ଓଡ଼ିଆ ଖଣ୍ଡ

ଗୌତମ ବୁଦ୍ଧ

ଏବେ ମଧ୍ୟ ସେ ବୃକ୍ଷର ସତ୍ତା ବିଦ୍ୟମାନ। ଅଢେଇହଜାର ବର୍ଷର ଗ୍ରୀଷ୍ମ, ବର୍ଷା, ଶୀତ, କାକର, ଝଡ ଝଞ୍ଜା ତା ଉପରେ ଅତିବାହିତ ହୋଇଗଲାଣି – ତଥାପି ସେ ମୁଣ୍ଡ ଟେକି ରହିଛି। କାଣ୍ଡନାହିଁ, ପତ୍ର ନାହିଁ, ଶାଖା ନାହିଁ, ଶିକଳ ନାହିଁ, ଚେର ନାହିଁ, ବକ୍‌କଳ ନାହିଁ, ଅଛି କେବଳ ଏକ ଆଭାସ – ଗୋଟିଏ ସ୍ମୃତି, ଗୋଟାଏ ପରମ୍ପରା। ତଥାପି ସେ ବଞ୍ଚିଛି ଗୋଟିଏ ଜୀବନ୍ତ ସତ୍ୟର ପ୍ରତୀକରୂପେ – ଆଜି ମଧ୍ୟ ସେ ସମଗ୍ର ଏସିଆର ଆଲୋକସ୍ତମ୍ଭ ଭଳି ଦେଦୀପ୍ୟମାନ।

ହଁ, ଅଢେଇ ହଜାର ବର୍ଷରୁ ଊର୍ଦ୍ଧ୍ବ ହେବ। ବର୍ଷ ପରେ ବର୍ଷ ବିତିଗଲାଣି। ଭାରତର କେତେ ରାଜା, ମହାରାଜା ସେହି ଭୂମି ଉପରେ ରାଜତ୍ଵ କରିଗଲେଣି; କିନ୍ତୁ କାହିଁ? କିଏ ସେହି ଆଲୋସ୍ତମ୍ଭର ପ୍ରକୃତ ଅଧିକାରୀ ହୋଇପାରିଛି? କିଏ ସେହି ବୋଧିବୃକ୍ଷର ଉଦାର ଭାବରେ ଉଦ୍‌ବୁଦ୍ଧ ହୋଇଛି? ରାଜା ହୋଇ ମଧ୍ୟ ସନ୍ନ୍ୟାସୀର ଭାଗ୍ୟ କିଏ ସ୍ବାଗତ କରି ଭାରତର ହୃଦୟ-ରାଜ୍ୟକୁ ଅଦ୍ୟାବଧି ଶାସନ କରିପାରିଛି?

ଗୟା ନିକଟସ୍ଥ ନିବିଡ ଅରଣ୍ୟ ମଧ୍ୟରେ ନିସ୍ତବ୍‌ଧ ଗୋଟିଏ ନିକାଞ୍ଚନ ସ୍ଥାନ – ‘ଉରିବିଲ୍ବ’। ସ୍ଫଟିକ-ସ୍ୱଚ୍ଛ ନିର୍ମଳ ନିର୍ଝରିଣୀ ‘ନିରଞ୍ଜନା’ ନିରନ୍ତର ଝରଝର ନାଦ କରି ପ୍ରବାହିତ ହେଉଅଛି। ତଟସ୍ଥ ଗୋଟିଏ ପିପ୍‌ପଳ ବୃକ୍ଷ ଆଜକୁ ଅଢେଇ ହଜାର ବର୍ଷ ପୂର୍ବେ ଧୀର ସମୀରରେ ଦୋଳାୟମାନ ହେଉଥିଲା।

ଆଜି ବୁଦ୍ଧଗୟାରେ ଯେଉଁ ବୋଧକ୍ଷର ରୂପଦର୍ଶନ ମିଳେ, ସାର୍ଷ ଦୁଇ ସହସ୍ର ବର୍ଷ ପୂର୍ବେ ସେ ବୃକ୍ଷ ଅବଶ୍ୟ ଏହାର ଅବିକଳ ସ୍ବରୂପ ଧାରଣ କରି ନ ଥିଲା। ଘଞ୍ଚ ଶ୍ୟାମଳ ପତ୍ରାବଳିର ଛତ୍ରଛାୟାତଳେ ବିଶ୍ୱଶାନ୍ତିର ଏକ ମୂର୍ତ୍ତ ପ୍ରତୀକ ସତେ ଯେପରି ରୂପାୟିତ ହୋଇଥିଲା ସେଦିନ !

ସେହି ଦୋଳଘନ ଲୋକଦଳ ବିତାନ ତଳେ କିଏ ଏହି ଅସ୍ଥି-ଚର୍ମସାର ଜୀବନ୍ତ କଙ୍କାଳ ମୂର୍ତ୍ତି?

ଅଦୂର ବନ ପ୍ରାନ୍ତରରୁ ସୁମଧୁର ସୁଲଳିତ ସଙ୍ଗୀତ ଭାସିଆସୁଥିଲା–

ଶିଥୁଳ କଲେ ଅତି

ସୂକ୍ଷ୍ମ ବିପଞ୍ଚୀ ତନ୍ତ୍ରୀ

ନ ଉଠେ କିଞ୍ଚିତେ ଝଙ୍କାର,

ଛିନ୍ନ ସେ ହେବ ସିନା

ବାଦନ କଲେ ବୀଣା

ଆଞ୍ଚ୍ ତା ଗାଢେ ବାରବାର।

ରମଣୀ-କଣ୍ଠର ଲଳିତ ସ୍ଵରଝଙ୍କାର ଚଳଚଞ୍ଚଳ ବାୟୁବଳୟରେ ଜଗାଇଥିଲା ଏକ ଅଭିନବ ହିଲ୍ଲୋଳ। ତପସ୍ଵୀଙ୍କର ଜୀର୍ଣ୍ଣ ଅବୟବ ସହସା ଏକ ଅନୁପମ ପୁଲକ-କମ୍ପରେ ଉଲ୍ଲସିତ ହୋଇଉଠିଲା।

