ଓଡ଼ିଆ ଖଣ୍ଡ

ଅତିବଡି ଜଗନ୍ନାଥ ଦାସ

‘‘ଶ୍ରୀ ବଇକୁଣ୍ଠ ନିତ୍ୟସ୍ଥାନ

ଶ୍ରୀରାଧାକୃଷ୍ଣ ଏକାସନ॥

ରସଆନନ୍ଦେ ସୁଖେ ଥିଲେ

ସ୍ନେହରେ ମୁଖକୁ ଚାହିଁଲେ॥

ଅମୃତ ପ୍ରାୟ ରାଧା ମୁଖ

ଦେଖ୍ ପାଇଲେ କୃଷ୍ଣ ସୁଖ॥

ସେ ହାସ୍ୟ ମଧୁରେ ଅମୃତ

ତହୁଁ ଚୈତନ୍ୟ ହେଲେ ଜାତ॥

ଏକତ୍ଵଭାବେ ଯେଣୁ ଦୁଇ

ରାଧା ହସିଲେ କୃଷ୍ଣ ଚାହିଁ ॥

ସେ ହାସୁ ଜନ୍ମିଲେ ତୁରିତ

ଯେ ଅତିବଡି ଜଗନ୍ନାଥ॥“

(ଜଗନ୍ନାଥ ଚରିତାମୃତ)

ଏହା କେବଳ ଆଖ୍ୟାୟିକା ନୁହେଁ। ବିଗତ ପାଞ୍ଚଶତ ବର୍ଷାଧ୍ଵ କାଳରେ ଏ ଦେଶର ବହୁ ଭାଗ୍ୟବିପର୍ଯ୍ୟୟ ମଧ୍ୟରେ ଏହି ଅର୍ଘ୍ୟମୃତ ଜାତି ମୁଖରେ ଦୁଃଖରେ ଚୈତନ୍ୟ, ପତନରେ, ପରାଜୟରେ ଯଦି କେହି ଆନନ୍ଦର ଉତ୍ସ ସଞ୍ଜୀବିତ କରି ରଖୁଥାଏ, ତେବେ ସେ ଏହି ହି ଦୁଇ ମହାପୁରୁଷ ଏକାଧାରରେ – ଏକାଗ୍ରଭାବରେ – ଶ୍ରୀକୃଷ୍ଣଚୈତନ୍ୟ ଓ ଅତିବଡି ଜଗନ୍ନାଥ ଦାସ।

ଶ୍ରୀକୃଷ୍ଣଚୈତନ୍ୟ ଓ ଅତିବଡି କେବଳ ଆଖ୍ୟାୟିକା ସୂତ୍ରରେ ଏକ ନୁହଁନ୍ତି। ବାସ୍ତବ କ୍ଷେତ୍ରରେ ମଧ୍ୟ ଏ ଦୁହେଁ ଜଗନ୍ନାଥପୀଠର ମାହାତ୍ମ୍ୟକୁ ଜଗତ୍ ସମକ୍ଷରେ ଯେପରି ପ୍ରତିଷ୍ଠିତ କରିଯାଇଛନ୍ତି ଅନ୍ୟ କୌଣସି ଯୋଗଜନ୍ମାଦ୍ଵାରା ତାହା କେବେହେଲେ ସମ୍ଭବ ହୋଇ ନାହଁ।

