ଭାରତର ଇତିହାସ – ତତ୍କାଳୀନ ଭାରତର ରାଜନୈତିକ ଇତିହାସ – ସ୍ଵର୍ଣ୍ଣାକ୍ଷରରେ ରଞ୍ଜିତ ଭାରତର ଇତିହାସ ହିଁ ତାର ସାକ୍ଷୀ। ‘ଦିଲ୍ଲୀଶ୍ଵରୋବ ଜଗଦୀଶ୍ଵରୋବା’ ଶାହନଶାହେ ହୁମାୟୁନଙ୍କର ଆଜି ଏ କି ଅବସ୍ଥା ? ଶତ୍ରୁ ଶେରସାହଙ୍କଦ୍ୱାରା ପରାଜିତ ହୁମାୟୁନ, ଗୃହହୀନ ଯାଯାବରଭାବରେ ଆଜି ଦ୍ବାରେ ଦ୍ଵାରେ ଆଶ୍ରୟପ୍ରାର୍ଥୀ। ସଙ୍ଗରେ ସ୍ଵୟଂ ଦିଲ୍ଲୀର ସାମ୍ରାଜ୍ଞୀ। ଏହି ଦୁଃସ୍ଥ ବିପନ୍ନ ଅବସ୍ଥାରେ ମଧ୍ୟ ଆଶ୍ରୟ ଅଲଭ୍ୟ ହୋଇପଡିଲା। ଯେଉଁ ବୀର ରାଜପୁତ୍ ଜାତି ଶରଣାଗତ ଶତ୍ରୁକୁ ମଧ୍ୟ ଆଶ୍ରୟ ଦେବାରେ କେବେ କୁଣ୍ଠା ପ୍ରକାଶ କରିନାହିଁ, ସେଠାରେ ମଧ୍ୟ ହୁମାୟୁନଙ୍କ ପାଇଁ କୁତ୍ରାପି ଅବାରିତ ଦ୍ବାର ପ୍ରାପ୍ତ ହେଲା ନାହିଁ। ଅନନ୍ୟପାୟ ହୁମାୟୁନ ସପରିବାର ନିଦ୍ରାହାର-ପରିହାର କ୍ଳିଷ୍ଟ ଦୁର୍ବଳ ପାଦ କ୍ଷେପଣ କରି ଦୁର୍ଗମ ମରୁଭୂମିର ବହୁଦୂର ପଥ ଅତିକ୍ରମାନ୍ତେ ପରିଶେଷରେ ଅମରକୋଟରେ ପ୍ରବେଶ କଲେ। ଦୁଃଖ ଓ ଦୈନ୍ୟର ଏହି ଦୁର୍ଦିନ ମଧ୍ୟରେ ନୈରାଶ୍ୟର ଘନ ତମିସ୍ରାକୁ ଅପସାରିତ କରି ସେଦିନ ମୋଗଲ ଶାସନକାଳର ସର୍ବଶ୍ରେଷ୍ଠ ଶାସକ ଶାହାଜାଦା ଆକବରଙ୍କ ଜନ୍ମ ପନ୍ଦରଶହ ବୟାଳିଶ ଖ୍ରୀଷ୍ଟାବ୍ଦରେ।
ଏ ସେହି ଆକବର – ସେଦିନ ଏକ ଆଶ୍ରୟପ୍ରାର୍ଥୀର ଅଶେଷ ଦୁର୍ଭାଗ୍ୟ ମଧ୍ୟରେ ପଥପାର୍ଶ୍ଵରେ ଯାହାଙ୍କର ଜନ୍ମ ହୋଇଥିଲା ମାତ୍ର କେତେ ବର୍ଷ ପରେ ଅତ୍ୟନ୍ତ ତରୁଣ ଅବସ୍ଥାରେ ପାରସ୍ୟର ସାହାଯ୍ୟକ୍ରମେ ପିତା ହୁମାୟୁନ ଯେତେବେଳେ କାବୁଲ, କାନ୍ଦାହାର ଏବଂ ପଞ୍ଜାବ ପୁନର୍ଜୟ କଲେ, ସେତେବେଳେ ବୀରଦର୍ପରେ ପଞ୍ଜାବର ଶାସନକର୍ତ୍ତା ନିଯୁକ୍ତ ହୋଇ ଯେଉଁ ଶାସନଦୃଢତା ଏବଂ ବୁଦ୍ଧି ବିଚକ୍ଷଣତା ପ୍ରଦର୍ଶନ କଲେ, ତାହା ତାଙ୍କ ପିତା ଓ ପରିବାରବର୍ଗ ତଥା ରାଜପରିଷଦମାନଙ୍କୁ ଚମତ୍କୃତ କରିଥିଲା।
– ସିକନ୍ଦର ସୁରଙ୍କୁ ପରାସ୍ତକରି ଦିଲ୍ଲୀ ଓ ଆଗ୍ରା ଜୟ କରିବା ପରେ ହୁମାୟୁନଙ୍କର ଆକସ୍ମିକ ମୃତ୍ୟୁ ହେଲା। ସେତେବେଳେ ବାଳକ ଆକବରଙ୍କୁ ମାତ୍ର ତେରବର୍ଷ। ପନ୍ଦରଶହ ଛପନ ଖ୍ରୀଷ୍ଟାବ୍ଦର କଥା ସେହି ଆକବର ସେଦିନ ବିଶ୍ବସ୍ତ ମନ୍ତ୍ରୀ ବୈରାମଙ୍କର ସାହାଯ୍ୟରେ, କୌଶଳ ଏବଂ ତୀକ୍ଷ୍ଣଣ ବିଚାରବୁଦ୍ଧି ବଳରେ, ଭାରତରେ ମୋଗଲ ସାମ୍ରାଜ୍ୟର ପୁନଃ ପ୍ରତିଷ୍ଠା କଲେ। କିନ୍ତୁ ଆକବରଙ୍କର ଏହି ଶକ୍ତି ଓ ସାମର୍ଥ୍ୟ ନିମନ୍ତେ ତାଙ୍କର ନାମ ଭାରତ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଅଙ୍କିତ ହୋଇ ନାହିଁ। ଭାରତ ଇତିହାସ ଆକବରଙ୍କର ପରିଚୟ ମୋଗଲ ବୋଲି ଦେଇନାହିଁ କିମ୍ବା ସେ ମୁସଲମାନ ବୋଲି କହିନାହିଁ – ବାଦଶାହ ବିଜେତା ବୋଲି ଗୌରବ ଦେଇନାହିଁ। ଆକବରଙ୍କର ପୂର୍ବପୁରୁଷ ଦେଶାନ୍ତରରୁ ଆସିଥିଲେ ହେଁ ଆକବର ଏହି ଭାରତର ଜଳବାୟୁ ଏବଂ ଭାରତଭୂମିରୁ ହିଁ ଉପଜାତ ଜଣେ ଭାରତୀୟ ଶାସକରୂପେ ରାମଚନ୍ଦ୍ର, ଅଶୋକ, ଖାରବେଳଙ୍କ ସମାସନ ଅଧୂଢ ବିଚକ୍ଷଣ ଶାସକ ବୋଲି ଭାରତର ଇତିହାସ ଆକବରଙ୍କ ଗୁଣ କୀର୍ତ୍ତନ ଉତ୍ସାହର ସହିତ କରିପାରେ।
ଭାରତରେ ମୋଗଲ ସାମ୍ରାଜ୍ୟ ବିସ୍ତାର କରିବାର ଦୁରଭିସନ୍ଧି ନ ରଖ୍ ଏ ଦେଶର ବିଭିନ୍ନ ଭାଷା, ବିଭିନ୍ନ ଶାସକ ଓ ବିଭିନ୍ନ ଶାସନବିଧାନ ସତ୍ତ୍ବେ, ଏକ ଅଖଣ୍ଡ କୃଷ୍ଟି, ଅଚ୍ଛିନ୍ନ ପରମ୍ପରା ଏବଂ ନିର୍ଦ୍ଦଜାତୀୟତାରେ ସମଗ୍ର ଭାରତର ହୃତ୍ପିଣ୍ଡ ଯେ ସ୍ପନ୍ଦିତ – ଏହି ସୁମହତ୍ ଉପଲବ୍ଧ ଉଦାରତାଯୋଗୁ ଇତିହାସରେ ଆକବରଙ୍କର ମୁଦ୍ରାଙ୍କିତ ହେଉ ନହେଉ – ଆକବରଙ୍କ ପୂର୍ବବର୍ତ୍ତୀ ମୁସଲମାନ ଶାସକମାନଙ୍କର ଧର୍ମମତ ପ୍ରତି ଅସହିଷ୍ଣୁତା ଲୋପକରି ଜିଜିୟାକର ଭାରରୁ ମୁସଲମାନ-ଇତର ପନ୍ଥୀମାନଙ୍କୁ ମୁକ୍ତି ଦେଇ ହିନ୍ଦୁର ଗୌରବ ଓ ସଂସ୍କୃତିର ରକ୍ଷାକାରୀ ରାଜପୁତ୍ମାନଙ୍କ ସହିତ ପରମମୈତ୍ରୀ, ଏପରିକି ବୈବାହିକ ସୂତ୍ରରେ ଆବଦ୍ଧ ହୋଇଥିଲେ ବୋଲି ଭାରତୀୟ ଇତିବୃତ୍ତରେ ତାଙ୍କ କୀର୍ତ୍ତି ଆଦୃତ ହେବ କି ନାହିଁ କିଏ କହିବ ? ଅତୀତର ଦୁଃଶାସନ ଫଳରେ ଶାସକ ଓ ଶାସିତ ମଧ୍ୟରେ ଯେଉଁ ଦୁର୍ଭେଦ୍ୟ ପ୍ରାଚୀର ଗଢିଉଠିଥିଲା ତାହାର ମୂଳ ଉତ୍ପାଟନ କରିବା ଉଦ୍ଦେଶ୍ୟରେ ସେ ଶାସନ ପଦ୍ଧତିରେ ଯେଉଁ ପରିବର୍ତ୍ତନ ସମ୍ଭବ କରିଥିଲେ ସେଥିପାଇଁ ମଧ୍ଯ ଇତିହାସ ତାଙ୍କୁ ହୁଏତ ସେପରି ସ୍ମରଣ କରିବ ନାହିଁ।
ମାତ୍ର ଆକବର ଭାରତ ଇତିହାସର ଏକ ଅନୁପମ ନାୟକରୂପେ ଚିରଦିନ ପରିଗଣିତ ହେବେ ଯେହେତୁ ସେ ଫତେପୁରସିକ୍ରିର ସୁପ୍ରସିଦ୍ଧ ଇବାଦଖାନାରେ ବସି ହିନ୍ଦୁ, ଇସଲାମ, ଖ୍ରୀଷ୍ଟ, ପାର୍ସି, ଜିନ୍, ବୁଦ୍ଧାଦି ନାନା ଧର୍ମର ପଣ୍ଡିତ ଶାସ୍ତ୍ରବିତ୍ମାନଙ୍କ ସହିତ ବର୍ଷ ବର୍ଷ ତର୍କ ଆଲୋଚନା ପରେ ସର୍ବଧର୍ମ-ସମନ୍ବୟର ବୀଜମନ୍ତ୍ର ଆବିଷ୍କାର କରି ଧର୍ମର ମୂଳନୀତି ସତ୍ୟ, ଅହିଂସା ଓ ସହିଷ୍ଣୁତାକୁ ସାର୍ବଭୌମ ସିଦ୍ଧାନ୍ତରୂପେ ‘ଦିନ୍ ଇଲାହୀ’ ନାମକ ଯେଉଁ ନବମାର୍ଗର ଦିଗ୍ଦର୍ଶନ କରିଯାଇଛନ୍ତି।
ଅବଶ୍ୟ ସେହିସବୁ ଧର୍ମର ମୂଢ଼ ରୂଢିବାଦୀ ଧର୍ମାନ୍ଧମାନଙ୍କର ବିରୋଧହେତୁ ଆକବରଙ୍କର ଉଦ୍ୟମ ଫଳପ୍ରସୂ ହୋଇନଥିଲା। ମାତ୍ର ଆକବରଙ୍କର ମହତ୍ତ୍ବ ଏବଂ ସାଧୁ କାର୍ଯ୍ୟର ଯଥାର୍ଥତା ଆଜି ମଧ୍ୟ ଭାରତର ଗୁଣୀଗଣ ଅନୁଭବ କରୁଛନ୍ତି।
ଆକବରଙ୍କ ଶାସନର ମୂଳନୀତି ଥିଲା – ଶାନ୍ତି। ତାଙ୍କ ଶାସନକାଳର ମହତ୍ତ୍ଵପୂର୍ଣ୍ଣ ଆଲେଖ୍ୟ ‘ଆଇନ ଆକବରୀ’ରେ ଲିଖ୍ ଅଛି – ‘ସୁଲେହକୁଲ୍’’ – ଅର୍ଥାତ୍ସମସ୍ତଙ୍କର ଶାନ୍ତି ହେଉ।
ଆକବର ହିଁ ଆଧୁନିକ କାଳରେ ଧର୍ମ ଓ ରାଜନୀତିର ମୂଳ ସୂତ୍ର ଏକ ବୋଲି ସପ୍ରମାଣ ସିଦ୍ଧାନ୍ତ ସର୍ବପ୍ରଥମେ ଏ ଦେଶକୁ ଦେଇଯାଇଛନ୍ତି ବୋଲି ନିଃସନ୍ଦେହରେ କୁହାଯାଇପାରେ।