हिंदी खंड ଓଡ଼ିଆ ଖଣ୍ଡ

ଗଛ

ମାଟିର ପିଠିରେ ଚାବୁକ୍ ମାରୁଛି ଖରା

ନିର୍ଵାକ୍ ଆକାଶକୁ ଵିକଳେଇ ଚାହିଁଛି-

ମୁଁ ଗଛ,

ଯନ୍ତ୍ରଣାର ଜତୁଗୃହରେ

ଜିଅନ୍ତା ଜଳୁଛି ମୁଁ ଅହରହ ।।

ଜାବୁଡ଼ି ଧରିଛି ଧରା

ଧୃତିର ଧାରକ ହୋଇ

କାଳରୁ କାଳାନ୍ତର ଯାଏ,

ବଞ୍ଚିବା ଓ ବଢିବାର କ୍ଷୁଧାରେ

ବ୍ୟତିକ୍ରମ୍ୟ ଜୀବନ ଜୀଉଁଛି ମୁଁ –

ଅସହାୟ ଅସ୍ମିତାର

ଜ୍ୱାଳାମୟ ଜୀର୍ଣ୍ଣ କଵରୀରେ ।।

କେଵେ ଧୁ ଧୁ ନିଦାଘର ତତଲା ତୃଷ୍ଣାରେ ଛଟ୍ ପଟ୍ ତ

କେତେବେଳେ ଶୀତର ତାତ୍ସଲ୍ଯ,

ବସନ୍ତର ଵେଦନାର୍ତ଼ ଵାସ୍ନାରେ

ମରି ମରି ବଞ୍ଚୁଛି ମୁଁ ଧୂଆଁ-ଧୂଳି

ଧୂସର ସହରେ।।

ଫୁଲର ବଧୁଲି ଓଠେ ଵିଷାକ୍ତ ଚୁମ୍ବନ,

ରଙ୍ଗୀନ୍ ରଙ୍ଗସଭାରେ ଗୃହବନ୍ଦୀ

ମୋ ମୁମୁର୍ଷୁ ଅଙ୍ଗୀକାର

ମୁଁ ସମୟର ସାମବେଦ

ସଙ୍ଗୀତର ନିଛନ୍ଦ ଝଙ୍କାର।।

ନିଃସହାୟ, ନିର୍ଲିପ୍ତ ନୈରାଶ୍ୟ ମୁଁ ନିଃସଙ୍ଗ ନୈସର୍ଗିକତାର

ହୃଦ୍ୟ ହାହାକାର,

ଅଭିଶପ୍ତ ନିଃଶ୍ୱାସର ନିଲଠା ଲାଞ୍ଛନା

କେଵେ ମୁଁ –

ଅବ୍ୟକ୍ତ ଅଭିମାନର

ସବୁଜ ସ୍ୱାକ୍ଷର।।

କାମଧେନୁ କାର୍ପଣ୍ୟରେ

ସରେନାହିଁ ସ୍ୱର୍ଗର ଅମୃତ,

ମରି ମୁଁ ପାରେନା

କେଵେ ଭାଗ୍ୟହୀନ ଭବିଷ୍ୟର

ଭାରାକ୍ରାନ୍ତ ଆତ୍ମଗ୍ଳାନି ନେଇ-

ମୁଁ ତୃପ୍ତିର ତାରୁଣ୍ୟ,

ମୁଁ ଵୁଭୁକ୍ଷୁ ବଦାନ୍ୟ,

ମୋତେ ଟିକେ ଭଲପାଅ

ମୁଁ ଯେ ତୁମ ନିହାତି ଏକାନ୍ତ!!

About the author

Avinash Ranjan Gupta

Leave a Comment

You cannot copy content of this page