ବେଦ ଯେତେବେଳେ ବିସ୍ତୃତିର ଗର୍ଭରେ, ସମାଜ ଯେତେବେଳେ ବେଦବିଧ୍ ଭୁଲି ଆଚାରହୀନ ଭ୍ରଷ୍ଟହୋଇଯାଉଛି ଏବଂ ଅଯଥା ଲୋକାଚାର ଓ ରକ୍ଷଣଶୀଳତାର ରଥଚକ୍ରତଳେ ପିଷ୍ଟହୋଇଯାଉଛି, ସେତେବେଳେ ଯଥାର୍ଥ ଜ୍ଞାନର ଆଧାର ବେଦବିଦ୍ୟାର ପୁନରୁଦ୍ଧାର କରିବା ପାଇଁ, ବରଂ ବେଦକୁ ସମଧ୍ୟ ମନୋଜ୍ଞ ଓ ବୋଧଗମ୍ୟ ରୂପ ଦେବାପାଇଁ, ଲୋକ ସମକ୍ଷରେ ଏହି ସନାତନ ସତ୍ୟକୁ ପୁଣି ଥରେ ଉଜ୍ଜଳତର ପରିଚ୍ଛଦରେ ସ୍ଥାପନା କରିବାପାଇଁ ଜଣେ ମନୀଷୀଙ୍କର ଆବିର୍ଭାବ ହେଲା।
ଏକାଧାରରେ କବି, ସମ୍ପାଦକ, ସଂସ୍କାରକ, ଧର୍ମଗୁରୁ ଓ ରାଜନୀତିଜ୍ଞ ହୋଇ ଜନ୍ମ ହେବାର ସୌଭାଗ୍ୟ ଏକମାତ୍ର ଏହି ମହାପୁରୁଷଙ୍କ ଛଡା ଅନ୍ୟ କେହି ଲାଭ କରିଛି କି ନାହିଁ ସନ୍ଦେହ।
ଅତୀତର କେଉଁ ଏକ ଶୁଭ ମୁହୂର୍ତ୍ତରେ ଭାରତର କୌଣସି ଏକ ଜଳବହୁଳ ସ୍ଥାନ ମଧ୍ୟରେ ମତ୍ସ୍ୟଜୀବୀ ଗୋଟିଏ ଅନୂଢା ବାଳିକାର ଉଦରରୁ ଏହି ମହାପୁରୁଷଙ୍କର ଜନ୍ମ। ମହତ୍ତ୍ବ କେବେ ଉଚ୍ଚ ନୀଚ ଜାତି ବର୍ଣ୍ଣଭେଦର ଅପେକ୍ଷା କରେ ନାହିଁ – ବହୁ ସହସ୍ର ବର୍ଷ ପୂର୍ବେ ଏହି ସତ୍ୟ ସ୍ଥାପନ କରିବା ପାଇଁ ସତେ ଯେପରି ତାଙ୍କର ଆବିର୍ଭାବ ଏହି ଭାରତଭୂମିରେ ହିଁ ସମ୍ଭବ ହୋଇଥିଲା।
ଗୋଟିଏ ନିକାଞ୍ଚନ ସ୍ଥାନ। ଚତୁର୍ଦ୍ଦିଗରେ ଜଳାର୍ଣ୍ଣବ। ମଧ୍ୟଭାଗର ଭୂଖଣ୍ଡ ଗୋଟିଏ ଦ୍ବୀପାକାର ଭୂମି। ପ୍ରକୃତରେ ପ୍ରକୃତିର ଏତାଦୃଶ ମନୋରମ ପରିବେଶ ହିଁ ଯେପରି ଏହି ନବଜାତକ ପୁରୁଷ-ପ୍ରଧାନଙ୍କୁ ବାଳୁତକାଳରୁ କବି ଓ ଦାର୍ଶନିକ କରି ଗଢିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା। ଶରୀରର କୃଷ୍ଣବର୍ଣ୍ଣ ହେତୁ ଓ ଗୋଟିଏ କ୍ଷୁଦ୍ର ପରିସର ଦ୍ବୀପ ମଧ୍ଯରେ ଜନ୍ମଲାଭ କରିଥିବାରୁ ଏହାଙ୍କର ବିଶେଷ ପରିଚିତିରୂପେ ଗୋଟିଏ ବିଶେଷଣସ୍ୱରୂପ ପ୍ରଚଳିତ ପଦ୍ଧତି ଅଦ୍ୟାବଧୂ ବିଖ୍ୟାତ ହୋଇ ରହିଛି – ‘କୃଷ୍ଣଦ୍ଵୈପାୟନ’।
ଦୀର୍ଘକାୟ ମାତା ସତ୍ୟବତୀଙ୍କ ସୁଯୋଗ୍ୟ ତନୁଜ ବଳିଷ୍ଣାବୟବ, ପିତା ମହର୍ଷି ପରାଶରଙ୍କ ଉପଯୁକ୍ତ ଦାୟାଦ, ଆବାଲ୍ୟଧର୍ମପରାୟଣ, ଧର୍ମପ୍ରାଣ, ଅଧ୍ୟାତ୍ମଚିନ୍ତାରେ ନିୟତ ନିମନ୍ତ୍ରମାନ ଏହି ସୁନ୍ଦର ସୌଷ୍ଠବମୟ ବାଳକ ପରିଶେଷରେ ହୃଦୟ ମଧ୍ୟରେ ଉଦ୍ବେଳିତ ଅନନ୍ତ ପ୍ରଶ୍ନରାଶିର ସମାଧାନ ନିମନ୍ତେ ଅତ୍ୟନ୍ତ ବ୍ୟାକୁଳଚିତ୍ତରେ ପ୍ରବ୍ରଜ୍ଯା ଗ୍ରହଣପୂର୍ବକ ହିମାଳୟ ଅଭିମୁଖରେ ଯାତ୍ରା କଲେ।
ନଗାଧାଜ ହିମାଳୟରେ ବହୁ କାଳ ସାଧନା ଅନ୍ତେ ନରନାରାୟଣ ପର୍ବତମାଳାର ଅଧ୍ୟତ୍ୟକା ଭୂମିରେ ଦେବଦାରୁ ବୃକ୍ଷରାଜିର ସୁବିନ୍ୟସ୍ତ ମନୋରମ ଛାୟାତଳେ ଏହି ମହାତ୍ମା ବଦରିକାଶ୍ରମ ସ୍ଥାପନ କରି ‘ବାଦରାୟଣ’ ନାମରେ ଅଭିହିତ ହେଲେ।
ଏହି କୃଷ୍ଣଦ୍ଵୈପାୟନ ବାଦରାୟଣଙ୍କୁ ଭାରତର ମତିମାନ୍ ମନୀଷୀବୃନ୍ଦ ‘ଭଗବାନ’ ଆଖ୍ୟା ମଧ୍ୟ ଦେଇଛନ୍ତି। ଭାରତୀୟ ପରମ୍ପରା ଅନୁସାରେ ଏ ଦେଶରେ ସର୍ବମୋଟ ଅଷ୍ଟବିଂଶତି ‘ବ୍ୟାସ’ ଜନ୍ମଗ୍ରହଣପୂର୍ବକ ଭିନ୍ନ ଭିନ୍ନ କଳ୍ପରେ ବେଦର ସଂଗ୍ରହ ଓ ବିଭାଗ କରିଯାଇଥିଲେ ହେଁ, ଏହି କୃଷ୍ଣଦ୍ଵୈପାୟନ ଭଗବାନ୍ ବାଦରାୟଣ ‘ବ୍ୟାସ’ ଏମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ଅଷ୍ଟବିଂଶତିତମ ବୋଲି ପ୍ରମାଣିତ ଓ ପ୍ରତିଷ୍ଠିତ ହୋଇଅଛନ୍ତି।
