କୁନାର ନିକଟସ୍ଥ ଶିବନେରର ପ୍ରାକୃତିକ ଦୁର୍ଗ-ସ୍ଵରୂପ କ୍ଷୁଦ୍ର ପର୍ବତମାଳା – ପରିବେଷ୍ଟିତ ଉପତ୍ୟକା। ଏହି ଜନମାନବଶୂନ୍ୟ ବିବିକ୍ତ ସ୍ଥଳୀରେ ଆଶ୍ରୟ ନେଇଛନ୍ତି ଆସନ୍ନପ୍ରସବା ଜଣେ ନାରୀ। ସଙ୍ଗରେ ମାତ୍ର ମୁଷ୍ଟିମେୟ ବିଶ୍ବସ୍ତ ଦେହରକ୍ଷୀ।
ସମଗ୍ର ଭାରତରେ ଅବିଦିତ ଏକ ଅପୂର୍ବ ଘଟଣା ଏହି ନିବିଡ ନିକାଞ୍ଚନ ସ୍ଥାନରେ ସଂଘଟିତ ହେଲା ସେଦିନ। ସେହିଦିନ, ସେହିଠାରେ, ଭାରତୀୟ ସ୍ଵାଧୀନତାର ପ୍ରଥମ ଆଲୋକସ୍ତମ୍ଭର ଶୁଭ ପ୍ରତିଷ୍ଠା ହୋଇଥିଲା ସେହି ସତୀ ସାଧ୍ନୀ ନାରୀଙ୍କର ପୌରୋହିତ୍ୟରେ। ଏକଥା କିଏ ବିଶ୍ଵାସ କରିବ!
କିଏ ଏହି ନାରୀ! କିଏ ଏହି ସଦ୍ୟଜାତ ଶିଶୁ – ମାତୃକୋଳରେ ଅହରହ ରୋରୁଦ୍ୟମାନ? ପରପଦାନତ ମାତୃଭୂମି ଭାରତ ଏବଂ ଶତ୍ରୁ ପ୍ରପୀଡିତା ଗର୍ଭଧାରିଣୀ ଜନନୀର ଦୁଃଖ କ’ଣ ଏହି ଅଜ୍ଞାନ ଅବୋଧ ଶିଶୁ ପ୍ରାଣକୁ ବ୍ୟର୍ଥାତ ବ୍ୟାକୁଳ କରିଛି?
ସେହି ଘଟଣା ବହୁଦିନ ଯାଏ ଭାରତ ଇତିହାସର ଏବଂ ଭାରତବାସୀଙ୍କର ଅଗୋଚରରେ ରହିଯାଇଥିଲା। ଆଜି ଷୋଳ ତାରିଖ ଅପ୍ରେଲ, ଷୋଳଶହ ସତେଇଶ ଖ୍ରୀଷ୍ଟାବ୍ଦ କୌଣସି ଭାରତୀୟର ବା ଭାରତ ଇତିହାସରେ ଆଗ୍ରହୀ ପାଠକର ଅବିଦିତ ନୁହେଁ।
ସେଦିନ ଅହମ୍ମଦନଗରର ସ୍ଵାଧୀନତା ଶାହାଜାହାନଙ୍କଦ୍ଵାରା ଅପହୃତ ହୋଇସାରିଥିଲା। ସୁତରାଂ ଅହମ୍ମଦନଗରର ଦତ୍ତ ଜାଗିରିର ଅବସ୍ଥା ମଧ୍ୟ ତଦ୍ରୁପ। ଜାଗିରିଚ୍ୟୁତ ଶାହଜୀ ବାଧ୍ୟହୋଇ ବିଜାପୁରର ଶରଣାପନ୍ନ ହେଲେ। ଶାହାଜୀଙ୍କର ପିତା ମାଲୋଜୀ ଏହି ଜାଗିର ଲାଭ କରିଥିଲେ ହେଁ ଅଧିକ ଦିନ ଭୋଗ କରିବା ପାଇଁ ସେ ଜୀବିତ ରହି ନ ଥିଲେ। ପୁତ୍ର ଶାହାଜୀଙ୍କର ମଧ୍ୟ ସେ ଜାଗିରି ଭୋଗ କରିବାର ସୌଭାଗ୍ୟ ବା ସୁକୃତି ନଥିଲା। ବୀଜାପୁର ଶାହାଜୀଙ୍କ ପକ୍ଷରେ ନିରାପଦ ମନେହେଲା ନାହିଁ। ତେଣୁ ସେ ଗର୍ଭବତୀ ପତ୍ନୀ ଜୀଜାବାଈଙ୍କୁ ଏହି ଅଜ୍ଞାତ ସ୍ଥାନରେ ସୁରକ୍ଷିତ କରି ଚାଲିଆସିଲେ।