ପୁରାଣ ପାରାୟଣ କାଳରେ ଅଶ୍ରୁସିକ୍ତ ଭାବଗଦ୍‌ଗଦ ଜଗନ୍ନାଥଙ୍କୁ ଦର୍ଶନମାତ୍ରେ ଶ୍ରୀଚୈତନ୍ୟ ଯେ ଜଗନ୍ନାଥଙ୍କ ସହ ଅପୂର୍ବ ମିଳନଛନ୍ଦରେ ତିନି ଦିନ ତିନି ରାତ୍ରି ଚୈତନ୍ୟଶୂନ୍ୟ ହୋଇ ରହିଗଲେ, ଏଥ‌ିପାଇଁ ନୁହେଁ – ବିପ୍ର ଜଗନ୍ନାଥ ଶ୍ରୀଚୈତନ୍ୟଙ୍କ ସେବାରେ ନିଜକୁ ନିୟୋଜିତ କରି ଆନନ୍ଦାତିଶଯ୍ୟରେ ଆତ୍ମହରା ହେଉଥିଲେ, ଏଥ‌ିପାଇଁ ନୁହେଁ – ଶ୍ରୀଚୈତନ୍ୟ ବିପ୍ର ଜଗନ୍ନାଥଙ୍କର ପ୍ରେମଭକ୍ତିରେ ମୁଗ୍‌ଧ ହୋଇ ତାଙ୍କୁ ଜଗନ୍ନାଥଙ୍କ ସଙ୍ଗୀ ଏବଂ ନିଜ ଅଙ୍ଗର ଅଂଶ ବୋଲି କହିବା ସଙ୍ଗେ ସଙ୍ଗେ ‘ଅତିବଡି’ ଉପାଧ୍ଧରେ ଭୂଷିତ କରିଥିଲେ, ଏଥିପାଇଁ ନୁହେଁ – ଗୌଡଦେଶୀୟ ଗୌର ଭକ୍ତବୃନ୍ଦ ଅବହେଳିତ ମନେକରି ଶ୍ରୀକ୍ଷେତ୍ର ତ୍ୟାଗକରିବାରୁ ଅତିବଡିଙ୍କ ସହ ଶ୍ରୀଚୈତନ୍ୟ ଯାଜପୁର ପର୍ଯ୍ୟନ୍ତ ଯାଇ ସେମାନଙ୍କ ସତ୍‌କାର କରିଥିବା କାରଣରୁ ମଧ୍ୟ ନୁହେଁ – ଅତିବଡି ଜଗନ୍ନାଥ ଏବଂ ଶ୍ରୀକୃଷ୍ଣଚୈତନ୍ୟଙ୍କର ଅଭେଦତ୍ଵ ସାଧ୍ୟ-ସାଧନ—ସେବ୍ୟ-ସେବକ ବିଧୂରେ ପ୍ରତିପାଦିତ।

ଯେଉଁମାନେ ବୈଷ୍ଣବ ଧର୍ମକୁ ଓଡିଆ ଗୌଡ଼ୀୟ ଭେଦରେ ଦୁଇ ବିଭିନ୍ନ ଶାଖା ବୋଲି ଉଚ୍ଚବାଚ ପ୍ରୟୋଗ କରନ୍ତି, ସେମାନେ ଭୁଲିଯାନ୍ତି ଯେ ପ୍ରେମଭକ୍ତି ସାଧ୍ୟ ଏବଂ ଜ୍ଞାନ କେବଳ ସାଧନ – ପ୍ରେମଭକ୍ତି ଉପେୟ, ଜ୍ଞାନ ଉପାୟ ମାତ୍ର। ତେଣୁ ଶ୍ରୀମଦ୍‌ଭାଗବତରେ ଅତିବଡି ନିଜେ ଲେଖାଯାଇଛନ୍ତି –

“ମୁଁ ଯାକୁ ହୁଅଇ ମଦୟ। ଜ୍ଞାନ ତା ହୃଦୟେ ଉଦୟ।’’

ବସ୍ତୁତଃ ଗୌଡୀୟ ବୈଷ୍ଣବ ଧର୍ମ ଏବଂ ଓଡିଆ ’ବୈଷ୍ଣବ ଧର୍ମରେ କୌଣସି ପାର୍ଥକ୍ୟ ଯଦି କେହି କେବେ ଦର୍ଶାଇଥାଏ ତେବେ ସେ ଏହି ଜ୍ଞାନମିଶ୍ରା ଓ ଶୁଦ୍ଧାଭକ୍ତିର ଭେଦ ବୁଦ୍ଧିରେ ହିଁ କରିଛି। ଏହାକୁ ସ୍ବୀକାର କଲେ ମଧ୍ୟ ଯେ କୌଣସି ନିରପେକ୍ଷ ଇତିହାସକାର ନିଶ୍ଚୟ ସ୍ଵୀକାର କରିବ ଯେ ତଥାକଥ୍ତ ଜ୍ଞାନମିଶ୍ରା ଭକ୍ତର ସ୍ରଷ୍ଟା ଯଦି ବିପ୍ର ଜଗନ୍ନାଥ ହୁଅନ୍ତି, ତେବେ ତଥାକଥ୍‌ ଶୁଦ୍ଧାଭକ୍ତିର ଉଦ୍‌ଗାତା ଅନ୍ୟ ଜଣେ ଓଡିଆ ରାୟ ରାମାନନ୍ଦ। ‘ଶ୍ରୀଚୈତନ୍ୟଚରିତାମୃତରେ’ ଭକ୍ତିତତ୍ତ୍ଵସାର ବ୍ୟାଖ୍ୟାନ କରିଛନ୍ତି ନିଜେ ରାୟ ରାମାନନ୍ଦ ମହାପ୍ରଭୁ ଚୈତନ୍ୟଚନ୍ଦ୍ରଙ୍କ ପ୍ରଶ୍ନର ଉତ୍ତରସୂତ୍ରରେ।

