ଜନ୍ମ-୨.୭.୧୯୦୧ ମୃତ୍ୟୁ-୨୫.୫.୧୯୯୧
ଖୋର୍ଦ୍ଧା ଜିଲ୍ଲା (ତତ୍କାଳୀନ ପୁରୀ ଜିଲ୍ଲା) ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ଵନାଥ ପୁର ଶାସନରେ
ଜନ୍ମ। ପିତା ସ୍ଵପ୍ଲେଶ୍ଵର ପାଣିଗ୍ରାହୀ ଏବଂ ମାତା ସରସ୍ୱତୀ ଦେବୀ। ଲେଖକ ଦିବ୍ୟସିଂହ ପାଣିଗ୍ରାହୀ ଏବଂ କମ୍ୟୁନିଷ୍ଟ ଆନ୍ଦୋଳନର ପ୍ରବକ୍ତା ଭଗବତୀଚରଣ ପାଣିଗ୍ରାହୀ ତାଙ୍କର ଅନୁଜ ଥିଲେ।
କାଳିନ୍ଦୀଚରଣ ନିଜ ଗ୍ରାମସ୍ଥ ଉ.ପ୍ରା.ବିଦ୍ୟାଳୟରେ ଛାତ୍ର ଥିବାବେଳେ ‘ସୀତା’ ନାମରେ ଏକ କବିତା ରଚନା କରିଥିଲେ ଏବଂ ତାହା ହିଁ ଥିଲା ତାଙ୍କ ଜୀବନର ପ୍ରଥମ ଲେଖା।
ସେତେବେଳେ ତାଙ୍କ ପିତା ପୁରୀ କଚେରୀରେ ମୋହରୀର ରୂପେ କାର୍ଯ୍ୟ କରୁଥିଲେ। ତେଣୁ ପ୍ରାଥମିକ ଶିକ୍ଷା ପରେ ସେ ପିତାଙ୍କ ନିକଟରେ ରହି ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ। ଏହି ସମୟ ମଧ୍ୟରେ ସେ ବହୁ କ୍ଷୁଦ୍ର କବିତା ଏବଂ ଗଳ୍ପ ଲେଖୁଥିଲେ। ୧୯୧୯ ମସିହାରେ କେତେ ଜଣ ବଂଧୁଙ୍କ ସହଯୋଗରେ ‘ଛାତ୍ରଦର୍ପଣ’ ନାମରେ ଏକ ହାତଲେଖା ପତ୍ରିକା ମଧ୍ୟ ବାହାର କରିଥିଲେ। ପରେ ତାହା ଛପା ହୋଇ ବାହାରିଥିଲା। ଅସହଯୋଗ ଆନ୍ଦୋଳନ ପରିପ୍ରେକ୍ଷୀରେ ଗୋପବନ୍ଧୁ, ଗୋଦାବରୀଶ ଏବଂ ନୀଳକଣ୍ଠ ପୁରୀ ଆସୁଥିବାବେଳେ କାଳିନ୍ଦୀଚରଣ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ‘ଛାତ୍ର ଦର୍ପଣ’ରେ ପ୍ରକାଶିତ ତାଙ୍କ କବିତା ‘ଛବିଳ ଉତ୍କଳ’ ପଢ଼ି ନୀଳକଣ୍ଠ ତାଙ୍କୁ ଆଶୀର୍ବାଦ ମଧ୍ୟ କରିଥିଲେ। ପୁରୀରୁ ମାଧ୍ୟମିକ ଶିକ୍ଷା ଶେଷ ପରେ ସେ ୧୯୨୧ ମସିହାରେ କଟକ ରେଭେନ୍ସା କଲେଜରେ ଅଧ୍ୟୟନ କଲେ।ଏହି ସମୟରେ ତାଙ୍କର ଅନ୍ନଦାଶଙ୍କର ରାୟ, ଶରତ ଚନ୍ଦ୍ର ମୁଖାର୍ଜୀ, ହରିହର ମହାପାତ୍ର ଏବଂ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସହିତ ବଂଧୁତ୍ଵ ଗଢ଼ି ଉଠିଥିଲା ଏବଂ ସେମାନଙ୍କ ଉଦ୍ୟମରେ ‘ଦୈବିଶକ୍ତି’ ନାମରେ ଏକ ହାତ ଲେଖା ପତ୍ରିକା ପ୍ରକାଶ ପାଇଥିଲା। ସେହିପରି ବିଶ୍ଵନାଥ କରଙ୍କ ସମ୍ପାଦିତ ‘ଉତ୍କଳସାହିତ୍ୟ’ ପତ୍ରିକାରେ ତାଙ୍କର ‘ସାବିତ୍ରୀର ଦୁଃଖ’ ନାମରେ ଏକ ଗଳ୍ପ ଏବଂ ରାଧାନାଥ ଓ ମଧୁସୂଦନଙ୍କ ଉପରେ ସମାଲୋଚ଼ନା ପ୍ରବନ୍ଧ ପ୍ରକାଶ ପାଇଥିଲା। ଫଳରେ ଅଧ୍ୟାପକ ତଥା ପୂର୍ବ ହଷ୍ଟେଲର ସୁପରିଟେଣ୍ଡେଣ୍ଟ ଆର୍ତ୍ତବଲ୍ଲଭ ମହାନ୍ତି ତାଙ୍କୁ ଲେଖାଲେଖୁ ଦିଗରେ ଉତ୍ସାହିତ କରିଥିଲେ। ଏହା ମଧ୍ୟରେ ସେ ଅନ୍ୟ ବଂଧୁଙ୍କ ସହ ମିଶି ‘ନସେନ୍ସ କ୍ଲବ୍’ ନାମରେ ଏକ ସାହିତ୍ୟ ଅନୁଷ୍ଠାନ ଗଠନ କରିଥିଲେ ଏବଂ ପରେ ତାହା ‘ସବୁଜ ସାହିତ୍ୟ ସମିତି’ ନାମରେ ନାମିତ ହେଲା। ଏହି ସମିତ ଆନୁକୁଲ୍ୟରେ ‘ଅବକାଶ’ ପତ୍ରିକାର ନାମକରଣ କରାଯାଇଥିଲା। (ଅନ୍ନଦା, ବୈକୁଣ୍ଠ, କାଳିନ୍ଦୀଚରଣ ଏବଂ ଶରତ-ଏହି ଚାରିଜଣଙ୍କ ନାମର ମୂଳ ଅକ୍ଷରକୁ ନେଇ ‘ଅବକାଶ’ ପତ୍ରିକାର ନାମକରଣ କରାଯାଇଥିଲା।) ଉକ୍ତ ପତ୍ରିକାରେ ନୂତନ ଧରଣର କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ଲେଖୁ ଏମାନେ ସାହିତ୍ୟ ଜଗତରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିପାରିଥିଲେ। ସେହି ସମୟ ମଧ୍ୟରେ କାଳିନ୍ଦୀଚରଣ ‘ମାଂସର ବିଳାପ’ ଗଳ୍ପ ଏବଂ ‘ଗାନ୍ଧାରୀର ଆଶୀର୍ବାଦ’ କବିତା ରଚନା କରି ଓଡ଼ିଆ ସାହିତ୍ୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ପାଟନା ବିଶ୍ୱବିଦ୍ୟାଳୟରୁ ବି.ଏ. ପାସ୍ କଲା ପରେ ସେ ସମବାୟ ବିଭାଗରେ ପୁରୀ ଓ କୋଣାର୍କରେ ଚାକିରି କରିଥିଲେ ଏବଂ ଏହି ବିଭାଗର ମୁଖପତ୍ର ‘କଲ୍ୟାଣୀ’ ମଧ୍ୟ ସଂପାଦନା କରିଥିଲେ। ସେହିପରି ନିଜ ବଂଧୁମାନଙ୍କର ପ୍ରକାଶିତ କବିତାଗୁଡ଼ିକୁ ଏକତ୍ର କରି ‘ସବୁଜ କବିତା’ ନାମରେ ଏକ ସଙ୍କଳନ ମଧ୍ୟ ପ୍ରକାଶ କରିଥିଲେ। ସମବାୟ ଅଧୀନସ୍ଥ କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରେ ମ୍ୟାନେଜର ରୂପେ କାର୍ଯ୍ୟ କରୁଥିବାବେଳେ ‘ଯୁବବାଣୀ’ ନାମରେ ଅନ୍ୟ ଏକ ସାହିତ୍ୟ ପତ୍ରିକା ମଧ୍ୟ ସେ ସଂପାଦନା କରିଥିଲେ।
