ସ୍ଵର ନୁହେଁ – ନାଦବ୍ରହ୍ମ – ସ୍ବର, ନାଦ ହିଁ ସ୍ୱୟଂ ଭଗବାନ। ଅନାଦି ଅନନ୍ତ। ସେଥିପାଇଁ ଉପାସ୍ୟ ସ୍ବରର ସେବା ଏକ ଅସାଧ୍ୟ ସାଧନା। ସ୍ଵର-ସାଧକ, ସ୍ୱର-ସିଦ୍ଧ ପୁରୁଷ ପରମଯୋଗୀ।
ଭାରତର ବହୁ ସ୍ଵର-ସାଧକ, ନାଦବ୍ରହ୍ମର ଉପାସକ, ଯୋଗୀ ସେତେବେଳକୁ ପ୍ରାଗୈତିହାସିକ ଯୁଗର ଅନ୍ଧକାର ମଧ୍ୟରେ ବିଲୁପ୍ତ। ଅବଶେଷ ମାତ୍ର ଗୋଟାଏ ପରମ୍ପରା। ବୈଦିକ ଯୁଗର ସାମଗାନ ସେହି ସ୍ଵରସାଧନାର ବୀଜମନ୍ତ୍ର। ସେହି ବୀଜମନ୍ତ୍ରରୁ କେତେବେଳେ କିପରି କ୍ରମରେ ବିଖ୍ୟାତ ‘ଧ୍ରୁବପଦ’ ଶ୍ରେଣୀୟ ରାଗସମ୍ବଳିତ ସ୍ବର-ବିଜ୍ଞାନ ଆବିଷ୍କୃତ ହେଲା, ଇତିହାସ ତାହା ଲିପିବଦ୍ଧ କରିନାହିଁ – ପୁରାଣରେ ତାର ଉଲ୍ଲେଖ ମଧ୍ୟ ନାହିଁ। ମାତ୍ର ସେହି ଅମର ବୈଖରୀ ନିଜେ ନିଜର ଅସ୍ତିତ୍ବ – ନିଜେ ନିଜର ଇତିବୃତ୍ତ ଆବୃତ୍ତି କରିବାରେ କେବେ ଅବହେଳା କରିନାହିଁ ଏ ଦେଶରେ।
କିନ୍ତୁ ଘୋର ଦୁର୍ଭାଗ୍ୟବଶତଃ ସେହି ସ୍ଵର-ବିଜ୍ଞାନ ସାଧକମାନଙ୍କ ଅଭାବରୁ ଯେତେବେଳେ ଲୁପ୍ତପ୍ରାୟ ହୋଇଆସିଲା, ସେତେବେଳେ ଭଗୀରଥ ଗଙ୍ଗା ଅବତରଣ କଲା ପରି ସ୍ଵରସ୍ରୋତରେ ଯେଉଁ ଯୋଗୀ ଭାରତବର୍ଷକୁ ତନ୍ମୟ କରିଦେଇଥିଲେ ସେହି ସୁଧୀ ସୁଧୀର, ସୁକଣ୍ଠ, ତାନିଧ୍ୟାନୀ ତାନସେନ, ଆକବରଙ୍କ ରାଜସଭାର ସର୍ବଶ୍ରେଷ୍ଠ ସୁଗାୟକ ତାନସେନ – ବିଗତ ଏକହଜାରବର୍ଷରୁ ତଦବଧୂ ଯାହାଙ୍କର ସମକକ୍ଷ କେହି ଜନ୍ମଲାଭ କରିନାହାନ୍ତି ବୋଲି ଆବୁଲଫାଜଲଙ୍କ ଆଇନ ଆକବରୀରେ ବର୍ଣ୍ଣିତ ଅଛି ସେହି ତାନ ସେନଙ୍କର ଜୀବନୀ ଆଜି ଅନ୍ଧକାରଗର୍ଭରେ। ତଦୁପରି ଆଲୋକ ସଂପାତର କୌଣସି ଉପାୟ ନାହିଁ। ଗୋଟାଏ ଅମୃତମୟ ଲଳିତ ସ୍ୱରର ଝଙ୍କାର ପରି ସେ ସୁଦୂର ଗଗନରେ ଯେପରି ତରଙ୍ଗାୟିତ ହୋଇ ମିଶିଯାଇଛନ୍ତି।
ଜନଶ୍ରୁତିରୁ ମାତ୍ର ଜଣାଯାଏ ଷୋଡ଼ଶ ଶତାବ୍ଦୀରେ ତାଙ୍କର ଆବିର୍ଭାବ। ଜନ୍ମସ୍ଥାନ ଗ୍ବାଲିୟର। ପିତାଙ୍କର ନାମ ଥିଲା ମକରେନ୍ଦ୍ର ପାଣ୍ଡେୟ। ବୃନ୍ଦାବନରେ ଏକ ପ୍ରସିଦ୍ଧ ସାଧକ ହରିଦାସ ସ୍ଵାମୀଙ୍କଠାରୁ ସେ ସର୍ବପ୍ରଥମେ ସ୍ଵରଜ୍ଞାନ ଲାଭକରିଥିଲେ।
