ଓଡ଼ିଆ ଖଣ୍ଡ

ସିଦ୍ଧମୁନି ସାରଳାଦାସ

ମନୁଷ୍ୟ ତାର ବିକାଶପଥରେ ବହୁ ଅସାଧ୍ୟ ସାଧନାର ପରିଣାମ ସ୍ବରୂପ ଯେଉଁ ମହାମାନବତ୍ଵ ପ୍ରାପ୍ତ ହୁଏ, ତାହାର ତିନୋଟି ଧାରା ପ୍ରସିଦ୍ଧ। କେହି କେହି ଉଚ୍ଚତମ ଆସନାରୂଢ ଈଶ୍ଵରକୋଟିର ପୁରୁଷ ଲୋକସଂଗ୍ରହ ଓ ଲୋକକଲ୍ୟାଣ ନିମନ୍ତେ ପୃଥ‌ିବୀପୃଷ୍ଠରେ ଅବତରଣ କରିଥାନ୍ତି– ଏମାନେ ଜନ୍ମସିଦ୍ଧ ଅବତାର। କେହି କେହି ସ୍ୱୀୟ ସାଧନା, ପ୍ରଗାଢ ଅଧ୍ୟବସାୟ ବଳରେ ସିଦ୍ଧି ଲାଭ କରି ସାଧାରଣ ମନୁଷ୍ୟକୁ ପ୍ରେରଣା, ଉତ୍ସାହ ଏବଂ ଉଦ୍‌ଦୀପନା ଦେଇଥାନ୍ତି – ଏମାନେ ତପଃସିଦ୍ଧ ମହାତ୍ମା। ଆଉ କେତେକ ଗୁରୁ ବା ଈଶ୍ଵର କୃପାବଳରେ ମହାମାନବତ୍ବ, ତପଃସିଦ୍ଧି ଏପରିକି ଅବତାରୋପମ ସମସ୍ତ ଶକ୍ତିର ଅଧିକାରୀ ହୋଇଥାନ୍ତି। ସିଦ୍ଧମୁନି ସାରଳା ଦାସ ଶେଷୋକ୍ତ ପର୍ଯ୍ୟାୟଭୁକ୍ତ କୃପାସିଦ୍ଧ ପୁରୁଷ।

ଈଶ୍ଵର ରାଜ୍ୟରେ ଉଚ୍ଚନୀଚ ଭେଦ ଏକ ସାମାଜିକ ଅପପ୍ରଥା – ଧନୀ ନିର୍ଧନ, ଜାତି ଅଜାତି, ମୂର୍ଖ ମତିମାନ୍ ସମସ୍ତେ ଯେ ଏକ ଈଶ୍ଵରଙ୍କ ସନ୍ତାନ, ଏ ସତ୍ୟକୁ ଦୃଷ୍ଟାନ୍ତ ସହକାରେ ପ୍ରମାଣ କରିବାର ଦାୟିତ୍ଵ ବହନକରି ଯେପରି ଏହି ଉତ୍କଳର ଏକ କ୍ଷୁଦ୍ର ପଲ୍ଲୀରେ – ତାହା ଆଧୁନିକ ଝଙ୍କଡ ହେଉ ବା ଚନ୍ଦ୍ରଭାଗା ନିକଟସ୍ଥ କୌଣସି ‘ଝଙ୍କରପୁର’ ହେଉ – ତାହା ପଞ୍ଚଦଶ ଶତାବ୍ଦୀର ଆଦ୍ୟଭାଗ ହେଉ ଅଥବା ନବମ-ଶତାବ୍ଦୀର ସନ୍ଧିକ୍ଷଣରେ ହେଉ – ଗୋଟିଏ ଶୂଦ୍ର କୁଳରେ କ୍ଷୀଣସ୍ଥ ତି ଓ କ୍ଷୀଣମେଧା ଘେନି ବହୁ ସହୋଦର ସହୋଦରାଙ୍କ ଆଦର ଆନନ୍ଦ ମଧ୍ଯରେ ଜନ୍ମଗ୍ରହଣ କରିଥିଲେ ଶିଶୁ ସିଦ୍ଧେଶ୍ୱର। ସତେ ଯେପରି ଦେବୀ ସାରଳାଙ୍କ କୃପାସିଦ୍ଧ ମୁନି ହେବାପାଇଁ ପୂର୍ବ ନିର୍ଦ୍ଦିଷ୍ଟ କ୍ରମେ ତାଙ୍କର ନାମ ସିଦ୍ଧେଶ୍ଵର ହୋଇଥିଲା।

ଭାଇଭଉଣୀମାନଙ୍କ ମଧ୍ୟରେ ଜ୍ଞାନ ବିଦ୍ୟାବୁଦ୍ଧିରେ ଅତ୍ୟନ୍ତ କ୍ଷୁବ୍‌ଧ ହୋଇ ଦେବୀ ସାରଳାଙ୍କ ଶରଣାପନ୍ନ ହେଲେ। ସାରଳାଙ୍କ ପ୍ରସାଦବଳରେ ସେ ପ୍ରାକୃତ ବା ମାତୃଭାଷାରେ ମହାଭାରତର ପୁନଃସଂକଳନ ଆରମ୍ଭକଲେ।

