ସମଗ୍ର ଭାରତକୁ ଯଦି ଏକଦା କୌଣସି ଏକକ ଭାରତୀୟ ଜାତି ତାହାର ଏକଚ୍ଛତ୍ର ଶାସନତଳେ ଅଭିବୃଦ୍ଧି ହେବାର ସୁଯୋଗ ଦେଇଥାଏ, ଦିନେ ଯଦି କୌଣସି ଭାରତୀୟ ଜାତି ଏକାକୀ ବୈଦେଶିକ ଶତ୍ରୁର ସମଗ୍ର ଓ ଉଗ୍ର ବିରୋଧ କରି ବିଜୟ ଲାଭ କରିପାରିଥାଏ, ଅତୀତ ଇତିହାସର ପୃଷ୍ଠପଟରେ ଯଦି ମହାଭାରତର କୌଣସି ବିଶିଷ୍ଟ ଅଂଶରେ କୌଣସି ଜାତିର ଅଧ୍ୟାନାୟକ ରାଜଚକ୍ରବର୍ତ୍ତୀ ହୋଇ ମଧ୍ୟ ପ୍ରଜାନୁରଞ୍ଜକ ଉପାଧ୍ ପାଇପାରିଥାଏ, ତେବେ ସେ ଏହି ଓଡିଆ ଜାତି ଏବଂ ଉତ୍କଳ ଦେଶ, ଉତ୍କଳିଙ୍ଗ, ଉତ୍ତର କୋଶଳର ଅଧିରାଜ କଳିଙ୍ଗର ସମ୍ରାଟ ଖାରବେଳ ହିଁ ସେହି ଜାତିର ନିୟନ୍ତା।
ଆଜକୁ ଦୁଇହଜାର ବର୍ଷ ପୂର୍ବର କଥା। ଖ୍ରୀଷ୍ଟପୂର୍ବ ୧୨୩ ଅବ୍ଦର ଆରମ୍ଭ କାଳ କଳିଙ୍ଗରେ ପ୍ରବଳ ଝଞ୍ଜା। ରାଜଧାନୀ ତୋଷାଳି-କଟକର ସୁଦୃଢ ଗଡ- ପ୍ରାଚୀର ମଧ୍ୟ ସେ ଝଡରେ ଟଳିପଡିଲା। ଅଶୋକଙ୍କ ଆକ୍ରମଣରେ କ୍ଷତବିକ୍ଷତ ଦେଶ ଅଦ୍ୟାପି ଆରୋଗ୍ୟ ଲାଭ କରିନାହିଁ। ପରାଜିତ ଐର ରାଜବଂଶ ଅବଶ୍ୟ ମଗଧ ମୌର୍ଯ୍ୟଙ୍କ କବଳରୁ ମୁକ୍ତହୋଇ କୋଶଳରୁ ପ୍ରତ୍ୟାବର୍ତ୍ତନାନ୍ତେ ସ୍ୱରାଜ୍ୟ କଳିଙ୍ଗକୁ ସ୍ଵାଧୀନ ଶାସକରୂପେ ଫେରିଆସିଛନ୍ତି; ତଥାପି ପରାଜୟର କାଳିମା ଯେପରି ଅଦ୍ୟାବଧୂ ତାହାର ଭାଲପଟରୁ ବିମୁଞ୍ଚି ହୋଇନାହିଁ। ସେହି ଝଡ ଓ ଝଞ୍ଜା ଭିତରେ ହିଁ ଅଧିଷ୍ଠିତ ହେଲା କୋଶଳୋକୁଳର ଅଧୂତି ତରୁଣ
ଖାରବେଳଙ୍କର ରାଜ୍ୟାଭିଷେକ।
