ଓଡ଼ିଆ ଖଣ୍ଡ

ଧର୍ମବୀର କବିର

କବିର ହିନ୍ଦୁ ନା ମୁସଲମାନ?

ଏ ପ୍ରଶ୍ନର ଉତ୍ତର ଦେବ କିଏ? ଏ ପ୍ରଶ୍ନ ନୁହେଁ – ଏକ ସମସ୍ୟା। ଏ ସମସ୍ୟା ସମାଧାନ କରିବ କିଏ?

ଗୋଟିଏ ଯୁବକ। ନାମ ନିରା। କେହି କେହି ଡାକୁଥିଲେ ନୁରା ବୋଲି। ସଙ୍ଗରେ ତାହାର ନବବିବାହିତା ପତ୍ନୀ ନିମା ଲଜ୍ଜାବନତା, ସୁଶୀଳା, ଶାନ୍ତା ଓ କାନ୍ତା। ପିତ୍ରାଳୟରୁ ବାହୁଡିଯାଉଛି ଶ୍ଵଶୁର ଗୃହକୁ – ସ୍ବାମୀସୁହାଗିନୀ ହୋଇ।

କାଶୀ ନଗରୀର ଗୋଟିଏ ନିର୍ଜନ ଅଞ୍ଚଳ ପଥ – ଗମନପଥର ପାର୍ଶ୍ଵଦେଶରେ ଗୋଟିଏ ପୁଷ୍କରିଣୀ। ପୁଷ୍କରିଣୀଟି ଟି ‘ଲହରତାରା’ ନାମରେ ଅଭିହିତ ବଟଛାୟା-ବିମଣ୍ଡିତ ମଣ୍ଡପ ନି ମଣ୍ଡପ ନିକଟସ୍ଥ ତଟ ସମୀପରେ ଅଜ୍ଞାତକୁଳଶୀଳ ଗୋଟିଏ ପରିତ୍ୟକ୍ତ ଶିଶୁର ଘନଘନ କ୍ରନ୍ଦନସ୍ବନ ତେବେ କଣ ଏହି ପ୍ରଶ୍ନର ଉତ୍ତର ଦେବ? ଏହି ଜଟିଳ ସମସ୍ୟା ସମାଧାନ କରିପାରିବ?

ମୁସଲମାନ ତନ୍ତୀ ଜୁଲାହ୍ ନିରା ଜାଣିନଥୁଲା ସେଦିନ ଏହି ଅରକ୍ଷ ଅକିଞ୍ଚନ ଯେଉଁ ଶିଶୁଟିକୁ ଦୟାପରବଶ ହୋଇ ସେ ପ୍ରତିପାଳନ କରିବାକୁ ଘେନିଯାଉଛି ଏବଂ ଯାହାକୁ ତାହାର ନବପରିଣିତା ପତ୍ନୀ ଅପତ୍ୟ ସ୍ନେହରେ ଅଶେଷ ଆଦର ଏବଂ ଚୁମ୍ବନ ଦାନକରୁଛି, ସେ କେବଳ ତାହାରି ସୀମାବଦ୍ଧ ଗୃହାଙ୍ଗନର ନୁହେଁ – ସମଗ୍ର ଭାରତବର୍ଷର ମୁଖ ଉଜ୍ଜ୍ବଳ କରିବ ଏହି ପ୍ରଶ୍ନର ଉତ୍ତର ଦେଇ।

ସେଦିନର ସେହି ଈଶ୍ଵରଦତ୍ତ ଶିଶୁପୁତ୍ରଟି ହିନ୍ଦୁ-ମୁସଲମାନ ଉଭୟଙ୍କ ଦାବିର ଦୁର୍ଲଭ ନିଧ୍ କବିର!