ଏହା ଅବଶ୍ୟ ଗୋଟାଏ ଅଘଟନ ଘଟନା। ତଥାପି ସାରଳାଦାସ ନିଜେ ସ୍ଵୀକାର କରିଛନ୍ତି ତାଙ୍କରି ନିଜ ଭାଷାରେ – ‘ମୂର୍ଖ ମୁହିଁ ଅପଣ୍ଡିତ ଶାସ୍ତ୍ର ହିଁ ନ ଜାଣେ।’’ ମୋର ବୁଦ୍ଧି, ଧ୍ୟାନ, ଜ୍ଞାନ, ଯୋଗ, ଲୟ କିଛି ହେଲେ ନାହିଁ – ଗ୍ରନ୍ଥଭେଦ କରିବାକୁ ଅବା ଶକ୍ତି କାହୁଁ ଆସିବ ! ମୁଁ ଜନ୍ମରୁ ମୂର୍ଖ-ବିଦ୍ୟାହୀନ – ଜପମନ୍ତ୍ର ଜାଣେ ନାହିଁ। ପଣ୍ଡିତଙ୍କ ସଙ୍ଗେ ବସି ସମାଧୂ ସାଧ୍ ନାହିଁ। ବିପ୍ରଗୋଷ୍ଠୀରେ ନ ବସି କୁସ୍ଥାନରେ ବସିଛି। ମୁଁ ଅଯଶୀ, ଅକର୍ମା, ଅକ୍ଷରହୀନ – ସନ୍ଧିବ୍ୟୁତ୍ପତ୍ତି ମୋତେ ଅଗୋଚର। କେବଳ ସାରଳାଙ୍କ କୃପାରେ ଅଦୃଷ୍ଟିକି ଦୃଷ୍ଟି କରାଇଲି। ପଦରଚନାରେ ମୋର ପ୍ରତିଜ୍ଞା ବା ପ୍ରଶଂସା ନାହିଁ – ସାରଳାଙ୍କ ଆଜ୍ଞାରେ ମାତ୍ର ଲେଖୁଛି।

ହୁଏତ ଏହା ସାରଳାଙ୍କ ଦୈନ୍ୟାକ୍ତ ହୋଇପାରେ। ତଥାପି ସେକାଳରେ ଶୂଦ୍ରମାନଙ୍କର ଶାସ୍ତ୍ରଜ୍ଞାନ ଲାଭକରିବା ଯେପରି କଠିନ ଥିଲା, ଜାତିରେ ଚଷା ଶୂଦ୍ର ସାରଳା ଦାସ ଯେ ଜଣେ ବ୍ୟକ୍ତିକ୍ରମ ବ୍ୟକ୍ତିରୂପେ ‘ସାରଳା ମହାଭାରତ’ ସଦୃଶ ପ୍ରକାଣ୍ଡ ମହାକାବ୍ୟ ରଚନା କରିବାର ଶକ୍ତି ଧାରଣ କରିବା ପୂର୍ବରୁ ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇପାରିଥିଲେ ଏହା ମଧ୍ୟ ଅଳ୍ପ ଅଯୁକ୍ତିକର ମନେହୁଏନାହିଁ।

ପୁଣି କେବଳ ପାଣ୍ଡିତ୍ୟଦ୍ଵାରା ଯେ ମହାକାବ୍ୟ ରଚନା ସମ୍ଭବ, ଏ କଥା କହିବା ମଧ୍ୟ ନିରର୍ଥକ। ତେଣୁ ଦେବୀକୃପାବଳରେ ହେଉ ନହେଉ, ଶ୍ରୀ ସିଦ୍ଧେଶ୍ଵର ବା ସାରଳାକୃପା ପ୍ରାପ୍ତ ସାରଳା ଦାସ ଯେ ଉତ୍କଳ ଇତିହାସରେ ଜଣେ ଅସାଧାରଣ ପୁରୁଷ ଏ କଥା କେହି ଅସ୍ବୀକାର କରିପାରିବେନାହିଁ।

ବ୍ୟାସକୃତ ମହାଭାରତ ସମଗ୍ର ଭାରତର ମହାଭାରତ ହୋଇପାରେ; ମାତ୍ର ଏହା ଏପରି ଆଦର୍ଶାନୁରଞ୍ଜିତ ଯେ ସାଧାରଣ ଧାରଣାର ବହିର୍ଭୂତ, ଏହାର ପ୍ରତ୍ୟେକ ଚରିତ୍ର ଅତି ବାସ୍ତବ ବା କିୟଦଂଶରେ ଅତି ଅବାସ୍ତବ ମନେହୁଏ। ମାତ୍ର ସାରଳାକୃତ ଓଡିଆ ମହାଭାରତ, ଖାଣ୍ଟି ଓଡିଶା ଦେଶର ପାଣିପବନରେ, ଓଡିଶା ମାଟିରେ ପରିପୁଷ୍ଟ ସ୍ତ୍ରୀ-ପୁରୁଷଙ୍କର ସହଜ ସରଳ ପ୍ରାକୃତିକ ଜୀବନ କିପରି ଆଦର୍ଶର ପୁଟରେ ବିମଣ୍ଡିତ ଓ ସୌଷ୍ଠବମୟ ତାହାରି ଅବିକୃତ ଚିତ୍ରଣରେ ପରିପୂର୍ଣ୍ଣ।