ମାତ୍ର ଅଧୂକ ଦିନ ସେ ସ୍ଥାନ ଅଜ୍ଞାତ ହୋଇ ରହିପାରିଲା ନାହିଁ। ଯେଉଁ ସ୍ଥାନ ଭାରତର ଛତ୍ରପତି ଶିବାଜୀଙ୍କୁ ସର୍ବପ୍ରଥମ କୋଳରେ ଧରିବାର ଗୌରବ ଲାଭ କରିଛି – ସେ କ’ଣ କଦାପି ଅଧ୍ଵକକାଳ ଲୋକଲୋଚନର ଅଗୋଚରରେ ରହିବା ସମ୍ଭବ? ମୋଗଲମାନେ ସମ୍ବାଦ ପାଇଲେ ଯେ ମୋଗଲ ସାମ୍ରାଜ୍ୟର ପରମ ଶତ୍ରୁ ମରହଟ୍ଟାମାନଙ୍କର ଭବିଷ୍ୟତ ବଂଶଧର, ରାଜସ୍ଥାନର ସିସିବୀୟ ବଂଶର କୌଣସି ରାଜକୁମାରଙ୍କ ଦାୟାଦ ଏହି ଶିବନେରର ପାହାଡ ମଧ୍ୟରେ ଆତ୍ମପ୍ରକାଶ କରିଛି।
ସେ ଏକ ଅଦ୍ଭୁତ ଲୋମହର୍ଷଣକାରୀ ଆଖ୍ୟାୟିକା। ଶିବାଜୀଙ୍କ ପରବର୍ତ୍ତୀ ଜୀବନୀ ଯେପରି ରୋମାଞ୍ଚକ କାହାଣୀରେ ପୂର୍ଣ୍ଣ, ତାଙ୍କର ବାଲ୍ୟ ଓ ଶୈଶବ ମଧ୍ୟ ତଦ୍ରୁପ ଅତ୍ୟଭୁତ ଘଟଣାବଳୀରେ ପରିପୂଣ୍ଣ।
ସେହି ଶିବନେର ପାହାଡ ଉପରେ ମୋଗଲ ଆକ୍ରମଣ ଚାଲିଲା – ଅକସ୍ମାତ୍ – ଅତର୍କିତରେ। ଫଳରେ ମାତା ଓ ସନ୍ତାନ ଉଭୟେ ବନ୍ଦୀହେଲେ।
କିନ୍ତୁ ମରହଟ୍ଟା ତଥାପି ହତୋତ୍ସାହ ହୋଇ ନ ଥିଲେ – ସାହସ ହରାଇ ନ ଥିଲେ। ବୀରତ୍ଵ, ବୁଦ୍ଧିମତ୍ତା ଏବଂ ସୁତୀବ୍ର କୌଶଳ ପ୍ରୟୋଗ କରି ସେମାନେ ସଦ୍ୟଜାତ ଶିଶୁ ଶିବାଜୀଙ୍କୁ ଧରି ମୃତ୍ୟୁର ଶାଣିତ ଖଡ୍ଗଧାର ଉପରେ ମୃତ୍ୟୁକୁ ହିଁ ପ୍ରତାରିତ କରି ଶତ୍ରୁ କବଳରୁ ମୁକୁଳାଇ ଆଣିପାରିଥିଲେ। ବନ୍ଦୀ ରହିଲେ ଏକାକିନୀ ମାତା ଜୀଜାବାଈ ସେ ଯୁଗର ଦେବକୀ ଜୀଜାବାଈ।