ନବଧା ଭକ୍ତିର ଶ୍ରେଷ୍ଠ ଅଂଶ …. ଗୁଣକୀର୍ତନର ପରାକାଷ୍ଠା ଉଭୟେ ଚୈତନ୍ୟ ଓ ଜଗନ୍ନାଥ ଦାସ ଦେଖାଇଯାଇଛନ୍ତି – ଦୈନନ୍ଦିନ ଆଚରଣରେ। ମାତା ପଦ୍ମାବତୀଙ୍କର ସଂସ୍କୃତରେ ପ୍ରବେଶ ଅକ୍ଷମତା ହେତୁ ଭାଗବତ ଶ୍ରବଣର ପିପାସା ପରିତୃପ୍ତି ମାନସରେ ସୁଯୋଗ୍ୟସୁତ ବିପ୍ର ଜଗନ୍ନାଥ ଭାଷା ପ୍ରାକୃତରେ ଯେଉଁ ସୁଲଳିତ ପଦ୍ୟାବଳି ରଚନା କରିଗଲେ ତାହା ବାସ୍ତବରେ ସମଗ୍ର ଜାତି ଉଦ୍ଦେଶ୍ୟରେ ଉତ୍କୃଷ୍ଟ। ଚୈତନ୍ୟଙ୍କ ପ୍ରଚାରିତ ଉଚ୍ଚସ୍ଵରରେ ନାମ ସଂକୀର୍ତ୍ତନ ଏବଂ ବିପ୍ର ଜଗନ୍ନାଥଙ୍କର ଶ୍ରୀମଦ୍‌ଭାଗବତ ଓଡିଆ ଜୀବନର କେବଳ ଆଧ୍ୟାତ୍ମିକ ଦିଗ ନୁହେଁ, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସକଳ କ୍ଷେତ୍ରରେ, ସକଳ କର୍ମରେ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଏବେ ମଧ୍ୟ ରହିଛି।

ଭାଦ୍ରମାସ ଶୁକ୍ଳପକ୍ଷ ରାଧାଷ୍ଟମୀ। ଉତ୍କଳର ଗୋଟିଏ ବ୍ରାହ୍ମଣ ଶାସନରେ ପିତା ପୁରାଣପଣ୍ଡା ଭଗବାନ ଦାସଙ୍କର ସ୍ଵପତ୍ନୀଙ୍କର ସମ୍ଭବତଃ ପ୍ରଥମ ଗର୍ଭରେ ‘ସର୍ବ ଶରୀର ମଧ୍ୟ ସାର, ଦୁର୍ଲଭ ନରକଳେବର’ ଧରି ଜାତ ନବକୁମାର ହିଁ ଉତ୍କଳର ବ୍ୟାସ ଭାଗବତକାର ଅତିବଡି ଶ୍ରୀଜଗନ୍ନାଥ ଦାସ – ବାଲ୍ୟକାଳରୁ ବେଦଉପନିଷଦାଦି ନାନାଶାସ୍ତ୍ରରେ ପାରଙ୍ଗମ ହୋଇ ‘ଲୀଳାବିଧୃତ କଳେବର, ଦେବମାନବେ ଅଗୋଚର’, ନୀଳାଚଳବିହାରୀଙ୍କ ଆରାଧନାରେ ନିଜକୁ ନିୟୋଜିତ କରି ସଂସାର-ପ୍ରପଞ୍ଚରୁ ନିଜକୁ ସ୍ବତନ୍ତ୍ର ରଖ୍ ‘ଆତ୍ମାକୁଶଳେ ସର୍ବ ସିଦ୍ଧି’ ଲାଭକରିଥିଲେ।

ଏହି ଜଗନ୍ନାଥ ଦାସ ମୁକ୍ତିମଣ୍ଡପ ଓ ଷୋଳଶାସନର ବ୍ରାହ୍ମଣଙ୍କଦ୍ବାରା ଯେପରି ସମ୍ମାନିତ ହୋଇଥିଲେ, ରାଜା ପ୍ରତାପରୁଦ୍ରଙ୍କଦ୍ବାରା ତତୋଽଧକ। ପରିଶେଷରେ ମହାରାଣୀଙ୍କର ଦୀକ୍ଷାଗୁରୁ ମଧ୍ଯ ଅତିବଡି ଜଗନ୍ନାଥ ହିଁ ହୋଇଥିଲେ। ରାଜା ମହାରାଣୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ପୁର ମଧ୍ୟରେ ବିପ୍ର ଜଗନ୍ନାଥଙ୍କ ବାସସ୍ଥାନ ନିର୍ଦ୍ଦେଶ କରିଥିଲେ। ଅଳ୍ପ କେତେଦିନ ମାତ୍ର ଆଧୁନିକ ନାମକରଣାନୁସାରେ ଏହି ଓଡିଆ ମଠରେ ବାସକରି ନିର୍ଜନ ଭଜନ ନିମନ୍ତେ – ଅଶେଷ ସୁଖାଳୟ ସୀମା ମହିମାମୟ ଆଶ୍ରମ ସାତଲହଡୀ ମଠ ନାମରେ ଖ୍ୟାତ ଭଜନ କୁଟୀରେ ବାସ କରିବାକୁ ଲାଗିଲେ।

