ଓଡ଼ିଆ ଖଣ୍ଡ

ଗୁରୁ ନାନକ

ଇସଲାମ୍‌ର ପ୍ରେରଣା ନୁହେଁ – ଇସଲାମୀୟ ବିଜୟରେ ମଦାନ୍ଧ, ମତାନ୍ଧ ବିପଥଗାମୀ ଗୋଟିଏ ଲୁଣ୍ଠନକାରୀ ଯାଯାବରଦଳ ଭାରତ ଅଧ୍ୟାର କରି ଅନ୍ୟାୟ ଏବଂ ଅତ୍ୟାଚାରର ଏକ କାଳିମାକ୍ତ ଇତିହାସ ଲେଖା ଆରମ୍ଭଛନ୍ତି ଏକଦିଗରେ – ପୈଗମ୍ବର ମହମ୍ମଦଙ୍କ ପବିତ୍ର ମଜହବତ୍ରରେ କଳଙ୍କ ଲେପନ କରି।

ଅନ୍ୟଦିଗରେ ସନାତନ ଧର୍ମମାର୍ଗରୁ ବିଚ୍ୟୁତ ଭାରତର ଶାସକଗୋଷ୍ଠୀ ପରସ୍ପର ମଧ୍ୟରେ ପ୍ରତିସ୍ପର୍ଦ୍ଧାର ଆବରଣ ତଳେ ନିଜର ଯାବତୀୟ ଦୁର୍ବଳତାକୁ ଗୋପନ କରିବାର ବୃଥା ଚେଷ୍ଟାରେ ବଞ୍ଚିରହିବାର ଛଳନା ମାତ୍ର କରୁଛି – ଏଇ ଭାରତଭୂମିରେ।

ସେତିକିବେଳେ ଆକ୍ରମକ ମୁସଲମାନ ଏବଂ ଆକ୍ରାନ୍ତ ହିନ୍ଦୁମାନଙ୍କ କେନ୍ଦ୍ରସ୍ଥଳରେ ବୀରତ୍ଵ ଏବଂ ସାହସର ସହିତ ଉଭା ହୋଇ ଯିଏ ସମନ୍ବୟର ମହାବାଣୀ – ସତ୍ୟ ଓ ଧର୍ମର ଅବିନାଶୀ ବାର୍ତ୍ତା ବଜ୍ରନିଘୋଷରେ ଶୁଣାଇଥିଲେ ପଞ୍ଚନଦର ଅବବାହିକା ଭୂମି ଉପରେ – ସେହି ତେଜୀୟାନ ଶିଖଧର୍ମର ପ୍ରବର୍ତ୍ତକ ଗୁରୁ ନାନକ ଭାରତୀୟ ଜୀବନପ୍ରବାହରେ ସେଦିନ ଯେପରି ଭାବରେ ଶକ୍ତିଶାଳୀ, ସ୍ଵଚ୍ଛ ଏବଂ ବେଗବାନ୍ ଗତିଶୀଳ ଲୋହିତ ରକ୍ତକଣାର ସଞ୍ଚାର କରିଗଲେ ତାହା ଇତିହାସରେ ଅବିସ୍ମରଣୀୟ।

ସେ ଆଜି ତାହା ଶିଖମାନଙ୍କର ପବିତ୍ରତମ ତୀର୍ଥସ୍ଥଳ – ନନକାନ ସାହେବ ! ସେଦିନ – ଆଜିକି ପାଞ୍ଚଶହ ବର୍ଷ ତଳେ ୧୪୬୯ ମସିହାରେ ଗୋଟିଏ କ୍ଷୁଦ୍ରପଲ୍ଲୀ – ଗ୍ରାମଟିର ନାମ ଥିଲା ତିଳବନ୍ଦୀ। ସେହି ତିଳବନ୍ଦୀ ଗ୍ରାମରେ ବାସ କରୁଥିଲେ ପୁଣ୍ୟଶ୍ଳୋକ କାଳୁବେଦୀ। ସେହି ଗ୍ରାମରେ କାଳୁବେଦୀଙ୍କର ଗୋଟିଏ ପୁତ୍ର – ବଡ ବିଚକ୍ଷଣ, ଅତି ବୁଦ୍ଧିମାନ୍, ସାହସୀ, ସୁନ୍ଦର – ବିଦ୍ୟାଶିକ୍ଷା ନାମମାତ୍ର – ତଥାପି ଅତି ଅଳ୍ପ ବୟସରେ ମଧ୍ୟ ମହାଜ୍ଞାନୀ ବିଦ୍ଵାନମାନଙ୍କ ସମକକ୍ଷ ଉଚ୍ଚାଙ୍ଗ ଆଲୋଚନା ଓ ତତ୍ତ୍ଵଭାଷଣରେ ପାରଙ୍ଗମ – ସର୍ବଦା ସତ୍ସଙ୍ଗ ଓ ସାଧୁସନ୍ଥ ମାନଙ୍କ ମେଳମେଳାପରେ ଆଗ୍ରହୀ, ଜନସଂସଦରେ ଅରତି – ନିର୍ଜନ ସ୍ଥାନରେ ମନନଚିନ୍ତନରେ ବ୍ୟାପୃତ।

