ଓଡ଼ିଆ ଖଣ୍ଡ

ନାମାନନ୍ଦୀ ରାମାନନ୍ଦ

ସେତେବେଳେ ସମାଜର ଏକ ଘୋର ସନ୍ଧିକ୍ଷଣ। ସାମାଜିକ ଅନ୍ୟାୟ, ଅବ୍ୟବସ୍ଥା ଓ ଦୁବ୍ୟବହାରର ପ୍ରତିକ୍ରିୟାରୂପୀ ତୁଷାନଳ କୁହୁଳି ଉଠୁଛି ହିନ୍ଦୁ ସମାଜକୁ ଭସ୍ମସାତ୍ କରି ଧୂଳିରେ ମିଶାଇ ଦେବାପାଇଁ। ଜାତିଭେଦର କୁଠାରାଘାତରେ ସମାଜ ଆହତ ପଙ୍ଗୁତୁଲ୍ୟ ହୋଇ ପଡିରହିଛି। ସମାଜର ପରିପୋଷକ, ସମାଜର ପାଳୟିତା ଶ୍ରମକାରୀ ଶ୍ରମିକଶ୍ରେଣୀ ନୀଚ, ଘୃଣିତ, ନିମ୍ନସ୍ତରର ଇତର ପ୍ରାଣୀ ଶ୍ଵାନଶ୍ୱାପଦଠାରୁ ମଧ୍ୟ ତୁଚ୍ଛ ବିବେଚିତ ହେଉଛି। ଉଚ୍ଚ ଜାତିର ଦୁରଭିସନ୍ଧି ଫଳରେ ଶ୍ରମିକକୁ ଚିରଦିନ ଉଚ୍ଚ ଆସନରେ ବଂଶପରମ୍ପରାହୀନ ପ୍ରତିପନ୍ନ କରି ଶ୍ରମଅପହାରୀଦଳ ବସି ଅଧିକାରୀ ହେବାର ଷଡଯନ୍ତ୍ର କରି ଯେଉଁ ସ୍ପୃଶ୍ୟ-ଅସ୍ପୃଶ୍ୟ ଜାତି-ଅଜାତିର ଭେଦ ଓ ବଦ୍‌ଜାତି ସୃଷ୍ଟିକଲେ, ତାହା ହିଁ ବ୍ରହ୍ମଅଭିଶାପ ତୁଲ୍ୟ ସମାଜର ବୃହତ୍ତର ଅଂଶକୁ ଜଡ, ସ୍ପନ୍ଦନହୀନ କରି ଥୋଇଦେଲା।

ଏହି ଭେଦବୁଦ୍ଧିର କୁପରିଣାମସ୍ଵରୂପ ସାମାଜିକ ସମାନତାର ପକ୍ଷପାତୀ ଇସଲାମ୍ ଧର୍ମର ଧ୍ଵଜା ଧରି ଏ ଦେଶକୁ ଅଧିକାର କଲେ ଏକ ରାଜନୀତିକ ଲୁଣ୍ଠନକାରୀ – ଡକାୟତ ଆତତାୟୀ ଦଳ। ସେହିମାନଙ୍କର ଶାସନ ତଳେ ପିଷ୍ଟ ଜନମାନସ ପରାଜୟ ଏବଂ ନୈରାଶ୍ୟର ଗ୍ଳାନିରେ ଅସ୍ଥିର ଓ ଅଚେତନ। କ୍ଵଚିତ୍ ତାନ୍ତ୍ରିକସିଦ୍ଧ ସାଧକମାନଙ୍କର ସନ୍ଦିଗ୍‌ଧବାର୍ତ୍ତା ଓ ଅସାଧ୍ୟ ସାଧନାକ୍ରମ ନିର୍ଯାତିତ ନିଷ୍ପେଷିତ ଜନତା ମଧ୍ୟରେ ଲୋକପ୍ରିୟ ହୋଇପାରୁନାହିଁ। ଶଙ୍କର ଏବଂ ତତ୍‌ପରବର୍ତ୍ତୀ ଆଚାର୍ଯ୍ୟମାନଙ୍କର ବୌଦ୍ଧିକ ସିଦ୍ଧାନ୍ତକୁ ଗ୍ରହଣ କରିପାରିବାର ଶକ୍ତି ମଧ୍ୟ ଜନସାଧାରଣଙ୍କର ନଥିଲା। ବରଂ ମୁସଲମାନ ସୁଫିମାନଙ୍କର ପ୍ରାଣଉନ୍ମାଦକାରୀ ସୁଲଳିତ ଭକ୍ତିଗାଥା ଇସଲାମ୍ ଧର୍ମ ପ୍ରତି ସହଜ ଆକର୍ଷଣ ଆଣି ଶ୍ରଦ୍ଧାବର୍ତ୍ତନ କରିବାରେ ସୁସମର୍ଥ ବୋଧହେଉଥାଏ।