ମାତ୍ର ସେ ଦିନ ପ୍ରକୃତପକ୍ଷରେ କଳିଙ୍ଗ ରାଜାଙ୍କର ରାଜ୍ୟାଭିଷେକ ହୋଇ ନ ଥିଲା, ଯୁଗଯୁଗବ୍ୟାପୀ ଆଗାମୀ କାଳ ପାଇଁ ଏକ ଅଦ୍ବିତୀୟ ଆଦର୍ଶ ଶାସନ ଓ ଶାସନକର୍ତ୍ତାଙ୍କ ଅମର ଚରିତର ଅତୁଳନୀୟ ଦୃଷ୍ଟାନ୍ତ ପ୍ରସ୍ଥାପିତ ହୋଇଥୁଲା କହିଲେ ସାମାନ୍ୟ ଅତିରଞ୍ଜନ ମଧ୍ଯ ହେବ ନାହିଁ।
ଚୈତ ବଂଶ ଅବତଂସ ଐରକୁଳୋଦ୍ଭବ କଳିଙ୍ଗାଧୂପତି ଖାରବେଳଙ୍କର ଜନ୍ମ ସତେ ଯେପରି ଉତ୍କଳିଙ୍ଗର କ୍ଷୟୀକୃତ ସମ୍ମାନକୁ ପୁନରାୟ ଉଚ୍ଚଶୃଙ୍ଗୋପରି ପ୍ରୋତ୍ତ କରିବାର ଗୁରୁ ଭାର ବହନ କରିବା ନିମନ୍ତେ ହିଁ ସମ୍ଭବ ହୋଇଥିଲା। ଉତ୍କଳୀୟ ଜୀବନର ଉନ୍ନତ ସଂସ୍କୃତିପୁଷ୍ଟ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ବହୁମୂଲ୍ୟ ପ୍ରଭାବ ସମଗ୍ର ଭାରତ ଉପରେ ବିସ୍ତାରକରି ନିଜ ଜୀବନରେ ଆଚରଣଦ୍ୱାରା ସେ ଯେପରି ସେହି ଆଦର୍ଶର ପରାକାଷ୍ଠା ଦେଖାଇଯାଇଛନ୍ତି, ତାହା ଇତିହାସରେ ପୁନରାୟ କୌଣସି ପୁରୁଷସିଂହଦ୍ଵାରା ସ୍ଵାକ୍ଷରିତ ହୋଇନାହିଁ।
ଖାରବେଳ କେବଳ ଉତ୍କଳର ଶତ୍ରୁ ମଗଧ ବା ଆଧୁନିକ ବିହାର ଉପରେ ବିଜୟ ହାସଲ କରି ଜାତିର ଟେକ ଏବଂ ସମ୍ମାନ ଫେରାଇ ଆଣି ନ ଥିଲେ, ଦକ୍ଷିଣାପଥାଗତ ସାତକଣ୍ଠି, ତଥା ମୂଷିକରାଜ ଓ ପାଣ୍ଡପତି ଏବଂ ସାତବାହାନଙ୍କ ସଙ୍ଗେ ସଙ୍ଗେ ଶାକଳର ଯବନାଧୂପତି, ମେନେନ୍ଦ୍ର ବା ମିନିନ୍ଦ୍ର ମଧ୍ୟଭାରତର ଚେଦିରାଜ, ରାଷ୍ଟ୍ରକ ବା ମହାରାଷ୍ଟ୍ର, ଭୋଜକ ବା ବେରାର ତଥା ଉତ୍ତର-ଭାରତର ପଞ୍ଜାବ ଓ ସୀମାନ୍ତ ପ୍ରଦେଶ ମଧ୍ୟ ଅଧିକାର କରିଥିଲେ। ଏହିପରି ସମଗ୍ର ଭାବରେ ଭାରତର ବହୁଳାଶକୁ ଏକଶାସନାଧୀନ କରି ସେ ଭାରତର ଶତ୍ରୁ ଗ୍ରୀକମାନଙ୍କୁ ମଧ୍ୟ ଉତ୍ତର-ପଶ୍ଚିମ ସୀମାନ୍ତର ଅପରପାର୍ଶ୍ଵରେ ପରାଭୂତ କରିଥିଲେ। ଅଧୁନା ଆଫ୍ଗାନ୍ ଏବଂ ପାରସ୍ୟର ଅଂଶବିଶେଷ ସେତେବେଳେ ବକ୍ରିୟା ନାମରେ ଅଭିହିତ ଥିଲା ଏବଂ ତାହାର ଗ୍ରୀକ୍ଶାସକ ଦତ୍ତମ ପରିଶେଷରେ ଖାରବେଳଙ୍କର ଶରଣାପନ୍ନ ହେଲେ।