ସୁଦୃଢ ସ୍ବସ୍ତିକ ଆସନ କ୍ଲଥ ଶିଥୁଳ ହୋଇଗଲା। ନିମୀଳିତ ନୟନରେ ଅପୂର୍ବ ଦିବ୍ୟ ଜ୍ୟୋତି ଉଦ୍ଭାସିତ ହୋଇଉଠିଲା। ଶୁଷ୍କ ଚର୍ମର ପ୍ରତି ଲୋମକୂପରେ ନୂତନ ଜୀବନର ସଂଚାର–ନୂତନ ସ୍ପନ୍ଦନର ଉନ୍ମେଷ।

ତପସ୍ବୀ ! ଏ କି ବେଶ? ଏ କି ନିର୍ମମ କଠୋର ସାଧନା? ଅସ୍ଥିସାର ପ୍ରଶସ୍ତ ପଞ୍ଜର ଆଜି ବକ୍ଷହାରରୂପେ ପ୍ରଲମ୍ବିତ। ଉଦରର ବର୍ତ୍ତୁଳ ଭଙ୍ଗୀ କ୍ଷୀଣରୁ କ୍ଷୀଣତର ହୋଇ ପୃଷ୍ଠଭାଗସ୍ଥ ମେରୁପ୍ରାଚୀର ସହିତ ସଂଲଗ୍ନ ହୋଇଗଲାଣି। ଉଦ୍ଦୀପ୍ତ ଚକ୍ଷୁତାରକାଦ୍ଵୟ କୋଟରାନ୍ତର୍ଗତ। ରୁକ୍ଷ କେଶଗୁଚ୍ଛ ଶୁଷ୍କ ତୃଣ ସଦୃଶ ଇତସ୍ତତଃ ବିଚ୍ଛୁରିତ। ସଙ୍ଗୀତର ଶେଷ ଝଙ୍କାରପରି ସ୍ପନ୍ଦିତ ହେଉଛି କେବଳ ମାତ୍ର କ୍ଷୀଣ, ଅତିକ୍ଷୀଣ ଜୀବନର ସୂକ୍ଷ୍ମଭାସ।

ଗ୍ରାମସୀମନ୍ତିନୀ ଜନପଦବଧୂମାନଙ୍କର ଅସ୍ପଷ୍ଟ କଣ୍ଠଧ୍ଵନି ସୁଦୂର କାକଳି ସଙ୍ଗୀତରେ ଧୀରେ ଧୀରେ ସମନ୍ଵୟ ସୃଷ୍ଟି କରୁଅଛି। ସେହି ସଙ୍ଗୀତର ମୂର୍ଚ୍ଚନା ସତେ ଯେପରି ହୃଦୟର ଘନ ଅନ୍ତରାଳରେ ତୀବ୍ର ଆଲୋଡନ ଜଗାଇ ସନ୍ନ୍ୟାସୀଙ୍କର କର୍ଣ୍ଣକୁହରରେ ବାରମ୍ବାର ଧ୍ଵନିତ କରୁଛି, “‘କି ସନ୍ନ୍ୟାସୀ ! ଜୀବନର ଜୀର୍ଣ୍ଣ ବୀଣାଯନ୍ତ୍ରର ତନ୍ତୁଚୟକୁ ଆଉ କେତେ ଦୂର ଆକର୍ଷଣ କରିବ? ସେ ଯେ ଛିନ୍ନପ୍ରାୟ !?’

ସନ୍ନ୍ୟାସୀଙ୍କର ସମାଧି ଭଗ୍ନ ହେଲା। ମଗ୍ନ ଧ୍ୟାନ ଅନ୍ୟ ଅଭିମୁଖରେ ଅନୁଧାବିତ ହେବାକୁ ଲାଗିଲା। ଜୀବନ-ସ୍ରୋତର ପ୍ରବାହରେ ଏ କି ବିପରୀତ ପରିବର୍ତ୍ତନ ! ଏଯାବତ୍ ଅବରୁଦ୍ଧ ସ୍ବର୍ଗରାଜ୍ୟର ସେହି ସୁସଜ୍ଜିତ ତୋରଣଦ୍ଵାର ସଙ୍ଗେ ସଙ୍ଗେ ଉଦ୍‌ଘାଟିତ ହୋଇଗଲା— ‘ସକାମ ତାପସବ୍ରତ ସୁକଠୋର ହେଲେହେଁ ଆତ୍ମାର ଶାନ୍ତି ସମ୍ପାଦନ କରିପାରେ ନାହିଁ।’’

ତପସ୍ଵୀଙ୍କର ଶାନ୍ତ ସମାହିତ ଚିଉ ଆଜି ଉଦ୍‌ବେଳିତ। ସାଧକଙ୍କର ଅସାଧ୍ୟ ସାଧନ ବ୍ରତ ଆଜି ସନ୍ଦିଗ୍‌ଧ।

ତେବେ କ’ଣ ଏ ସମସ୍ତ କେବଳ ଭ୍ରାନ୍ତି? ସବୁ ବ୍ୟର୍ଥ ! ବିପୁଳ ରାଜବୈଭବ, ପିତାମାତା, ସ୍ତ୍ରୀ ପୁତ୍ରଙ୍କର ଅପ୍ରମିତ ସ୍ନେହମମତା, ବନ୍ଧୁବାନ୍ଧବ ପ୍ରିୟାପ୍ରୀତିଙ୍କର ଅପ୍ରତୁଳ ସୌହାର୍ଘ୍ୟ, ସମସ୍ତ ତ୍ୟାଗକରି ଏହି ଗହନ ବନ ମଧ୍ୟରେ ନିଦ୍ରାହାର ପରିହାରର ଏ ପରିଣାମ ତେବେ କ’ଣ ନିଷ୍ଫଳ?

