୋଇ ସଂସାର ତ୍ୟାଗକରି ସନ୍ନ୍ୟାସ ଧର୍ମରେ ଶାନ୍ତି ଓ ପରମାନନ୍ଦର ସନ୍ଧାନ ପାଇପାରିଥିଲେ ତାଙ୍କ ପକ୍ଷରେ ଏ ବିଚ୍ୟୁତି – ଏ ସ୍ଖଳନ ବାସ୍ତବିକ ବ୍ୟକ୍ତି ପକ୍ଷରେ ନୁହେଁ, ସମଗ୍ର ସଂସାର ଆଗରେ ନୈରାଶ୍ୟ ଘନଘଟାର ସୂଚନା ଦେଉଥିଲା।
କିନ୍ତୁ ବିଧୂର ବିଧାନ ବିଚିତ୍ର। ମହତ୍ କୃପା ବା ଈଶ୍ଵରାନୁଗ୍ରହ ବଳରେ ହଠାତ୍ ସନ୍ନ୍ୟାସୀ ସ୍ଵପ୍ରୋତ୍ବତ୍ ପ୍ରକମ୍ପିତ ହୋଇଉଠିଲେ। ଆକାଶରୁ ଦଣ୍ଡମାତ୍ରକେ ମେଘଖଣ୍ଡ ଅପସାରିତ ହୋଇଗଲା। ଉଦିତ ଭାସ୍କରବତ୍ ଅନ୍ତର୍ଦ୍ଦେଶରେ ଦୀପ୍ତି ଭାସ୍ବର ହୋଇଉଠିଲା।
କାହାର ଏହି ବିଶ୍ଵାସଘାତକତା – କାହାର ଏହି ପ୍ରବଞ୍ଚନା ? ଯୁବତୀର ରକ୍ତାଧର – ରମ୍ୟ ଜ୍ୟୋତି ନୟନର – ସ୍ଵର୍ଣ୍ଣଘନସମବକ୍ଷ ଚାରୁ ପଦ୍ମାନନ ? କିମ୍ବା ନିଜର ପ୍ରତାରଣାପ୍ରବଣ ବିମୂଢ ଚିତ୍ତର ରସଗ୍ରାହୀଇନ୍ଦ୍ରିୟ ଏହି ଚକ୍ଷୁ?
ଯୁବତୀ ନିକଟରେ ପ୍ରଣୟ ପ୍ରାର୍ଥନା କରିବାକୁ ଯାଇ ସେଦିନ ସେହି ସନ୍ନ୍ୟାସୀ ତାହାର ଗଭାଖଚିତ ରତ୍ନାଳଂକାରର କଣ୍ଟକ ହିଁ ଭିକ୍ଷା କରିଥିଲେ। ସୁନ୍ଦରୀର ବିସ୍ମୟାତିଶଯ୍ୟାରେ ମଧ୍ୟ ସନ୍ନ୍ୟାସୀ ସେହି କଣ୍ଟକଦ୍ବାରା ହିଁ ନିଜର ପାପୀ ଚକ୍ଷୁଦ୍ଵୟକୁ ଚିରଦିନ ନିମନ୍ତେ ବିଦାୟଦେଇଥିଲେ।
ରୂପର ଉପାସକ ଆଜି ଅନ୍ଧ। ବିଳାସୀ କବି ଆଜି ସାଧକ। ସାଧକ ସନ୍ନ୍ୟାସୀ ଆଜି ଉପାସକ, ଭାବୁକ, ଭକ୍ତ। ସେ ଆଜି ବାହ୍ୟଜ୍ଞାନେନ୍ଦ୍ରିୟ ରହିତ ସତ୍ୟ; ମାତ୍ର ତାହାରି ମୂଲ୍ୟରେ ସେ ଯେଉଁ ଅନ୍ତଦୃଷ୍ଟି ଲାଭକଲେ ତାହାର ଉପଲବ୍ଧ ପରିଦୃଶ୍ୟମାନ ଜଗତର ରମ୍ୟ ଓ କାମ୍ୟ ପ୍ରତିଚ୍ଛବି ଆଜି ଭାରତର ପ୍ରତି ରସଗ୍ରାହୀ ଭକ୍ତ ଭାବୁକ ହୃଦୟରେ ପ୍ରତିଫଳିତ। ଜ୍ଞାନଚକ୍ଷୁର ବିନିମୟରେ ଏହି ପ୍ରଜ୍ଞାଚକ୍ଷୁର ଦର୍ଶନ ତାଙ୍କର ଅନୁଭବକୁ ଅମୂଲ୍ୟ ରତ୍ନରେ ବିମଣ୍ଡିତ କରିଦେଲା। ତାହାର ନିଦର୍ଶନ ‘ସୂରସାଗର’ର ଅମୂଲ୍ୟ ପଦାବଳି।
୧୪୮୪ ଖ୍ରୀଷ୍ଟାବ୍ଦ। ନଗରୀରାଣୀ ଦିଲ୍ଲୀ ନିକଟବର୍ତ୍ତୀ ସୋହୀ ଗ୍ରାମ। ସୂର ଦାସ ସେହି ଜନପଦକୁ ଧନ୍ଯକରି ଜନ୍ମଗ୍ରହଣ କରିଥିଲେ।
