ଜନ୍ମ- ୨୬.୧୦.୧୮୮୬
ମୃତ୍ୟୁ- ୨୬.୦୭. ୧୯୫୬
ବକୁଳବନର କୋକିଳ କବି ଭାବରେ ପରିଚିତ ପଣ୍ଡିତ ଗୋଦାବରୀଶ ମିଶ୍ର ୧୮୮୬ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଖୋଦ୍ଧାଜିଲ୍ଲା (ତତ୍କାଳୀନ ପୁରୀଜିଲ୍ଲା) ବାଣପୁର ଅନ୍ତର୍ଗତ ଶ୍ରୀନିବାସପୁର ଶାସନ (ଅଚ୍ୟୁତରାଜପୁର) ର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ଲିଙ୍ଗରାଜ ମିଶ୍ର। ବାଲ୍ୟକାଳରୁ ସମସ୍ତ ପ୍ରତିକୂଳତା ମଧ୍ୟରେ ପାଠ ପଢ଼ି ସେ ରେଭେନ୍ସା କଲେଜରୁ ଦର୍ଶନ ଶାସ୍ତ୍ରରେ ଏମ୍.ଏ, କଲିକତାରୁ ଅର୍ଥଶାସ୍ତ୍ରରେ ଏମ୍.ଏ ପାଶ୍ କରିଥିଲେ। ସରକାରୀ ଚାକିରିର ମୋହ ତ୍ୟାଗ କରି ସେ ସତ୍ୟବାଦୀର ବନ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗ ଦେଇଥିଲେ। ଶିକ୍ଷକତା ପରେ ପରବର୍ତ୍ତୀ କାଳରେ ସେ ରାଜନୀତିରେ ଭାଗ ନେଇଥିଲେ। ଜଣେ ସାରସ୍ଵତ ସାଧକ ଭାବରେ ସେ ଗଳ୍ପ, କବିତା, ନାଟକ, ପ୍ରବନ୍ଧ, ଜୀବନୀ, ଭ୍ରମଣକାହାଣୀ, ଶିଶୁସାହିତ୍ୟ ପ୍ରଭୃତି ରଚନା କରି ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଏହି ମହାପୁରୁଷଙ୍କର ୧୯୫୬ ମସିହା ଜୁଲାଇ ୨୬ ତାରିଖରେ ମୃତ୍ୟୁ ହୋଇଥିଲା।
ଚତୁର୍ଥ ଶ୍ରେଣୀରେ ପ୍ରଚ଼ଳିତ ‘ଟିକିଟିକି’ ପଦ୍ୟ, ୮ମ ଶ୍ରେଣୀରେ ପ୍ରଚ଼ଳିତ ‘ଜାତୀୟ ପତାକା’ ପଦ୍ୟଟି ତାଙ୍କର କବିମାନସର ଏକ ବାସ୍ତବ ପ୍ରତିଫଳନ ଅଟେ। ଏଥି ସହିତ ୯ମ ଶ୍ରେଣୀରେ ପ୍ରଚ଼ଳିତ ଗଦ୍ୟ ‘ବାମନର ହାତ ଓ ଆକାଶଚନ୍ଦ୍ର’ ବିଷୟଟି ତାଙ୍କ ଆତ୍ମଜୀବନୀରୁ ସଂଗୃହୀତ।
ଆତ୍ମଜୀବନୀ– “ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ”। ଏହା ୧୯୫୮ ରେ ପ୍ରକାଶ ପାଇଥିଲା। ୧୯୬୨ ରେ ଏହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା।
ଗୋଦାବରୀଶ ନିଜ ସଂଗ୍ରାମୀ ଜୀବନର (୧୮୮୬-୧୯୩୬) ପ୍ରଥମାର୍ଦ୍ଧର ଚିତ୍ର ୪୫ଟି ପରିଚ୍ଛେଦରେ ରୂପାୟିତ କରିବାକୁ ମନସ୍ଥ କରି ୧୯୫୯ ରେ ଲେଖା ଆରମ୍ଭ କରିଥିଲେ ମାତ୍ର ୧୯୬୫ରେ ତାଙ୍କର ଅକାଳ ବିୟୋଗ ଘଟିଲା। ସେତେବେଳେକୁ ସେ ମାତ୍ର ୩୪ ପରିଚ୍ଛେଦ ଲେଖୁଥିଲେ। ଉକ୍ତ ପୁସ୍ତକରେ ୧୮୮୬ ରୁ ୧୯୩୬ ଯାଏ ତାଙ୍କ କର୍ମମୟ ଜୀବନର ପ୍ରାୟ ୫୦ ବର୍ଷର ଚିତ୍ର ଅଙ୍କିତ ହୋଇଛି। ଦ୍ଵିତୀୟାର୍ଶଟି କେବଳ ପରିକଳ୍ପନା ମଧ୍ୟରେ ରହିଗଲା।
ଲେଖକଙ୍କର ଦୈନ୍ୟ, ଦୁରବସ୍ଥାମୟ ଛାତ୍ରଜୀବନ, ଶିକ୍ଷାକତା, ଦେଶ ଓ ଜାତି ଗଢ଼ିବା ପାଇଁ ସମର୍ପିତ ଜୀବନ, ବିଶିଷ୍ଟ ଜନନାୟକଙ୍କ ସାହଚର୍ଯ୍ୟ ଆଦି ଅସାଧାରଣ ଜୀବନର ମନୋଜ୍ଞ ଅଭିବ୍ୟକ୍ତି ହିଁ ଉକ୍ତ ଗ୍ରନ୍ଥଟିର ଗୌରବ।
‘ବାମନର ହାତ ଓ ଆକାଶର ଚନ୍ଦ୍ର’ ବିଷୟଟି ଗୋଦାବରୀଶଙ୍କର ଆତ୍ମଜୀବନୀର ୧ମ ଭାଗରେ ଥିବା ‘ପଞ୍ଚମ ବିଷୟ’।
୧ମ ଭାଗରେ ୪୫ଟି ବିଷୟରୁ ୩୪ଟି ବିଷୟ ଲେଖା ସରିଛି। ଆଉ ୧୧ଟି ବିଷୟ ଲେଖା ସରିନାହିଁ। ୨ୟଭାଗରେ ୪୦ ଟି ବିଷୟର ସୂଚୀ ରହିଛି। ମାତ୍ର ତାହା ଲେଖା ହୋଇନାହିଁ।