ମନେପଡିଗଲା ବିଦ୍ଯୁଦ୍ଦାମର କ୍ଷଣିକ ଆଭା ପ୍ରାୟ ଅତୀତ ଜୀବନର ବିସ୍ତୃତ କରୁଣ କାହାଣୀ। ନିଶାର ଅର୍ଦ୍ଧଭାଗରେ ଉତ୍ସବମୁଖର ସମଗ୍ର ପାଟଳିପୁତ୍ର ଯେତେବେଳେ ଶ୍ରମକ୍ଳାନ୍ତ ଓ ସୁଷୁପ୍ତ, ଶୟନକକ୍ଷରେ ନବପ୍ରସୂତିକା ପତିପ୍ରାଣା ପତ୍ନୀ ନିଶ୍ଚିନ୍ତ ନିଦ୍ରାରେ ନିମଗ୍ନ, ଧୀରେ ଅତି ଧୀରେ ସୌଷ୍ଠବମୟ ଶୋଭାଙ୍ଗ ଗୋଟିଏ ଯୁବକ ରାଜପ୍ରାସାଦରୁ ଅବତରଣ କରି ଆସୁଛନ୍ତି।

ରାଜକୁମାର ଶାକ୍ୟସିଂହ ! ଚିରପରିଚିତ ପାଟଳୀପୁତ୍ରର, ନଗରପ୍ରାନ୍ତର ସତେ ଯେପରି ଏକ ମୂକ ଆତଙ୍କରେ ଉଦ୍‌ଗ୍ରୀବ ହୋଇ ଚାହିଁରହିଛି। ସଦ୍ୟଜାତ ଶିଶୁର କରୁଣ ଚିତ୍କାର ଘନଘନ କଣ୍ଣକୁହରରେ ଆଘାତ କରୁଛି; କିନ୍ତୁ ଶାକ୍ୟସିଂହ ଦୃଢସଂକଳ୍ପ – ନିଜ ମାର୍ଗରେ ଅଚଳ ଅଟଳ। ଅଦ୍ୟ ସନ୍ଧ୍ୟାରେ ସଦ୍ୟ ନୃତ୍ୟଗୀତରତା ଯେଉଁ ବାରାଙ୍ଗନା ନର୍ଭ କୀଗଣ ଆପଣାର ଅଦ୍ଭୁତ ଲାସ୍ୟଭଙ୍ଗିମାରେ ସଭାମଣ୍ଡପ ମଣ୍ଡନ କରି ଦର୍ଶକଚିତ୍ତ ଅପହରଣ କରୁଥିଲେ, ସେ ସମସ୍ତେ ଏକେ ଏକେ ନିଦ୍ରାଭିଭୂତା ବିସ୍ରସ୍ତବସନା ହୋଇ କି ବୀଭତ୍ସ କଦାକାର ଦୃଶ୍ୟ ସୃଷ୍ଟି କରୁଛନ୍ତି !

ରାଜକୁମାର ଚମକିପଡିଲେ। ତାଙ୍କ ସମ୍ମୁଖରେ କିଏ ଯେପରି ଦ୍ବାର ଉନ୍ମୁକ୍ତ କରିଦେଲା। ସଂସାରପ୍ରତି ବିତୃଷ୍ଣା ଓ ଘୃଣା ଯେପରି ଦ୍ବିଗୁଣିତ ହୋଇ ଉଠିଲା। ଜରା, ବ୍ୟାଧ୍ ଓ ମୃତ୍ୟୁର ନିର୍ମମ ଭୀମ ଦୃଶ୍ୟ ସଦର୍ଶନ କରିବା ଫଳରେ ଯେ ଏକଦା ଏହି ସଂସାରକୁ ଅସାର ଜ୍ଞାନ କରି ସର୍ବଦା ଉଦାସୀନ ରହି ଆସିଥିଲେ, ଆଜି ତାଙ୍କୁ ଜଗତର କେଉଁ ମନୋମୁଗ୍‌ଧକାରୀ ଦୃଶ୍ୟ, କେଉଁ ମହାକାଳ ମରୀଚିକାର କୁହୁକସ୍ପର୍ଶ ଭୁଲାଇବାରେ ସମର୍ଥ ହେବ !

ଜରା, ମରଣ, ରୋଗ, ବ୍ୟାଥ୍, କୋଳାହଳ ଓ ପରିବଶତା, ସଂସାରର ଏହି ସଂସ୍କୃତିରୁ ତାଙ୍କୁ ମୁକ୍ତ ହେବାକୁ ହିଁ ହେବ। ଯୌବନର ଆସବ, ସାମ୍ରାଜ୍ୟର ବୈଭବ, ଯୁବତୀର ରକ୍ତାଧର, ପ୍ରଣୟପ୍ରାର୍ଥନା, କୌଣସି ପ୍ରଲୋଭନ ତାଙ୍କୁ ଏହି ନିଶ୍ଚୟରୁ ବିଚ୍ୟୁତ କରି ପାରିବ ନାହିଁ। ଅଶ୍ଵରକ୍ଷୀ ଛନ୍ଦକକୁ ସଙ୍ଗରେ ଘେନି ସେ ରାଜନବର ପରିତ୍ୟାଗ କରି ନଗର-ଉପକଣ୍ଠରେ ଉପସ୍ଥିତ ହେଲେ। ଅର୍ଦ୍ଧପଥରେ ଛନ୍ଦକର କାକୁତି ମଧ୍ୟ ନିଷ୍ଫଳ ହେଲା। ରାଜକୁମାର ଏକାକୀ ନିରୁଦ୍ଦେଶ୍ୟର ଉଦ୍ଦେଶ୍ୟରେ ଅଗ୍ରସର ହେଉଛନ୍ତି।

ଜରା, ବ୍ୟାଧ୍ ଓ ମୃତ୍ୟୁଗ୍ରସ୍ତ ସଂସାରରୁ ମୁକ୍ତ ହେବାର ଉପାୟ କ’ଣ? ଏହି ସଂସାରରେ ଯେତେ ମତ, ଯେତେ ବାଦ, ସମଗ୍ର ମାର୍ଗ ଓ ପଥର ଅନୁସରଣକରି, ତତ୍କାଳୀନ ବହୁ ପଣ୍ଡିତ ଓ ବିଦ୍ଵାନଙ୍କର ଦ୍ବାରସ୍ଥ ହୋଇ ଏବଂ ନାନା ଶାସ୍ତ୍ର, ନାନା ଦର୍ଶନ, ବେଦ-ବେଦାନ୍ତର ପୃଷ୍ଠା ପୃଷ୍ଠା ତନ୍ନତନ୍ତ୍ର ଅଧ୍ୟୟନ କରି ମଧ ଏ ପ୍ରଶ୍ନର ସାଧୁ ଉତ୍ତରପ୍ରାପ୍ତି ସମ୍ଭବ ହେଲା ନାହିଁ। ସେହି ସଂକଳ୍ପରେ କେତେ ଆଶ୍ରମ, କେତେ ଗୁରୁକୁଳ, କେତେ ବିଦ୍ୟାନଗର ପରିବ୍ରଜ କଲେ ମଧ୍ୟ ସମସ୍ତ ଆଶା ନିଷ୍ଫଳ ହେଲା। ପରିଶେଷରେ ଏହି କଠୋର ତପସ୍ୟାର ନିର୍ମମ ଅନୁଷ୍ଠାନଜନିତ ଉପବାସକ୍ଳିଷ୍ଟ ଦେହର ଅସହ୍ୟ ଯନ୍ତ୍ରଣା ଅସୀମ ଧୈର୍ଯ୍ୟସହକାରେ ଭୋଗ କରି ମଧ୍ୟ ଏ ପ୍ରଶ୍ନ

କ’ଣ ଅମୀମାଂସିତ ରହିବ?

ବନବାଳାମାନଙ୍କର ସେହି ସୁସଙ୍ଗୀତ ସ୍ଵର ବାରମ୍ବାର ଝକୃତ ହେବାରେ ଲାଗିଥାଏ – ‘ବୀଣାର ତନ୍ତୁ ଶିଥୁଳ କର ନାହିଁ ବୈଣିକ ! ଶିଶୂଳ ତନ୍ତୀରେ ସ୍ବର-ଉତ୍ତୋଳନ ଅସମ୍ଭବ।’’

ତପସ୍ଵୀ ପୁନରାୟ ଶ୍ରୁତି ଡେରି ଶ୍ରବଣକରୁଛନ୍ତି –‘ଅତିରିକ୍ତ ଆକର୍ଷଣରେ ବୀଣାଯନ୍ତ୍ରର ଏହି ଛିନ୍ନତନ୍ତ୍ରୀ କ’ଣ କେବେହେଲେ ମନ୍ଦିତ ହୋଇପାରେ ସନ୍ନ୍ୟାସୀ?”

ସନ୍ନ୍ୟାସୀଙ୍କର ସୁକର ସକାମ ତାପସ ବ୍ରତ ଆଜି ପରିସମାପ୍ତ। ଏ କି ଅସମ୍ଭବ ପରିବର୍ତ୍ତନ? ଏହା କ’ଣ ଅବାଞ୍ଛନୀୟ? ଆଚାର୍ଯ୍ୟ ରାମପୁତ୍ତଙ୍କ ଆଶ୍ରମରୁ ବିଫଳ- ମନୋରଥ ହୋଇ ତପସ୍ୟା ନିମନ୍ତେ ବନ ଗମନ କଲାବେଳେ ସହଗାମୀ ପଞ୍ଚବ୍ରହ୍ମଚାରୀ ବନ୍ଧୁ ଏହି ପରିବର୍ତ୍ତନରେ ଉତ୍ତେଜିତ ହୋଇଉଠିଲେ। ସିଦ୍ଧାର୍ଥଙ୍କର ଏ ପରିବର୍ତ୍ତନକୁ ଅବାଞ୍ଛନୀୟ ସ୍ଖଳନ ମନେକରି ସେମାନେ ଏକେ ଏକେ ସେହି ଘନ ଅରଣ୍ୟାନୀ ମଧ୍ୟରେ ତାଙ୍କୁ ଏକାକୀ ପରିତ୍ୟାଗ କରି ବାରାଣସୀ – ସମୀପସ୍ଥ ‘ମୃତଦାୟ’ ନାମକ ସ୍ଥାନକୁ ପ୍ରସ୍ଥାନକଲେ।

କିନ୍ତୁ ତପସ୍ବୀ ଗୌତମ ନିରୁତ୍ସାହ ହେଲେ ନାହିଁ। ଏକ ନୂତନ ଚିନ୍ତାଧାରା ତାଙ୍କର ମାନସ ମଧ୍ୟରେ ପରିପୂଷ୍ଠିତ ହେବାକୁ ଲାଗିଲା– ଅତି ବା ଅତ୍ୟନ୍ତକୁ ତ୍ୟାଗକରି ମଧ୍ୟମ ମାର୍ଗର ଗ୍ରହଣ ହିଁ ଯଥାର୍ଥ ପନ୍ଥା। ଅନର୍ଥକାରୀ ବିଷୟସୁଖରେ ନିମଜ୍ଜିତ ହେବା ଯେପରି ଅନୁଚିତ, ଘୋର ତପଶ୍ଚରଣଦ୍ଵାରା ଶରୀରକୁ ନିରର୍ଥକ ଦୁଃଖ ଦେବା ତଦୁପ ଅଶ୍ଵାସ୍ଥ୍ୟ।

ନିରନ୍ତର ପରିବର୍ତ୍ତନଶୀଳ ଜଗତରେ ଏହା ହିଁ କ’ଣ ସତ୍ୟ? ତଥାପି ସନ୍ଦେହ। ଗୌତମଙ୍କର ଚିତ୍ତ ତଥାପି ସନ୍ଦିଗ୍‌ଧ। ଜରା, ବ୍ୟାଧ୍ ଓ ମରଣ-ପାଶରୁ ମୁକ୍ତି

ପାଇବାର ମାର୍ଗ ଅଦ୍ୟାପି ଅଗମ୍ୟ, ଅବୋଧ୍ୟ। ଏବେ ମଧ୍ୟ ସେ ପ୍ରଶ୍ନର ଉତ୍ତର ତାଙ୍କୁ ମିଳିନାହିଁ। ତାଙ୍କର ଲକ୍ଷ୍ୟ ନିର୍ବାଣ। କିଏ ନିର୍ଦ୍ଦେଶ କରିପାରିବ ସେହି ନିର୍ବାଣର ମାର୍ଗ? ନିର୍ବାଣ ହିଁ ତାଙ୍କର ଧେୟ – ପରିନିର୍ବାଣ ହିଁ ତାଙ୍କର କାମ୍ୟ। ଜରା, ମରଣ, ରୋଗ, ବ୍ୟଥା, କୋଳାହଳ ଓ ପରିବଶତା – ସଂସାରର ଏହି ସଂସ୍କୃତିଚୟରୁ ଚିରମୁକ୍ତି ହିଁ ତାଙ୍କର ଲକ୍ଷ୍ୟ।