ଅବଶ୍ୟ ଗୋସାଇଁ ଗୋକୁଳନାଥ ତାଙ୍କର ‘ଚୌରାଶୀ ବୈଷ୍ଣବଙ୍କ ବାର୍ତ୍ତା’ ଗ୍ରନ୍ଥରେ ସୂର ଦାସଙ୍କ ଜନ୍ମସ୍ଥଳୀ ଆଗ୍ରା ଓ ମଥୁରା ମଧ୍ଯସ୍ଥ ରାଜପଥ ସମୀପବର୍ତୀ ରୁନକଥା ନାମକ ଏକ ଗ୍ରାମରେ ସେ ଜନ୍ମଲାଭ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେହି ବର୍ଣ୍ଣନାନୁସାରେ ମହାତ୍ମା ଦୂର ଦାସ ଥିଲେ ବର୍ଷରେ ସାରସ୍ଵତ ବ୍ରାହ୍ମଣ। ମହାକବି ଚନ୍ଦବାରିଦାଈଙ୍କର ଭାଟ ବଂଶରେ ସୂର ଦାସଙ୍କ ଜନ୍ମ ବୋଲି କେହି କେହି କହନ୍ତି ମଧ୍ୟ। ଭକ୍ତମାଳା ଗ୍ରନ୍ଥନୁସାରେ ସୂର ଦାସ ଜନ୍ମାନ୍ଧ ଥିଲେ। ମାତ୍ର ତାଙ୍କ ରଚନାରେ ଜ୍ୟୋତି, ରୂପ, ରଙ୍ଗର ଚମତ୍କାର ସଜୀବ ବର୍ଣ୍ଣନା କୌଣସି ଜନ୍ମାନ୍ଧ ପକ୍ଷରେ ସମ୍ଭବ ବୋଲି ମନେହୁଏନାହିଁ।
ବୈରାଗ୍ୟ ପରେ ସୂର ଦାସ ମଥୁରା ଏବଂ ଆଗ୍ରା ମଧ୍ୟବର୍ତ୍ତୀ ଯମୁନା ତଟସ୍ଥ ଗଉଘାଟ ନାମକ ସ୍ଥାନରେ ବାସ କରିବାକୁ ଲାଗିଲେ। ସେହିଠାରେ ବଲ୍ଲଭାଚାର୍ଯ୍ୟଙ୍କ ସହିତ ତାଙ୍କର ଭେଟ ହେଲା। ବଲ୍ଲଭ ସୂରଦାସଙ୍କର ଲଳିତ ସ୍ଵର ଶୁଣି ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାପ୍ରସଙ୍ଗ ବର୍ଣନା କରିବାକୁ ଆଦେଶ କଲେ। ଦୂରଦାସ ବଲ୍ଲଭଙ୍କଠାରୁ ଦୀକ୍ଷା ନେଇ ପୁଷ୍ଟିମାର୍ଗ ଅନ୍ତର୍ଭୁକ୍ତ ହେଲେ ଏବଂ ତାହାଙ୍କଠାରୁ ସଦୁପଦେଶ ଗ୍ରହଣକଲେ। ସେହିଦିନଠାରୁ କୃଷ୍ଣ ଚରିତ, କୃଷ୍ଣ ଲୀଳା ପ୍ରତି ସେ ଅସାଧାରଣ ଭାବରେ ଅନୁରକ୍ତ ହୋଇପଡିଲେ। ବ୍ରଜଭାଷାରେ ତାଙ୍କର ଏହି କୃଷ୍ଣଲୀଳାମୃତ ସାର ପଦାବଳିହିଁ ‘ସୂର ସାଗର’।
ବଲ୍ଲଭଙ୍କ ଉତ୍ତରାଧିକାରୀ ବିଟୁଳନାଥ ପୁଷ୍ଟି ସଂପ୍ରଦାୟର ସର୍ବଶ୍ରେଷ୍ଠ ଅଷ୍ଟ କାବ୍ୟକାରଙ୍କୁ ‘ଅଷ୍ଟଛାପ’ ଆଖ୍ୟା ଦେଇ ସୂରଦାସଙ୍କୁ ସେମାନଙ୍କର ଅଗ୍ରଗଣ୍ୟ ବୋଲି କହିଛନ୍ତି। ସୂରଦାସଙ୍କ ସଙ୍ଗୀତ ସଖ୍ୟଭାବ-ପ୍ରଧାନ। ସଖା ଭାବରେ ହିଁ ସେ କୃଷ୍ଣ ଭକ୍ତି ଲାଭକରିଥିଲେ। ତଦତିରିକ୍ତ ବାତ୍ସଲ୍ୟରସ ସୂରଦାସଙ୍କ ବର୍ଣ୍ଣନାରେ ଅତି ଅମୂଲ୍ୟ ରୂପ ଧାରଣ କରିଛି। ସୂର ସଙ୍ଗୀତ ଏବେ ମଧ୍ୟ ଉତ୍ତର ଭାରତର ଘରେ ଘରେ ଲୋକଗାଥା ହୋଇ ରହିଛି।
ଗୋକୁଳର ପାରତସାଳି ନାମକ ସ୍ଥାନରେ ଦିନେ ସୂରଦାସଙ୍କର ମଧୁର ସଙ୍ଗୀତ ଗୁଞ୍ଜରି ଉଠିଲା
‘ଅବ୍ ମେଁ ନାଚ୍ୟ ବହୁତ ଗୋପାଲ।’
ସେତେବେଳକୁ ତାଙ୍କର ବୟସ ଅଶୀ ବର୍ଷ। ସୂରଦାସଙ୍କ ଲଜ୍ଜା ରକ୍ଷାକାରୀ, ‘ରାଧେ ରାଧେ ଶ୍ରୀବର ପ୍ୟାରେ ଶ୍ରୀବୃଷଭାନୁ ଦୁଲାରୀ’ ତାଙ୍କର ନିତ୍ୟଧାମକୁ ସ୍ନେହପାଳିତ ଭକ୍ତ ସୂରଦାସଙ୍କୁ କୋଳ କରି ଘେନିଗଲେ ୧୫୬୪ ଖ୍ରୀଷ୍ଟାବ୍ଦ।