ଓଡ଼ିଆ ଖଣ୍ଡ

ଗୁରୁ ଗୋବିନ୍ଦ ସିଂହ

ପୃଥ‌ିବୀର ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି ଏବଂ ପ୍ରତିକ୍ରିୟାର ସୁପ୍ରତିକ୍ରିୟାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ। କୌଣସି ଯୁଗର ଯାବତୀୟ ଦୁଷ୍କ୍ରିୟାର ପ୍ରତିବିଧାନ ସ୍ଵରୂପ ଯୁଗସ୍ରଷ୍ଟାମାନଙ୍କର ଆବିର୍ଭାବ ହୋଇଥାଏ। ସେମାନଙ୍କର ଜୀବନୀ ହିଁ ସର୍ବମୟ ପ୍ରତିକ୍ରିୟାର ପ୍ରତୀକ। ସାମାଜିକ ପରିବେଷ୍ଟନୀର ଆବଶ୍ୟକ ଅନୁଯାୟୀ ସମାଜ ସର୍ବଦା ସାଧାରଣ ମାନବଠାରୁ ଆରମ୍ଭକରି ମହାମାନବ ମହାପୁରୁଷମାନଙ୍କୁ ସୃଷ୍ଟିକରିଥାଏ। ଏହା ହିଁ ବାସ୍ତବ ପକ୍ଷରେ ସୃଷ୍ଟିର ପ୍ରାକୃତିକ ବିକାଶ ସୌଷ୍ଠବ।

ଭାରତ ଇତିହାସରେ ଗୁରୁ ଗୋବିନ୍ଦ ସିଂହଙ୍କର ଜନ୍ମ ସେହିଭଳି ଏକ ବିରାଟ ସାମ୍ପ୍ରଦାୟିକ ପ୍ରତିକ୍ରିୟା। ଗୁରୁ ଗୋବିନ୍ଦ ସିଂହ କେବଳ କେଶ, କଙ୍ଘା ଓ କଙ୍କଣଧାରୀ ଶିଖମାନଙ୍କର ଗୁରୁରୂପେ ଶିଖ ଜାତି ଓ ଶିଖ ଧର୍ମକୁ ଅଜୟ ଓ ଅମର କରି ରଖ୍ ଯାଇନାହାନ୍ତି – ସେ ସମସ୍ତ ଭାରତକୁ ଏକ ନୈତିକ ପତନ ମୁଖରୁ ଉଦ୍ଧାର କରି ଭାରତ ଇତିହାସରେ ଚିରଦିନ ଏକ ଉଜ୍ଜ୍ଵଳ ଜ୍ୟୋତିଷରୂପେ ବିରାଜମାନ କରୁଥ‌ିବେ।