ବୈଶାଖ ପୂର୍ଣ୍ଣିମା। ଶାକ୍ୟମୁନି ଗୌତମ ବୋଧବୃକ୍ଷର ଛାୟାତଳେ ଧ୍ୟାନମଗ୍ନ ଦଗ୍‌ଧ ସୁବର୍ଣ୍ଣ ପ୍ରାୟ ତପୋଽନଳରେ ଦୀପ୍ତ ଦେହର ଦ୍ଯୁତି। ନେତ୍ରପକ୍ଷ ଅକମ୍ପିତ I ଅକସ୍ମାତ୍ ବନଦେବୀଙ୍କର ଶ୍ରଦ୍ଧା-ପାଳିତା କନ୍ୟା ସଦୃଶ ଅଦୂରରେ କଲ୍ୟାଣମୟୀ ନାରୀମୂର୍ତ୍ତିର ଆବିର୍ଭାବ। ଗୌତମ ପକ୍ଷ ଉନ୍ମୋଚନ କରି ଦୃଷ୍ଟିପାତ କଲେ ପ୍ରାୟସପାତ୍ରହସ୍ତା ଅପରୂପା ଗୋଟିଏ କନ୍ୟା। ସେହି ଦିନ – କେବଳ ଭାରତବର୍ଷର ନୁହେଁ, ସମଗ୍ର ପୃଥ‌ିବୀର ଏକ ଉଜ୍ଜ୍ବଳ ମଙ୍ଗଳମୟ ଭବିଷ୍ୟତର ସ୍ଵାଗତକାରୀ ଶୁଭ ମୁହୂର୍ଭରେ – ଉରୁବିଲ୍ଵର ନବୋଢା ଶ୍ରେଷ୍ଠୀକନ୍ୟା ପୁତ୍ରକାମିନୀ ସୁଜାତା ବନଦେବୀଙ୍କ ଉଦ୍ଦେଶ୍ୟରେ ଆନୀତ ନୈବେଦ୍ୟ ପାୟସପାତ୍ରକୁ ସିଦ୍ଧାର୍ଥଙ୍କ ସମୀପରେ ସମର୍ପଣ କରିଥିଲା। ପାୟସ ପାନାନ୍ତେ ପୁନର୍ବାର ଆସନରେ ସମାସୀନ ଗୌତମ ବୁଦ୍ଧ ଧ୍ୟାନମଗ୍ନହେଲେ।

ସହସା ତୃଷ୍ଣା, ବାସନା, କ୍ଷୋଭ ଓ ବିକ୍ଷୋଭର ଅଗ୍ନି ପ୍ରଜ୍ଵଳିତ ହୋଇଉଠିଳା। ସତ୍ତ୍ଵ ଓ ତମ ମଧ୍ୟରେ ଲାଗିଲା ପ୍ରବଳ ଯୁଦ୍ଧ। କାମନାର ଘୂର୍ଣ୍ଣିପାକ ବୁଦ୍ଧ ଚିତ୍ତକୁ ବିଚଳିତ କରିଦେଲା। ସମଗ୍ର ଶରୀରରେ ଅବାଞ୍ଛିତ ଶିହରଣ ଅନୁଭବ କରି ମଧ୍ୟ ସେ ନୀରବନିଷ୍ପନ୍ଦ।

ପରୀକ୍ଷାର ପରିସମାପ୍ତି ହୋଇଯାଇଛି। ଚତୁର୍ଦ୍ଦିଗରେ କେବଳ ଆଲୋକ ଆଲୋକ – ଉଦ୍‌ଭାସିତ ଆଲୋକ ହିଁ ବିଦ୍ୟମାନ। ରାଜକୁମାର ସିଦ୍ଧାର୍ଥ – ତପସ୍ବୀ ଗୌତମ ଆଜି ସମ୍ବୋଧ୍ୟାପ୍ତ ପ୍ରବୁଦ୍ଧ ବୁଦ୍ଧ – ସଦୟ-ହୃଦୟ କଳିର ବୌଦ୍ଧ ଅବତାର ବୁଦ୍ଧଶରୀର ବୁଦ୍ଧଦେବ।

ସେହି ଆଲୋକର ପ୍ରଥମ ସମ୍ପାତ ହେଲା ଦୁଇଟି କଳିଙ୍ଗାସ୍ଵାସୀ ଯୁବକ, ସିଦ୍ଧାର୍ଥଙ୍କର ପ୍ରଥମ ଶିଷ୍ୟ ଭଲ୍ଲିକ ଓ ତପୁଷଙ୍କ ଉପରେ।

ଶୁଦ୍ଧ ଜ୍ଞାନର ସାର-ସନ୍ଦର୍ଭ ଘେନି ବୁଦ୍ଧଦେବ ଚାଲିଲେ ପୃଥ‌ିବୀର ଦୁଃଖଭାରା ହରଣ କରିବା ଉଦ୍ଦେଶ୍ୟରେ। ପୂର୍ବର ପଞ୍ଚସାଥୀ ପଞ୍ଚଭଦ୍ର ବର୍ଗଙ୍କର ପୁନରାୟ ସାକ୍ଷାତ ହେଲା ସାରନାଥ ନିକଟରେ। ପ୍ରଥମରେ ଗୌତମଙ୍କୁ ବ୍ରତଭ୍ରଷ୍ଟ ବ୍ରତାଚାରୀ ଜ୍ଞାନରେ ସେମାନେ ସ୍ଵାଗତ ସତ୍କାର ମଧ୍ୟ କଲେନାହିଁ; କିନ୍ତୁ ହିଂସା-ଦ୍ବେଷ-ବିବର୍ଜିତ ବିମଳ ମୁଖମଣ୍ଡଳବିଶିଷ୍ଟ ବୁଦ୍ଧଦେବଙ୍କର ସାମୀପ୍ୟ ଲାଭ କଲାମାତ୍ରେ ସେହି ସୁମହାନ୍ ବ୍ୟକ୍ତିତ୍ଵ ନିକଟରେ ନତଶିର ନ ହୋଇ ରହିପାରି ନ ଥିଲେ।

