ଜନ୍ମ : ୨୮.୯.୧୮୪୮,
ମୃତ୍ୟୁ : ୧୭.୪.୧୯୦୮
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ରୂପେ ପରିଚିତ କବିବର ରାଧାନାଥ ରାୟ ବାଲେଶ୍ଵର ଜିଲ୍ଲାର କେଦାରପୁର ଗ୍ରାମରେ ୧୮୪୮ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିତା ସୁନ୍ଦରନାରାୟଣ ରାୟ ଓ ମାତା ତାରିଣୀ ଦେବୀ। ସେ ଏଫ୍.ଏ ପାସ୍ କରି ପ୍ରଥମେ ଶିକ୍ଷକତା ଆରମ୍ଭ କରିଥିଲେ। ଶିକ୍ଷକତାରୁ ପଦୋନ୍ନତି ଲାଭକରି ସ୍କୁଲସମୂହର ପରିଦର୍ଶକ ଭାବରେ ନିଯୁକ୍ତି ପାଇଥିଲେ। ୧୯୦୩ ରେ ସରକାରୀ ଚାକିରିରୁ ଅବସର ନେଲେ। ଅବସର ପରେ ଓଡ଼ିଶାର କେତେକ ଗଡ଼ଜାତ ଭ୍ରମଣ କରି ପ୍ରାକୃତିକ ଦୃଶ୍ୟ ଉପଭୋଗ କରିଥିଲେ। ମାତ୍ର ଅଠର ବର୍ଷ ବୟସରେ ସେ ବଙ୍ଗଳା କବିତା ରଚନା କରିଥିଲେ। ତାହା ‘କବିତାବଳୀ’ ୧ମ ୨ୟ ରେ ପ୍ରକାଶିତ। ଏଥୁ ସହିତ ତାଙ୍କର ‘ଲେଖାବଳୀ’ ମଧ୍ୟ ବଙ୍ଗଳାରେ ରଚିତ। କାଳିଦାସଙ୍କ ମେଘଦୂତ, ତୁଳସୀସ୍ତବକ, ଇତାଲୀୟଯୁବା, ତାଙ୍କର ଅନୁଦିତ କୃତି। କାବ୍ୟକବିତା ମଧ୍ୟରେ ଓଡ଼ିଆ କବିତାବଳୀ, କେଦାରଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ଵରୀ, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଯଯାତି କେଶରୀ, ଦରବାର, ଉର୍ବଶୀ ରଚନା କରିଥିଲେ। ତାଙ୍କ ରଚିତ ‘ବିବେକୀ’ ପ୍ରବନ୍ଧ ଓଡ଼ିଆ ଭାଷାର ପ୍ରଥମ ପ୍ରବନ୍ଧ। ବ୍ୟାକରଣ ପରିଚୟ, ପଣିକିଆବୋଧନୀ ଭଳି ପାଠ୍ୟ ପୁସ୍ତକ ମଧ୍ଯ ସେ ରଚନା କରିଥିଲେ।
୧୮୬୬ ମସିହାରେ ଇଂରେଜ ସରକାର ତାଙ୍କୁ ‘ରାୟବାହାଦୂର’ ଉପାଧ୍ ପ୍ରଦାନ କରିଥିଲେ। ଏହି ମହାନ୍ ସାଧକ ଥିଲେ ଚିର ରୁଗ୍ଣ। ୧୯୦୮ ମସିହା ଏପ୍ରିଲ୍ ୧୭ ତାରିଖରେ ସେ ଆରପାରିକି ଚାଲିଗଲେ।
‘ଚିଲିକା’ କାବ୍ୟଟି ୧୮୯୧ ରେ ପ୍ରକାଶ ପାଏ। ଏହା ଏକ ଖଣ୍ଡକାବ୍ୟ।ପ୍ରକୃତିର ଅପରୂପ ଶୋଭାବର୍ଣ୍ଣନା ଉକ୍ତ ଖଣ୍ଡକାବ୍ୟର ମୁଖ୍ୟଲକ୍ଷ୍ୟ। ଏହା ସହ କବି ଉତ୍କଳର ପ୍ରାଚୀନ କିମ୍ବଦନ୍ତୀ, ଉତ୍କଳ ସାହିତ୍ୟର ଦୁରବସ୍ଥା ଓ ସ୍ଵକୀୟ ଅଭିଜ୍ଞତା ତଥା – ଜୀବନ କଥା ଫେଣ୍ଟାଫେଣ୍ଟି ହୋଇ ଆତ୍ମପ୍ରକାଶ କରିଛନ୍ତି। ଏହି କାବ୍ୟଟି ପ୍ରକୃତି ବର୍ଣ୍ଣନା ସହିତ ଜୀବନଦର୍ଶନରେ ଗତିଶୀଳ ହୋଇପାରିଛି। ଏହି କାବ୍ୟଟି ରାଧାନାଥଙ୍କର ଏକ ପ୍ରକୃତି ସର୍ବସ୍ଵ କାବ୍ୟ। ଏଥରେ କବିଙ୍କର ସୌନ୍ଦର୍ଯ୍ୟପ୍ରାଣତା, ନୂତନସୃଷ୍ଟିର ଆଭିମୁଖ୍ୟ, ଆଧୁନିକ କାବ୍ୟକୁଶଳତା, ପ୍ରକୃତି ସୌନ୍ଦର୍ଯ୍ୟବୋଧ ଏକାଧାରରେ ପ୍ରକାଶିତ। ଚିଲିକା କେବଳ କବି ପ୍ରତିଭାର ଏକ ଅନବଦ୍ୟ ପରିପ୍ରକାଶ ନୁହେଁ, ଏହା ସ୍ରଷ୍ଟା ଜୀବନର କାବ୍ୟକ ପ୍ରତିଲିପି ମଧ। ମୋଟ ଉପରେ କହିବାକୁ ଗଲେ ‘ଚିଲିକା’ କବିଙ୍କର ଅଖଣ୍ଡ ସୌନ୍ଦର୍ଯ୍ୟବୋଧର ଏକ କାବ୍ୟକ ପ୍ରତିଫଳନ ବ୍ୟତୀତ ଆଉ କିଛି ନୁହେଁ। ଇଂରେଜ କବି Scott ଙ୍କ ‘Lady of the Lake’, Byronଙ୍କ ‘Child Harold’ ଓ କାଳିଦାସଙ୍କ ‘ଋତୁସଂହାର’ର ପ୍ରଭାବ ଏଥିରେ ଅନୁଭୂତ ହେଲେ ହେଁ କବିଙ୍କ ମୌଳିକତା କାବ୍ୟର ପ୍ରତି ପଡ୍ରେ ସୁସ୍ପଷ୍ଟ ଭାବରେ ବାରିହୋଇପଡ଼େ।
ଦଶମ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନିତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାଟି ‘ଚିଲିକା’ କାବ୍ୟର “୫୮୩ ପାଦରୁ ୬୩୬ ପାଦ” ଯାଏଁ ବଣ୍ଠିତ ବିଷୟବସ୍ତୁକୁ ନେଇ ଗଠିତ। ଏଥରେ ଚିଲିକାର ବର୍ଣ୍ଣୋତ୍ସବମୟ ସନ୍ଧ୍ୟାର ଦୃଶ୍ୟ ପ୍ରତିଫଳିତ ହୋଇଛି।