ସେତେବେଳେ ବ୍ୟସନୀ, ବିଳାସୀ ମୋଗଲ ଅଧ୍ଵତିମାନଙ୍କର ଅତ୍ୟାଚାରକ୍ଳିଷ୍ଟ ଜନତା ଉଚ୍ଛନ୍ନପ୍ରାୟ। ଚତୁର୍ଦ୍ଦିଗରେ ହାହାକାର ଓ ଆର୍ତ୍ତନାଦ। ଜିଜିଆକର ଭାରଗ୍ରସ୍ତ ମୁସଲମାନ ଇତର ସମ୍ପ୍ରଦାୟର ପ୍ରଜାବର୍ଗ କିଂକର୍ତ୍ତବ୍ୟବିମୂଢ ଭାବରେ କାହାର ନିର୍ଦ୍ଦେଶକୁ ଯେପରି ଅପେକ୍ଷା କରି ବସିଛନ୍ତି। ଆକବରଙ୍କ ସୁଶାସନ ଓ ସର୍ବଧର୍ମ-ସମନ୍ଵୟର ସୁମହାନ ବାଣୀ ଅତୀତର ଗଭୀର ଗହ୍ଵର ମଧ୍ୟରେ ସମ୍ପୂର୍ଣ ବିଲୁପ୍ତ। ଅତ୍ୟାଚାର ଜର୍ଜରିତ ମୁମୂର୍ଷୁଜାତିର କ୍ଷୀଣ ଜୀବନ ସଂଚାର ସୂଚନା ମଧ୍ୟ ସନ୍ଦେହଜନକ। ସେହି ଦୁର୍ନୀତିପୂର୍ଣ୍ଣ ଦମନଲୀଳା ସମ୍ମୁଖରେ ସ୍ପର୍ଷାନ୍ବିତ ପ୍ରତିବାଦ ଜଣାଇବା କାରଣକୁ ମୋଗଲ ସାମ୍ରାଜ୍ୟର ସମସ୍ତ ଉତ୍କଟଶୈଳ ସହ୍ୟ କରିବାକୁ ପଡିଥିଲା ନବ-ଅଦ୍ଭୁଦିତ ନାନକପନ୍ଥୀ ଶିଖ ଧର୍ମାବଲମ୍ବୀମାନଙ୍କୁ। ଏହି ଶିଖଜାତି ସେତେବେଳେ ସମଗ୍ର ଅତ୍ୟାଚାରିତ ଭାରତର ନେତୃତ୍ୱ ନେଇ ଦୁଃଶାସକ ମୋଗଲ ଶକ୍ତିର ଉତ୍ତରଦେଲା ନିର୍ଭିକ ବୀର ଗୁରୁ ଗୋବିନ୍ଦ ସିଂହଙ୍କର ଛତ୍ରଛାୟା ତଳେ। ଶିଖ ସମ୍ପ୍ରଦାୟର ଜନକ ଗୁରୁ ନାନକ ସାହେବ ତାହାଙ୍କର ପ୍ରବର୍ତ୍ତିତ ମହାନ୍ ମତକୁ ଗୋଟିଏ ଶାନ୍ତିପ୍ରିୟ ପନ୍ଥାରୂପେ ପ୍ରତିଷ୍ଠିତ କରିଯାଇଥିଲେ ହେଁ, ମହାକାଳର ଅଭିଶାପରୂପୀ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରସ୍ଥିତି ତାହାକୁ ଉଗ୍ର, ଉତ୍କଟ ହେବାପାଇଁ ବାଧ୍ଯକଲା। ସେଦିନ ଶିଖ ଜାତି ତାର ପ୍ରତ୍ୟେକ ଶିରାପ୍ରଶିରାରେ ଅନୁଭବ କରିଥିଲା ଯେ-କେବଳ ମାଳାଧାରଣପୂର୍ବକ ନିଷ୍କ୍ରିୟ ଧର୍ମ ଉପାସନାରେ ଗୋଟାଏ ଜାତି କଦାପି ବଞ୍ଚି ନ ପାରେ। ଯେଉଁ ଜାତି ଧର୍ମରକ୍ଷା ତଥା ଆତ୍ମରକ୍ଷା କରିବାପାଇଁ, ଧର୍ମାଚାରୀ ପୁରୁଷର ବଳିଦାନ କରିବାପାଇଁ ଅସମର୍ଥ, ସେ ଜାତି କିମ୍ବା ସେ ଧର୍ମ ଅଧର୍ମ ଓ ଅତ୍ୟାଚାର ପ୍ରପୀଡିତ ମେଦିନୀ ପୃଷ୍ଠରେ ତିଷ୍ଠି ରହିବାର ଅଧିକାର ପାଇ ନ ପାରେ।