‘‘ହେ ଭିକ୍ଷୁ ! ହେ ସନ୍ନ୍ୟାସୀ ! ତୁମ୍ଭମାନଙ୍କୁ ଦୁଇଟି ଆତ୍ୟନ୍ତିକତାରୁ ମୁକ୍ତ ରହିବାକୁ ହେବ। ପତନୋନୁ ଖ ବିଳାସାତିଶଯ୍ୟ ବିଷୟଲାଳସା ତଥା ତପଶ୍ଚରଣର ମାତ୍ରାଧିକ୍ୟଦ୍ୱାରା ଶରୀରର ଉପୀଡନ ଅନ୍ୟାୟ। ‘ମଧ୍ୟମା ପ୍ରତିପଦା’ ଅର୍ଥାତ୍ ମଧ୍ୟମ ମାର୍ଗହିଁ ‘ସମ୍ବୋଧ୍ୟା ଜ୍ଞାନ’ ଏବଂ ନିର୍ବାଣକାମୀର ପ୍ରକୃତ ଅବଲମ୍ବନ।’ ବୁଦ୍ଧଙ୍କର ଏହି ବାଣୀ, ଏହି ଧର୍ମପ୍ରଚାର ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ନାମରେ ଅଭିହିତ – ସମ୍ୟକ୍ ଦୃଷ୍ଟି, ସମ୍ୟକ୍ ସଂକଳ୍ପ, ସମ୍ୟକ୍ ବାଣୀ, ସମ୍ୟକ୍ କର୍ମ, ସମ୍ୟକ୍ ଆଜୀବିକା, ସମ୍ୟକ୍ ବ୍ୟାୟାମ ବା ଉଦ୍ୟୋଗ, ସମ୍ୟକ୍ ସ୍ମୃତି ବା ବିଚାର ଏବଂ ସମ୍ୟକ୍ ସମାଧି ବା ଧ୍ୟାନ।

ଏହି ସତ୍ୟ ପ୍ରକାଶ ପରେ ପରେ ହିଁ ଚାଲିଲା କୁଲାଳ-ଚକ୍ରବତ୍ ବୁଦ୍ଧଙ୍କର ଧର୍ମଚକ୍ର ପ୍ରବର୍ତ୍ତନ। ପ୍ରଥମରେ ପଞ୍ଚସଖା ଶିଷ୍ୟତ୍ବ ଗ୍ରହଣକଲେ। ସେହିମାନଙ୍କର ଉଦ୍ୟମରେ ହିଁ ସଂସ୍କୃତ ବା ପାଣ୍ଡିତ୍ୟପୂର୍ଣ୍ଣ ଭାଷା ପରିବର୍ତ୍ତେ ସର୍ବସାଧାରଣ-କଥିତ ଭାଷାରେ ପ୍ରଚାରିତ ହେଲା ବୁଦ୍ଧଙ୍କର ଅମୂଲ୍ୟ ବାଣୀ। ନାନା ଦିଗରୁ ଶତଶତ ସଂଖ୍ୟକ ଶିଷ୍ୟ ବୃଦ୍ଧଙ୍କର ଶରଣାପନ୍ନ ହେଲେ। ଚତୁର୍ଦ୍ଦିଗରେ ଭିକ୍ଷୁସଙ୍ଘମାନ ପ୍ରତିଷ୍ଠିତ ହେଲା। ସଙ୍ଘର ଦୃଢତା, ପବିତ୍ରତା ଓ କ୍ରମବିକାଶର ସୁରକ୍ଷା ନିମନ୍ତେ କଠିନ ଅନୁଶାସନମାନ ପ୍ରଣୀତ ହେଲା। ନାନା ସ୍ଥାନରେ ଏହି ସଙ୍ଘଗୁଡିକ ପରିବ୍ରଜକ୍ରମରେ ନୂତନ ଧର୍ମର ପ୍ରଚାର କରିବାକୁ ଲାଗିଲେ। ଉରୁବିଲ୍ଵଠାରେ ପ୍ରକାଣ୍ଡ ବୈଦିକ କର୍ମକାଣ୍ଡୀ ବିଲ୍ଵକାଶ୍ୟପ, ଗୟକାଶ୍ୟପ ଓ ନଦୀକାଶ୍ୟପ ବ୍ରାହ୍ମଣତ୍ରୟ ଶିଷ୍ୟତ୍ଵ ଗ୍ରହଣ କଲେ। ରାଜଗୃହର ଶୈଶୁନାକ ରାଜା ଶୈବିକ ବିମ୍ବିସାର ଅତି ଆଗ୍ରହରେ ବୁଦ୍ଧଙ୍କର ଚରଣଧୂଳି ଗ୍ରହଣ କରିଥିଲେ। ସେହିଠାରେ ହିଁ ବୁଦ୍ଧଙ୍କର ଶିଷ୍ୟ ପ୍ରଧାନ ତଥା ବୌଦ୍ଧ ସଙ୍ଘର ଅଗ୍ରନେତା ସାରିପୁତ୍ତ ଓ ମୋଗ୍‌ଲନ ନାମକ ଦୁଇ ବିଦ୍ଵାନ୍ ପୁରୁଷ ବୁଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ।

ଭାରତର କୋଣେ କୋଣେ ବୁଦ୍ଧଙ୍କର ମହିମା ପ୍ରଚାରିତ ହୋଇଥିଲା। କିନ୍ତୁ ବୁଦ୍ଧଙ୍କର ଜନ୍ମଭୂମି କପିଳବାସ୍ତୁ?