ଆଜକୁ ସାଢେ ଚାରିଶହ ବର୍ଷ ତଳର କଥା। ସେଦିନ ମଧ୍ୟ ଏହି ଜଟିଳ ପ୍ରଶ୍ନ ଆସି ସମାଜ ସମ୍ମୁଖରେ ଉପସ୍ଥିତ ହୋଇଥିଲା। ସତ୍ୟ ଏବଂ ଧର୍ମରେ ପ୍ରକୃତ ଦାବି କାହାର? ହିନ୍ଦୁର ନା ମୁସଲମାନର?

ସନାତନ ହିନ୍ଦୁଧର୍ମ ଏବଂ ଏକେଶ୍ଵର ଇସଲାମ ଧର୍ମ ମଧ୍ଯରେ ହେଲା ତୁମୁଳ ସଂଘର୍ଷ। ଏକ ସ୍ଥାନରେ, ଏକ ମାଟିରେ, ଏକ ପାଣିପବନରେ ଏବଂ ଏକ ଦେଶ ଏହି ଭାରତବର୍ଷରେ ଉଭୟ ଧର୍ମ ପରସ୍ପର ନିକଟ ନିକଟରେ ରହି ତିଷ୍ଠିପାରିବା ଜଣ ଏକାବେଳେ ଅସମ୍ଭବ? ଏ ଦୁଇ ଧର୍ମ କଣ ଏପରି ଭାବରେ ପରସ୍ପରବିରୋଧୀ ଏବଂ ବିବଦମାନ ଯେ ଏକର ସମୃଦ୍ଧିରେ ଅନ୍ୟର ବିଲୋପ ବ୍ୟତିରେକେ ଗତ୍ୟନ୍ତର ନାହିଁ? ସାମ୍ୟ ଓ ସମନ୍ଵୟର ପୁଣ୍ୟଭୂମି ଏହି ଭାରତବର୍ଷରେ ସେଦିନ ପୁଣି ଥରେ ଏହି ସମସ୍ୟା ଭାରତୀୟ ପ୍ରାଣକୁ ଆନ୍ଦୋଳିତ କରିଥିଲା।

ସେତିକିବେଳେ, ସେହି ଦୁର୍ଦ୍ଦିନରେ ଏ ଅନ୍ୟାୟ ଅବାଞ୍ଛନୀୟ ସଂଘର୍ଷର ମନ୍ଥନ ମଧ୍ୟରୁ ଅମୃତୋପମ ମୂର୍ତ୍ତି ଆବିର୍ଭୂତ ହୋଇଥିଲେ ମୁସଲମାନ ଜୁଲାହ ନିରା ଓ ନିମାଙ୍କର ପାଳିତ ପୁତ୍ର, ରାମାନନ୍ଦଙ୍କର ପରମଭକ୍ତ ପରମଶିଷ୍ୟ ରାମୋପାସକ ରାମତାରକମନ୍ତ୍ରଧ୍ଯାୟୀ ମହାତ୍ମା କବିର।

ଏହି କବିର ଦିନେ ମତାନ୍ଧ ହିନ୍ଦୁ ଓ ମୁସଲମାନ ଭାରତବାସୀଙ୍କୁ ବଜ୍ର ଗମ୍ଭୀର କଣ୍ଠରେ କହିଥିଲେ, ‘ହିନ୍ଦୁ ଏବଂ ମୁସଲମାନ ବାହ୍ୟତଃ ଶତ ପାର୍ଥକ୍ୟ ସତ୍ତ୍ଵେ ଅଭ୍ୟନ୍ତରରେ ଅଭେଦ ଏବଂ ଏକ।” ସେହି ଦରିଦ୍ର ମୁସଲମାନ ତନ୍ତୁବାୟର ଅନ୍ନପାଳିତ ପୁତ୍ର କବିର, ଦାରିଦ୍ର୍ୟର ଅପରାଧରେ ଶିକ୍ଷାଲାଭର ସୌଭାଗ୍ୟରୁ ବଞ୍ଚ ସମାଜର ଦଳିତ ଜାତି ସନ୍ତାନ କବିର, କିଏ ଜାଣିଥିଲା ଦିନେ ଭାରତବର୍ଷର ଆଧ୍ୟାତ୍ମିକ ଜଗତି ଉପରେ ଏପରି ଏକ ସ୍ପର୍ଷିତ ଆସନ ଲାଭକରିବେ; ଯାହା ଫଳରେ ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟଭୁକ୍ତ ବ୍ୟକ୍ତି ତାଙ୍କର ଚରଣତୀର୍ଥର ସମୀପବର୍ତ୍ତୀ ହୋଇ ଧର୍ମର ଅନ୍ଧ ଭେଦଭାବକୁ ଭୁଲି ଏକ ସ୍ବରରେ ସମ୍ବୋଧନ କରିବେ। କବିର ହିନ୍ଦୁ ଓ ମୁସଲମାନ ଉଭୟଙ୍କର ଗୁରୁ ଓ ଆଚାର୍ଯ୍ୟ!