ପରିଣାମ ସ୍ୱରୂପ ଶିଖ ସମ୍ପ୍ରଦାୟ ଉପରେ ସେଦିନ ଘୋର ସଙ୍କଟମୟ ବାତ୍ୟା ବହିଗଲା। ନାନକଙ୍କ ପରବର୍ତୀ ଅଙ୍ଗଦ, ଅମରଦାସ ଓ ରାମଦାସ ପ୍ରକାରାନ୍ତରେ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ହିଁ ଧର୍ମ ପ୍ରଚାର କରିଯାଇଥିଲେ; କିନ୍ତୁ ପଞ୍ଚମଗୁରୁ ଅର୍ଜୁନ ଦେବ ଏବଂ ଷଷ୍ଠଗୁରୁ ହରଗୋବିନ୍ଦ ଦେବଙ୍କ ସମୟରେ ବିକଟ ପରିସ୍ଥିତି ସୃଷ୍ଟି ହୋଇପଡିଲା। ମୋଗଲ ସମ୍ରାଟ ଜାହାଙ୍ଗୀର ଅର୍ଜୁନଦେବଙ୍କ ଉପରେ ଅକଥନୀୟ ଉପୀଡନ କରି ନିର୍ମମ ଭାବରେ ହତ୍ୟାକଲେ। ସେହି ଲୋମହର୍ଷଣକାରୀ ହତ୍ୟା ଶିଖଜାତି ପ୍ରାଣରେ ଯେଉଁ ବିକ୍ଷୋଭର ବହ୍ନି ପ୍ରଜ୍ଵଳିତ କରିଦେଲା ସେ ସର୍ବଗ୍ରାସୀ କାଳାନ୍ତକ ଅନଳ ମଧ୍ୟରେ ମୋଗଲ ସାମ୍ରାଜ୍ୟ ଓ ମୋଗଲ ସିଂହାସନ ପଳେ ପଳେ, ତିଳ ତିଳ ହୋଇ ଭସ୍ମୀଭୂତ ହେବାକୁ ଲାଗିଲା ଏବଂ ଏହା ଅତି କଠୋର ଓ ବାସ୍ତବ ସତ୍ୟ ଯେ ଶିଖଧର୍ମ ଗୁରୁମାନଙ୍କ ପ୍ରତି ଏହି ଅମାନୁଷିକ ଅତ୍ୟାଚାର ହିଁ ମୋଗଲ ସାମ୍ରାଜ୍ୟ ପତନର ଅନିବାର୍ଯ୍ୟ କାରଣ।

ଅର୍ଜୁନଦେବଙ୍କୁ ହତ୍ୟାକରି ମୋଗଲ ସିଂହାସନର ମରଣମୁଖୀ ପିପାସା ସତେ ଯେପରି ମେଣ୍ଟନ ହୋଇପାରି ନ ଥିଲା। ଜାହାଙ୍ଗୀରଙ୍କର ସୁଯୋଗ୍ୟ ପୌତ୍ର ଆଉରଙ୍ଗଜେବଙ୍କର ରାଜତ୍ଵର ପ୍ରାକ୍‌କାଳରେ ହିଁ ଏହି ଅତ୍ୟାଚାର ପ୍ରବଳରୂପ ଧାରଣ କଲା। ସେତେବେଳେ ଶିଖମାନଙ୍କର ନବମଗୁରୁ ତେଗ୍ ବାହାଦୁର୍ ଆଉରଙ୍ଗଜେବଙ୍କର ଚକ୍ରାନ୍ତ ଫଳରେ ବନ୍ଦୀ ହୋଇ ଆସିଲେ। ବଳପ୍ରୟୋଗପୂର୍ବକ ତେର୍‌ବାହାଦୁରଙ୍କୁ ମୁସଲମାନ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରାଗଲା; କିନ୍ତୁ ସ୍ଵାଧୀନଚେତା, ନ୍ୟାୟଦ୍ରଷ୍ଟା ତେଗ୍ ବାହାଦୁରଙ୍କ ଶିଖ ରକ୍ତ ଧର୍ମାନ୍ତର ଗ୍ରହଣଭୀରୁତାଠାରୁ ମୃତ୍ୟୁକୁ ହିଁ ସେଦିନ ଶ୍ରେୟ ମନେକରି ସ୍ଵାଗତ କରିଥିଲା। ଆଉରଙ୍ଗଜେବ ସର୍ବସାଧାରଣ ସମ୍ମୁଖରେ ରାଜସଭାର ମଧ୍ୟସ୍ଥଳରେ ତେଜ୍ ବାହାଦୁରଙ୍କର ଶିର ଛେଦନ କଲେ। ତଥାପି ଆଉରଙ୍ଗଜେବଙ୍କର ସ୍ଵପ୍ନ ସଫଳ ହୋଇପାରିଲା ନାହିଁ। ଆଉରଙ୍ଗଜେବ କାଳର କରାଳ ମୁଖରେ ଲୋପ ହୋଇଗଲେ, ମାତ୍ର ଶିଖଧର୍ମ ପୃଥ‌ିବୀ ବକ୍ଷରେ ଚିର ଜାଜ୍ଜ୍ୱଲ୍ୟମାନ ହୋଇ ରହିଲା।