ସେ ଏକ ଅଭିନବ ଦୃଶ୍ୟ – ଅପୂର୍ବ ଆଖ୍ୟାୟିକା। ସୁସଜ୍ଜିତ ପ୍ରାସାଦଶୋଭିତ କପିଳବାସ୍ତୁ ତାହାର ଆପଣାର ରାଜକୁମାରଙ୍କ ଆଗମନ ପଥକୁ ଉଦ୍‌ଗ୍ରୀବ ହୋଇ ଅନାଇ ରହିଛି। ରାଜକୁମାର ଗୌତମଙ୍କର ପ୍ରତ୍ୟାବର୍ତ୍ତନ ବାର୍ତ୍ତା ପାଇ ସତେ ଯେପରି ଏହି ସମୃଦ୍ଧ ନଗରୀର ପୁରେ ପୁରେ ଜନଗଣର ପ୍ରାଣ ମଧ୍ୟରୁ ଅନିନ୍ଦ୍ୟ ସ୍ଵାଗତିକା ଗୁଞ୍ଜରିତ ହୋଇଉଠୁଛି। ପ୍ରତି ହୃଦୟ-ସ୍ପନ୍ଦନରେ ଯେପରି ରାଜକୁମାର ଗୌତମଙ୍କର ନାମ ଅହରହ ଧ୍ଵନିତ ହେଉଛି।

ମାତ୍ର ଏ କିଏ? ଭିକ୍ଷାପାତ୍ରହସ୍ତ ମୁଣ୍ଡିତ-ମସ୍ତକ, କଷାୟଭୂଷିତ ଏହି ଅଭିନବ ଭିକ୍ଷୁବେଶଧାରୀ ପୁରୁଷପ୍ରବର କ’ଣ ସେହି କପିଳବାସ୍ତୁର ଭାବୀ ଉତ୍ତରାଧିକାରୀ ଶାକ୍ୟରାଜ ଶୁଦ୍ଧୋଦନଙ୍କର ସୁସନ୍ତାନ ଗୌତମ ସ୍ଵୟଂ? କପିଳବାୟୁର ହୃଦୟ ବିହ୍ବଳିତ ହୋଇଗଲା ପୁରବାସୀଙ୍କ ଚକ୍ଷୁରେ ଅଶୁଧାରା। ରାଜା ଶୁଦ୍ଧୋଦନ ଭିକ୍ଷୁରାଜକୁମାରଙ୍କୁ ସାଦରେ ନଗର ମଧ୍ୟକୁ ପାଛୋଟି ଘେନିଗଲେ।

ମାତ୍ର ଯଶୋଧାରା?

ଯଶୋଧାରା ! ଯଶୋଧାରା ! ବିଗତ ଶତଶତ ବିନିଦ୍ର ରଜନୀର ସ୍ବପ୍ନପ୍ରତିମା, ଯଶୋଧାରାଙ୍କ ହୃଦୟଦେବତା ଗୌତମ ଯେ ସମ୍ମୁଖରେ ଉଭା ! ଯଶୋଧାରା ନିଉଛାଳି ହୋଇ ପଡିଲେ। ନୟନର ଅଶ୍ରୁଜଳରେ ଯଶୋଧାରା ସ୍ଵାମୀଙ୍କର ଚରଣ ପ୍ରକ୍ଷାଳନ କରି ପୁତ୍ରପ୍ରତି ଆଦେଶକଲେ, ‘ରାହୁଳ ! ଏ ତୁମ୍ଭର ଜନକ। ବର୍ତ୍ତମାନ ଜନକଙ୍କ ନିକଟରେ ପିତୃଦାୟ ଭିକ୍ଷାକର।’’

ବୁଦ୍ଧଦେବ ପୁତ୍ର ରାହୁଳଙ୍କୁ ପ୍ରବ୍ରଜ୍ୟା ଦେବାପାଇଁ ପ୍ରିୟ ଶିଷ୍ୟ ସାରିପୁରଙ୍କୁ ଆଜ୍ଞା ପ୍ରଦାନ କଲେ।

ତିନୋଟି ବର୍ଷ ଅତିବାହିତ ହୋଇଗଲା। ଇତିମଧ୍ୟରେ ଶୁଦ୍ଧୋଦନଙ୍କର ଦେହାନ୍ତ ହୋଇଯାଇଛି। ପ୍ରଜାବତୀ ଓ ପୁତ୍ରବଧୂ ଯଶୋଧାରା ବହୁ ଶାକ୍ୟନାରୀଙ୍କୁ ସଙ୍ଘରେ ଯୋଗ ଦେବାପାଇଁ ସଙ୍ଗରେ ଘେନି ବୈଶାଳୀସ୍ଥ ବୁଦ୍ଧଙ୍କ ନିକଟରେ ଉପବିଷ୍ଟ ହେଲେ। ବୁଦ୍ଧଦେବ ଦ୍ଵିଧାଗ୍ରସ୍ତ ଓ ବିବ୍ରତ। ପରିଶେଷରେ ବୃଦ୍ଧଦେବଙ୍କର ପ୍ରିୟତମ ଶିଷ୍ୟ ଆନନ୍ଦଙ୍କ ଅନୁରୋଧରେ ତଦବଧୂ-ନାରୀବର୍ଜିତ ସଙ୍ଘରେ ଶାକ୍ୟନାରୀମାନଙ୍କୁ ସ୍ଥାନ ଦିଆଯାଇ ଭିକ୍ଷୁଣୀସଙ୍ଘ ସ୍ଥାପିତ ହେଲା। ଭିକ୍ଷୁ ଓ ଭିକ୍ଷୁଣୀମାନେ ଭାରତର ପୁରପଲ୍ଲୀରେ ବୁଦ୍ଧଙ୍କର ବାର୍ତ୍ତା ପ୍ରଚାର କଲେ।

ଦିବା ଅବସାନ ହୋଇଆସିଲା – ହିରଣ୍ୟବତୀ ଗଣ୍ଡକର ଅପର ପାର୍ଶ୍ଵରେ କୁଶିନାରା ନିକଟବର୍ତ୍ତୀ ଗୋଟିଏ ଶାଳବନ। ଅଶୀତିତମ ବୟୋବୃଦ୍ଧ କର୍ମକ୍ଳାନ୍ତ ବୁଦ୍ଧଦେବ ପ୍ରିୟ ଶିଷ୍ୟମାନଙ୍କ ଗହଣରେ ଧର୍ମଚର୍ଚ୍ଚା କରୁଛନ୍ତି। ଶ୍ରୀମୁଖରୁ ସୁମଧୁର ଅମୃତବାଣୀ ବିନିଃସୃତ ହେଲା ‘ସଂସାରରେ ଯେ ସକଳ ବସ୍ତୁ ସୃଷ୍ଟି ହୋଇଛି ତାହାର ବିନାଶ ଅବଶ୍ୟମ୍ଭାବୀ। ମାତ୍ର ତୁମ୍ଭେମାନେ ନିଜନିଜର ଲକ୍ଷ୍ୟପ୍ରାପ୍ତି ବିଷୟରେ ନିଃସନ୍ଦେହ ହୁଅ।’’