ଏତିକିବେଳେ ଏହି ସନ୍ଧିକ୍ଷଣରେ ଏ ଜାତିର ଘନତମସାଚ୍ଛନ୍ନ ନିରନ୍ଧ୍ର ନିଶୀଥର ଜଡତା ବିଦୂରିତ କରି ଯିଏ ନବୀନ ଉଷାର ଆଲୋକ ବିକିରଣ କରିଥିଲେ ସମାଜର ନୀଚ, ଦଳିତ, ପତିତ ପ୍ରାଣରେ ନୂତନ ଆଶାର ସଞ୍ଚାରକରି, ସେହି ଅପ୍ରତିହତ ବୀର ସନ୍ଥଯୁଗର ପ୍ରବର୍ତ୍ତକ ରାମାନନ୍ଦ ବାସ୍ତବରେ ଜାତୀୟ ଜୀବନରେ ଏକ ଅଦମ୍ୟ ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦକ୍ଷିଣର ପୂର୍ବବର୍ତ୍ତୀ ଆଚାର୍ଯ୍ୟମାନେ ଅବଶ୍ୟ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିଯାଇଥିଲେ। କିନ୍ତୁ ରାମାନନ୍ଦ ହିଁ ସେହି କର୍ଷିତ କେଦାରରେ ବୀଜ ବପନ କରି ଅତି ଅଳ୍ପ ସମୟ ମଧ୍ୟରେ ଗୋଟିଏ ସୁମନୋହର ଉଦ୍ୟାନ ଉଭାକରିପାରିଥିଲେ।

ଉତ୍ତର-ଭାରତର କୌଣସି ଅନାମଧେୟ ଜନପଦରେ ରାମାନନ୍ଦଙ୍କର ଜନ୍ମ ଗୋଟିଏ କାନ୍ୟକୁବ୍‌ଜ ବ୍ରାହ୍ମଣ ପରିବାରରେ। ତାଙ୍କର ବାଲ୍ୟ ନାମ ରାମଦତ୍ତ ଥିଲା। ମାତ୍ର ବାରବର୍ଷ ବୟସରେ ସେ ଉଚ୍ଚଶିକ୍ଷା ଲାଭ ନିମନ୍ତେ ବିଦ୍ୟାନଗରୀ କାଶୀ – ବାରାଣସୀ ଯାତ୍ରାକଲେ। ସେଠାରେ ସେ ଜଣେ ଅଦ୍ଵୈତବାଦୀ ସ୍ମାଉଁ ଗୁରୁଙ୍କ ନିକଟରେ ଦର୍ଶନ ଅଧ୍ୟୟନ କରିବାକୁ ଲାଗିଲେ। ସେହି ସମୟରେ ରାମାନୁଜ ମତବାଦୀ ପ୍ରସିଦ୍ଧ ଶ୍ରୀସମ୍ପ୍ରଦାୟର ଜଣେ ମହାପୁରୁଷ ଆଚାର୍ଯ୍ୟ ରାଘବାନନ୍ଦଙ୍କ ସହିତ ତାଙ୍କର ସାକ୍ଷାତ ହୁଏ। ରାଘବାନନ୍ଦ ହିଁ ତାଙ୍କୁ ପ୍ରଥମେ ବିଷ୍ଣୁମନ୍ତ୍ରରେ ଦୀକ୍ଷିତ କରି ବୈଷ୍ଣବ କରାଇଥିଲେ। ରାମଦତ୍ତ ତଦନୁବର୍ତ୍ତୀ କାଳରେ ରାମାନନ୍ଦ ନାମରେ ପରିଚିତ ହେଲେ।