ଏହି ଅଦ୍ଭୁତ ବିଜୟ ଖାରବେଳଙ୍କ ରାଜ୍ୟାଭିଷେକର ମାତ୍ର ୧୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣରୂପେ ସମ୍ପନ୍ନ ହୋଇଥିଲା। ମାତ୍ର ଏ ଅଭୂତପୂର୍ବ ବିଜୟ ଗୌରବ, କିମ୍ବା ରାଜଚକ୍ରୀପଦ ଖାରବେଳଙ୍କୁ ମୋହଗ୍ରସ୍ତ କରିନାହିଁ। ସେ ପ୍ରତ୍ୟେକ ବିଜିତ ରାଜ୍ୟର ପ୍ରତ୍ୟେକ ଶାସନସଭାକୁ ତେଣୁ ସ୍ଵୀକାର କରିଥିଲେ। ସମଗ୍ର ସାମ୍ରାଜ୍ୟର କୌଣସି ଅଂଶ ବା ପ୍ରାନ୍ତର ସ୍ଵାଧୀନତା ବା ସ୍ୱତନ୍ତ୍ରତାକୁ ସେ ଖର୍ବ କରି ନ ଥିଲେ। ଉତ୍ତର-ପଶ୍ଚିମରୁ ବୈଦେଶିକ ଶତ୍ରୁମାନଙ୍କ ଆକ୍ରମଣରୁ ସମଗ୍ର ଭାରତଭୂମିକୁ ରକ୍ଷାକରିବାପାଇଁ ସେ ଏକମାତ୍ର ମୈତ୍ରୀ-ପ୍ରୀତିର ବନ୍ଧନରେ ବିଭିନ୍ନ ରାଜ୍ୟଗୁଡିକୁ ଏକତ୍ରୀକରଣଦ୍ୱାରା ବିଶୃଙ୍ଖଳା ଓ ସ୍ୱେଚ୍ଛାଚାରିତାର ଦ୍ଵାର ରୁଦ୍ଧ କରି ଏକ ଆଦର୍ଶ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ତେଣୁ ସେ ଭାରତର ଉତ୍ତର ଦିଗ ପ୍ରତି ଦୃଷ୍ଟିକ୍ଷେପ କରିବା ଆବଶ୍ୟକ ମନେକରିନାହାନ୍ତି, କାରଣ ଏକାଙ୍ଗଚକ୍ରବର୍ତ୍ତୀ ହେବାର ହୀନ ଅଭିଳାଷ ତାଙ୍କର ନ ଥିଲା। ବରଂ ତାଙ୍କ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ସମସ୍ତ ରାଜ୍ୟର ଶାସକମାନଙ୍କୁ ସେ ନିଜର ପ୍ରାପ୍ୟ ସମ୍ମାନଠାରୁ ସମଧ୍ୟ ଗୌରବ ପ୍ରଦର୍ଶନ କରୁଥିଲେ; ଏପରିକି