‘ଆଷାଢ଼ସ୍ୟ ପ୍ରଥମ ଦିବସେ’ – ରାମଗିରିର ତୁଙ୍ଗ ଶୈଳଶୃଙ୍ଗ ଉପରେ ପ୍ରୀତି ସ୍କି ଗ୍ଧ, ଜନପଦବଧୂଲୋଚନ ପୀୟମାନ ଶ୍ୟାମଳ ଛଳଛଳ ଚଳନବଘନମାଳା ଉଦ୍ଦେଶ୍ୟରେ ଏକ ବିରହୀ ତରୁଣର କରୁଣ କାତର ନିବେଦନ ଭିତରେ କିଏ ସେହି ଚିନ୍ମୟ ହୃଦୟବାନ୍ ପରମକାରୁଣିକ ପୁରୁଷ?
ମନ୍ଦାକିନୀର ଶୀତଳ ଶୀକରଧୌତ ଧବଳ ଶିଳାଖଣ୍ଡ ଉପରେ କଠୋରତପରତା ଅବିରତ-ବ୍ରହ୍ମଚାରିଣୀ ସତୀ ସାୟୀ ତମ୍ବିକାର ମାନସପଟରେ କାହାର ଏହି ନିଷ୍ଠାପର ଅଦମ୍ୟ ଆଶାର ପ୍ରେରଣା?
“ବସନେ ପରିଧୂସରେ ବସାନା ନିୟମକ୍ଷାମମୁଖୀ ତୈ ଧୃତୈକବେଣି କରୁଣାର୍ଦ୍ରବେଶଧାରିଣୀ’’ ପ୍ରଣୟ-ପ୍ରବଞ୍ଚୁ ଏକ ଋଷିବାଳାର ଏକାନ୍ତ ଧ୍ୟାନ ମଧ୍ୟରେ କାହାର ଏ ସ୍ଵପ୍ନବିଳାସ, କପୋଳକଳ୍ପନା ସ୍ଵର୍ଗର ସିଂହାସନକୁ ସ୍ପର୍ଶ କରିଛି?
ପରଶମଣିତୁଲ୍ୟ କାହାର ଅମର ତୂଳିକାସ୍ପର୍ଶରେ ମର୍ତ୍ତ୍ୟଭୂମି ସ୍ବର୍ଗରେ ପରିଣତ ହୋଇଛି ? କାହାର ପରିପୂର୍ଣ୍ଣ ହୃଦୟର ଅପରିସୀମ ରସପରିବେଷଣରେ ମର ଏହି ମାନବର କଳେବର ଅମୃତର ସ୍ବାଦ ଲାଭ କରିଛି?
ହେ ବିରହୀ ଯକ୍ଷ ! ହେ ସତୀଶିରୋମଣି ନଗାଧାଜତନୟା ଉମା ! ହେ ତପଶ୍ଚାରିଣୀ ତପସ୍ବିନୀ ଶକୁନ୍ତଳା ! ତୁମେ ଆଜି କାହାର ମଧୁ ସ୍ପର୍ଶରେ ଭାରତୀୟ କାବ୍ୟଜଗତରେ ଅମରତ୍ୱ ଲାଭ କରିଛ? ତୁମରି ଅମର କାହାଣୀର ସ୍ତରେ ସ୍ତରେ କାହାର ପ୍ରଣୟୋଜ୍ଜ୍ଵଳ ମହିମାମୟ ଅବସ୍ଥିତି, ଅବିନାଶୀ ଅବିକଳ୍ପ ମୂର୍ତ୍ତି ପରିଗ୍ରହ କରିଛି?
କିଏ ସେହି ସ୍ରଷ୍ଟା, କିଏ ସେହି ବିଧାତା, ସୃଷ୍ଟିର ଗୌରବରେ ହିଁ ଯାହାର ଭୌତିକ ଓ ଆଧ୍ୟାତ୍ମିକ ସ୍ଥିତିର ବିକାଶ ଓ ବିଲୟ?
କାଳିଦାସ ! କାଳିଦାସ !
କିଏ ଏହି କାଳିଦାସ? ‘ପୁରାକବୀନାଂ ଗଣନାପ୍ରସଙ୍ଗ, କନିଷ୍ଠିକାଧୃତ କାଳିଦାସ’ ରୂପେ ଯେ ଜନଗଣହୃଦୟରେ ସତତ ଅଧିଷ୍ଠିତ, ଏ କ’ଣ ସେହି ବିଶ୍ୱକର୍ମା ବିଶ୍ୱସ୍ତହୃଦୟ ଅନର୍ପିତ – ଅର୍ପଣକାରୀ ମହାକବି କାଳିଦାସ?