ବାରିପଦାଠାରେ ଅବସ୍ଥାନ ସମୟରେ ସେ ମୟୂରଭଞ୍ଜ ରାଜ୍ୟରୁ ପ୍ରକାଶିତ ‘ଭଞ୍ଜପ୍ରଦୀପ’ ଓ ମୟୂରଭଞ୍ଜ କ୍ରୋନିକ’ ପତ୍ରିକାର ସଂପାଦନା କରୁଥିଲେ। ତତ୍ସହିତ ଷ୍ଟେଟ୍ସମ୍ୟାନ୍ ଓ ଆସୋସିଏଟ୍ ପ୍ରେସ୍ର ସାଂବାଦିକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସାନ ଭାଇ ଭଗବତୀଚରଣ ପାଣିଗ୍ରାହୀ କମ୍ୟୁନିଷ୍ଟ ପାର୍ଟିସହ ସଂପୃକ୍ତ ଥିବାରୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। ତେଣୁ ଜୀବିକାର୍ଜନ ପାଇଁ ସେ ଘରୋଇ ଟିଉସନ୍, ସାମ୍ବାଦିକତା, ଜୀବନବୀମା ଏଜେଣ୍ଟ ଏବଂ ଦୈନିକ ସଂବାଦପତ୍ର, ‘ଆଶା’ ପ୍ରେସ୍ ଆଦିରେ କାର୍ଯ୍ୟ କରିଥିଲେ। କିଛି ଦିନ ପରେ ଓଡ଼ିଶା ସରକାରଙ୍କ ପ୍ରଚାର ବିଭାଗ କାର୍ଯ୍ୟ ଏବଂ ୧୯୫୬ ମସିହାରୁ କଟକ ଆକାଶବାଣୀ କେନ୍ଦ୍ରରେ ପ୍ରଯୋଜକ ଭାବେ କାର୍ଯ୍ୟ କରିଥିଲେ।
ଶ୍ରୀ ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ରଚନା କରିଥିବା ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି-ଉପନ୍ୟାସ-ମାଟିର ମଣିଷ (୧୯୩୧), ମୁକ୍ତାଗଡ଼ର କ୍ଷୁଧା (୧୯୫୧), ଅମରଚିନ୍ତା (୧୯୩୨), ଲୁହାର ମଣିଷ( ୧୯୪୭) ଆଜିର ମଣିଷ (୧୯୫୭)।
ଗଳ୍ପସଂକଳନ- ଦ୍ଵାଦଶୀ (୧୯୩୨), ରାଶିଫଳ (୧୯୪୮), (୨ୟ ସଂ: ୧୯୬୩), ଶେଷରଶ୍ମି, ସାଗରିକା (୧୯୪୭), ମୋ କଥାଟି ସରିନାହିଁ (୧୯୪୮)।
କବିତା ସଂକଳନ– ମୋ କବିତା (୧୯୫୯), କ୍ଷଣିକ ସତ୍ୟ (୧୯୪୯), ମହାଦୀପ (୧୯୪୮), ମନେ ନାହିଁ (୧୯୪୭), ଛୁରୀଟିଏ ଲୋଡ଼ା (୧୯୫୦), ମନେ ମନେ ମହାବୀର, ସୁଦୂର ସୈକତ (୧୯୬୫)
ନାଟକ- ପ୍ରିୟଦର୍ଶୀ (୧୯୩୩-୩୪), ସୌମ୍ୟା (୧୯୩୨), ପଦ୍ମିନୀ(୧୯୩୩-୩୪) ଅମରଚିତା।
ପ୍ରବନ୍ଧ- ସାହିତ୍ୟ ସମାଚାର (୬ଷ୍ଠ ସଂ୧୯୪୯), ସାହିତ୍ୟିକା (୧୯୩୩), ନେତୃତ୍ଵ ଓ ନେତୃତ୍ବ (୧୯୪୯)। ସାହିତ୍ୟବଲ୍ଲରୀ (୧୯୬୫), ସାହିତ୍ୟ ସଂଚୟନ, ସାମୟିକ ସାହିତ୍ୟସମୀକ୍ଷା।