ଏହି ଭଗବାନ ବାଦରାୟଣ ହିଁ ସର୍ବପ୍ରଥମେ ବେଦର ବିକ୍ଷିପ୍ତ ଋଚାବଳିକୁ ସଂକଳନ କରି ଋକ୍, ଯଜୁ, ସାମ ଓ ଅଥର୍ବ ନାମକ ଚାରି ସଂହିତାରେ ସୂତ୍ରବଦ୍ଧ କଲେ। ଏହି ଚାରି ସଂହିତାକୁ ସେ ଯଥାକ୍ରମେ ପୈଳ, ବୈଶମ୍ପାୟନ, ଜୈମିନି ଓ ସୁମନ୍ତ ନାମକ ଚାରି ଶିଷ୍ୟପ୍ରଧାନଙ୍କ ମଧ୍ୟରେ ବିତରଣ କରିଦେଲେ। ଏହି ମହନୀୟ ପ୍ରକରଣ ନିମନ୍ତେ କୃଷ୍ଣଦ୍ଵୈପାୟନ ଭଗବାନ୍ ବାଦରାୟଣ ‘ବେଦବ୍ୟାସ’ ରୂପେ ଆଖ୍ୟାତ।
କିନ୍ତୁ ବେଦବ୍ୟାସ ପ୍ରକୃତରେ ସଂହିତା ନିମନ୍ତେ ପ୍ରସିଦ୍ଧି ଲାଭ କରି ନାହାନ୍ତି, ପୃଥିବୀର ବିରାଟତମ କାବ୍ୟ ମହାଭାରତ ହିଁ ଆଜି ବ୍ୟାସଙ୍କୁ ଅମର କରି ରଖୁଛି। ମହାଭାରତ ଓ ମହାଭାରତକାର ବ୍ୟାସ ଆଜି ଏପରି ଅବିଚ୍ଛେଦ୍ୟ ଯେ, ବ୍ୟାସଙ୍କ ଜୀବନର ମହତ୍ତ୍ଵପୂର୍ଣ୍ଣ ଟୀକାରୂପୀ ଏହି ଅଦ୍ଭୁତକଳ୍ପ ଗ୍ରନ୍ଥର ସାକ୍ଷାତ୍ ପ୍ରତିମୂର୍ତି ହିଁ ‘ବେଦବ୍ୟାସ’ କହିଲେ ଅତ୍ୟୁକ୍ତି ହେବନାହିଁ।
ବ୍ୟାସଙ୍କର ଏହି ଅବିନାଶୀ ଅବଦାନ ‘ମହାଭାରତ’ ତତ୍କାଳୀନ ଭାରତବର୍ଷର ସାମାଜିକ, ରାଜନୈତିକ ଓ ଧର୍ମନୈତିକ ଜୀବନର ସଂକ୍ଷିପ୍ତସାର ବୋଲି ନିର୍ବିବାଦରେ କୁହାଯାଇପାରେ। ସେଥିପାଇଁ ଜନକୀର୍ତ୍ତି ରହିଅଛି – ‘ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ !’