ଇତିମଧ୍ୟରେ ତିନି ଚାରି ବର୍ଷ ବିତିଯାଇଛି – ମରହଟ୍ଟା ରକ୍ଷୀମାନେ ଶିବାଜୀଙ୍କୁ ସେହି ପର୍ବତମାଳାର ସଙ୍କଟ ମଧ୍ୟରେ ମୋଗଲ ସୈନ୍ୟଙ୍କ ଆଖରେ ଧୂଳି ଦେଇ ସଯତ୍ନ ଲାଳନପାଳନ କରିବାକୁ ଲାଗିଲେ।
ଶିବାଜୀଙ୍କୁ ସେତେବେଳକୁ ଦଶବର୍ଷ ହେଲାଣି – ଦିନେ ହଠାତ୍ ଶିବାଜୀ ତାଙ୍କ ସମ୍ମୁଖରେ ଦେଖିବାକୁ ପାଇଲେ ଏକ ଦେବୀମୂର୍ତ୍ତି। କିଏ ଏହି ମାତୃରୂପା? ଶିବାଜୀଙ୍କ ହୃଦୟରେ ସହଜ ଉଦ୍ବେଳିତ ତରଙ୍ଗ ଖେଳିଗଲା। ଶିବାଜୀ ମା’ ମା ସମ୍ବୋଧନ କରି, ମାତୃକୋଳକୁ ଲମ୍ଫପ୍ରଦାନକଲେ। ମାତୃ ଚରଣଧୂଳି ଶିରରେ ସ୍ପର୍ଶ କରି ଶିବାଜୀ ଉତ୍ଫୁଲ୍ଲ ହୋଇଉଠିଲେ।
ମହାରାଷ୍ଟ୍ର ଲଳନା ସେହି ମାତୃମୂର୍ତ୍ତି, ଶିବାଜୀଙ୍କ ସମ୍ମୁଖରେ ସ୍ତବ୍, ନିଭୀକ, ପ୍ରସ୍ତର ଅଙ୍କିତ ପ୍ରତିମାତୁଲ୍ୟ – ନେତ୍ରରେ ଅଶୁ ନାହିଁ – ମୁଖମଣ୍ଡଳରେ ଆନନ୍ଦର ରେଖାପାତ୍ର ମଧ୍ୟ ହୋଇନାହିଁ – କିମ୍ବା ବିଷାଦର କାଳିମାକ୍ତ ଛାୟାର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ – ଅଛି କେବଳ ବିରାଟ ଭବିଷ୍ୟତ୍ର ଏକ ନିର୍ମମ ନିର୍ଦ୍ଦେଶ।
ଶାହାଜୀ ମାତା ଓ ପୁତ୍ରଙ୍କର ଏହି ମିଳନ ସମ୍ବାଦ ପାଇ, ଉଭୟଙ୍କୁ ବୀଜାପୁର ଡକାଇ ନେଲେ, କିନ୍ତୁ ବାଳକ ଶିବାଜୀର ଉଷ୍ଣ ରକ୍ତ ଅଧ୍ଵ କାଳ ପରାଧୀନତା ଓ ପରାନୁଗ୍ରହ ସହ୍ୟ କରିପାରିଲା ନାହଁ। ଶିବାଜୀଙ୍କର ଧମନୀରେ ଯେଉଁ ବୀର ରକ୍ତ ପ୍ରବାହିତ ହେଉଥିଲା, ତାହାର ପ୍ରଥମ ପରିଚୟ ମିଳିଲା ମୁସଲମାନମାନଙ୍କର ଗୋ-ହତ୍ୟା ଜନିତ ନିଷ୍ଠୁର ଅବିମୂଖ୍ୟକାରିତାର ପ୍ରତିବାଦ ଛଳରେ। ହିନ୍ଦୁମାନଙ୍କର ଶତ ପ୍ରତିବାଦ ସତ୍ତ୍ଵେ ମୁସଲମାନମାନଙ୍କର ପ୍ରତିବେଶୀ ସମ୍ପ୍ରଦାୟ ପ୍ରତି ଏହି ଅସହିଷ୍ଣୁତାର ପ୍ରତିବାଦ କରି, ଶିବାଜୀ ଏକ ତରୁଣ ହିନ୍ଦୁ ଯୁବକ ସ୍ଵେଚ୍ଛାସେବକ ଦଳର ନେତୃତ୍ଵ ଗ୍ରହଣ କଲେ। ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଗୋଟିଏ ସାଂପ୍ରଦାୟିକ ଖଣ୍ଡଯୁଦ୍ଧ ଲାଗିଗଲା। ଶିବାଜୀ ଜୟୀ ହେଲେ। ମାତ୍ର ପିତା ଶାହଜୀ, ପୁତ୍ରର ଏହି ଆଚରଣରେ ବିଚଳିତ ହୋଇ ସଙ୍ଗେ ସଙ୍ଗେ ମାତା ଓ ପୁତ୍ର ଉଭୟଙ୍କୁ ମହାରାଷ୍ଟ୍ରସ୍ଥ ଜାଗିରି ଭୂମିକୁ ପ୍ରେରଣକରିଦେଲେ।
ସେହିଠାରେ ହିଁ ଶିବାଜୀଙ୍କ ଭବିଷ୍ୟତ ବିଦ୍ରୋହୀ ଜୀବନ-ସଂଗଠନ କାଳର ଅୟମାରମ୍ଭ ଏବଂ ସେହି ଅଗ୍ନି ଉତ୍ସବରେ ପ୍ରଥମ ପୁରୋଧା ହେଲେ ଅଗ୍ନିହୋତ୍ରୀ ଜଣେ ନୈଷିକ କର୍ମଠ ବ୍ରାହ୍ମଣ – ଦାଦାଜୀକୋଣ୍ଡଦେବ। କୋଣ୍ଡଦେବଙ୍କର ଶିକ୍ଷା, ଦୀକ୍ଷା ଏବଂ ପ୍ରେରଣା ବଳରେ ମାତୃଭୂମିକୁ ସ୍ୱାଧୀନ କରିବାର ଅଦମ୍ୟ ଆକାଙ୍କ୍ଷା ଶିବାଜୀଙ୍କ ପ୍ରାଣରେ ପ୍ରବଳ ହୋଇଉଠିଲା। ସେହି ଭବିଷ୍ୟ ପୁରାଣର ପ୍ରଥମ ଅଧ୍ୟାୟରୂପେ ଶିବାଜୀ ଭାରତର ନୂତନ ଇତିହାସ ସେହିଦିନ ରଚନା କରିଥିଲେ, ଯେଉଁଦିନ କତିପୟ ଯୁବକ ସଙ୍ଗୀମାନଙ୍କୁ ଏକତ୍ରିତ କରି ସେ ବିଜାପୁର ଅଧୀନସ୍ଥ ନିକଟବର୍ତ୍ତୀ ଗୋଟିଏ ଦୁର୍ଗ ଆକ୍ରମଣ କଲେ ଏବଂ ତତ୍ରତ୍ୟ ଧନ, ରତ୍ନ, ଅସ୍ତ୍ର, ଶସ୍ତ୍ରାଦି ଲୁଣ୍ଠନକରି ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ।
ଏହା ହିଁ ତାଙ୍କର ବିଜୟ-ଯାତ୍ରାର ଶୁଭାରମ୍ଭ।
‘ମାଓଆଲି’ ନାମକ ଏକ ପାର୍ବତ୍ୟ ଜାତିର ଲୋକେ ଶିବାଜୀଙ୍କର ନେତୃତ୍ୱ ପ୍ରାର୍ଥନା କଲେ। କ୍ରମେ ଏହି ପାର୍ବତୀୟମାନେ ହିଁ ଶିବାଜୀଙ୍କର ପ୍ରଥମ ସୁସଂଗଠିତ ସୈନ୍ୟବାହିନୀ ହୋଇ ଛିଡାହେଲେ। ବିଜାପୁରର ବହୁ ଦୁର୍ଗ ମାତ୍ର ଅଳ୍ପସଂଖ୍ୟକ କେତେକ ଦୁର୍ବଳ ସୈନ୍ୟଙ୍କ ଦ୍ଵାରା ଏକପ୍ରକାର ଅରକ୍ଷ ଅବସ୍ଥାରେ ଥିବାର ଦେଖ୍, ଶିବାଜୀ ଉପର୍ୟ୍ଯୁପରି ସେ ସମସ୍ତ ସ୍ଵାଧ୍ୟାର ଭୁକ୍ତ କଲେ। ପୁନା ଓ ପୁରନ୍ଦର ଶିବାଜୀଙ୍କର ହସ୍ତଗତ ହେଲା। ବିଜାପୁରର ରାଜା ଏଥିରେ ଉତ୍ୟକ୍ତ ହୋଇ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ତାଙ୍କର ପିତା ଶାହଜୀଙ୍କୁ ବନ୍ଦୀକଲେ।
ଶିବାଜୀ ଯେପରି ସାହସୀ, ଯୋଦ୍ଧା, ସେହିପରି ଦୁର୍ଘମନୀୟ କୂଟନୈତିକ ଏବଂ ବଳିଷ୍ଠ ରାଜନୀତିଜ୍ଞ ମଧ୍ୟ ଥିଲେ। ପିତା ଶାହଜୀ ବନ୍ଦୀ ହେବାର ଦେଖ୍, ଶିବାଜୀ ଅନଜ୍ୟୋପାୟ ହୋଇ, ଆପାତତଃ ମୋଗଲ ସମ୍ରାଟଙ୍କ ଅଧୀନରେ କାର୍ଯ୍ୟ କରିବାପାଇଁ ପ୍ରାର୍ଥୀ ହେଲେ। ସେତେବେଳେ ଦିଲ୍ଲୀ ସିଂହାସନରେ ଅଧୂଢ ହୋଇଥାନ୍ତି ଶାହନଶାହ ସାହାଜାହାନ।
ସାହାଜାହାନଙ୍କର ଅନୁମତି ମିଳିଲା। ବିଜାପୁରର ରାଜା ଭୀତତ୍ରସ୍ତ ହୋଇ ଶାହଜୀଙ୍କୁ ମୁକ୍ତ କରିଦେଲେ। ସେହିଠାରେ ହିଁ ଶିବାଜୀଙ୍କର ମୋଗଲମାନଙ୍କ ସହିତ ପ୍ରଭୁ-ଦାସ ସମ୍ପର୍କର ପରିସମାପ୍ତି।
ଶିବାଜୀଙ୍କର ବିଜୟ ଅଭିଯାନ ନବ ଉତ୍ସାହରେ ପୁନରାୟ ମାତିଉଠିଲା। ବିଜାପୁରର ରାଜା ଶିବାଜୀଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ଅଫଜଲ୍ ଖାଁଙ୍କୁ ପ୍ରେରଣ କଲେ। ଶିବାଜୀ ସନ୍ଧି କାମନାକଲେ। ଅଫଜଲ୍ ଓ ଶିବାଜୀଙ୍କର ସାକ୍ଷାତ୍ ହେଲା – ମାତ୍ର ଅଫଜଲ୍ ଶିବାଜୀଙ୍କୁ ଅତର୍କିତରେ ହତ୍ୟାକରିବା ନିମନ୍ତେ ଉପକ୍ରମ କରିବା ପୂର୍ବରୁ ପ୍ରସ୍ତୁତ ଚତୁର ଶିବାଜୀ ବ୍ୟାଘ୍ରନଖଦ୍ବାରା ଅଫଜଲ୍ଙ୍କର ଉଦର ବିଦୀର୍ଣ୍ଣ କରି ପକାଇଲେ। ସେନାପତିଙ୍କର ମୃତ୍ୟୁ ସମ୍ବାଦ ପାଇ ବିଜାପୁର ଅଗତ୍ୟା ଶିବାଜୀଙ୍କ ସହିତ ସନ୍ଧି ସ୍ଥାପନକଲା।