ଶାସ୍ତ୍ରଜ୍ଞାନ କଥା ଦୂରେ ଥାଉ – ସାମାନ୍ୟ ଅକ୍ଷର ପରିଚୟ ମଧ୍ଯ ପାଇବାର ସୁଯୋଗ ଘଟି ନ ଥିଲା କବିରଙ୍କର। ତଥାପି ଜ୍ଞାନର ଯେଉଁ ସର୍ବୋଚ୍ଚ କୋଟିରେ ସେ ସ୍ୱୀୟ ଅଧିକାର ସାବ୍ୟସ୍ତ କରି ଏ ଦେଶର ଆଧ୍ୟାତ୍ମିକ ପରମ୍ପରାରେ ଅମୂଲ୍ୟ ସାହିତ୍ୟ ସୃଷ୍ଟିକରିଯାଇଛନ୍ତି ତାହା କ୍ଵଚିତ୍ କ୍ଷଣଜନ୍ମାଙ୍କ ଭାଗ୍ୟରେ ଘଟିଥାଏ।

ସେ ମୂର୍ଖ ହୋଇ ମଧ୍ୟ ପଣ୍ଡିତ। ବୈଷ୍ଣବ ପରିଧାନ ବା ଭେକ ଧାରଣ ନ କରି ମଧ୍ୟ ପରମବୈଷ୍ଣବ। ଭାଷା ଓ ବର୍ଣ୍ଣଜ୍ଞାନରହିତ ହୋଇ ମଧ୍ୟ କ୍ରାନ୍ତିଦ୍ରଷ୍ଟା କବି ବହୁ ଅସମ୍ଭବ ମଧ୍ୟରେ ସେ ସମ୍ଭାବ୍ୟ ବର୍ତ୍ତମାନ ସଦୃଶ ଏକ ଅଦ୍ଭୁତ ଏବଂ ନିରାଟ ସତ୍ୟକାର।