କଳିଙ୍ଗର ସମ୍ରାଟ୍ ହେଲେ ମଧ୍ୟ ସେ କଳିଙ୍ଗର ପ୍ରଥମ ରାଜା କେତୁଭଦ୍ରଙ୍କୁ ସମ୍ମାନ ଦେଖାଇବାପାଇଁ ତାଙ୍କର ମୂର୍ତ୍ତି ସ୍ଥାପନ ମଧ୍ୟ କରିଥିଲେ। ଆଜି ଭାରତବର୍ଷର ସମ୍ବିଧାନରେ ରାଷ୍ଟ୍ରକୁ ଧର୍ମ-ନିରପେକ୍ଷ ଆଖ୍ୟା ଦିଆଯାଇଛି। ମାତ୍ର ଦୁଇ ସହସ୍ରାଧିକବର୍ଷ ପୂର୍ବେ ଏହି ଉତ୍କଳର ଜଣେ ରାଜା ତାହାର ପରିକଳ୍ପନା କରିଥିଲେ ଏବଂ ଆବଶ୍ୟକତା ଦୃଷ୍ଟିରୁ କାର୍ଯ୍ୟରେ ପରିଣତ କରିଥିଲେ ମଧ୍ୟ। ଖାରବେଳ ଜୈନ ଥିଲେ ହେଁ ଅଧିକ ସଂଖ୍ୟକ ପ୍ରଜାଙ୍କର ମତାନୁସାରେ ସେ ତାଙ୍କର ଅଭିଷେକ ସ୍ଵଧର୍ମାନୁକୂଳ ବିଧିରେ କରି ନ ଥିଲେ।
ରାଜଚକ୍ରବର୍ତୀ ଖାରବେଳଙ୍କର ସୁଶାସନର କୀର୍ତ୍ତିରାଜି ହୁଏତ କାଳବକ୍ଷରେ ଲୋପହୋଇଗଲାଣି। କୃଷିର ଉନ୍ନତି, ବାଣିଜ୍ୟର ଉନ୍ନତି, ଜଳପଥ ଓ ସ୍ଥଳପଥର ଉନ୍ନତି ଦିଗରେ ସେ ଯାହା ଯାହା କରିଯାଇଥିଲେ, ତାହାର ସାମ୍ୟ ଦେବାକୁ ହୁଏ ତ କେତେକ ଶିଳାଲେଖା ଛଡା ଆଉ କିଛି ନାହିଁ। ଦେଶ ଦେଶେ, ପ୍ରାନ୍ତେ ପ୍ରାନ୍ତେ ଯେଉଁସବୁ ଜନହିତକର କାର୍ଯ୍ୟ ସେ କରିଯାଇଛନ୍ତି, ତାହାର ଚିହ୍ନବର୍ଣ୍ଣ ନଥିଲେ ନଥାଉ, ମାତ୍ର ଏହି ରାଜର୍ଷିଙ୍କର ଜାତୀୟ ଚରିତ୍ର ଗଠନ ଦିଗରେ ଯେଉଁ ଅକ୍ଷୟ ଦାନ, ତାହା ଏ ଭୂମିରେ ମାନବବସତି ଥିବାଯାଏ ଏ ଜାତି ନତଶିରରେ ସ୍ଵୀକାର କରୁଥ୍।
ମାତ୍ର ସପ୍ତତ୍ରିଂଶ ବର୍ଷ ବୟସରେ ସେ ବାନପ୍ରନ୍ଥ ଗ୍ରହଣକରି ଅଧ୍ୟାତ୍ମଚିନ୍ତନର ପଥ ପରିଷ୍କାର କରିବା ସଙ୍ଗେ ସଙ୍ଗେ ଜାତି ଆଗରେ ଏକ ବଳିଷ୍ଠ ଚରିତ୍ରର ମହାଦଶ ସ୍ଥାପନ କରିଥିଲେ। ଉଦୟଗିରି ଓ ଖଣ୍ଡଗିରିର ଜୈନମୂର୍ତ୍ତି, ହାତୀଗୁମ୍ଫା, ଗଣେଶଗୁମ୍ଫା ଆଦି ବହୁ ଗୁମ୍ଫା ତାଙ୍କ ଧର୍ମପ୍ରବୃତ୍ତି ଓ ପ୍ରବର୍ତ୍ତନର ସାକ୍ଷ୍ୟ ଦିଏ।
