ଓଡ଼ିଆ ଖଣ୍ଡ

ଆଦିକବି ବାଲ୍ମୀକି

ମା ନିଷାଦ ପ୍ରତିଷ୍ଠା ତ୍ଵମଗମଃ ଶାଶ୍ଵତଃ ସମାଃ

ଯକ୍ରୌଞ୍ଚମିଥୁନା ଦେକମବଧଃ କାମମୋହିତଂ।

ଏକ ପ୍ରଣୟ-ବିହ୍ଵଳ କ୍ରୌଞ୍ଚଦମ୍ପତି ମନୋରମ ବନାନୀର ନିଭୃତ ତରୁଶାଖାରେ ଆନନ୍ଦର କଳରବ ତୋଳୁଥିଲେ। ହଠାତ୍‌ ସେ ଆନନ୍ଦର ରବ କ୍ରନ୍ଦନରୋଳରେ ପରିଣତ ହୋଇଗଲା। ବ୍ୟାଧର ନିର୍ମମ ତୀକ୍ଷ୍ଣଣ ଶରାଘାତରେ କ୍ରୌଞ୍ଚଯୁଗଳରୁ ଗୋଟିଏ ଭୂତଳରେ ନିପତିତ ହେଲା। ଯନ୍ତ୍ରଣାରେ ସେ ଅସ୍ଥିର। ଅନ୍ୟ ପକ୍ଷୀଟିର ଅବସ୍ଥା ଅକଥନୀୟ। ସେ ସାଥୀର ଦୁଃଖରେ ଅଥୟ, ମ୍ରିୟମାଣ। ଦାରୁଣ ବିରହ-ବେଦନାରେ ସେ ଆର୍ତ୍ତନାଦ କରିଉଠିଲା। କିନ୍ତୁ ନିଷ୍ଠୁର ବ୍ୟାଧର ଦୁଃଖ ନାହିଁ, ବରଂ ସଫଳତାର ଆନନ୍ଦରେ ତାର ଛାତି ଫୁଲି ଫୁଲି ଉଠୁଛି।

ସେତିକିବେଳେ ଅଦୂରରେ ଏ କାହାର କଣ୍ଠ ? ଏ କାହାର ଧ୍ଵନି – ‘ମା ନିଷାଦ ପ୍ରତିଷ୍ଠା ତ୍ୱମଗମଃ ଶାଶ୍ୱତଃ ସମଃ !’’ ଏ ଧ୍ଵନି କେବଳ କଣ୍ଠ, ଜିହ୍ବା ବା ତାଳୁର ବ୍ୟାୟାମସିଦ୍ଧ କୌଣସି ପଦ ନୁହେଁ, ଏ କେବଳ ଗୋଟିଏ ଦରଦୀ ହୃଦୟର ଶୋକୋକ୍ସାସ ମାତ୍ର ନୁହେଁ, ଏ କେବଳ କେତେକ ଛନ୍ଦୋବଦ୍ଧ ପଦ୍ୟପଂକ୍ତି ନୁହେଁ – ଏ ପଦ-ବିନ୍ୟାସ, ଏ ଶୋକୋଚ୍ଛାସ, ଏ ପଦ-ପ୍ରକରଣ ଗୋଟିଏ ପ୍ରାଣମୟ ଜୀବନ୍ତ ମନ୍ତ୍ର ସଦୃଶ ତେଜସ୍କର।

