ଓଃ, କି ବର୍ଷା!
କୋହଲା ପାଗ,
କାଲି ରାତିରୁ ଛେଚୁଛି ଅନବରତ।
ଦନେଇ ବୁଢ଼ା ଚିରା ଫଟା ପଲିଥିନ୍
ଘର ମଥାନରୁ ଉଡ଼ି ଯାଇ
ମୀନା ନାନୀ ଚାଳରେ ଲାଗିଛି,
ଝର୍କା ଆରପଟେ ଟୁପୁରୁ ଟୁପୁରୁ
ଲୋରି ଗାଉଛି ବର୍ଷାରାଣୀ।।
ଆକାଶର ଅଗଣାରେ କଳାମେଘି
ମହ୍ଲାର ଗାଉଛି ବର୍ଷା –
ଝଡି ପବନରେ ବାସି ପଖାଳର
ବାସ୍ନା ଖୋଜୁଛି
ବାର ଓଳି ତେର ପିଣ୍ଡା ହେଉଥିବା
କାଳିଆ କୁକୁର –
କେତେ ହିନ୍ ହିନ୍ ଛିନ୍ ଛିନ୍…
ଛି, କି ନିଛୁଣା ଜୀବନ ଇୟେ??
ବାଡିଘର, ଲୁଗାପଟା ସବୁ ଓଦା ଓଦା
ଓଃ, କି ବର୍ଷା!
ଘରେ ପାଣି ପସିଲାଣି ସ୍ମାର୍ଟ ସିଟିରେ
ରାଜପଥ ଉପରେ ପାଣି, ବିପଦରେ
ବିପନ୍ନ ଜୀବନ –
ଲୋନ୍ କରି ବିପିନ୍ ସାରେ କିଣିଥିବା
ପ୍ଲଟ୍ ଆଉ ଆମ ଗାଁ ଧୀର ମଉସା
ବନେଇ ଥିବା ଡୁପ୍ଲେକ୍ସ ଫ୍ଲାଟ୍
ସବୁ ଉବୁଟୁବୁ!
କିଛି କହିଲେଣି-
“ଆମ ଗାଁ ବରଂ ଭଲ ଥିଲା”
ଏସନର ବର୍ଷା ସତରେ
ସବୁ ରେକର୍ଡ ଭାଙ୍ଗିଦେଲା ।।
ପାଣି ସୁଅରେ ଆଭିଜାତ୍ୟର ଅହଂ
ଭାସି ଯାଉଛି, କାର୍ ସ୍କୁଟର୍ ହେଇ
ଧସି ଯାଉଛି ପୋଲ,
କୂଳ ଖାଉଛି ନଈ,
ବନ୍ଧବାଡ଼, ଚାଷ ବିଲ
ସବୁ ଜଳାଣ୍ଣ୍ରବ, ବେହାଲ୍ ଜୀବନ!!
ଓଃ, କି ବର୍ଷା!
ରାସ୍ତାଘାଟ ପାଣି ପାଣି,
କୁନି ପୁଅର କାନ୍ଦ, ଗାଈର ହମାରଢ଼ି
ବର୍ଷା ଭିଜା ଥୁରୁ ଥୁରୁ କୁଆର କା କା
ସବୁ ଯେମିତି ବିକଳେଇ ମାଗୁଛନ୍ତି
“ମା’ କ’ଣ ଦି’ଟା ଖାଇବାକୁ ଦେ”
ଦମ୍ଭର ଛପର ଉଡ଼ି ଗଲାଣି,
ଉଠାଣିଆ ବର୍ଷା, ଲଘୁଚାପ ବର୍ଷା,
ଅବିଶ୍ରାନ୍ତ ବର୍ଷାରେ ଅସ୍ତବ୍ୟସ୍ତ
ଅହିୟାସି ଔଦ୍ଧତ୍ୟ,
କଲ୍ ବଲ୍ କାଦୁଆ ଜୀବନକୁ
ଆଉ କେତେ କଷ୍ଟ ଦେବୁରେ
ଦଗାଦିଆ ବର୍ଷା?
ଏବେ ହେଲେ ଟିକେ ଥମିଯା !!
*
(ପ୍ରଦୀପ୍ତ କୁମାର ଦାସମହାପାତ୍ର)