ସେହି ସାଧନ ଅବସ୍ଥାରେ ହିଁ ସେ ପଠାଣ ବାଦଶାହ ଶେରଶାହଙ୍କ ପୁତ୍ର ଦୌଲତ ଖାଁଙ୍କ ନିକଟରେ ଅବସ୍ଥାନ କରୁଥିବାର ଜଣାଯାଏ। ଦୌଲତ ଖାଁଙ୍କ ମୃତ୍ୟୁ ପରେ ରୀବା ଅଳ୍ପପତି ରାମଚନ୍ଦ୍ର ସିଂହ ବଘେଲେଙ୍କ ନିକଟକୁ ଚାଲିଯାଇଥିଲେ। ଆକବର ସେହିଠାରୁ ତାଙ୍କୁ ଆବିଷ୍କାର କରି ଆପଣାର ଦରବାରକୁ ବିମଣ୍ଡିତ କରିଥିଲେ – ପନ୍ଦରଶହ ବାଷଠି ଖ୍ରୀଷ୍ଟାବ୍ଦରେ। ଏହି ସମୟରୁ ହିଁ ଗାୟକରନ୍ ତାନସେନଙ୍କର ସୁଖ୍ୟାତିସମନ୍ବିତ ଦିବ୍ୟଜୀବନର ଅୟମାରମ୍ଭ। ଗୋଟିଏ ନୈଷ୍ଠିକ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରି ବୈଷ୍ଣବପ୍ରବର ହରିଦାସଙ୍କଠାରୁ ସ୍ଵର ଶିକ୍ଷା ଏବଂ ନାଦଦୀକ୍ଷା ପ୍ରାପ୍ତ ହୋଇ, ଏହି ସ୍ଵରଧର୍ମୀ ନିଷ୍ପାବାନ୍ ପୁରୁଷ ଗୋଟିଏ ମୁସଲମାନ ତରୁଣୀ ପ୍ରେମରେ ବଶୀଭୂତ ହେବା କାରଣରୁ ହେଉ ଅଥବା ବିଖ୍ୟାତ ମୁସଲମାନ୍ ସଙ୍ଗୀତଜ୍ଞ ଶେଖ୍ ଗୌସଙ୍କ ଘନିଷ୍ଠ ସମ୍ପର୍କରେ ଆସିଥ୍ ସମୟରେ ମହମ୍ମଦ ଗୌସ ତାନସେନଙ୍କର ଜିହ୍ବାରେ ନିଜ ଜିହ୍ଵା ସ୍ପର୍ଶ କରି ତାନସେନଙ୍କୁ ସଙ୍ଗୀତ କଳାନୈପୁଣ୍ୟ ଦାନ କରିବା ପରେ ତାନସେନ ମୁସଲମାନ ଧର୍ମ ଗ୍ରହଣ କରିଥାନ୍ତୁ ଅବା ନଥାନ୍ତୁ, ଏହା କଠୋର ସତ୍ୟ ଯେ ତାନସେନଙ୍କର ସ୍ବର ଏବଂ ତାନର ଅପୂର୍ବ ସମାବେଶ ତାଙ୍କର ସଙ୍ଗୀତ ଏବଂ ସଙ୍ଗୀତର ନୈସର୍ଗିକ ଉପଚାର କୌଣସି ଧର୍ମ ବା ଧର୍ମାଚରଣର ଗଣ୍ଠି ମଧ୍ୟରେ ଆବଦ୍ଧ ରହିବା ଅସମ୍ଭବ।
ସ୍ୱରର କୌଣସି ଧର୍ମ ନାହିଁ। ସ୍ବର ସ୍ଵୟଂ ଧର୍ମରୂପୀ ଭଗବାନ। ସେ ଧର୍ମଧାରଣା ଅଥବା ଅବଧାରଣାର ବହିର୍ଭୂତ। ସେ ସାକ୍ଷାତ୍ ନାଦବ୍ରହ୍ମ। ତାନସେନ ହିନ୍ଦୁ ନଥିଲେ, ମୁସଲମାନ ନଥିଲେ – ଥିଲେ ନିଷ୍ଠାପର ଜଣେ ଆବିଷ୍ଟ ସ୍ଵରଧର୍ମୀ।
ଏହି ସ୍ଵର ରାଜ୍ୟର ଭାଷା ସ୍ଵତନ୍ତ୍ର, ଧର୍ମ ସ୍ବତନ୍ତ୍ର – ଏହାର ଉପଜୀବ୍ୟ ମଧ୍ୟ ସ୍ୱତନ୍ତ୍ର। ତାନସେନ ସେହି ଭାଷା, ସେହି ଜୀବିକା ଏବଂ ସେହି ଧର୍ମରେ ଦକ୍ଷତା, କୌଶଳ ଏବଂ ଅପୂର୍ବ ପାଟବ ଲାଭକରି ଜଗତକୁ ଏକ ନୂତନ ଦିବ୍ୟକଳାର ଆଲୋକ ଦାନ କରିଯାଇଛନ୍ତି।