ଏହି ଭାରତ ବା ମହାଭାରତ ଯେପରି ବୃହଦାକାର ସେହିପରି ତତ୍ରତ୍ୟ ବିଷୟବସ୍ତୁର ପରିସର ସୁବିସ୍ତୀର୍ଣ୍ଣ ଓ ବ୍ୟାପ୍ତ। ଅଷ୍ଟାଦଶ ଖଣ୍ଡ ବା ପର୍ବରେ ବିଭାଜିତ ଏବଂ ପ୍ରାୟ ଏକ ଲକ୍ଷ ଶ୍ଳୋକସମ୍ବଳିତ ଏହି ବିରାଟ ଗ୍ରନ୍ଥର ଆକାର ସହିତ ତୁଳିତ ହେଲେ ପୃଥିବୀର ଅନ୍ୟ ଦୁଇ ପ୍ରସିଦ୍ଧ ବୃହଦାବୟବ ଗ୍ରନ୍ଥ ‘ଓଡେଶୀ ଓ ଇଲିୟଟ୍ର’ ଏକତ୍ର ସମାବେଶ ଏକଅଷ୍ଟମାଂଶ ମାତ୍ର ହେବ।
ଏହା ସାତକାଣ୍ଡ ବା ସପ୍ତଖଣ୍ଡ ରାମାୟଣର ଚତୁଗୁଣ। ଏହା ପ୍ରାଚୀନ ଭାରତର ଧର୍ମ, ନୀତି, ତତ୍ତ୍ଵଜ୍ଞାନ, ଇତିବୃତ୍ତ, ସାମାଜିକ ଜ୍ଞାନ, ରାଜନୀତି, ତଥା କାବ୍ୟ ଓ ଗାଥାଶାସ୍ତ୍ରର ଗନ୍ତାଘରସ୍ଵରୂପ ଯୁଗେ ଯୁଗେ ଦେଦୀପ୍ୟମାନ।
କିନ୍ତୁ କଥ୍ତ ଅଛି, ବ୍ୟାସଙ୍କ କୃତ ମୂଳ ମହାଭାରତ ‘ଜୟ’ ନାମରେ ମାତ୍ର ୨୪ ହଜାର ଶ୍ଳୋକ ମଧ୍ୟରେ ନିବଦ୍ଧ ଥିଲା। କୁରୁପାଣ୍ଡବ ମଧ୍ୟରେ କୁରୁକ୍ଷେତ୍ର ଯୁଦ୍ଧର ଅବସାନ ପରେ କୃଷ୍ଣଦ୍ଵୈପାୟନ ଦୀର୍ଘ ତିନିବର୍ଷ ଅକ୍ଳାନ୍ତ ପରିଶ୍ରମ କରି ହିମାଳୟସ୍ଥ ଏକାନ୍ତ ନିବାସ ମଧ୍ୟରେ ଏହି ‘ଜୟ’-ରତ୍ନର ସଙ୍କଳନ ସମାପନ କରିଥିଲେ। ବ୍ୟାସଦେବଙ୍କର ଏହି ମୂଳ ଗ୍ରନ୍ଥ ‘ଜୟ’ କ୍ରମେ ‘ଭାରତ’ ‘ଭାରତୀ କଥା’ ଓ ‘ଭାରତ ସଂହିତା’ ନାମରେ ପ୍ରଚଳିତ ହେଲା। ସୁଶିଷ୍ୟ ସୂତ ରୋମହର୍ଷଣଙ୍କୁ ବ୍ୟାସଦେବ ସର୍ବପ୍ରଥମେ ତାଙ୍କର ଏହି ନବତମ ଅବଦାନର ସୁଶିକ୍ଷା ସମର୍ପଣ କରିଥିଲେ। ତାଙ୍କର ଅନ୍ୟ ଏକ ଶିଷ୍ୟ ବୈଶମ୍ପାୟନ ଜନ୍ମେଜୟଙ୍କ ସର୍ପଯଜ୍ଞରେ ସର୍ବପ୍ରଥମେ ତାହା ପାରାୟଣ କଲେ। ସେହିଠାରେ ସୂତ ରୋମହର୍ଷଣ-ସୂତ ଉଗ୍ର ଶ୍ରବା ‘ସୂତ ମହାଭାରତ’ ଶ୍ରବଣ କରିବାର ସୁଯୋଗ ପାଇଲେ। ନୈମିଷାରଣ୍ୟରେ ଶୌନକଋଷି ବାରବର୍ଷ ଧରି ମହାଯଜ୍ଞ ଆରମ୍ଭ କଲାବେଳେ ଏହି ସୌତି ଉଗ୍ରଶ୍ରବା ସର୍ବସାଧାରଣ ସମକ୍ଷରେ ସୂତ ରୋମହର୍ଷଣ-ସମ୍ପାଦିତ ସୂତମହାଭାରତର ପୁନରାବୃତ୍ତି କଲେ। ସେତିକିବେଳେ ପ୍ରସଙ୍ଗବଶତଃ ଗ୍ରନ୍ଥର ସ୍ଥାନେ ସ୍ଥାନେ ନାନା ଉପାଖ୍ୟାନ ଓ ନବ ନବ ପ୍ରକରଣର ସଂଯୋଗ ହେଲା ଏବଂ କାଳକ୍ରମେ ଗ୍ରନ୍ଥର ଲୋକପ୍ରିୟତା ବୃଦ୍ଧି ସଙ୍ଗେ ସଙ୍ଗେ ପ୍ରବଚନକର୍ତ୍ତାମାନେ ନିଜନିଜର ପ୍ରକ୍ଷେପ ଯୋଗ କରିବାର ସୁଯୋଗ ନେବା ଫଳରେ ପରିଶେଷରେ ‘ଭାରତ ଏକଲକ୍ଷ ଶ୍ଳୋକସମ୍ବଳିତ ଏକ ବିଶ୍ଵକୋଷ ‘ମହାଭାରତ’ ରୂପରେ ପରିବେଷିତ ହେଲା।
ମହାଭାରତର ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଅଂଶ ଶାନ୍ତି ଓ ଅନୁଶାସନ ପର୍ବ। ଏହି ପର୍ବଦ୍ଵୟରେ ହିଁ ରାଜନୀତି, ସମାଜବିଜ୍ଞାନ, ଦଣ୍ଡବିଧାନ, ତତ୍ତ୍ବବିବେଚନା ଆଦି ପ୍ରାଚୀନ ଭାରତୀୟ ବିଧାନର ରୂପରେଖ ଅଙ୍କିତ ହୋଇଅଛି।
ମହାଭାରତର ଶ୍ରେଷ୍ଠତମ ଅଂଶ ଶ୍ରୀମଦ୍ଭଗବଦ୍ଗୀତା। କୁରୁକ୍ଷେତ୍ରରେ ପାର୍ଥସାରଥ ଶ୍ରୀକୃଷ୍ଣଙ୍କ ଶ୍ରୀମୁଖନିଃସୃତ ଏହି ସାରସ୍ଵତବାଣୀ ଚିରଦିନ ନଶ୍ବର ମାନବର ଆଶା ଓ ଭରସାର ଦୀପସ୍ତମ୍ଭ ହୋଇ ରହିଥିବ।
ରାମାୟଣରେ ଯେପରି ଆଦର୍ଶ ଗୃହଧର୍ମ, ମହାଭାରତରେ ସେହିପରି ଆଦର୍ଶ ସମାଜଧର୍ମର କ୍ଷେତ୍ର ବା ପରିସର ଆହୁରି ବିସ୍ତୃତି ଲାଭକରିଅଛି। ବାଲ୍ମୀକିଙ୍କର ଚରିତ୍ରଚିତ୍ରଣ ବ୍ୟାସଦେବଙ୍କର ଧର୍ମ-ଆଖ୍ୟାନରେ ପରିପୂର୍ତ୍ତି ଲାଭ କରିଅଛି। ଧର୍ମକୁ ସମାଜର ଭିଭି, ସାଂସାରିକ ତଥା ଆଧ୍ୟାତ୍ମିକ ଉନ୍ନତିର ସୋପାନ, ଅଭ୍ୟୁଦୟ ଓ ନିଃଶ୍ରେୟସର ସାଧନ କହି ବ୍ୟାସଦେବ ପତିତମାନଙ୍କୁ କଠୋର ଆହ୍ୱାନ ଦେଇଛନ୍ତି, ‘‘ମୁଁ ବାହୁ ଉତ୍ତୋଳନ କରି କହୁଛି, ମୋ କଥା ପ୍ରତି କେହି କର୍ଣ୍ଣପାତ କରୁନାହଁ; ତଥାପି ମୁଁ କହିରଖୁଛି – ଧର୍ମରୁ ହିଁ କାମ ଓ ଅର୍ଥର ପ୍ରାପ୍ତି ସମ୍ଭବ ! ଏହା ସତ୍ତ୍ୱେ ତୁମେ ଧର୍ମର ଆଶ୍ରୟ ନେଉନାହଁ କାହିଁକି ?’’