କିଏ ତୁମେ କାଳିଦାସ ! ଜନଶ୍ରୁତି ଯାହାଙ୍କୁ ଉଜ୍ଜୟିନୀର ଜନବିଶ୍ରୁତ ସମ୍ରାଟ୍ ବୀର ବିକ୍ରମାଦିତ୍ୟଙ୍କର ରାଜସଭା ମଧ୍ୟରେ ନବରତ୍ନ ଅଗ୍ରଗଣ୍ୟ ଆଖ୍ୟା ଦେଇ କେଉଁ ସୁଦୂର ଅତୀତ ଖ୍ରୀ:ପୂ: ସତାବନ ଅବ୍ଦର ପଶ୍ଚାଦ୍ଭୂମିକୁ ଘେନିଯାଏ – ତୁମେ କ’ଣ ସେହି ପ୍ରସିଦ୍ଧ ବ୍ୟକ୍ତି ? କିମ୍ବା ବିକ୍ରମାଦିତ୍ୟ ନାମଧାରୀ ଗୁପ୍ତରାଜ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କର ସମକାଳୀନ ଚତୁର୍ଦ୍ଦଶ କିମ୍ବା ପଞ୍ଚଦଶ ଖ୍ରୀଷ୍ଟାବ୍ଦର କୌଣସି ଏକ କାଳିଦାସ ନାମଧାରୀ କାବ୍ୟରଚୟିତାରୂପେ ତୁମର ପ୍ରକାଶ ହୋଇଥିଲା ? ଅଥବା ଷଷ୍ଠ ଶତାବ୍ଦୀର ମାଳବାଧୂପତି ଯଶୋଧର୍ମନ୍ଙ୍କର ସମସାମୟିକ ସଭାମଣ୍ଡନ ବୟସ୍ୟ କାଳିଦାସ ତୁମର ପ୍ରକୃତ ପରିଚୟ? ଇତିହାସ ନିଜେ ଅସ୍ଥିର– ଇତିହାସ ପରାଜୟ ସ୍ଵୀକାର କରେ। ସ୍ଥାନ ଓ କାଳ କାଳିଦାସଙ୍କର ଜୀବନକୁ ସ୍ପର୍ଶ କରିପାରି ନାହିଁ। ଏହି ଯଶସ୍ବୀ ସମାଧ୍ଵସ୍ଥ ପୁରୁଷ ସତତ ନିର୍ବିକଳ୍ପ। ହୁଏତ ସୃଷ୍ଟିର ଆଦିମ କାଳରୁ ମାନବ ହୃଦୟର ସର୍ଜନା ସଙ୍ଗେ ସଙ୍ଗେ ତାଙ୍କର ଆବିର୍ଭାବ ଏବଂ ସୃଷ୍ଟିର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ମାନବହୃଦୟର ସତ୍ତା ଓ ମହତ୍ତ୍ବ ବିଲୟପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ସୃଷ୍ଟିର ପ୍ରଳୟ ମଧ୍ୟରେ ମଧ୍ୟ ସେ ବିରାଜମାନ ହୋଇ ରହିବେ।
ଇତିହାସ ନୁହେଁ, ବିକଳ ଜନସଂଶ୍ରୁତିର ଆବିଳ କଳ୍ପନା ନୀତଭାବଦୃଷ୍ଟ ଅସମ୍ଭବ ଦନ୍ତକଥା ସୃଷ୍ଟି କରି ମଧ୍ୟ କାଳିଦାସଙ୍କର ମହତ୍ତ୍ବକୁ ତିଳାହେଁ ଖର୍ବ କରିପାରିନାହିଁ। ଏହାହିଁ କାଳିଦାସଙ୍କ ଅବିନାଶୀ ପ୍ରତିଭାର ଯଥାର୍ଥ ପରିଚୟ।