ସେହି ଦୃଷ୍ଟିରୁ ଖାରବେଳ ସେ ଯୁଗର ଅଗ୍ରଗାମୀ କହିଲେ ଅତ୍ୟୁକ୍ତି ହେବନାହିଁ। ସମ୍ରାଟ୍ ହୋଇ ମଧ୍ୟ କ୍ଷମତାର ମୋହ ତାଙ୍କୁ ସ୍ପର୍ଶ କରି ନ ଥିଲା। ସେ ବକ୍ରିୟାର ଗ୍ରୀକ୍ମାନଙ୍କ ଶତ୍ରୁ ବଜିର ରାଜକନ୍ୟା ଧୃଷିଙ୍କ ପରି ବୀରା, ଦୟାଶୀଳା, ନାନା ଗୁଣାଳଙ୍କୃତା ସୁନ୍ଦରୀ ସ୍ତ୍ରୀ ଲାଭ କରି ମଧ୍ୟ ଆସକ୍ତିହୀନ ବିରକ୍ତ ସନ୍ନ୍ୟାସୀରୂପେ ଜୀବନ ଯାପନ କରୁଥିଲେ।
ସାମ୍ରାଜ୍ଞୀ ଧୃଷି ମଧ୍ୟ ସ୍ଵାମୀସୁହାଗିନୀ, ଉପଯୁକ୍ତ ସ୍ୱାମୀର ଉପଯୁକ୍ତ ସହଧର୍ମିଣୀ ଭାବରେ ସମରାଙ୍ଗନଠାରୁ ଆରମ୍ଭକରି ଗୃହସଂସାର ତଥା ସନ୍ନ୍ୟାସାଶ୍ରମରେ ମଧ୍ୟ ପତିଗତପ୍ରାଣା ହୋଇ ଯେପରି ମହନୀୟ ଚରିତ୍ର ଏ ଦେଶର ମାତା, ବଧୂ ଓ କନ୍ୟାଙ୍କ ନିମନ୍ତେ ଦୃଷ୍ଟାନ୍ତ ସ୍ବରୂପ ରଖାଯାଇଛନ୍ତି, ତାହା ପୁରାଣରେ ବର୍ଣ୍ଣିତ ସତୀ ସୀତା, ସାବିତ୍ରୀଙ୍କ ଉପାଖ୍ୟାନଠାରୁ କୌଣସି ଗୁଣରେ ଲଘୁ ବିବେଚିତ ହୋଇ ନପାରେ। ଉତ୍କଳର ବା କଳିଙ୍ଗର ଅଧୀଶ୍ବର ଭାରତର ରାଜଚକ୍ରବର୍ତ୍ତୀ ସମ୍ରାଟ୍ ଖାରବେଳଙ୍କ ଆତ୍ମଚରିତଠାରୁ ଅଧିକ ସତ୍ୟାନୁମୋଦିତ ବାସ୍ତବଧର୍ମୀ ସୁସଙ୍ଗତ ଜୀବନାଦର୍ଶ ଆଧୁନିକ ଶାସକବର୍ଗଙ୍କ ପକ୍ଷରେ ସହଜ ଅନୁକରଣୀୟ ନୁହେଁ। ତେଣୁ ଖାରବେଳ କେବଳ ଉତ୍କଳ ଇତିହାସରେ ନୁହେଁ – ସମଗ୍ର ଭାରତ ତଥା ପୃଥିବୀ ଇତିହାସର ଆଦର୍ଶ ଶାସକବର୍ଗଗଣନାରେ ଯେ ଏକ ଅଦ୍ବିତୀୟ ପୁରୁଷ – ଏହା ନିଃସନ୍ଦେହରେ କୁହାଯାଇପାରେ।