ସାଧାରଣ ଗୃହସ୍ଥ ଭାବରେ ଜୀବନର ଆରମ୍ଭ। ମାତ୍ର ପନ୍ଦର ଷୋଳବର୍ଷ ବୟସରେ ସଂସାରରେ ପ୍ରବେଶକରନ୍ତି। କତିପୟ ବର୍ଷ ଗତେ ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଜାତହେଲେ – ଶ୍ରୀଚଳ ଓ ଲଖମୀ ଦାସ। କିନ୍ତୁ ମାୟାର ଛାୟା ମଧ୍ୟ ତାଙ୍କ କାୟ ସ୍ପର୍ଶ କରିପାରିଲା ନାହିଁ। ସେ ସର୍ବଦା ସ୍ଵଭାବସୁଲଭ ସନ୍ଥସେବାରେ ନିଜକୁ ନିୟୋଜିତ ରଖ୍ ନିଜର ଉପାର୍ଜନ ବ୍ୟୟ କରି ଦିଅନ୍ତି।

ନାନକଙ୍କ ବୈରାଗ୍ୟରେ ପିତା ବିଚଳିତ ହୋଇ ପୁତ୍ରକୁ ସଂସାରମୁଖୀ କରିବାପାଇଁ ନାନା କୌଶଳ କଲେ। ବ୍ୟବସାୟ ଓ ବାଣିଜ୍ୟର ଭାର ଦେଇ ବିଷୟ-ଆସକ୍ତି ଉଦ୍ରେକ କରାଇବାର ଶତଚେଷ୍ଟା ହେଲା। ଜଳନ୍ଧର ଜିଲ୍ଲାର ଦୁଅବଠାରେ ସୁଲତାନପୁର ଗ୍ରାମରେ ନାନକଙ୍କର ଭଗିନୀ ନାନକୀଙ୍କ ତତ୍ତ୍ୱାବଧାନରେ ରହି ସେ ନବାବ ଦୌଲତଖାଁଙ୍କ ଦୋକାନରେ ଚାକିରି ଆରମ୍ଭ କଲେ। ବହୁ ଅର୍ଥାଗମ ହେଲା। ମାତ୍ର ପିତାଙ୍କର ଉଦ୍ଦେଶ୍ୟ ସାଧ୍ୟ ହୋଇପାରିଲାନାହିଁ। ଉପାର୍ଜିତ ଧନ କେବଳ ସାଧୁ ସନ୍ଥମାନଙ୍କର ସେବାପରିଚର୍ଯ୍ୟାରେ ଅଧିକରୁ ଅଧ‌ିକ ବ୍ୟୟିତ ହେବାକୁ ଲାଗିଲା।

ଏହାର ପ୍ରତ୍ୟାଶିତ ପରିମାଣରେ ବ୍ୟତିକ୍ରମ ଦେଖାଯାଇ ନ ଥିଲା। ପରିଶେଷରେ ନାନକସାହେବ ଅସାର ସଂସାର ତ୍ୟାଗ କରି ଉଦାତ୍ତ ସ୍ବରରେ ହରିଭକ୍ତି ପ୍ରଚାର କଲେ।