ଜୀବନୀ- ଭକ୍ତକବି ମଧୁସୂଦନ (୧୯୨୮), କର୍ମଯୋଗୀ ଗୌରୀଶଙ୍କର (୧୯୬୦)।
ଆତ୍ମଜୀବନୀ– ଯାହା ଅଙ୍ଗେ ନିଭାଇଛି।
ପାଠ୍ୟପୁସ୍ତକ- ସାହିତ୍ୟ ସଂପଦ, ନବସାହିତ୍ୟ।
ଭ୍ରମଣକାହାଣୀ- ଗଲି ଅଇଲି, ଋଷ୍ଠ, ଜର୍ମାନୀ ଇତ୍ୟାଦି। ତାଙ୍କ ରଚିତ ‘ମାଟିର ମଣିଷ’ ଉପନ୍ୟାସଟି ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ସାହିତ୍ୟ ଜଗତରେ ତାଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନର ମର୍ଯ୍ୟାଦା ପ୍ରଦାନ କରିଛି। ସେହିପରି ଉକ୍ତ ଉପନ୍ୟାସଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ରୂପାୟିତ ହୋଇଛି।
ଶ୍ରୀ ପାଣିଗ୍ରାହୀ କେବଳ ଜଣେ ସୁଲେଖକ ଭାବରେ ନୁହଁନ୍ତି; ସଂଗଠକ ରୂପେ ମଧ୍ୟ ସୁପରିଚିତ। ଉତ୍କଳ ସାହିତ୍ୟ ସମାଜର ସଭାପତି, ଭାରତୀୟ ଭାଷା ସାହିତ୍ୟ ଅନୁଷ୍ଠାନର ସଦସ୍ୟ ଏବଂ ‘ଚତୁରଙ୍ଗ’ ଓ ‘ସହକାର’ ପତ୍ରିକାର ସଂପାଦକ ମଧ୍ୟ ଥିଲେ।
ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୬ ମସିହାରେ ‘ଉତ୍କଳ ପାଠକ ସଂସଦ’ ଏବଂ ଦିଲ୍ଲୀ ଓଡ଼ିଆ ସମାଜ ଦ୍ବାରା ସଂବନ୍ଧିତ। ସେହିପରି ୧୯୭୧ ମସିହାରେ ଭାରତ ସରକାରଙ୍କ ଦ୍ଵାରା ‘ପଦ୍ମଭୂଷଣ’ ଉପାଧି, କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ଫେଲୋ ଏବଂ ୧୯୭୬ ମସିହାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଡି.ଲିଟ୍ ଉପାଧ୍ୟାଲାଭ କରିଥିଲେ। ଶ୍ରୀ ପାଣିଗ୍ରାହୀ ବ୍ରାହ୍ମଧର୍ମର ସମର୍ଥକ ତଥା ପଣ୍ଡିଚେରୀ ଆଶ୍ରମର ‘ଶ୍ରୀମା’ଙ୍କ ଭକ୍ତ ଥିଲେ। କଟକ ପିଠାପୁରସ୍ଥ ତାଙ୍କ ବାସ ଭବନର ନାମ ଥିଲା ‘ସ୍ବପ୍ନପୁରୀ’। ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ତାଙ୍କ ରଚିତ “ରାଜାଙ୍କ ନୂତନ ପରିଚ୍ଛେଦ” ଗଳ୍ପଟି ସ୍ଥାନ ପାଇଛି।