ଭାରତୀୟ ସଂସ୍କୃତିରେ ଏକ ମହତ୍ତ୍ଵପୂର୍ଣ୍ଣ ଯୁଗର ଦୀପସ୍ତମ୍ଭ ପତଞ୍ଜଳି। ଆଜି ଆମ୍ଭେମାନେ ଯେଉଁ ପତଞ୍ଜଳିଙ୍କର ପରିଚୟ ପାଉଁ, ଏ ଧରାଧାମରେ ତାଙ୍କର ଆବିର୍ଭାବ ହେବାର ବହୁ ଶତାବ୍ଦୀ ପୂର୍ବରୁ ସେହି ନାମରେ ଆଉ ଜଣେ ମନୀଷୀ ଜନ୍ମଗ୍ରହଣ କରିଥିଲେ।
ଏ ଅଧ୍ୟାୟର ଉଦ୍ଦେଶ୍ୟ ଯୋଗସୂତ୍ରକାର ପୂର୍ବ ପତଞ୍ଜଳିଙ୍କର ଜୀବନ ଅଧ୍ୟୟନ ନୁହେଁ। ସେ ପତଞ୍ଜଳିଙ୍କର ଚରିତ୍ର ଶ୍ରବଣରେ ଏ ନବତମ ଯୁଗରେ କ୍ଵଚିତ୍ ଭାରତୀୟ ସ୍ପୃହାବାନ୍ ହୋଇଥାଏ। ‘ଅଷ୍ଟାଙ୍ଗଯୋଗ’ ଆଜି ବିସ୍ମୃତିର ଗର୍ଭରେ। ବୌଦ୍ଧଧର୍ମନିର୍ଦ୍ଦିଷ୍ଟ ମଧ୍ୟମ ପନ୍ଥାର ପ୍ରଶ୍ରୟ ପାଇ ଭାରତ କଠୋର ସଂଯମର ରଶ୍ମି ଶିମୂଳ କରିଦେଇଛି। ବୌଦ୍ଧଧର୍ମର ଅଭ୍ୟୁଦୟକାଳ ଅବସାନ ହେବା ସମୟର କଥା। ଚତୁର୍ଦ୍ଦିଗରେ ଅନ୍ଧକାର ଘୋଟିଆସୁଥିଲା। ଧର୍ମର ଗ୍ଳାନିରେ ପତିତ ଭାରତ ପୁଣି ଏକ ନବ ଅଭ୍ୟୁତ୍ଥାନର ସ୍ବାଗତ ନିମନ୍ତେ ଆକାଙ୍କ୍ଷିତ ହୋଇ ରହିଥିଲା।
ଏତିକିବେଳେ ଆସିଲା ତତ୍କାଳୀନ ଭାରତର ଉଷରବକ୍ଷକୁ ପ୍ଲାବିତ କରି ପୁଣି ଏକ ପ୍ରବଳ ବନ୍ୟା। ଭସାଇଦେଲା ସେ ପୁରାତନ ଜୀର୍ଣ୍ଣ ଧ୍ୱଂସାବଶେଷ। ସେହି ନବତନ ବୃଷ୍ଟିଜନିତ ଅଙ୍କୁରୋଦ୍ମକାଳରେ ଯିଏ ଏହି ଭାରତବର୍ଷର ଶିରୋପରି ଛତ୍ରଚ୍ଛାୟା ବିସ୍ତାର କରିଥିଲେ, ସିଏ ଆଉ ଏକ ପ୍ରଖ୍ୟାତ ମନୀଷୀ ମହାଭାଷ୍ୟକାର ପତଞ୍ଜଳି – ସେ ଅଷ୍ଟାଙ୍ଗଯୋଗୀ ପତଞ୍ଜଳି ନୁହନ୍ତି।
ମଗଧରେ ପୁଷ୍ପମିତ୍ର ଶୁଙ୍ଗଙ୍କର ରାଜତ୍ଵକାଳ। ଖ୍ରୀ:ପୂ: ଅର୍ଦ୍ଧଶତ ଶତାବ୍ଦୀର ଆଖ୍ୟାୟିକା ଭାରତର ଆକାଶ ପୁନର୍ବାର ବୈଦିକ ମନ୍ତ୍ରର ପ୍ରାଣସ୍ପର୍ଶୀ ଝଙ୍କାରରେ ମନ୍ତ୍ରିତ ହୋଇଉଠିଲା। ପାଟଳିପୁତ୍ରରେ ଶୁଙ୍ଗବଂଶଜ ପୁଷ୍ପମିତ୍ର ମୌର୍ଯ୍ୟଙ୍କର ଶେଷ ବଂଶଧର ବୃହଦ୍ରଥଙ୍କୁ ହତ୍ୟାକରି ନୂଆ ରାଜତନ୍ତ୍ର ଶାସନ ପ୍ରତିଷ୍ଠା କରିବା ପରେ ଅଶ୍ଵମେଧ ଯଜ୍ଞ ଆରମ୍ଭକଲେ। ସେହି ଯଜ୍ଞର ଋତ୍ତିକମାନଙ୍କ ମଧ୍ୟରେ କିଏ ଏହି ମେଧାବୀ, ତେଜସ୍ବୀ ପୁରୁଷ, ଯାହାଙ୍କ ବିଚକ୍ଷଣ ଧୀମତ୍ତାର ପରିଚୟ ପାଇବାପାଇଁ ସମଗ୍ର ଭାରତ ସତେ ଯେପରି ଉତ୍କଣ୍ଠ ଉଦ୍ଗ୍ରୀବ ହୋଇ ଚାହିଁରହିଛି ? ବିଦିଶାନିକଟସ୍ଥ ଗୋନଦ-ଅସ୍ଵାସୀ ଗୋଡିକାଙ୍କ ପୁତ୍ର ବା ଗୋନଦୀୟ ଗୋଣିକାପୁତ୍ର ପତଞ୍ଜଳି କ୍ରମେ ଭାରତର ଗୁଣିଗଣଗଣନାରମ୍ଭରେ ଶୀର୍ଷ ସ୍ଥାନ ଅଧିକାରକଲେ।
ପୁଷ୍ପମିତ୍ରଙ୍କର ରାଜତ୍ଵ ଭାଙ୍ଗିପଡିଲା। କଳିଙ୍ଗଚକ୍ରବର୍ତ୍ତୀ ଖାରବେଳ ପୁଷ୍ପମିତ୍ରଙ୍କର ସମସ୍ତ ମଗଧ ରାଜ୍ୟ ଅଧିର କଲେ। କିନ୍ତୁ ମଗଧପତିଙ୍କ ଯଜ୍ଞପୁରୋଧା ପତଞ୍ଜଳିଙ୍କର ସ୍ପର୍ଷିତ ମସ୍ତିଷ୍କ କେବେହେଲେ କେଉଁ ଶକ୍ତିଶାଳୀ ବାହୁବଳର ପତାକାତଳେ ଅବନତ ହୋଇନାହିଁ। ମହାଭାଷ୍ୟକାର ପତଞ୍ଜଳିଙ୍କ ଶିର ମଗଧର ପତନକାଳରେ ଯେପରି, ଉଦ୍ଧତ ହୋଇ ରହିଥିଲା, ଆଜି ବହୁ ଶତାବ୍ଦୀ
ଅତୀତ-ଗର୍ଭରେ ବିଲୀନ ହେଲେ ମଧ୍ୟ ତାହା ପୂର୍ବ ପରି ଉନ୍ନତ ରହିଅଛି। ପତଞ୍ଜଳିଙ୍କ ପରିଚୟ ତାଙ୍କର ପିତୃପିତାମହ କିମ୍ବା ତାଙ୍କର ବାସସ୍ଥଳୀ ଆବିଷ୍କାରକୁ ଅପେକ୍ଷା କରେ ନାହିଁ; ତେଣୁ ପତଞ୍ଜଳିଙ୍କର ମହାଭାଷ୍ୟରୁ ଗୋନଦୀୟ ଓ ଗୋଣିକାପୁତ୍ର ଏହି ଦୁଇଟି ଶବ୍ଦକୁ ଘେନି ପତଞ୍ଜଳିଙ୍କ ଜୀବନ ଉପରେ ଯେଉଁ ସାମାନ୍ୟ ଆଲୋକପାତ କରାଯାଏ, ତାହା ସର୍ବମାନ୍ୟ ନ ହେଲେ ହେଁ ପତଞ୍ଜଳି ଯେ ଏହି ଭାରତର ସନ୍ତାନ ଏବଂ ଏହି ଭାରତବର୍ଷର ହିଁ କୀର୍ତ୍ତିଧ୍ଵଜା ଉଚ୍ଚ ହିମାଳୟଶିଖରରେ ମହାଦିଗବିଜୟୀ ସଦୃଶ ଉତ୍ତୋଳନ କରିଯାଇଛନ୍ତି, ଏ କଥାର ପ୍ରତିବାଦ କେହି କରିପାରିବେ ନାହିଁ।