ଏହା ସତ୍ତ୍ଵେ ଲୋକଙ୍କର ଚୈତଜ୍ୟୋଦୟ ହେଲା ନାହିଁ। ବେଦର ସଙ୍କଳକ ବ୍ରହ୍ମ – ଉପାସକ, ବ୍ରାହ୍ମଣ, ଆତ୍ମଜ୍ଞାନୀ ବ୍ୟାସ, ମହାଭାରତର ରଚୟିତା କର୍ମ ଓ ସାଂଖ୍ୟଯୋଗୀ ସଂସାରୀ ବ୍ୟାସ ପରିଶେଷରେ ମନୁଷ୍ୟର ସଦ୍ଗତି ନିମନ୍ତେ ପୁନରାୟ ଚିନ୍ତାମଗ୍ନ ହେଲେ। ସରସ୍ଵତୀ-ତଟନିକଟସ୍ଥ ହସ୍ତିନାର ଉପକଣ୍ଠରେ ପୁଣି ଏକ ଆଶ୍ରମ ପ୍ରତିଷ୍ଠା କରି ବ୍ୟାସଦେବ ସୁମହାନ କଠୋର ସାଧନାରେ ପ୍ରବୃତ୍ତ ରହିଲେ। ସେହି ତପସ୍ୟାର ଫଳସ୍ବରୂପ ଆମ୍ଭେମାନେ ଆଜି ଜ୍ଞାନାତୀତ ହୃଦୟଗ୍ରାହ୍ୟ ସର୍ବଶ୍ରେଷ୍ଠ ଭକ୍ତିରସସାର ଗ୍ରନ୍ଥ ‘ଶ୍ରୀମଦ୍ଭାଗବତ’ର ପ୍ରସାଦ ଲାଭ କରିଅଛୁ।
ସମ୍ଭବତଃ ଏହି ସ୍ଥାନରେ ହିଁ ବ୍ୟାସଦେବ ସର୍ବସାଧାରଣବୋଧଗମ୍ୟ ମୂଳ ‘ପୁରାଣ ସଂହିତା’ ରଚନାକରିଥିଲେ।
ଯୋଗୀ, ତପୀ, ଜ୍ଞାନୀ ବେଦବ୍ୟାସଙ୍କୁ ଆମ୍ଭେମାନେ ବର୍ତ୍ତମାନ ଭକ୍ତ, ଭାବୁକ, ହୃଦୟବାନ୍ ବ୍ୟାସରୂପେ ଶ୍ରୀମଦ୍ଭାଗବତ ଓ ଅଷ୍ଟାଦଶ ପୁରାଣ ଆଦିରେ ଦେଖିବାକୁ ପାଉଛୁ।
ଏହି ବ୍ୟାସଦେବ ଶାନ୍ତନୁପତ୍ନୀ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବୀର୍ଯ୍ୟ ଅପୁତ୍ରକଭାବରେ ଯୌବନାବସ୍ଥାରେ ଦେହତ୍ୟାଗ କଲାରୁ ମାତାଙ୍କ ଆଦେଶକ୍ରମେ ବିଚିତ୍ରଙ୍କର ଦୁଇ ବିଧବା ପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ଗର୍ଭଜାତ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କର ଜନକ ମଧ୍ୟ। ତେଣୁ ବ୍ୟାସଙ୍କୁ କେବଳ ମହାଭାରତର ରଚୟିତା କହିଲେ ଯଥେଷ୍ଟ ହେବ ନାହିଁ – ତାଙ୍କୁ ମହାଭାରତର ଜନକ ବୋଲି କହିବା ମଧ୍ୟ ଅଯୌକ୍ତିକ ନୁହେଁ।