ଦଶମ ଗୁରୁ ଏହି ଆଖ୍ୟାୟିକାର ଅଧ୍ୟାନାୟକ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ପିତାଙ୍କ ପ୍ରତି ଏହି ମୃତ୍ୟୁଦଣ୍ଡରୂପୀ ଅପମାନର ପ୍ରତ୍ୟୁତ୍ତର ଦେବାପାଇଁ ଶିଖ ସମ୍ପ୍ରଦାୟର ନେତୃତ୍ବ ଗ୍ରହଣ କଲେ। ଶିଖ ଜାତିକୁ ଏକ ନୂତନ ଜୀବନର ପ୍ରେରଣା ଦେଇ ଏକ ନୂତନ ପ୍ରାଣ ସଂଚାରରେ ଅନୁପ୍ରାଣିତ କରି, ନୂତନ ଉନ୍ମାଦନାରେ ଉତ୍ସାହିତ କରି, ପ୍ରବଳ ମୋଗଲଶକ୍ତି ସମ୍ମୁଖରେ ଶିଖଜାତିର ଉଦ୍ଧତ ଶିରକୁ ଚିରଦିନ ନିମନ୍ତେ ଉନ୍ନତ କରି ରଖଗଲେ। ମୋଗଲ ସାମ୍ରାଜ୍ୟ ଧୂଳିସାତ୍ ହୋଇଗଲା। ବ୍ରିଟିଶ୍ ସାମ୍ରାଜ୍ୟ ମଧ୍ୟ ଇତିହାସର ଆଖ୍ୟାୟିକା ହୋଇଗଲା। ମାତ୍ର ଗୁରୁ ଗୋବିନ୍ଦ ସିଂହଙ୍କର ପ୍ରେରଣାପୂ ତ ଦୁଷ୍କର୍ଷ ଶିଖଜାତି ଅଦ୍ୟାପି ଏକ ଅଜେୟ ଶକ୍ତି ଏବଂ ଅଦ୍ଵିତୀୟ ଯୋଦ୍ଧଜାତି ରୂପେ ଭାରତବର୍ଷରେ ତିଷ୍ଠି ରହିଛି ଏବଂ ରହିଥ‌ିବ। ଗୁରୁ ଗୋବିନ୍ଦ ସିଂହ ଶିଖ ସମ୍ପ୍ରଦାୟର ପ୍ରତ୍ୟେକ ବ୍ୟକ୍ତିକୁ ତାଙ୍କର ନବାବିଷ୍କୃତ ଯୋଦ୍ଧ-ବେଶରେ ସୁସଜ୍ଜିତ କରିଦେଲେ। ପ୍ରତ୍ୟେକ ଶିଖ ଧର୍ମାବଲମ୍ବୀ ପୁରୁଷ, ବ୍ରାହ୍ମଣ ଏବଂ କ୍ଷତ୍ରିୟର ସ୍ଵଧର୍ମାନୁକୂଳ ଆଧ୍ୟାତ୍ମିକତା ତଥା ସାହସିକତା ଘେନି ବୀରପୁଙ୍ଗବ ଓ ଧର୍ମସଂରକ୍ଷକ ମନୁଷ୍ୟରୂପେ ସାଂସାରିକ କ୍ଷେତ୍ରରେ ଅବତରଣ କରିବାକୁ ସେ ଶିକ୍ଷା ଦେଇଗଲେ। ଏହି ଶିଖ ଯୁବକମାନଙ୍କ ନବଜାଗରଣର ନାମକରଣ ହେଲା ‘ଖାଲସା ଅଭ୍ୟୁଦୟ’। ଗୁରୁ ଗୋବିନ୍ଦ ସିଂହ ଏହି ଯୋଦ୍ଧବାହିନୀର ନାମ ଦେଲେ ‘ଖାଲ୍‌ସା’। ପ୍ରତ୍ୟେକ ଖାସା ଏକାଧାରରେ ସାଧୁ ଏବଂ ସୈନିକରୂପେ ନ୍ୟାୟ ଓ ଧର୍ମର ରକ୍ଷା ତଥା ଦୁର୍ବଳର ପ୍ରତିପାଳନ କରିବାପାଇଁ ଆମ୍ବୋତ୍ସର୍ଗ କରିବାକୁ ଯେପରି ସତତ ଉଦ୍ୟତ, ସେହିପରି ଶତ୍ରୁ ବିରୋଧରେ ପ୍ରାଣାନ୍ତକ ସଂଗ୍ରାମ କରି ଜାତିକୁ ରକ୍ଷାକରିବାରେ ପଶ୍ଚାତ୍‌ପଦ ହେଉନଥିଲା। ଏହି ଖାଲସାମାନଙ୍କର ସନ୍ତକ ହେଲା – କେଶ, କଢ଼ା,