ଏହାହିଁ ସମଗ୍ର ପୃଥ‌ିବୀର ସର୍ବପ୍ରଥମ ସୁବିନ୍ୟସ୍ତ କବିତା।

ଏ ଯାବତ୍ ଋଗ୍‌ଵେଦର ସୁନ୍ଦର ସୁଲଳିତ ପ୍ରକୃତିବର୍ଣ୍ଣନାସମ୍ବଳିତ ଋକ୍ ସହିତ ମାନବ ପରିଚିତ ଥିଲା। ସାମବେଦର ସଙ୍ଗୀତମୟ ସାମଗାନର ସ୍ପନ୍ଦନ ଉପଲବ୍ଧ କରିଥିଲା। କେଉଁଠି ଏ ବିରାଟ ମହିମାମୟୀ ପ୍ରକୃତି ମୂର୍ତ୍ତିମତୀ ଦେବୀରୂପରେ ପୂଜାପାଇଛନ୍ତି – ଆଉ ମନୁଷ୍ୟ ହୋଇଛି ତା’ର ନିଷ୍ଠାପର ଉପାସକ; କେଉଁଠି ଦେବତା ହୋଇଛି ତାର ସମସ୍ତ ଯାଗଯଜ୍ଞରେ ହବିର୍ଭାଗଭୋକ୍ତା – ମନୁଷ୍ୟ ହୋଇଛି ସେହି ଦେବତାର ଚରୁହୋତୃଯାଜ୍ଞକ। କିନ୍ତୁ ମନୁଷ୍ୟ ଅଦ୍ୟାବଧୂ ତାହାର ଅନ୍ତର-ଆତ୍ମାର ଅନନ୍ତ ଆର୍ତ୍ତନାଦ ଯେପରି ଶୁଣି ମଧ୍ୟ ବୁଝିପାରିନଥିଲା। ଏହି ହୃଦୟସ୍ପର୍ଶୀ ମର୍ମନ୍ତୁଦ ବାଣୀ ସର୍ବପ୍ରଥମ ‘ଶ୍ଳୋକରୂପେ ସର୍ବ ଅବନୀକି’ ମୁଗ୍ଧ କରିଦେଲା। ମନୁଷ୍ୟ ଯେତେବେଳେ କୀଟ-ପତଙ୍ଗ, ଜୀବ-ଜନ୍ତୁ, ବୃକ୍ଷ – ଲତା, ଏପରି କି ସମସ୍ତ ପ୍ରକୃତି ଦେହରେ ମଧ୍ଯ ନିଜର ପ୍ରତିବିମ୍ବ ଦର୍ଶନ କରେ, ସେତିକିବେଳେ ହିଁ ସେ ହୁଏ ପ୍ରକୃତ କବି। ସେତିକିବେଳେ ତା’ର ହୃଦୟ ମଧ୍ୟରୁ ଯେଉଁ ଭାବ ଉଚ୍ଛସିତ ହୋଇ ଉଠିଆସେ, ତାହାହିଁ ବାସ୍ତବିକ କବିତା।

ତେଣୁ ଏହି ଶ୍ଳୋକର ରଚୟିତା ବାଲ୍ମୀକି ପୃଥ‌ିବୀର ଆଦିକବି।

ଏ ବାଲ୍ମୀକି କିଏ? ବାଲ୍ମିକୀ କଅଣ କେବଳ ହୋମର୍, କାଳିଦାସ, ସେକ୍‌ସପିଅର୍ ବା ଓମାରଖାୟାମ୍‌ଙ୍କ ଭଳି ଜଣେ ସୁପ୍ରସିଦ୍ଧ ଲେଖକ ବା କବି ?

ନା ! ଏ ବାଲ୍ମୀକି କେବଳ ଲେଖକ ନୁହନ୍ତି ବା ସାମାନ୍ୟ ଜଣେ କବି ମଧ୍ୟ ନୁହନ୍ତି— ଏ ବାଲ୍ମୀକି ଗୋଟାଏ ବିରାଟ ଆଦର୍ଶ, ସଂସ୍କୃତ ମାନବ-ହୃଦୟର କଳ୍ପିତ ପ୍ରତିମୂର୍ତ୍ତି।