ପତଞ୍ଜଳିଙ୍କର ‘ମହାଭାଷ୍ୟ’ ଏକ ଅଦ୍ବିତୀୟ ଗ୍ରନ୍ଥ। କେବଳ ଶଙ୍କରକୃତ ବେଦାନ୍ତସୂତ୍ରକୁ ତା’ର ସମସ୍ଥାନ ଦେଲେ ହୁଏତ ଦିଆଯାଇପାରେ। ପତଞ୍ଜଳିଙ୍କର ମହାଭାଷ୍ୟ ପାଣିନିଙ୍କ ଅଷ୍ଟାଧ୍ୟାୟୀର ଏକ ଭାଷ୍ୟରୂପେ ପରିଗଣିତ। ଏଥିରେ ଚାରି ହଜାର ଶ୍ଳୋକ ସନ୍ନିବିଷ୍ଟ ଅଛି। ତନ୍ମଧ୍ୟରୁ କାତ୍ୟାୟନଙ୍କର ‘ବାର୍ଷିକ’କୁ ସମ୍ମୁଖରେ ରଖ୍ ସତରଶହ ତେରଟି ଶ୍ଳୋକ ସଂକଳିତ ହୋଇଛି ଏବଂ ପତଞ୍ଜଳି ‘ଇଷ୍ଟ’ ନାମକ ସ୍ଵକୀୟ ଟିପ୍ପଣୀଦ୍ଵାରା ପାଣିନିଙ୍କ ଅନ୍ୟ ସୂତ୍ରଗୁଡିକର ସ୍ଵାଧୀନ ଆଲୋଚନା କରିଛନ୍ତି। କାତ୍ୟାୟନ, ପାଣିନି ଓ ପତଞ୍ଜଳି ଏହି ତିନି ବିଦ୍ବେତ୍ତା ଭାରତୀୟ ବ୍ୟାକରଣଶାସ୍ତ୍ରର ‘ମୁନିତ୍ରୟ’ ବୋଲି ସୁବିଖ୍ୟାତ। ଏମାନଙ୍କ ମଧ୍ୟରେ ପତଞ୍ଜଳି ହିଁ ଉତ୍ତରକାଳୀନ ସଂସ୍କୃତ ସାହିତ୍ୟର ନିୟାମକ ଥିଲେ। ଫଳତଃ କାଳିଦାସଙ୍କଠାରୁ ଆରମ୍ଭ କରି ଶଙ୍କରଙ୍କ ପର୍ଯ୍ୟନ୍ତ ପତଞ୍ଜଳି ହିଁ ସାହିତ୍ୟ ଆକାଶର ଧ୍ରୁବତାରା।
କେବଳ ‘ଅଣ୍ଟାଧ୍ୟାୟୀ’ ନୁହେଁ, ଭାରତର ତତ୍କାଳୀନ ଇତିହାସ, ଭୂଗୋଳ, ଧର୍ମ, ସମାଜ ଓ ସାହିତ୍ୟର ଦର୍ପଣସ୍ଵରୂପ ଥିଲେ ଏହି ପତଞ୍ଜଳି। ଏତଦ୍ବ୍ୟତୀତ ଏହି ମହାମୁନି ପତଞ୍ଜଳି ହିଁ ‘ସ୍ଫୋଟବାଦ’ ନାମକ ଏକ ନୂତନ ଦର୍ଶନବିଚାର ଭାରତୀୟ ସଂସ୍କୃତିରେ ଅନ୍ତର୍ଭୁକ୍ତ କରିଥିଲେ। ‘ଛୋଟବାଦ’ ଅନୁସାରେ ସ୍ପୋଟ ନାମକ ନିରବୟବ ନିତ୍ୟ ଅକ୍ଷର ବା ଶବ୍ଦବ୍ରହ୍ମ ହିଁ ଜଗତର ଆଦିକାରଣ। କିନ୍ତୁ ଏ ସ୍ଫୋଟବାଦ ଯୋଗୀ ପତଞ୍ଜଳିଙ୍କର ଆବିଷ୍କାର କି ଭାଷ୍ୟକାର ପତଞ୍ଜଳିଙ୍କ ଆବିଷ୍କାର କି ଭାଷ୍ୟକାର ପତଞ୍ଜଳିଙ୍କର ପ୍ରବୁଦ୍ଧ ବିଚାର, ତାହା ଏପର୍ଯ୍ୟନ୍ତ ମୀମାଂସିତ ହୋଇ ନାହିଁ।
ପତଞ୍ଜଳିଙ୍କର ଯୋଗକୁ ‘ସାତବାହନଶୃଙ୍ଗ ଯୁଗ’ ବୋଲି ବୋଲାଯାଇପାରେ। କିମ୍ବା ‘ଅଶ୍ଵମେଧର ପୁନରୁଦ୍ଧାର ଯୁଗ’ ରୂପେ ତାହା ଆଖ୍ୟାତ ହୋଇପାରେ। ମାତ୍ର ଏହା ଯେ ଭାରତର ଏକ ପୁନରୁତ୍ଥାନର ସମୟ, ଏଥିରେ ସନ୍ଦେହ ନାହିଁ।