ସାରଳା ଦାସଙ୍କ ପୂର୍ବରୁ ଓଡିଶାର ପାର୍ଶ୍ଵବର୍ତ୍ତୀ କୌଣସି ପ୍ରାକୃତ ଭାଷାରେ ଏତେବଡ ବିରାଟ ଗ୍ରନ୍ଥ ରଚିତ ହୋଇନାହିଁ। ତେଣୁ ସାରଳା ମହାଭାରତର ପ୍ରସିଦ୍ଧି ଓ ପ୍ରଚଳନ ବଙ୍ଗ ଦେଶରେ ମଧ୍ୟ ପରିବ୍ୟାପ୍ତ ହୋଇଥିଲା ଏବଂ ସାରଳା ପରବର୍ତ୍ତୀ କାଶୀରାମ ଦାସ ତାଙ୍କର ‘ମହାଭାରତର କଥା ଅମୃତ ସମାନ’ ସାରଳା ଦାସଙ୍କ ଗ୍ରନ୍ଥର ଅନୁସରଣରେ ହିଁ ରଚନା କରିଥିଲେ।

ମହାଭାରତ ବ୍ୟତୀତ ଚଣ୍ଡୀପୁରାଣ ଓ ବିଲଙ୍କା ରାମାୟଣ ସାରଳାକୃତ ଅନ୍ୟ ଦୁଇଟି ପ୍ରଧାନ ଗ୍ରନ୍ଥ। ଚଣ୍ଡୀପୁରାଣ ସଂସ୍କୃତ ଶ୍ରୀଚଣ୍ଡୀର ଅନୁସାରୀ ମାତ୍ର; ପୂର୍ଣ୍ଣ ଅନୁବାଦ ନୁହେଁ। ବିଲଙ୍କା ରାମାୟଣ ଶ୍ରୀ ସାରଳା ଦାସଙ୍କର ସମ୍ପୂର୍ଣ୍ଣ କପୋଳ-କଳ୍ପିତ। ଏହି ଉପାଖ୍ୟାନ ଭାରତର ମାତୃଜାତିକି ଯେପରି ସର୍ବୋଚ୍ଚ ସ୍ଥାନ ଦେଇଛି, ସେପରି ଆଦର୍ଶ ସମସାମୟିକ କୌଣସି ଗ୍ରନ୍ଥରେ ଦୃଷ୍ଟିଗୋଚର ହୁଏନାହିଁ।

ଚନ୍ଦ୍ରଭାଗାରେ ତିଳସପ୍ତମୀ ଯାତ୍ରା। ଏ ଦିନ ଏବେ ବି ଓଡିଶାର ସ୍ଥାନେ ସ୍ଥାନେ ମୁନିମେଳା ହୁଏ। ବହୁ ଲୋକ ଏକତ୍ର ହୋଇ ପୂଜା ଆରାଧନା କରନ୍ତି। ଏହା ହିଁ ଏଦେଶ ପାଇଁ, ଏ ଦେଶ ହିତାର୍ଥେ ଜୀବନଧାରଣ କରିଥିବା ଜଣେ ସିଦ୍ଧ ମହାପୁରୁଷଙ୍କ ପ୍ରତି ଜାତିର ଶ୍ରାଦ୍ଧ ଅର୍ପଣ।

ସାରଳା ଦାସଙ୍କ ସମାଧ୍ ଉପରେ ବିରାଟ ଗୋଟାଏ ଜଟା ଗଛ କେବେ ଜନ୍ମି ପୁଣି କାଳଗର୍ଭରେ ଲୀନ ହୋଇଗଲାଣି। ମାତ୍ର ଶୂଦ୍ରମୁନି ସାରଳା ଏବେ ମଧ୍ୟ ଏ ଜାତିର ବହୁ ଦଳିତ-ପତିତଙ୍କର ଆଶା ଓ ଭରସାର ସ୍ଥଳ – ମୁନିଗୋସାଇଁ – ଏ ଜାତିର ସାହିତ୍ୟ-ସୌଧର ଭିଭି-ପ୍ରତିଷ୍ଠାତା।

ସାରଳାଙ୍କ ମହାଭାରତ ବହୁ ଶତାବ୍ଦୀ ପୂର୍ବେ ଦାଣ୍ଡିବୃତ୍ତରେ ଲିଖ୍ ହୋଇଥିଲା। ଏଥୁରୁ ପ୍ରମାଣିତ ହୁଏ ଯେ ଆଧୁନିକ କବିତାର ମୁକ୍ତଛନ୍ଦ ପାଶ୍ଚାତ୍ୟ କବିତାର ଅନୁକରଣ ନୁହେଁ – ଏହା ଆମରି ପରମ୍ପରା ମାତ୍ର।

About the author

हिंदीभाषा

Leave a Comment

You cannot copy content of this page