କିମ୍ବଦନ୍ତୀ କହେ, ସେଦିନ ଯେଉଁ ଦସ୍ୟୁ ରତ୍ନାକର ଅସଂଖ୍ୟ ନରନାରୀଙ୍କୁ ହତ୍ୟା କରି ଧନ-ଅପହରଣ ବୃତ୍ତିରେ ଇତସ୍ତତଃ ବିଚରଣ କରୁଥିଲା, ଆଜି ସାମାନ୍ୟ ବିଦ୍ଧ କ୍ରୌଞ୍ଚ ବିହଗର ଅବଲୋକନରେ ତାହାରି ଶୋକୋଚ୍ଛାସ ଶ୍ଳୋକରୂପରେ ସର୍ବ ଅବନୀକି ବିମୋହିତ କରୁଛି – ସେହି ଆତତାୟୀ ଆଜି ଆଦିକବି ବାଲ୍ମୀକି।

କେଉଁ ଏକ ଶୁଭ ମୁହୂର୍ତ୍ତରେ ଦସ୍ୟୁ ରତ୍ନାକରର ସାକ୍ଷାତ୍ ହେଲା କତିପୟ ପ୍ରଜ୍ଞାବାନ୍ ଋଷିଙ୍କ ସହିତ। କ୍ଷଣମାତ୍ର ହେଲେ ହେଁ ସେହି ସଜନସଙ୍ଗତି ହିଁ ବାଲ୍ମୀକିଙ୍କ ଜୀବନଧାରାର ଗତି ପରିବର୍ତ୍ତନ କରିଦେଲା। ଋଷିଙ୍କର ‘ରାମ’ନାମ ଦୀକ୍ଷା, ବାଲ୍ମୀକିଙ୍କର ଜଡ଼ ଜିହ୍ଵା ଉଚ୍ଚାରଣ କରି ପାରି ନ ଥିଲା ସେତେବେଳେ। ବହୁ ଆୟାସସହକାରେ ବାଲ୍ମୀକି କେବଳ ମାତ୍ର କହିବାକୁ କ୍ଷମ ହେଲେ – ‘‘ମରା, ମରା’’।

କିନ୍ତୁ ବାଲ୍ମୀକିଙ୍କର ନିଷ୍ଠା, ସାଧନା, ଧୈର୍ଯ୍ୟ ଏହି ‘ମରା, ମରା’ ପଦକୁ ‘ରାମ, ରାମ’ ମହାମନ୍ତ୍ରରୂପରେ ରୂପାୟିତ କରିଦେଲା। ଦସ୍ୟୁ ରତ୍ନାକରର ଶରୀରଗୋଟି ବଲ୍ମୀକସ୍ତୂପରେ ପରିଣତ ହୋଇଯାଇଥିଲା ସେଦିନ। ତଥାପି ‘ରାମ ରାମ’ ରଟନାରେ ଅବିରାମ-ଅଶ୍ରାନ୍ତ ଜିହ୍ଵା କେତେବେଳେ ନୀରବ ହୋଇନାହିଁ।

ଦିନେ ଏହି ଦସ୍ୟୁ ରତ୍ନାକରର ବଳିଷ୍ଠ ଶରୀର ମଧ୍ୟରେ ଗୋଟାଏ ଜଡ଼ ପାଷାଣ ହୃଦୟ ବିଦ୍ୟମାନ ଥିଲା। ଆଜି ମାଟିର ମର-କଳେବର ମଧ୍ୟରେ ସେହି ଶାଶ୍ଵତ ଅମର ଆତ୍ମାର ସଗୁଣ ବିକାଶ ପ୍ରାଣମୟ ହୃଦୟର ଅପୂର୍ବ ସ୍ପନ୍ଦନ। ରତ୍ନାକର ତପଃସିଦ୍ଧ ହୋଇ ଏକ ଆଲୋକ-ପ୍ରାପ୍ତ ଅନ୍ତରାତ୍ମା ଘେନି ବଲ୍ମୀକିସ୍ତୂପ ମଧ୍ୟରୁ ପୁନର୍ଜନ୍ମ ଲାଭକଲେ। ତେଣୁ ସେ ବାସ୍ତବିକ ବାଲ୍ମୀକି – ବଲ୍ମୀକକୀଟର ଅଟଳ ଧୈର୍ଯ୍ୟ ଗୁଣରେ ଅଳଙ୍କୃତ ନିର୍ମାତା ସାଧକ ସିଦ୍ଧ ବାଲ୍ମୀକି।