ତାହାପରେ ଚାଲିଲା ମୋଗଲ ସାମ୍ରାଜ୍ୟ ଲୁଣ୍ଠନ। ୧୬୬୦ ଖ୍ରୀଷ୍ଟାବ୍ଦରେ ଔରଙ୍ଗଜେବଙ୍କ ସେନାପତି ଶାୟସ୍ତ ଖାଁଙ୍କ ସହିତ ତାଙ୍କର ସଂଘର୍ଷ ହେଲା। ଶାୟସ୍ତ ଖାଁ ପୁନା ଦୁର୍ଗ ଅଧିକାର କରିଥିବା ସମୟରେ ଶିବାଜୀ ଅତର୍କିତ ଏବଂ ଗୁପ୍ତଭାବରେ ଆକ୍ରମଣ କରି ତାଙ୍କୁ ପରାସ୍ତ କଲେ। ପରେ ମୋଗଲମାନେ ପୁନା ପୁନରସ୍କାର କରିବା ସତ୍ତ୍ବେ ଶିବାଜୀ ନିରୁତ୍ସାହିତ ନ ହୋଇ ସୁରାଟ ଓ ଅହମ୍ମଦନଗର ଆକ୍ରମଣ କରି ଲୁଣ୍ଠନ ଆରମ୍ଭ କରିଦେଲେ; କିନ୍ତୁ ଔରଙ୍ଗଜେବଙ୍କ ଚକ୍ରୀ ହିନ୍ଦୁ ସେନାପତି ଜୟସିଂହ ବିଜାପୁର ରାଜାଙ୍କ ସହାୟତାରେ ଶିବାଜୀଙ୍କ ପୁରନ୍ଦର ଦୁର୍ଗ ଅଧିକାର କରି ତାଙ୍କୁ ସନ୍ଧି କରିବାପାଇଁ ବାଧକଲେ। ଚକ୍ରୀ ଜୟସିଂହ ପୁଣି ଶିବାଜୀଙ୍କ ସାହାଯ୍ୟରେ ବିଜାପୁର ଜୟକଲେ। ଔରଙ୍ଗଜେବ ଶିବାଜୀଙ୍କ ଉପରେ ପ୍ରୀତ ହୋଇ ଦିଲ୍ଲୀ ଦରବାରକୁ ଆମନ୍ତ୍ରଣ କରି ଆଣିଲେ।
ମାତ୍ର ମୋଗଲରକ୍ତ ସେଠି ମଧ୍ୟ ନିଜର ପରିଚୟ ନ ଦେଇ ରହିପାରିଲାନାହିଁ। ଆମନ୍ତ୍ରିତ ଅତିଥ୍ ପ୍ରତି ଏପରି ଅପମାନଜନକ ଆଚରଣ କରାଗଲା ଯେ, ଶିବାଜୀ ତାହା ସହ୍ୟ କରି ନ ପାରି ସେହିଠାରେ ମୂର୍ଚ୍ଛାଗଲେ। ଏହିଭଳି ସଂଜ୍ଞାହୀନ ଅବସ୍ଥାରେ ବିଶ୍ୱାସଘାତକ ମୋଗଲ ସମ୍ରାଟ ଶିବାଜୀ ଓ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ବନ୍ଦୀ କରିନେଲେ। ବୁଦ୍ଧିମାନ ଶିବାଜୀ ବିଚକ୍ଷଣ ଚତୁରତାର ସହିତ ମିଷ୍ଟାନ୍ନ ଭାର ମଧ୍ଯରେ ଲୁକ୍କାୟିତ ରହି କାରାଗାରରୁ ସମସ୍ତଙ୍କ ଅଗୋଚରରେ ପୁଳାୟନ କଲେ। ଔରଙ୍ଗଜେବ ମୁକ୍ତ ଶିବାଜୀଙ୍କ ଭୟରେ ତ୍ରସ୍ତ ହୋଇ ଶିବାଜୀଙ୍କ ସହ ସନ୍ଧି ସ୍ଥାପନ କଲେ – ୧୬୬୮ ଖ୍ରୀଷ୍ଟାବ୍ଦରେ।