ଗୋସ୍ଵାମୀ ଶ୍ରୀଚୈତନ୍ୟଙ୍କ ପରି ନିଜକୁ ଗୋପୀ ଭାବରେ ଭାବାନ୍ଵିତ କରି ଶ୍ରୀକୃଷ୍ଣ ସେବା କରୁଥିବାରୁ ତାଙ୍କର ଦୁଇଜଣ ଅଲୌକିକ ପରିଚାରିକା ଥିଲେ ବୋଲି ପ୍ରବାଦ ଅଛି। ଏଥ‌ିପାଇଁ ରାଜା ପ୍ରତାପରୁଦ୍ର ଦାସଙ୍କୁ ପରୀକ୍ଷା ମଧ୍ୟ କରିଥିଲେ। ପରିଶେଷରେ ପ୍ରମାଣିତ ହେଲା ଯେ ପରିଚାରିକାଦ୍ଵୟ ସାମାନ୍ୟ ନାରୀ ନୁହନ୍ତି – ସେମାନେ ଚିନ୍ମୟ ଶରୀରଧାରିଣୀ ଶ୍ରୀରାଧାଙ୍କର ପ୍ରିୟ ନର୍ମ ସଖୀ। ତେଣୁ ଭଗବାନଙ୍କ ମତରେ ଶ୍ରୀଚୈତନ୍ୟ ଶ୍ରୀକୃଷ୍ଣାବତାର ଏବଂ ବିପ୍ର ଜଗନ୍ନାଥ ଶ୍ରୀକୃଷ୍ଣଙ୍କର ହ୍ଲାଦିନୀ ଶକ୍ତି – ସାକ୍ଷାତ୍ ଶ୍ରୀରାଧା।

ଅତି ଅଦ୍ଭୁତ କଥା ଯେ, ଉଭୟେ ଶୂଦ୍ରମୁନି ସାରଳାଦାସ ଏବଂ ବିପ୍ର ଜଗନ୍ନାଥ ଦାସ ପୃଥ‌ିବୀରୁ ମହାପ୍ରୟାଣ କରିବା ନିମନ୍ତେ ଗୋଟିଏ ଯୋଗତିଥ୍ ବାଛି ନେଇଥିଲେ।

ତତୋଽଧ‌ିକ ବିସ୍ମୟକର ବିଷୟ – ବିପ୍ର ଜଗନ୍ନାଥଙ୍କର ତିରୋଭାବ ସଂବନ୍ଧରେ ଲୋକଶ୍ରୁତି ଅବିକଳ ଚୈତନ୍ୟଦେବଙ୍କ ତିରୋଭାବ ଆଖ୍ୟାୟିକାର ଅନୁରୂପ।

ସାରଳାଦାସଙ୍କ ଦାଣ୍ଡୀ ମହାଭାରତଠାରୁ ବିପ୍ର ଜଗନ୍ନାଥଙ୍କ ଶ୍ରୀମତ୍ ଭାଗବତ ଅଧ୍ଵ ସୁଲଳିତ – ଛନ୍ଦୋବଦ୍ଧ – ସୁଶୃଙ୍ଖଳ ଏବଂ ଏଥ‌ିରେ ମୂଳଗ୍ରନ୍ଥଠାରୁ ବିଚ୍ୟୁତି ନଗଣ୍ୟ।

ଏହି ଦୁଇ ମହାପୁରୁଷ ଓଡିଆ ସାହିତ୍ୟର ପ୍ରାଣଦାତା କହିଲେ ଅତ୍ୟୁକ୍ତି ହେବ ନାହିଁ, ସାମାନ୍ୟ ମାତ୍ରାରେ ମଧ୍ଯ। ଅତିବଡିଙ୍କର ଆବିର୍ଭାବ ୧୪୯୦ ଏବଂ ତିରୋଭାବ ୧୫୫୦ ଖ୍ରୀଷ୍ଟାବ୍ଦ ବୋଲି ଅନୁମିତ।

Leave a Comment

You cannot copy content of this page