ବାଲ୍ମୀକି ସ୍ଵୟଂ ଏକାଧାରରେ ଯେ ଜଣେ କବି, ବିଦ୍ୱାନ୍ ଓ ଆତ୍ମଦର୍ଶୀ, ତାହା ତାଙ୍କର ଅଭିମାନଶୂନ୍ୟ ହୃଦୟ ଉପଲବ୍‌ କରିବାର ସୁଯୋଗ ପାଇ ନ ଥିଲା। ନିଷାଦଶରରେ ବିଦ୍ଧ ସେହି କ୍ରୌଞ୍ଚ ପକ୍ଷୀ ହିଁ ନିଜର ପ୍ରାଣଦାନ କରି ବାଲ୍ମୀକିଙ୍କୁ ସେଦିନ ସେହି ଅମର ସମ୍ବାଦ ଦେଇଗଲା ଯେପରି ! ବାଲ୍ମୀକି ବାସ୍ତବିକ ସେଦିନ ନିଜକୁ ନିଜେ ହିଁ ପ୍ରଶ୍ନକରିଥିଲେ – ‘ପକ୍ଷୀର ବ୍ୟଥାରେ ବ୍ୟଥ୍‌ତ ବ୍ୟାକୁଳ ହୋଇ, ମୁଁ ଏ କଅଣ କହିପକାଇଲି ସତେ !’’

ବାଲ୍ମୀକି ହୃଦୟ ପାଇଥିଲେ, ବିକଶିତ ଅନ୍ତର ପାଇଥିଲେ; ଏବେ ସେ ସେହି ଆତ୍ମାର ସଂଚାର ନିମନ୍ତେ ଛନ୍ଦୋମୟୀ ଭାଷାର ଶରୀର ମଧ୍ୟ ଲାଭ କଲେ। ଏହି ଛନ୍ଦରେ ହିଁ ଆଦିକବି ବାଲ୍ମୀକି ପୃଥ‌ିବୀରେ ଆଦିକାବ୍ୟ ରଚନା କରିଯାଇଛନ୍ତି। ଏହି ଅନୁଷ୍ଟୁପ୍ ଛନ୍ଦକୁ ହିଁ ଶ୍ରେଷ୍ଠ ପ୍ରମାଣ କରି ପରବର୍ତ୍ତୀ ଯୁଗରେ ଭଗବାନ୍‌ ଶ୍ରୀକୃଷ୍ଣ ଆପଣାକୁ ଛନ୍ଦମାନଙ୍କ ମଧ୍ୟରେ ‘ଅନୁଷ୍ଟୁପ ଛନ୍ଦ’ ବୋଲି ଘୋଷଣା କରିଥିଲେ।

ବାଲ୍ମୀକି ଭାରତର ଆଦର୍ଶ କବି – କବିକୁଳର ଆଦିଗୁରୁ। ବାଲ୍ମୀକିଙ୍କ ରାମାୟଣ ପୃଥ‌ିବୀର ଏକ ମହାକାବ୍ୟରୂପେ ଗଣ୍ୟ। ବରେଣ୍ୟ ବାଲ୍ମୀକି ଆଜି ‘ମଧୁମୟ ଭଣତୀନାଂ ମାର୍ଗଦର୍ଶୀ ମହର୍ଷି’ ବୋଲି ପରିଚିତ।

ବାଲ୍ମୀକିଙ୍କ ଅମର ଦାନ ରାମାୟଣ ଭାରତ-ସଭ୍ୟତାର ଅସ୍ଥି ଓ ମଜ୍ଜା।

ଆଦିକବିଙ୍କର ଜୟ ହେଉ !

About the author

हिंदीभाषा

Leave a Comment

You cannot copy content of this page