ଦଳିତ ସର୍ବହରା କୋଳରେ ପ୍ରତିପାଳିତ ହୋଇ ସେ ସମାଜର ଶୋଷକବର୍ଗଙ୍କ ବିରୋଧରେ ଯେଉଁ ଦୁର୍ଦ୍ଦମ ମସ୍ତକ ଉତ୍ତୋଳନ କରିଥିଲେ, ତାହା କସ୍ମିନ୍‌କାଳେ ହିଂସାପ୍ରଣୋଦିତ ହୋଇ ନ ଥିଲା। ତାଙ୍କର ନାନା ସମାଲୋଚନାମୂଳକ କଟୂକ୍ତି କେବଳ ଉଚ୍ଚ ଆତ୍ମାଭିମାନୀ ଶୋଷକ ନିଷ୍ଠୁର ଗୋଷ୍ଠୀକୁ ଚୈତନ୍ୟ ଆଣିଦେବାପାଇଁ ରଚିତ ହୋଇଥିଲା। ଉଚ୍ଚ ଗୋଷ୍ଠୀର ପୃଷ୍ଠପୋଷକ ପଣ୍ଡିତମାନଙ୍କର ଭଣ୍ଡାମି ପ୍ରତି ତାଙ୍କର ଭୟଙ୍କର ଅଶ୍ରଦ୍ଧା ଥିଲେ ମଧ୍ୟ ଉଭୟ ହିନ୍ଦୁ ଓ ଇସଲାମର ଅନ୍ଧ ସମାଜ ଏବଂ ସମାଜର ହର୍ଷା-କର୍ମା-ବିଧାତା ମୁଲାହ୍ ମୌଲବୀ, ବ୍ରାହ୍ମଣ ଓ ପଣ୍ଡିତମାନଙ୍କର ବହୁ ଅତ୍ୟାଚାର ତାଙ୍କୁ ସହ୍ୟ କରିବାକୁ ହୋଇଥିଲେ ମଧ୍ୟ କବିର ଶ ଶାନ୍ତ ଚିତ୍ତରେ ସେ ସମସ୍ତଙ୍କୁ ବରଣ କରି ନେଇଥିଲେ ଏବଂ ସମସ୍ତଙ୍କୁ କ୍ଷମାଦୃଷ୍ଟିରେ ନିରୀକ୍ଷଣକରି ସମସ୍ତଙ୍କ ପ୍ରତି ଏକ ମମତାପୂର୍ଣ ସତ୍ୟ ଆଦର୍ଶର ଅମୃତଧାରା ଉତ୍ସାରିତ କରିଯାଇଥିଲେ।

କବିର ଏକ ରହସ୍ୟପୂର୍ଣ୍ଣ ବ୍ୟକ୍ତି। ତାଙ୍କର ପ୍ରକୃତ ପନ୍ଥା ସାଧାରଣ ମନୁଷ୍ୟର ସହଜବୋଧଗମ୍ୟ ନୁହେଁ। ସେ ପରମ ରାମଭକ୍ତ ଥାଇ ମଧ୍ୟ ନିର୍ଗୁଣ ବ୍ରହ୍ମ ଉପାସନା କରୁଥିଲେ। ସମ୍ଭବତଃ କବିରଙ୍କର ଶ୍ରୀରାମ, ଏକଦା ଅଯୋଧ୍ୟାର ରାଜା ରାମଚନ୍ଦ୍ର ନୁହନ୍ତି। କବିରଙ୍କର ରାମ ନିର୍ଗୁଣ ବ୍ରହ୍ମର ପ୍ରତୀକ ପ୍ରାଣାରାମ, ରାମତାରକମନ୍ତ୍ରର ସାକ୍ଷାତ୍‌ ପରମବ୍ରହ୍ମ। ଉଭୟ ବେଦ-ବେଦାନ୍ତ, ପୁରାଣ ଉପନିଷଦ, ଯୋଗ ଓ ଭକ୍ତି ସହିତ ସେ ଇସଲାମ୍ ଓ ସୁଫି ଧର୍ମର ସାର ସଂଗ୍ରହ କରି ଏକ ମହନୀୟ ସମନ୍ବୟରେ ତାଙ୍କର ସିଦ୍ଧାନ୍ତକୁ ପ୍ରତିଷ୍ଠିତ କରିଥିଲେ। କବିର ରଚିତ ଆଲେଖ୍ୟର ଶ୍ରେଷ୍ଠ ଗ୍ରନ୍ଥ ‘ଦୀଜକ’, ‘ରମୌନୀ’, ‘ସବଦ’ (ଶବ୍ଦ) ବା ‘ସାକ୍ଷୀ’ ଏହି ତିନିଭାଗରେ ବିଭକ୍ତ। କବିର ମଠ କିମ୍ବା ସମ୍ପ୍ରଦାୟ ପ୍ରତିଷ୍ଠାର କଳ୍ପନା ମଧ୍ୟ କରି ନ ଥିଲେ। ତଥାପି ଭାରତୀୟ ଚରିତ୍ର ମଧ୍ୟରେ ସେ ଯେଉଁ ସୁଦୃଢ ଅନୁଷ୍ଠାନର ଶୃଙ୍ଖଳା ସୃଷ୍ଟିକରିଯାଇଛନ୍ତି ତାହାର ଆଦର୍ଶ ଏ ଜାତିକୁ ନାନା ସ୍ଖଳନରୁ ରକ୍ଷା କରିବାରେ ସମର୍ଥ ହୋଇଛି।