କିନ୍ତୁ ଏ ସନ୍ଧି ଏକ ଅସ୍ଥାୟୀ ବନ୍ଦୋବସ୍ତ ମାତ୍ର। ଶିବାଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୋଗଲ ସାମ୍ରାଜ୍ୟର ପତନ ସାଧନ କରିବା। ସେ କ୍ରମେ ବିଜାପୁର ଓ ଗୋଲକୁଣ୍ଡା ସାହାଯ୍ୟରେ ୧୬୭୨ରେ ପୁନରାୟ ବିଦ୍ରୋହର ଝୁଣ୍ଡା ଉଡ଼ାଇ ଦେଲେ। ଦାକ୍ଷିଣାତ୍ୟର ମୋଗଲ ସେନା ପରାସ୍ତ ହୋଇ ପଳାୟନ କଲେ। ୧୬୭୪ ଖ୍ରୀଷ୍ଟାବ୍ଦରେ ରାମଗଡଠାରେ ଛତ୍ରପତି ଶିବାଜୀଙ୍କର ଅଭିଷେକ ଅନୁଷ୍ଠିତ ହେଲା।
ଏହିଠାରୁ ହିଁ ଶିବାଜୀଙ୍କର ଶାସନକାଳ ଆରମ୍ଭ। ଏହିଠାରେ ହିଁ ଭବିଷ୍ୟତ୍ ମରହଟ୍ଟା ସାମ୍ରାଜ୍ୟର ଭିତ୍ତିସ୍ଥାପନ। ଶିବାଜୀଙ୍କ ଜୀବନର ଏହାର ପରବର୍ତ୍ତୀ କାଳହିଁ ଅତ୍ୟନ୍ତ ଗୌରବୋଜ୍ଜଳ, କାରଣ ଶିବାଜୀ ଏହି ସମୟରେ ହିଁ ସମର୍ଥ ରାମଦାସଙ୍କୁ ଗୁରୁରୂପେ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲେ। ଶିବାଜୀଙ୍କର ନ୍ୟାୟପୂର୍ଣ୍ଣ ରାଜତ୍ଵରେ ଯଦି କାହାରି କିଛି କୃତିତ୍ଵ ଥାଏ ତେବେ ସେ ହେଉଛନ୍ତି ଶିବାଜୀ-ଗୁରୁ ରାମଦାସ। ଏକଦା ଶିବାଜୀ ଗୁରୁ ରାମଦାସଙ୍କ ଚରଣ ତଳେ ରାଜ୍ୟ ଓ ମୁକୁଟ ଅର୍ପଣ କରି ଭିକ୍ଷାଶୀ ଭାବରେ ଜୀବନ ଯାପନ କରିବାକୁ ପ୍ରତିଜ୍ଞାବଦ୍ଧ ମଧ୍ୟ ହୋଇଥିଲେ; କିନ୍ତୁ ତାହା ଗୁରୁ ରାମଦାସଙ୍କର ପରୀକ୍ଷା ମାତ୍ର ଥିଲା। ଶିବାଜୀ ଉତ୍ତୀର୍ଣ୍ଣ ହେଲେ। ଶିବାଜୀଙ୍କୁ ଲୋଭ ଶୂନ୍ୟ ନ୍ୟାୟପରାୟଣ ଆଦର୍ଶ ଶାସକରୂପେ ଗଢିବାର ଦାୟିତ୍ଵ ଥିଲା ଏହି ଗୁରୁ ରାମଦାସଙ୍କର। ରାମଦାସ ଓ ଶିବାଜୀ ଅଭେଦ୍ୟ।