ଏହି ସମୟରେ ମନୁସ୍ପତି ଓ ଯାଜ୍ଞବଳ୍କ୍ୟସ୍ଥ ତିର ବିଧିବଦ୍ଧ ସଂକଳନ ହୋଇଥିଲା। ରାମାୟଣ ଓ ମହାଭାରତର ଅନ୍ତିମ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଲା। ପତଞ୍ଜଳିଙ୍କ ମହାଭାଷ୍ୟ ସଙ୍ଗେ ସଙ୍ଗେ ଅମରସିଂହଙ୍କୃତ ‘ଅମରକୋଷ’ ମଧ୍ୟ ରଚିତ ହେଲା। ବହୁ ବୌଦ୍ଧ ଓ ଜୈନ ଗ୍ରନ୍ଥ ଏହି କାଳରେ ହିଁ ଗ୍ରସ୍ତୁତ ହୋଇଛି। ଭାସ ଓ ଅଶ୍ୱଘୋଷଙ୍କର କାବ୍ୟ ତଥା ନାଟକ ସଂସ୍କୃତ ସାହିତ୍ୟର କେଳିକୁଞ୍ଜ ନିର୍ମାଣ କରିଥିଲା ଏହି ଯୁଗରେ। ବୈଦିକ, ରସାୟନ, ଗଣିତ, ଜ୍ୟୋତିଷ ଏବଂ ଦର୍ଶନାଦି ବିବିଧ ଆଧାରଭୂତ ଗ୍ରନ୍ଥର ରଚନ, ସଂକଳନ, ସଂସ୍କାର, ପ୍ରତିସଂସ୍କାର ଓ ପୁନରୁଦ୍ଧାର ତଥା ନୂତନ ପ୍ରଯୋଜନାର ମଧ୍ଯ ସୂତ୍ରପାତ ହେଲା ଏହି ସମୟରେ। ବାତ୍ସାୟନଙ୍କର କାମସୂତ୍ର ଓ ଭରତଙ୍କର ନାଟ୍ୟଶାସ୍ତ୍ର ମଧ୍ୟ ଏହି ଯୁଗର ଉପଜ। ଦକ୍ଷିଣରେ ତାମିଲ ସାହିତ୍ୟର ସର୍ବୋତ୍ତମ କୃତି ତିରୁବଲ୍ଲବକୃତ ‘କୁରଳ’ ପ୍ରାୟ ଏହି ଯୁଗରେ ପ୍ରଣୀତ ହୋଇଥିଲା। ଏହି ସମୟରେ ‘ଲେଣ’ ଓ ‘ସେଲପର’ ବୋଲାଉଥିବା ଚୈତ୍ୟଗୁହାର ଖୋଦନ ତଥା ସ୍ତୂପ, ବିହାର, ତୋରଣ, ବେଦିକା, ଧ୍ଵଜ, ଭିତ୍ତିଚକ୍ର ଓ ମୂର୍ତ୍ତି ଆଦିର ନିର୍ମାଣଦ୍ଵାରା କଳାକ୍ଷେତ୍ରରେ ମଧ୍ୟ ଏ ଯୁଗ ଅତୀବ ଆଗୁସାର ହୋଇଥିଲା। ଭାରହୃତ ଓ ସାଞ୍ଚ ତୋରଣ, ଚୂଡା, ବେଦିକା ତଥା ଯୋଗି ମାରା, ସୀତାବେଗା, ଉଦୟଗିରି, ନାସିକ, କାର୍ଲେ ଓ ଅଜନ୍ତାର ପ୍ରାଚୀନତମ ଗୁମ୍ଫା ତଥା ତାହାର ପ୍ରାଚୀରମାନଙ୍କର ଖୋଦିତ ଭିଭିଚିତ୍ର, ବେସନଗର, ହେଲିଉଗର, ଗରୁଡଧ୍ଵଜ ସଦୃଶ ସ୍ମାରକସ୍ତମ୍ଭ, ଜୈନ ଓ ବୌଦ୍ଧ ମୂର୍ତ୍ତି, ଆୟାଗପଟ ଓ ନାଳନ୍ଦାତକ୍ଷଶିଳାଦିର ଧ୍ବଂସାବଶେଷ ଏହି ସଂସ୍କୃତ ଯୁଗର ମୂକସାକ୍ଷିରୂପେ ଅଦ୍ୟାପି ଦଣ୍ଡାୟମାନ।