ସେଦିନ ଗୋଟିଏ ଗୋପାଳ ବାଳକ ନିବିଡ ଅରଣ୍ୟ ମଧ୍ୟରେ ଆରୂଢ ଏକ ବୃକ୍ଷଶାଖାକୁ ତୀକ୍ଷଣ ଅସ୍ତ୍ରଦ୍ଵାରା ଛିନ୍ନ କରିବାକୁ ଉଦ୍ୟତ। କୌଣସି ଏକ ବିଦୁଷୀ ରାଜକନ୍ୟାଦ୍ଵାରା ପରାଜିତ ପଣ୍ଡିତବର୍ଗ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏହି ଅବିବେକ ବଜ୍ରମୂର୍ଖ ଯୁବକକୁ ଗୋଟିଏ ଅସାଧାରଣ ମୌନୀ ପଣ୍ଡିତ ବୋଲି ଘୋଷଣା କରି ରାଜସଭାରେ ଉପସ୍ଥିତ କରାଇଥିଲେ ଏବଂ ରାଜକୁମାରୀଙ୍କୁ ଛଳନା ଓ ପ୍ରତାରଣା ବଳରେ ବିଡମ୍ବିତ କରି ପୂର୍ବକୃତ ପ୍ରତିଜ୍ଞା ଅନୁସାରେ ବିବାହ ନିମନ୍ତେ ବାଧ୍ୟକରିଥିଲେ – ତୁମେ କ’ଣ ସେହି କାଳିଦାସ ? ଯେ ସାମାନ୍ୟ ଉଷ୍ଟ୍ର ଶବ୍ଦ ଉଚ୍ଚାରଣ କରି ନ ପାରି ଲଜିତ ଓ ଅପମାନିତ ହୋଇ ନବପରିଣୀତା ରାଜକନ୍ୟାଙ୍କୁ ମଧୁଶଯ୍ୟାଗୃହରେ ପରିତ୍ୟାଗକରି ପଳାୟନ କରିଥିଲେ ଏବଂ ବହୁଦିନ କଠୋର ସାଧନାର ପରିଣାମରେ ଏକଦା କୁଣ୍ଠିତ ବୁଦ୍ଧି ସମ୍ପନ୍ନ ଯେଉଁ ଯୁବକ ଦେବୀକୃପାଦିଷ୍ଟ ସିଦ୍ଧ କବିରୂପେ ପ୍ରକଟିତ ହୋଇଥିଲେ – ମେଘଦୂତ, କୁମାରସମ୍ଭବ, ଶକୁନ୍ତଳାଦି ମହାକାବ୍ୟର ରଚୟିତା – ତୁମେ କ’ଣ ସେହି କାଳିଦାସ?
ଅବିଶ୍ୱାସ୍ୟ ଜନଶ୍ରୁତି କେତେବେଳେ ଏହି ମହାନ୍ ବ୍ୟକ୍ତିଙ୍କୁ ଦଣ୍ଡିନ୍ ଓ ଭବଭୂତିଙ୍କର ସମକାଳୀନ ସାବ୍ୟସ୍ତ କରି ତାଙ୍କର ଶ୍ରେଷ୍ଠତା ସୂଚାଇଦେଇଛି, କେତେବେଳେ ଅବା ନବରତ୍ନଙ୍କ ମଧ୍ୟରେ ତାହାଙ୍କୁ ଶ୍ରେଷ୍ଠ ରତ୍ନ ଗଣନାକରି ଭୋଜରାଜସଭାମଣ୍ଡଳରେ ମଣ୍ଡିତ ଅଳଙ୍କାରରୂପେ ସ୍ପର୍ଷିତ ଆସନ ଦେଇଛି। କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ, ନିର୍ମମ କିମ୍ବଦନ୍ତୀ ଏହି ସୁମହାନ୍ ସିଦ୍ଧ ପୁରୁଷଙ୍କୁ ସିଂହଳଦେଶୀୟ କୌଣସି ଏକ ବାରାଙ୍ଗନା ହସ୍ତରେ ମୃତ୍ୟୁଦଣ୍ଡବିଧାନ କରି ଭାରତୀୟ ବାଦ୍ୱୟକୁ ଚିରକଳଙ୍କିତ କରି ମଧ୍ୟ ସନ୍ତୁଷ୍ଟି ଲାଭ କରିପାରିନାହିଁ।
କାଳିଦାସଙ୍କର ଲିଖ ଜୀବନୀ ଆଜି ନ ଥାଇପାରେ। ଇତିହାସରେ କୌଣସି ବିକୃତ ବିବୃତି ନଥିବା ହିଁ ବରଂ ଶ୍ରେୟସ୍କର। କାଳିଦାସଙ୍କର ସ୍ମୃତିସ୍ତମ୍ଭ କୌଣସି କାରଣ ଭୌତିକ କଳାରେ ତୋଳାଯିବାର ଆବଶ୍ୟକତା ନ ରହିବା ହିଁ ଉଚିତ ତାଙ୍କର ଅଭିଜ୍ଞାନଶାକୁନ୍ତଳମ୍, ବିକ୍ରମୋର୍ବଶୀ, ମାଳବିକାଗ୍ନିମିତ୍ର ଆଦି ନାଟକ, ମେଘଦୂତ ଓ ଋତୁସଂହାର ସଦୃଶ କାବ୍ୟ, କୁମାରସମ୍ଭବ ଓ ରଘୁବଂଶ ସଦୃଶ ମହାକାବ୍ୟ ହିଁ ତାଙ୍କର ଜୀବନୀ, ତାଙ୍କର ଇତିବୃତ୍ତ ଏବଂ ତାଙ୍କର ଶ୍ରେଷ୍ଠ ସ୍ମୃତି ପ୍ରସ୍ଥାପନା। ଏହି ରଚନାଗୁଡିକରେ କାବ୍ୟଲକ୍ଷଣ, କଥାଶୈଳୀ ଆଦିର ବୈଶିଷ୍ଟ୍ୟଦ୍ଵାରା ସେ ତାଙ୍କ ମହତ୍ତ୍ଵର ଯଥେଷ୍ଟ ପରିଚୟ ଦେଇଯାଇଛନ୍ତି। କେବଳ ସଂସ୍କୃତ-ସାହିତ୍ୟରେ ନୁହେଁ, ସମଗ୍ର ବିଶ୍ଵସାହିତ୍ୟରେ କାଳିଦାସଙ୍କର ଅମର କୃତି ତାର ନିଜସ୍ଵ ସ୍ଥାନ ନିର୍ଦ୍ଦିଷ୍ଟ କରି ରଖୁରିଛି। ବିଖ୍ୟାତ କବି ଗେଟେ ଶକୁନ୍ତଳା ସମ୍ବନ୍ଧରେ କହିଥିଲେ-
‘ମାନବାତ୍ମାକୁ ଉଲ୍ଲସିତ, ମୁଗ୍ଧ ଓ ଚିରତୃପ୍ତିକାରୀ ନବବର୍ଷାଗମର ସୂଚକ ବସନ୍ତପୁଷ୍ପ କିମ୍ବା ବର୍ଷାଶେଷର ପରିପକ୍ବ ରସାଳ ଫଳ ଅଥବା ଉଭୟବିଧ ସମାହାରକୁ କ’ଣ ଗୋଟିଏ ନାମରେ ଅଭିହିତ କରିବା ସମ୍ଭବ? ପୃଥିବୀ ଓ ସ୍ବର୍ଗ ଉଭୟ ସ୍ଥାନ ପାଇଁ ଏକାର୍ଥବୋଧକ ଗୋଟିଏ ସଂଯୁକ୍ତ ନାମର କ’ଣ ଆବଶ୍ୟକତା ନାହିଁ ? ଯଦି ତାର ଆବଶ୍ୟକତା ଥାଏ ଏବଂ ଯଦି ତାହା ସମ୍ଭବ ହୁଏ, ତେବେ ମୁଁ କହିବି ସେ ନାମ ହେଉଛି ଶକୁନ୍ତଳା।’ କିରାତାର୍ଜୁନ-ରଚୟିତା ଭାରବି, ଦଶକୁମାର-ଚରିତ ଲେଖକ ଦଣ୍ଡିନ୍, କାଦମ୍ବରୀ ଓ ହର୍ଷଚରିତର ଗ୍ରନ୍ଥକାର ବାଣଭଟ୍ଟ ଆଦି କାଳିଦାସଙ୍କ ପଦାନୁସାରୀ ଥିଲେ ବୋଲି କହିଲେ କାଳିଦାସଙ୍କର ପ୍ରକୃତ ପ୍ରଶସ୍ତି ଅତି ସଂକୀର୍ଣ୍ଣ ହୋଇଯିବ। କାଳିଦାସ ପ୍ରକୃତରେ ସଂସ୍କୃତସାହିତ୍ୟରେ ଅପରିକଳ୍ପନୀୟ ନବପ୍ରାଣର ସଂଚାର କରିଥିଲେ।