ଜନ୍ମ : ୧୩.୧.୧୮୪୩,
ମୃତ୍ୟୁ : ୧୪.୬, ୧୯୧୮
ଓଡ଼ିଆ କଥା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ତଥା ଓଡ଼ିଆ ଜାତୀୟତାର କଣ୍ଠଧାର ବ୍ୟାସକବି ଫକୀରମୋହନ ସେନାପତି ୧୮୪୩ ମସିହା ଜାନୁୟାରୀ ୧୩ ତାରିଖ ମକର ସଂକ୍ରାନ୍ତି ତିଥିରେ ବାଲେଶ୍ବର ସହରସ୍ଥ ମଲ୍ଲିକାଶପୁରରେ ଜନ୍ମଗ୍ରହଣ କରିଥିଲେ। ପିତା ଲକ୍ଷ୍ମଣ ଚରଣ ଓ ମାତା ତୁଳସୀ ଦେବୀ। ଅତି ପିଲାଟି ଦିନରୁ ସେ ପିତାମାତାଙ୍କୁ ହରାଇ ଜେଜେମାଆ କୁଚିଳା ଦେଈଙ୍କ ଦ୍ଵାରା ଲାଳିତପାଳିତ ହୋଇଥିଲେ। ପିତୃଦତ୍ତ ନାମ ବ୍ରଜମୋହନ ଥିଲା। ମାତ୍ର ଶୈଶବରେ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥିବାରୁ ଜେଜେମାଆ ମହରମବେଳେ ତାଙ୍କୁ ଫକୀର କରାଇ ଦେଇଥିଲେ। ତେଣୁ ତାଙ୍କ ନାମଫକୀରମୋହନ ହେଲା। ବହୁ ଘାତପ୍ରତିଘାତ ମଧ୍ଯରେ ସେ ପ୍ରଥମେ ଶିକ୍ଷକତା କରିଥିଲେ। ପରବର୍ତୀ ସମୟରେ ଦେୱାନ ହୋଇଥିଲେ। ଓଡ଼ିଆ ଭାଷାର ସୁରକ୍ଷା ନିମିତ୍ତ ସେ ଆଗେଇ ଆସିଥିଲେ। ସେ ‘ବୋଧଦାୟିନୀ’ ନାମରେ ସାହିତ୍ୟ ପତ୍ରିକା ପ୍ରକାଶ କଲେ। ଏହା ମାଧ୍ୟମରେ ସେ ଓଡ଼ିଆ ଭାଷାକୁ ବଳିଷ୍ଠ କରିବାର ପ୍ରତିଜ୍ଞା ଗ୍ରହଣ କରିଥିଲେ। ବାଲେଶ୍ବରରେ ନାରୀ ଶିକ୍ଷାର ପ୍ରସାର, ପ୍ରଥମ ଛାପାଖାନା ସ୍ଥାପନ ମଧ୍ୟ ସେ କରିଥିଲେ।
୧୮୬୬ ରୁ ୧୯୧୮ ଯାଏ ତାଙ୍କର ଲେଖନୀ ଚାଳନା ଅବ୍ୟାହତ ରହିଥିଲା। ଯାହାର ଫଳସ୍ଵରୂପ ସେ ରାମାୟଣ, ମହାଭାରତ, ଶ୍ରୀମଦ୍ଭାଗବତ ଗୀତା, ଉପନିଷଦ, ଆଦିକୁ ଓଡ଼ିଆରେ ଅନୁବାଦ କରିଥିଲେ। ବୌଦ୍ଧାବତାର କାବ୍ୟ, ପୁଷ୍ପମାଳା, ଉପହାର, ଅବସର ବାସରେ, ଧୂଳି ଆଦି କବିତା ରଚନା କରିଛନ୍ତି। ସେ ଛ ମାଣ ଆଠଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ ଭଳି ଉପନ୍ୟାସ, ଗଳ୍ପସ୍ଵଳ୍ପ ୨ଭାଗ, ‘ଉତ୍କଳ ଭ୍ରମଣ’ ଆଦି ଲେଖୁଛନ୍ତି। ତାଙ୍କ ଆତ୍ମଜୀବନୀ ‘ଆତ୍ମଜୀବନ ଚରିତ’ ୧୯୧୮ ରେ ପ୍ରକାଶ ପାଇଥିଲା ଏହା ଓଡ଼ିଆ ଭାଷାର ପ୍ରଥମ ଆତ୍ମଜୀବନୀ ପୁସ୍ତକ। ତାଙ୍କ ଲିଷ୍କୃତ ‘ରେବତୀ’ ଗଛ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ।
୧୯୧୬ ମସିହାରେ ବାମଣ୍ଡାର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ତାଙ୍କୁ ‘ସରସ୍ୱତୀ’ ଉପାଧ୍ ପ୍ରଦାନ କରିଥିଲେ। ଜୀବନର ଶେଷଭାଗକୁ ସେ ବହୁତ ପୀଡ଼ାଗ୍ରସ୍ତ ହୋଇ ଅତି ମର୍ମନ୍ତୁଦ ଭାବରେ ୧୯୧୮ ମସିହା ଜୁନ୍ ୧୪ ତାରିଖ ରଜ ସଂକ୍ରାନ୍ତିର ଏକ ବର୍ଷଣମୁଖର ବେଳାରେ ମୃତ୍ୟୁବରଣ କରିଥିଲେ।
୮ମ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନିତ ତାଙ୍କର ଗଳ୍ପ ‘ଡାକମୁନ୍ସି’ ‘ଗଳ୍ପସ୍ଵଳ୍ପ’ ପୁସ୍ତକରୁ ସଂଗୃହୀତ। ଏଥିରେ ଏକ ଇଂରେଜୀ ପଢୁଆ ପୁତ୍ରର ନିରୀହ ପିତା ପ୍ରତି ହୋଇଥବା ଅତ୍ୟାଚାର ସଂପର୍କରେ ବର୍ଣ୍ଣିତ ହୋଇଛି।