ସେ ଗୃହସ୍ଥ ଥାଇ ମଧ୍ୟ କଠୋର ସନ୍ୟାସ ଧର୍ମ ଆଚରଣ ଦ୍ଵାରା ଶିକ୍ଷା ଦେଇଯାଇଛନ୍ତି – ସେ ସମାଜରେ ଥାଇ ମଧ୍ୟ ଏକ ଉଦ୍ଧତ ସଂସ୍କାରକରୂପେ, ଦାମ୍ଭିକ ନ୍ୟାୟପରାୟଣତାର ପରାକାଷ୍ଠା ଦେଖାଇଯାଇଛନ୍ତି। ସେ ସ୍ବୟଂ ଏକ ପ୍ରସିଦ୍ଧ ସିଦ୍ଧଗୁରୁ ଥାଇ ମଧ୍ୟ ଧର୍ମଧ୍ଵଜୀ ଭଣ୍ଡମାନଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପୂର୍ଣ୍ଣ କରି ଯାଇଛନ୍ତି ବୋଲି କହିଲେ ଅନ୍ୟାୟ ହେବ ନାହିଁ। ଏ ସମାଜକୁ ଅନ୍ଧକୂପରୂପୀ ଅନ୍ଧବିଶ୍ଵାସରୁ ଉଦ୍ଧାର କରିବାପାଇଁ ତାଙ୍କର ଦୁର୍ଦାନ୍ତ ପ୍ରଚେଷ୍ଟା ନିକଟରେ ଭାରତବାସୀ ଚିରଦିନ ମସ୍ତକ ଅବନତ କରି ତାହାଙ୍କୁ ଶତବାର ପ୍ରଣିପାତ କରି ମଧ୍ୟ ତୃପ୍ତିଲାଭ କରିପାରିବନାହିଁ।

କବିରଙ୍କର ଅନ୍ତିମ ଅବସ୍ଥା ଅତି ଅମୃତମୟ ରମଣୀୟ ଗାଥାକାରରେ ଏ ଦେଶର ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ମୁଖେ ମୁଖେ ପ୍ରଚଳିତ। ହିନ୍ଦୁ-ମୁସଲମାନ ଏକତାର ଚରମଶିକ୍ଷା କବିର ଯେପରି ଭାବରେ ତାଙ୍କର ଶରୀର ଉତ୍ସର୍ଗର ମହୋତ୍ସର୍ଗ ମଧ୍ୟରେ ଦାନକରିଗଲେ ତାହା ବାସ୍ତବିକ ଏକ ଅନୁପମ ଆଖ୍ୟାୟିକା।

ସମ୍ଭବତଃ ପନ୍ଦର ଶହ ସତର ଖ୍ରୀଷ୍ଟାବ୍ଦ – କାଶୀ ଧାମରୁ ସେ ମଗହର ନାମକ ସ୍ଥାନକୁ ପ୍ରସ୍ଥାନ କରିଛନ୍ତି। ହିନ୍ଦୁ ଓ ମୁସଲମାନ ଉଭୟ ଶ୍ରେଣୀୟ ଶିଷ୍ୟଙ୍କ ଆଗରେ ରାମ ଓ ରହିମଙ୍କର ଅଭେଦତ୍ଵ ପ୍ରମାଣ କରି ଉଭୟଙ୍କର ଗୁଣ କୀର୍ତ୍ତନ କରୁ କରୁ ପରମେଶ୍ଵରଙ୍କର ଚରମ ଧାମକୁ ଯାତ୍ରା ଆରମ୍ଭକଲେ। ଦୃଷ୍ଟାନ୍ତରହିତ ଗୋଟିଏ,ଅତି ମହନୀୟ ଜୀବନର ଶ୍ରେଷ୍ଠଙ୍କର ପଟ୍ଟପତନ ହେଲା।

ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟ ଉଭୟଙ୍କର ଧର୍ମାନୁମୋଦିତ ଶ୍ରାଦ୍ଧକ୍ରିୟା ସମାପନ କରିବା ପାଇଁ ପରସ୍ପର ମଧ୍ୟରେ କନ୍ଦଳ ସୃଷ୍ଟି କଲେ। କବିରଙ୍କର ସେହି ଚିନ୍ମୟ ଶରୀର ଉପରେ ଉଭୟ ଶ୍ରେଣୀୟ ଭକ୍ତଙ୍କର ଯଥାର୍ଥ ଏବଂ ଗ୍ରାହ୍ୟ।

କବିରଙ୍କର ଜନ୍ମକାଳରେ ତାଙ୍କର ପାଳୟିତା ଓ ପାଳୟିତ୍ରୀ ଯେଉଁ ପ୍ରଶ୍ନ ପରସ୍ପରକୁ ପଚାରିଥିଲେ, ଦେହ ଅବସାନ କାଳରେ ମଧ୍ୟ କବିରଙ୍କର ଶିଷ୍ୟ ପ୍ରଶିଷ୍ୟବୃନ୍ଦ ସେହି ପ୍ରଶ୍ନ ଉତ୍‌ଥାପନ କଲେ କବିର ହିନ୍ଦୁ ନା ମୁସଲମାନ?

ଉଭୟ ସମ୍ପ୍ରଦାୟର ବିସ୍ମୟ ମଧ୍ୟରେ ଅତି ଆକସ୍ମିକ ଭାବରେ ଦେଖାଗଲା କବିରଙ୍କର ଅବୟବ ଅନ୍ତର୍ହିତ ହୋଇଯାଇଛି ଏବଂ ଉଭୟ ସମ୍ପ୍ରଦାୟର ଦାବି ସାବ୍ୟସ୍ତ କରି ସେହି ସ୍ଥାନରେ ଉଭୟଙ୍କ ନିମନ୍ତେ ଦୁଇଟି ସଦ୍ୟ ପ୍ରସ୍ଫୁଟିତ ସତେଜ ପୁଷ୍ପ ବିଦ୍ୟମାନ।

ସେହି ପୁଷ୍ପ ଦୁଇଟିକୁ ନିଜ ନିଜ ମଧ୍ୟରେ ବଣ୍ଟନ କରି ହିନ୍ଦୁ ଓ ମୁସଲମାନ ଉଭୟେ ପରସ୍ପରର ଧର୍ମମତ ଅନୁସାରେ କବିରଙ୍କର ଶେଷକ୍ରିୟା ସମାପନ କରିଥିଲେ।

ସନାତନ ହିନ୍ଦୁଧର୍ମ ଏବଂ ନିରାକାର ଇସଲାମ୍ ଭାରତୀୟ ଜୀବନରେ ଯେଉଁ ସଂଘର୍ଷର ସୂତ୍ରପାତ ଦେଖାଦେଇଥିଲା ତାହାର ଏହିଭଳି ଏକ ସୂକ୍ଷ୍ମ ଏବଂ କବିତ୍ଵପୂର୍ଣ୍ଣ ସମାଧାନ କରି କବିର ଚିରଦିନ ନିମନ୍ତେ ଭାରତୀୟ ହୃଦୟରାଜ୍ୟରେ ଅଧିରୂଢ ହୋଇ ରହିଗଲେ।

About the author

हिंदीभाषा

Leave a Comment

You cannot copy content of this page