କଙ୍ଘା, କାଛା ଓ କୃପାଣ – ପଞ୍ଚ ଞ୍ଚ ‘କ’କାର। ସଙ୍ଗେ ସଙ୍ଗେ ଖାଲ୍ସା ଧର୍ମର ସଂରକ୍ଷଣ ପାଇଁ ପ୍ରତ୍ୟେକ ଶିଖକୁ ପ୍ରତିଜ୍ଞା କରିବାକୁ ହେଉଥିଲା ଯେ, ସେ ଯଶନାଶ, କୁଳନାଶ, ଧର୍ମନାଶ, କର୍ମନାଶର ଚରମ ତ୍ୟାଗ ପାଇଁ ପ୍ରସ୍ତୁତ ହୋଇ ରହିବ।

ଏହି ଆତ୍ମତ୍ୟାଗର ଆଦର୍ଶ ଘେନି, ଶିଖଜାତି ଅତ୍ୟାଚାରିତ ଭାରତକୁ ସେଦିନ ଆଶାର ମନ୍ଦ୍ରବାଣୀ ଶୁଣାଇଥିଲା। ପ୍ରତ୍ୟେକ ଶିଖ ମୁଖରୁ ସେଦିନ ଧ୍ଵନିତ ହୋଇଉଠୁଥିଲା – ‘ଜୟ ଗୁରୁ ଗୁରୁଜୀକି ଜୟ।’

ଶେଷ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ କରି ସତରଶହ ଆଠ ଖ୍ରୀଷ୍ଟାବ୍ଦରେ ଦାକ୍ଷିଣାତ୍ୟର ଗୋଦାବରୀ ତଟରେ ଗୁରୁ ଗୋବିନ୍ଦ ସିଂହଙ୍କର ଦେହାବସାନ ହେଲା।

ଗୁରୁ ଗୋବିନ୍ଦ କେବଳ ଜଣେ ଯୋଦ୍ଧା, ରାଷ୍ଟ୍ରନିର୍ମାତା ଓ ଧର୍ମଗୁରୁ ନଥିଲେ। ତାଙ୍କର ରଚିତ ‘ବିଚିତ୍ର ନାଟକ’ ତାଙ୍କର କବି-ହୃଦୟ ଏବଂ ସର୍ବତୋମୁଖୀ ପ୍ରତିଭାର ସାକ୍ଷ୍ୟ ପ୍ରଦାନ କରେ।

About the author

हिंदीभाषा

Leave a Comment

You cannot copy content of this page