ମନେହେଲା ସତେ ଅବା ଏ ପ୍ରଚାର ପ୍ରଭାବରେ ଅନ୍ଧକାର ଯୁଗର ବକ୍ଷ ବିଦୀର୍ଘ ହୋଇ ନବଯୁଗର ଉଷାଲୋକରେ ଚତୁର୍ଦ୍ଦିଗ ଉଦ୍ଭାସିତ ହୋଇଯିବ ! ବାସ୍ତବରେ ଅତ୍ୟାଚାରୀ ମୁସଲମାନ ବାଦଶାହଙ୍କ ଅତ୍ୟାଚାର ଓ ଆଧ୍ୟାତ୍ୟ ଏବଂ ଅନ୍ୟଦିଗରେ ଦଳିତଦୁର୍ବଳ ହିନ୍ଦୁଜାତିର ଘୃଣ୍ୟ ଆତ୍ମସମର୍ପଣର ଉତ୍ତର ଦେଇ ସେ ଯେଉଁ ନବୀନ ଆହ୍ବାନ ଜାତି ଓ ଦେଶ ଆଗରେ ଉତ୍‌ଥାପନ କଲେ, ତାହା ପ୍ରଥମତଃ ପୂର୍ଣ୍ଣଭାବରେ ଧାର୍ମିକ ଅବବୋଧ ହେଲେ ହେଁ, ପରବର୍ତ୍ତୀକାଳରେ ଶିଖଗୁରୁ ପରମ୍ପରାକ୍ରମେ ଅନ୍ୟାୟର ଏକ ଓଜସ୍ବଳ ଓ ତେଜସ୍କର ରାଜନୈତିକ ଅବରୋଧର ରୂପ ନେଇଥିଲା, ଯାହା ଫଳରେ ଭାରତରେ ନବପ୍ରାଣ ସଞ୍ଚରିତ ହୋଇ ଭାରତର ଅମରତ୍ଵ ହିଁ କାଳକାଳକୁ ପ୍ରତିପାଦିତ ହୋଇଗଲା।

ନାନକ ବର୍ତ୍ତମାନ ଗୁରୁନାନକ। ବାସ୍ତବରେ ହିଁ ସେ ଶିଖମାନଙ୍କର ଆଦିଗୁରୁ ଏବଂ ପ୍ରତ୍ୟେକ ଆଧୁନିକ ଭାରତୀୟର ଉପାସ୍ୟ।

ନାନକ ହିନ୍ଦୁ ଓ ମୁସଲମାନଙ୍କୁ ସମଚକ୍ଷୁରେ ଦେଖୁଥିଲେ। ଉଭୟ ଧର୍ମପ୍ରତି ସମପରିମାଣରେ ଶ୍ରଦ୍ଧାବାନ ଥିଲେ। ସେ ଯେପରି କାଶୀଧାମରେ ମହାତ୍ମା କବିରଙ୍କ ସହ ଜ୍ଞାନଚର୍ଚ୍ଚାରେ ବିଭୋର ରହିଥିଲେ, ସେହିପରି ମକ୍‌କା ମଦିନାରେ ହଜ୍ କରି ହାଜିତ୍ଵରେ ମଧ୍ୟ ଆନନ୍ଦପାଇଥିଲେ।

ଗୁରୁନାନକ ନିର୍ଗୁଣ ବ୍ରହ୍ମର ଉପାସକ। ଜାତି ଅଜାତି ଭେଦ, ମୂର୍ତ୍ତିବା ପ୍ରତୀକପୂଜା କିମ୍ବା ଧାର୍ମିକ ବାହ୍ୟାଡମ୍ବରରୁ ସେ ମୁକ୍ତ ଥିଲେ। ସେ ମାନବୀୟ ସମ୍ବେଦନା ଓ କରୁଣାର ହିଁ ମୂର୍ଖ ଆଧାର ଥିଲେ।

ଗୁରୁନାନକ ତାଙ୍କର ଅନୁଯାୟୀମାନଙ୍କ ନିମନ୍ତେ ଯେଉଁ ଧର୍ମପୁସ୍ତକ ରଚନା କରି ଯାଇଛନ୍ତି ତାହାହିଁ ସୁବିଖ୍ୟାତ ‘ଗ୍ରନ୍ଥସାହେବ’।

୧୫୩୮ ଖ୍ରୀଷ୍ଟାବ୍ଦରେ ଜଳନ୍ଧର ଦୁଆବର କର୍ତ୍ତାରପୁର ଗ୍ରାମରେ ମହାତ୍ମା ନାନକ ଏ ସଂସାରରେ ଶେଷମୁହୂର୍ତ୍ତ ଯାପନ କରି ଶାନ୍ତମୟ ଧାମରେ ପ୍ରବେଶ କଲେ। କିନ୍ତୁ ସେ ଭାରତବର୍ଷକୁ ଏକ ବୀର ବଳିଷ୍ଠ ଶିଖ ସଂପ୍ରଦାୟ ଦାନକରି ଭାରତର ନୈତିକ ତଥା ରାଜନୈତିକ ଜୀବନର ଯେପରି ସୁରକ୍ଷା କରିଯାଇଛନ୍ତି ତାହା ଅନ୍ୟ କେଉଁ ମହାପୁରୁଷଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ।

About the author

हिंदीभाषा

Leave a Comment

You cannot copy content of this page