ବହୁଦିନ ଏକନିଷ୍ଠଭାବରେ ଗୁରୁଚରଣାଶ୍ରିତ ହୋଇ ଶ୍ରୀଗୁରୁସେବାରେ ସତତ ନିଜକୁ ନିୟୋଜିତ କରି ଗୁରୁ ଆଦେଶକ୍ରମେ ସେ ଭାରତ ପରିଭ୍ରମଣରେ ଅଗ୍ରସର ହେବାକୁ ଲାଗିଲେ। ଦେଶ ଦେଶେ ସେ ବୈଷ୍ଣବ ଧର୍ମ ପ୍ରଚାର କରି ସ୍ଵସ୍ଥାନକୁ ଫେରିଆସିବା ମାତ୍ରେ ଗୋଟାଏ ଅପ୍ରତ୍ୟାଶିତ, ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେଲା। ରାମାନନ୍ଦଙ୍କର ବିସ୍ମୟର ସୀମା ରହିଲା ନାହିଁ। ନିଜ ସମ୍ପ୍ରଦାୟ ମଧ୍ୟରେ ତାଙ୍କର ପ୍ରବେଶ ନିଷିଦ୍ଧ। ସେ ଏକପ୍ରକାର ଅସ୍ପୃଶ୍ୟ – ଅଶ୍ରୁଚି, କାରଣ ସେ ଜାତି-ବର୍ଣ୍ଣ-ନିର୍ବିଶେଷରେ ହରିନାମ ପ୍ରଚାର କରିଛନ୍ତି। ଏହା ସମାଜଦ୍ରୋହିତା – ସମାଜ-ଗର୍ହିତ କାର୍ଯ୍ୟ ବୋଲି ବିବେଚିତ ହେଲା।

– ସମ୍ପ୍ରଦାୟ ଆଦେଶକଲା – ‘ରାମାନନ୍ଦ, ପ୍ରାୟଶ୍ଚିତ୍ତ କର!”’

ରାମାନନ୍ଦ ଅସ୍ବୀକାର କଲେ ଏହି ଅନ୍ୟାୟ ଆଦେଶକୁ ପାଳନ କରିବା ପାଇଁ। ‘ରାମାନନ୍ଦ, ଏ ନିଷ୍ପତ୍ତିର ପୁନର୍ବିଚାର କର।’’ ସମ୍ପ୍ରଦାୟର ଏହା ପୁନରାୟ ଆଜ୍ଞା ! କାରଣ ଗୁରୁ ରାଘବଙ୍କ ତିରୋଭାବ ପରେ ଶ୍ରୀସମ୍ପ୍ରଦାୟର ନେତୃତ୍ୱ ନେବା ନିମନ୍ତେ ଯୋଗ୍ୟତର ବ୍ୟକ୍ତି ଅନୁଷ୍ଠାନ-ଅନ୍ତର୍ଭୁକ୍ତ କେହି ନ ଥିଲେ। ସୁତରାଂ ପ୍ରାୟଶ୍ଚିତ୍ତ ଅର୍ଥ ଶ୍ରୀସମ୍ପ୍ରଦାୟର ଶ୍ରେଷ୍ଠାଚାର୍ଯ୍ୟପଦ ଏବଂ ସଙ୍ଗେ ସଙ୍ଗେ ସତ୍ୟ, ନ୍ୟାୟ ସୁତରାଂ ଧର୍ମର ବଳିଦାନ।

ରାମାନନ୍ଦ ଦ୍ବିଧା କରିନାହାନ୍ତି – ଚିନ୍ତା କରିନାହାନ୍ତି ଶୋଚନାର ଅବକାଶ ନ ଥିଲା। ଖଣ୍ଡିଏ ମାତ୍ର ଦଣ୍ଡ ଓ କମଣ୍ଡଳୁ ଧରି ସେ ସମ୍ପ୍ରଦାୟ ତ୍ୟାଗ କରିଚାଲିଗଲେ।

ଗଙ୍ଗାକୂଳ। କାଶୀର ପଞ୍ଚଗଙ୍ଗାଘାଟ ନିକଟସ୍ଥ ଗୋଟିଏ କ୍ଷୁଦ୍ର କୁଟୀର। ପୁରାତନପନ୍ଥୀ ରୁଢରାଢ ଭକ୍ତମାନଙ୍କର କେନ୍ଦ୍ରସ୍ଥଳ କାଶୀର ଏହି ଘାଟ। ଅହରହ ଯାତ୍ରୀ ଯାତାୟାତ। ସେହି କୁଟୀର ମଧ୍ୟରୁ ସେଦିନ ଯୁଗାନ୍ତକାରୀ ନବଯୁଗଉନ୍ମେଷୀ ଏକ ଉଦାତ୍ତ ସ୍ବର ବଜ୍ରନିଘୋଷରେ ଆକାଶର ସ୍ତରେ ସ୍ତରେ ତରଙ୍ଗ ସୃଷ୍ଟି କଲା

ଜାତି ପତି କିଏ ପଚାରେ

ହରିଜନ ସେହି ହରିର ଭଜନ।

ହରି କଥା ଯେହୁ ବିଚାରେ।

‘ଜା’ତି ପାତି ପୁଚ୍ଛେ ନହୀ କୋଇ

ଯେ ହରି କୋ ଭଜୈ ସୋ ହରି

କୋ କୋଇ’’

କୁଟୀର ମଧ୍ୟରେ ରାମାନନ୍ଦ ଆସନ ଉପରେ ସମାସୀନ। ଶତ ଶତ ଶିଷ୍ୟପରିବେଷ୍ଟିତ ରାମାନନ୍ଦ ନିଭୀକ, ନି, ନିଃଶଙ୍କ ଭାବରେ ପ୍ରଚାର କରୁଛନ୍ତି – ହରିଙ୍କ ନିକଟରେ ଭେଦାଭେଦ ନାହଁ – ପାପୀ ହେଉ ତାପୀ ହେଉ, ଧନୀ ହେଉ ନିର୍ଧନ ହେଉ, ଯେ ହରି ଭଜନ କରିବ, ହରି ତାହାର ଏବଂ ସେ ହରିଙ୍କର। ଚାହୁଁଚାହୁଁ ଏକ ନୂତନ ସମ୍ପ୍ରଦାୟ ଗଢିଉଠିଲା। ଆଜି ମଧ୍ୟ ଏ ସମ୍ପ୍ରଦାୟ ଭାରତବର୍ଷରେ ଅତି ସୁପ୍ରସିଦ୍ଧ ରାମାନନ୍ଦଙ୍କର ‘ରାମାଓତ ସମ୍ପ୍ରଦାୟ’।

ରାମାନ୍ଦଙ୍କର ଏହି ରାମାଓତ ସମ୍ପ୍ରଦାୟର ପରିକଳ୍ପନାରେ ମଧ୍ୟ ନୂତନତା ଏବଂ ସତ୍ୟର ନୂତନ ପ୍ରକାଶ। ଏ ସମ୍ପ୍ରଦାୟ ଜନସମାଜ ସହିତ ସଂଶ୍ଳିଷ୍ଟ ନ ଥାଇ ମଧ୍ୟ ସମାଜରେ ଗୋଟାଏ ଚମତ୍କାର ବିପ୍ଳବ ସୃଷ୍ଟି କରିପାରିଲା। ଏହା କେବଳ ରାମାନନ୍ଦଙ୍କ ଧର୍ମପ୍ରଚାରର ପ୍ରଭାବ ହେତୁ ହିଁ ସମ୍ଭବ ହେଲା। ଏହି ବିପ୍ଳବ ଫଳରେ ଧର୍ମ ଏବଂ ଉପାସନା କ୍ଷେତ୍ରରେ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କୁ ପ୍ରତି କ୍ଷେତ୍ରରେ ସମାନ ଆସନ ନିର୍ଦ୍ଦିଷ୍ଟ କରିଦିଆଗଲା। ରାମାନୁଜଙ୍କ ଧର୍ମ ତାଙ୍କ ପୂର୍ବଜମାନଙ୍କଠାରୁ ଅଧିକ ଉଦାର ଥିଲା।

ରାମାନନ୍ଦଙ୍କର ଏହି ପରିବ୍ୟାପ୍ତ ସାମାଜିକ ବିପ୍ଳବର ସାଥୀ ବା ଶିଷ୍ୟ ଅସଂଖ୍ୟ; ମାତ୍ର ମୁଖ୍ୟ ଦ୍ଵାଦଶ ସତୀର୍ଥମାନଙ୍କ ମଧ୍ୟରୁ ଅଧିକାଂଶ ତଥାକଥି ନୀଚ ଜାତି-ଉପଜାତ ଥିଲେ।

ବୈଦାସ ବା ରବି ଦାସ ଥିଲେ ଜାତିରେ ହାଡି; କବୀର ଜଲାହ ବା ମୁସଲମାନ ଜଳଅସ୍ପୃଶ୍ୟ ତନ୍ତୀ; ଧନ୍ନା ଥିଲେ ଜାଠ କୃଷକ – ମୁଣ୍ଡିଚଷା, ସେନା ଭଣ୍ଡାରୀ ଓ ପୀପା ରଜପୁତ୍ଵ ଜାତିର ଲୋକ। ଏମାନଙ୍କ ଛଡା ଭବାନନ୍ଦ, ସୁଖାନନ୍ଦ, ସୁରସୁରାନନ୍ଦ, ପରମାନନ୍ଦ, ମହାନନ୍ଦ ଓ ଶ୍ରୀ ଆନନ୍ଦ ପ୍ରଭୃତି ପ୍ରଧାନ ପଟ୍ଟଶିଷ୍ୟବୃଦ ରାମାନ୍ଦଙ୍କର ଏହି ଭେଦାଭେଦରହିତ ଉଦାରଭାବ ଧର୍ମର ବହୁଳ ପ୍ରଚାର କରିଥିଲେ।