ସ୍ଵର ମନ୍ତ୍ରରାଜ–ମନ୍ତ୍ରାଧ୍ୟ– ମନ୍ତ୍ରଶ୍ରେଷ୍ଠ ଏକ ବୈଖରୀ ଶକ୍ତି। ସିଦ୍ଧ ସାଧକର ମୁଖନିଃସୃତ ଏ ସ୍ବର ପୃଥିବୀରେ ଅସମ୍ଭବକୁ ସମ୍ଭବ କରିପାରେ। ତାନସେନ ସେହି ବିଶ୍ବବଶୀକରଣମନ୍ତ୍ର – ସ୍ବରଶକ୍ତିର ଆଳାପନ ଏବଂ ଆଲୋଡ଼ନରେ ବ୍ରହ୍ମାର ସର୍ଜନାକୁ ଅତିକ୍ରମ କରି, ସମ୍ପୂର୍ଣ୍ଣ ନୂତନ ସୃଷ୍ଟିର ସନ୍ଧାନ ଦେଇପାରିଥିଲେ। ତାନସେନ ସ୍ଵ-ରଚିତ ସ୍ଵରକାବ୍ୟର ପଦାବଳୀ କଣ୍ଠରେ ଧରି ଯେତେବେଳେ ମେଘମସ୍କାର ରାଗରେ ସଙ୍ଗୀତର ମୂର୍ଚ୍ଚନା ଦିଅନ୍ତି, ସେତେବେଳେ ଅସମୟରେ ମଧ୍ୟ ଆକାଶରେ ମେଘପଟଳ ଉଦିତ ହୋଇ ଅଜସ୍ର ବର୍ଷା-ବାରିରେ ଅବନୀ ଜଳସିକ୍ତ କରିବାର ଦେଖାଯାଉଥିଲା। ସେହି ଦୀପ୍ତିମାନ ପୁରୁଷଙ୍କର ଦୀପକ ରାଗରେ ନିର୍ବାପିତ ପ୍ରଦୀପ ମଧ୍ୟ ଉଦ୍ଦୀପ୍ତ ହୋଇଉଠୁଥିଲା। ତାନସେନ ତାଙ୍କର ଅସୀମ ସାଧନା ବଳରେ ପ୍ରମାଣିତ କରିଯାଇଛନ୍ତି ସେ ସ୍ଵରକଳା ହିଁ ପୃଥିବୀର ଶ୍ରେଷ୍ଠକଳା।
‘ମହ୍ଲାର’ ଓ ‘ଦରବାରୀ କାନଡ଼ା’ ଏହି ବିଶିଷ୍ଟ ଦୁଇଟି ସ୍ଵରର ରଚୟିତା ଥିଲେ ସ୍ବୟଂ ସ୍ଵରସ୍ରଷ୍ଟା ତାନସେନ। ସେ ନିଜେ ସଙ୍ଗୀତ ରଚନା ମଧ୍ୟ କରିପାରୁଥିଲେ। ଏହି ରଚନାଗୁଡ଼ିକ ତାନସେନଙ୍କ ଭାବପ୍ରବଣ କବି ହୃଦୟର ଯଥେଷ୍ଟ ପରିଚୟ ଦିଏ ଏବଂ ସେହି ସଙ୍ଗୀତମୟ ଲଳିତ ପଦାବଳୀ ଅଦ୍ୟାବଧୂ ଉତ୍ତର-ଭାରତର ହିନ୍ଦୁସ୍ଥାନୀ ସଙ୍ଗୀତି ଗବେୟାମାନଙ୍କର ବେଦମନ୍ତ୍ର – ଘୋଷା ପଦ।
ତାନସେନଙ୍କ ସମୟରେ ସତେ ଯେପରି ଭାରତୀୟ ସଙ୍ଗୀତ-ସାଗରରେ ଉଚ୍ଛଳ ତରଙ୍ଗ ଉଦ୍ବେଳିତ ହୋଇଉଠିଥିଲା। ସ୍ଵାମୀ। ସାମୀ ହରିଦାସ ବୈଜୁବାଓରା ସୋରିମିଆଁ ତଥା ଆମର ଏହି ଜନ୍ମଭୂମି ଉତ୍କଳର ଏକ ବିଖ୍ୟାତ ସ୍ଵରସାଧକ ଶ୍ରୀ ଗୋପାଳ ନାୟକ ତାନସେନଙ୍କର ସମସାମୟିକ।
ଭାରତୀୟ ସ୍ବରବିଜ୍ଞାନରେ ଖେୟାଲ୍, ଟପ୍ପା, ଠୁମୁରୀ ଆଦି ସଙ୍ଗୀତ ପଦ୍ଧତି ଏହି ସ୍ଵରସିଦ୍ଧ ପୁରୁଷମାନଙ୍କର ଭାରତକୁ ମହାଦାନ।