ମାତ୍ର କିଏ ଜାଣିଥିଲା ଏସିଆଖଣ୍ଡର ଏ ଆଲୋକସ୍ତମ୍ଭର ଏହା ହିଁ ଶେଷ ଦୀପ୍ତିବିକିରଣ? କିଏ ଜାଣିଥିଲା ସଂସାରର ସନ୍ତାପହାରୀ ଯୁଗାବତାର ବୁଦ୍ଧଦେବଙ୍କର ଏହା ହିଁ ଶେଷ ଉକ୍ତି? ଧୀରେ ଧୀରେ ନିମୀଳିତ ନେତ୍ରର ପକ୍ଷପକ୍ତି ମୁଦ୍ରିତ ହୋଇ ଆସିଲା। ମହାପରିନିର୍ବାଣର ଅନନ୍ତ ସାଗରରେ ତପୋଧନ ବୁଦ୍ଧଦେବ ଚିର ସମାଧ୍ ଲାଭକଲେ।

କୁଶିନାରାର ମଲ୍ଲମାନେ ସେଦିନ ଲୁମ୍ବିନୀର ଶିଶୁକୁମାର, ବୁଦ୍ଧଗୟାର ସିଦ୍ଧଶରୀର ବୁଦ୍ଧଦେବଙ୍କର ପବିତ୍ର ଶବର ଦାହକ୍ରିୟା ସମାପନ କଲେ। ତାଙ୍କର ଭସ୍ମସ୍ଥି ଆଠଭାଗରେ ବିଭକ୍ତ କରାଯାଇ ପ୍ରତ୍ୟେକ ଭାଗ ଉପରେ ଗୋଟିଏ ଗୋଟିଏ ସ୍ତୂପ ନିର୍ମାଣ କରାଗଲା। କ୍ରମେ କ୍ରମେ ବୁଦ୍ଧଙ୍କର ବୋଧତତ୍ତ୍ଵ ଚୀନ, ତିବ୍ବତ, ମଙ୍ଗୋଲିଆ, ଜାପାନ, କୋରିଆ, ଶାମ, ବ୍ରହ୍ମଦେଶ ଓ ସିଂହଳ ତଥା ସମଗ୍ର ମଧ୍ୟ – ଏସିଆରେ ପ୍ରଚାରିତ ହୋଇ ଧର୍ମରାଜ୍ୟ ସ୍ଥାପିତହୋଇଗଲା।

ଏହି ପରିନିର୍ବାଣର ଅବ୍ୟବହିତ ପରେ ଏକ ସଙ୍ଗୀତର ସଂକଳନ କଲେ ବୁଦ୍ଧଙ୍କର ପ୍ରିୟ ଶିଷ୍ୟ ଉପାଳି, କାଶ୍ୟପ ଓ ଆନନ୍ଦ। ସେଥ‌ିରେ ସନ୍ନିହିତ ହେଲା ବୁଦ୍ଧଙ୍କର ମହିମାନ୍ଵିତ ବାଣୀ – ବିବୁଦ୍ଧ ବିଚାର ଏବଂ ସୁମହାନ୍ ଆତ୍ମଚରିତ। ଏହି ବାହ୍ମୟ ଆଜି ତ୍ରିପିଟକ ନାମରେ ବିଶ୍ଵବିଦିତ। ବିନୟ ପିଟକ, ସୁଭ ପିଟକ ଓ ଅଭିଧର୍ମ ପିଟକ ଏହାର ତିନୋଟି ମୁଖ୍ୟ ଭାଗ। ବିନୟ ପିଟକରେ ଆଚାର ସମ୍ବନ୍ଧୀୟ ନିୟମ ଉଲ୍ଲେଖ୍ତ ହୋଇଛି। ଏହା ମଧ୍ୟ ତିନି ଅଙ୍ଗରେ ବିଭକ୍ତ – ବିଭଙ୍ଗ, ଖନ୍ଦକ ଓ ପରିବାର। ସୁଭ ପିଟକର ଧର୍ମଶିକ୍ଷା ପଞ୍ଚ ନିକାୟରେ ବିଭକ୍ତ – ଦୀର୍ଘ ନିକାୟ, ମକ୍‌ଝିମ ନିକାୟ, ଅଙ୍ଗୁତର ନିକାୟ, ସଂଯୁତ ନିକାୟ ଏବଂ ଖୁହକ ନିକାୟ। ଧର୍ମର ଦାର୍ଶନିକ ଓ ଆଧ୍ୟାତ୍ମିକ ବିବେଚନାପୂର୍ଣ୍ଣ ଅଭିଧର୍ମ ପିଟକ ସାତୋଟି ସ୍ଵତନ୍ତ୍ର ଗ୍ରନ୍ଥରେ ଗ୍ରସ୍ତୁ ଧର୍ମସଙ୍ଗନି, ବିଭଙ୍ଗ, ଧାତୁକଥା, ପୁଗ୍ଗୁଳ ପଞ୍ଜତି, କଥାବତ୍‌ଥୁ ଯମକ ଓ ପଠନ। ଏହି ଗ୍ରନ୍ଥଗୁଡ଼ିକ ପାଲୀ ଭାଷାରେ ଲିଖ୍।

ପରବର୍ତୀ ଯୁଗରେ ଏହି ଗ୍ରନ୍ଥାବଳୀର ଉତ୍ତରୋତ୍ତର ଉନ୍ନତି ସାଧ୍ୟ ହେଲା। ବିକାଶକ୍ରମରେ ଏହା ମହାଯାନ, ହୀନଯାନ ଓ ବଜ୍ରଯାନ ନାମକ ତିନି ଶାଖାରେ ବୌଦ୍ଧମତକୁ ବିଭକ୍ତ କରିଦେଲା।

କାଳକ୍ରମେ ବୌଦ୍ଧବିଚାର ମତରେ ତନ୍ତ୍ର ମଧ୍ୟ ପ୍ରବେଶକଲା ଏବଂ ସାକାର ବୁଦ୍ଧ ମୂର୍ତ୍ତି ସ୍ଥାପିତ ହୋଇ ପୂଜା, ଅର୍ଚ୍ଚନା ଓ ଉପାସନାର ସୂତ୍ରପାତ ହେଲା।

About the author

हिंदीभाषा

Leave a Comment

You cannot copy content of this page