ଶିବାଜୀ ବାସ୍ତବରେ ଜଣେ ବିଦ୍ରୋହୀ ଲୁଣ୍ଠନକାରୀ ନଥିଲେ। ଶିବାଜୀଙ୍କର ପ୍ରଥମ ଜୀବନର ଯାବତୀୟ କାର୍ଯ୍ୟ କେବଳ ଏକ ମହତ୍ତର ଲକ୍ଷ୍ୟ ଦିଗରେ ପରିଚାଳିତ ଏବଂ କୌଶଳ ରାଜନୀତି ବ୍ୟତୀତ ଅନ୍ୟ କିଛି ନୁହେଁ।
ଶିବାଜୀଙ୍କର ସୁଶାସନ ଅଦ୍ୟାବଧୂ ଆଦର୍ଶ ହୋଇ ରହିଛି। ଶିବାଜୀଙ୍କର ରାଜ୍ୟ ଅଷ୍ଟ ପ୍ରଧାନ ମନ୍ତ୍ରୀମାନଙ୍କଦ୍ୱାରା ପରିଚାଳିତ ହେଉଥିଲା। ତଦ୍ବ୍ୟତୀତ ପ୍ରାଦେଶିକ ଉପମନ୍ତ୍ରୀମାନେ ମଧ୍ୟ ନିଯୁକ୍ତ ହୋଇଥିଲେ। ଏକ ସୁଶୃଙ୍ଖଳ ସୈନ୍ୟବାହିନୀଦ୍ଵାରା ରାଜ୍ୟ ସୁରକ୍ଷିତ ଥିଲା। ସେ ରାଜସ୍ବ ଆଦାୟର ସୁବନ୍ଦୋବସ୍ତ କରିଥିଲେ। ଚୌଥକର ଆଦାୟ ପ୍ରଥା ଶିବାଜୀଙ୍କର ପ୍ରବର୍ତ୍ତିତ। ରାଜସ୍ବର ଏକଦଶମାଂଶ ସରଦେଶମୁଖୀ ବା ରାଜପ୍ରାପ୍ୟରୂପେ ସେ ଗ୍ରହଣ କରୁଥିଲେ।
ଶିବାଜୀ ଅତ୍ୟନ୍ତ ଚରିତ୍ରବାନ୍ ପୁରୁଷ ଥିଲେ। ମୁସଲମାନ ମହିଳାମାନଙ୍କ ପ୍ରତି ଭଦ୍ରାଚରଣ କରୁଥିବାରୁ ତାଙ୍କର ଶତ୍ରୁ ଔରଙ୍ଗଜେବ ମଧ୍ୟ ଶିବାଜୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ସେ ମୋଗଲ ଦୁଃଶାସନର ବିରୋଧୀ ଥିଲେ ସତ୍ୟ ମାତ୍ର ଇସଲାମ ଧର୍ମର ବିଦ୍ବେଷୀ ନଥିଲେ। ସେ ମନ୍ଦିର ଓ ମସ୍ଜିଦ୍ ଉଭୟକୁ ସମାନ ଦୃଷ୍ଟିରେ ସମ୍ମାନିତ କରୁଥିଲେ ଏବଂ ରାମ୍ ରହିମ୍ଙ୍କ ନାମ ଆତ୍ୟନ୍ତକ ଭକ୍ତି ସହକାରେ କୀର୍ତନ କରୁଥିଲେ।
ଭାରତର ଦୁର୍ଭାଗ୍ୟ – ମାତ୍ର ୫୩ ବର୍ଷ ବୟସରେ – ଦାକ୍ଷିଣାତ୍ୟର ବହୁ ଅଞ୍ଚଳ ଜୟ କରି ଗଙ୍ଗା ଯମୁନାର ସମତଳ ଭୂମିଠାରୁ କୁମାରିକା ଅନ୍ତରୀପ ପର୍ଯ୍ୟନ୍ତ ଯେଉଁ ମହାରାଷ୍ଟ୍ର ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା ତାର ଭିଭିସ୍ଥାପନ ପରେ ପରେ ହିଁ ଏହି ଆଦର୍ଶ ରାଷ୍ଟ୍ରନାୟକ ଇହଲୀଳା ସାଙ୍ଗ କରି ଚାଲିଗଲେ।