ନିଜ ସମ୍ପ୍ରଦାୟଭୁକ୍ତ ଶିଷ୍ୟଙ୍କ ଛଡା ବହୁ ହ ବିଶିଷ୍ଟ ବୈଷ୍ଣବ ରାମାନନ୍ଦଙ୍କର ଧର୍ମବାଣୀ ପ୍ରଚାର କରି ନିଜକୁ ଗୌରବାନ୍ବିତ ମନେକରୁଥିଲେ। ଫଳରେ ସମଗ୍ର ଭାରତ ଓତପ୍ରୋତ ଭାବରେ ଭକ୍ତିରସାପୂତ ହୋଇଗଲା ଏବଂ ଏବଂ ଏହି ସମୟରୁ ହିଁ ଭାରତୀୟ ଧାର୍ମିକ ଜୀବନରେ ଭକ୍ତି-ଯୁଗର ପ୍ରବର୍ତ୍ତନ ଆରମ୍ଭ ହୋଇଥିଲା।

ଏମାନଙ୍କ ଛଡା ଅନ୍ୟାନ୍ୟ ବହୁ ବିଶିଷ୍ଟ ମହିମାମୟ ମହାତ୍ମା ପୁରୁଷଙ୍କର ନାମ ଏ ଦେଶ ଯୁଗ ଯୁଗ ସ୍ମରଣ କରିବ।। ଏହି ମହାପୁରୁଷମାନଙ୍କର ଆବିର୍ଭାବ ନିମନ୍ତେ ରାମାନନ୍ଦ ହିଁ ମୁଖ୍ୟତଃ ଦାୟୀ ବୋଲି କହିବା ଯଥାର୍ଥ। ମହାରାଷ୍ଟ୍ରର ଜ୍ଞାନେଶ୍ବର, ନାମଦେବ, ଏକନାଥ, ତୁକାରାମ ଓ ଶିବାଜୀଗୁରୁ ରାମଦାସ, ଗୁଜରାଟର ନରସୀ ମେହତାଙ୍କ ଭଳି ସାଧୁ ଓ ସନ୍ଥ ଭାରତକୁ ରାମାନନ୍ଦଙ୍କର ମହନୀୟ ଦାନ। ରାମାନନ୍ଦ କେବଳ ମହତ୍ବବାଣୀ ପ୍ରଚାର କରି ନ ଥିଲେ ସେହି ବାଣୀର ମୂର୍ତ୍ତି ବିଗ୍ରହମାନ ସୃଷ୍ଟି କରିବାରେ ସେ ଯେପରି କୁଶଳତା ଦେଖାଇଥିଲେ ସେପରି ସୃଷ୍ଟିକଳା ଅନ୍ୟ କ୍ବଚିତ୍‌ ମହାତ୍ମାଙ୍କଠାରେ ଦେଖାଯାଇଛି।

ଏହି ମହାପୁରୁଷମାନଙ୍କର ଚିଉ ମୁକୁର ସଦୃଶ ହୋଇ ରାମାନନ୍ଦଙ୍କର ଯେଉଁ ପ୍ରତିଚ୍ଛବି ତହିଁରେ ପ୍ରତିଫଳନ କରିଥିଲା, ବିଶ୍ୱବାସୀ ତାହାର ଆଦର୍ଶ ଦର୍ଶନ କଲେ – ଜ୍ଞାନେଶ୍ଵରଙ୍କ କୃତ ଗୀତାର ‘ଜ୍ଞାନେଶ୍ଵରୀ’ ଟୀକାରେ, ଶିଖଙ୍କ ଗ୍ରନ୍ଥସାହେବରେ, ଆଭରିତ କବିର ଓ ନାମଦେବକୃତ ପଦାବଳିରେ ଏବଂ ତୁକାରାମଙ୍କର ‘ଅଭିଙ୍ଗ’ ନାମକ ରାମାୟଣରେ।

Leave a Comment

You cannot copy content of this page