ଓଡ଼ିଆ ଖଣ୍ଡ

ରାଜା ରାମଚନ୍ଦ୍ର

ଆଜି ଆଉ ଦେବତା ଭାରତର ଆଦର୍ଶ ନୁହନ୍ତି। ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ବରୁଣ, ମରୁତ ଆଦି ଭାରତୀୟ ସଂସ୍କୃତିରେ ଉଚ୍ଚତମ ସ୍ଥାନ ଅଧିକାର କରି ରହିପାରିନାହାନ୍ତି। ଭାରତବାସୀର ଲକ୍ଷ୍ୟ ଆଜି ଆଉ ସ୍ଵର୍ଗ-ବାସ ନୁହେଁ। ଭାରତୀୟ ଯେପରି ଆଜି ତାର ନିଜର ମାତୃଭୂମିରେ ହିଁ ସ୍ଵର୍ଗାବତରଣ ସମ୍ଭବ କରିପାରିଛି, ସ୍ବର୍ଗର ସନ୍ଧାନ ପାଇପାରିଛି – ମନୁଷ୍ୟ ଭିତରେ ହିଁ ଦେବତାର ଆବିର୍ଭାବ ଦେଖୁଛି। ମହାଭାରତକାର ବ୍ୟାସଦେବଙ୍କୁ ଦିନେ ସ୍ବୀକାର କରିବାକୁ ପଡ଼ିଥିଲା, ‘ଏ ଯୁଗର ଗୁହ୍ୟ ରହସ୍ୟ ଉଦ୍‌ଘାଟନ କରି ମୁଁ କହୁଛି – ମନୁଷ୍ୟଠାରୁ ବଡ ହୋଇ ଆଉ କିଛି ନାହିଁ।’’ ତାହା ଏତେ ଦିନେ ସତ୍ୟ ବୋଲି ପ୍ରମାଣିତ ହୋଇଛି।

ଭାରତରେ ଏହି ଯୁଗାନ୍ତର କିଏ ଆଣିଦେଇଥିଲା ? କେଉଁ ମହାମାନବର ଦିବ୍ୟ ଜ୍ୟୋତିରେ ସ୍ଵର୍ଗର ଦେବତାମାନେ ମଧ୍ୟ ସର୍ବପ୍ରଥମେ ନିଷ୍ପ୍ରଭ ହୋଇପଡିଥିଲେ ? କେଉଁ ବୀରପୁଙ୍ଗବର ବାହୁଛାୟାତଳେ ନିଷ୍ପୀଡିତ ଦେବ, ଋଷି, ବ୍ରାହ୍ମଣ, ସିଦ୍ଧ, ତପସ୍ବୀ ଆଶ୍ରୟ ଗ୍ରହଣକରି ପରିତ୍ରାଣ ଲାଭକରିଥିଲେ ? କାହାର ଆନନ୍ଦମୟ ନାମ ଉଚ୍ଚାରଣରେ ଭାରତର ପୁରପଲ୍ଲୀ ପ୍ରତିଧ୍ଵନିତ ହେଉଥିଲା ? କାହାର ଆଦର୍ଶରେ ଭାରତୀୟ ନରନାରୀ ଅନୁପ୍ରାଣିତ ହୋଇ ଆପଣାର ଜୀବନକୁ ଦୈନନ୍ଦିନ ଜୀବନରେ ମଧ୍ୟ ସମଧ୍ଵ ମହନୀୟ ଓ ମହିମାମୟ କରିପାରିଥିଲେ ?

ସ୍ଵୟଂ ବାଲ୍ମୀକି ମଧ୍ୟ ଦିନେ ଆପେ ଆପଣାକୁ ଏହି ପ୍ରଶ୍ନ ପୁଚ୍ଛା କରିଥିଲେ, ‘ଇହଲୋକରେ ଯଥାର୍ଥରେ ଗୁଣୀ, ବୀର୍ଯ୍ୟବାନ୍, ଧର୍ମଜ୍ଞ, କୃତଜ୍ଞ, ସତ୍ୟବାଦୀ, ଦୃଢବ୍ରତ, ଚରିତ୍ରବାନ୍, ସର୍ବଜନହିତକାରୀ, ବିଦ୍ବାନ୍, ସମର୍ଥ, ସୁନ୍ଦର, ଆତ୍ମବାନ୍, ଅକ୍ରୋଧ, ତେଜସ୍ବୀ ଓ ଅଛିଦ୍ରାନ୍ସେଷୀ କିଏ ବର୍ତ୍ତମାନ ?’’

ସେହି ମହର୍ଷି ବାଲ୍ମୀକି ହିଁ ନିଜ ପ୍ରଶ୍ନର ନିଜେ ଉତ୍ତର ଦେଇ ରାମଙ୍କର ମହତ୍ ଆଦର୍ଶ ଚରିତ୍ର ଜଗତ୍ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି ରାମାୟଣରେ।

ରାମଚନ୍ଦ୍ରଙ୍କ ଆଖ୍ୟାୟିକା ରାମାୟଣର ମାହାତ୍ମ୍ୟ ଆଜି କାହାରିକି ଅଗୋଚର ନାହିଁ। କିନ୍ତୁ ସେ କେବଳ ଏକ ପୁରାଣର କଥା ହୋଇ ରହିଯାଇଛି। ପୁରାଣ-ବର୍ଣ୍ଣିତ

ସମସ୍ତ ବିଷୟ କପୋଳକଳ୍ପିତ ବୋଲି ଆନନ୍ଦ ପ୍ରକାଶ କରିବାର ସୌଖୀନ ସଭ୍ୟତା ଆଜି ବହୁ ଶିକ୍ଷିତ ସଭ୍ୟବ୍ୟକ୍ତିଙ୍କ ମଧ୍ୟରେ ଦେଖାଯାଏ। ସଙ୍ଗେ ସଙ୍ଗେ କେତେକ ଧର୍ମାନ୍ଧ ରାଜା ରାମଚନ୍ଦ୍ରଙ୍କୁ ଦେବତାର ଆସନ ଦେଇ ସୀତା, ଭରତ, ଲକ୍ଷ୍ମଣଙ୍କୁ ଅତିମାନବରୂପରେ ଗଣନାକରି ମନୁଷ୍ୟର ଜୀବନାଦର୍ଶଠାରୁ ବହୁ ଦୂରକୁ ଅପସାରିତ

କରିନେଇଛନ୍ତି।

ସତେ କ’ଣ ଭାରତପୃଷ୍ଠରେ ଦଶରଥ ସଦୃଶ ସତ୍ୟସନ୍ଧ, ପୁତ୍ରସ୍ନେହୀ ପିତା ଜନ୍ମଲାଭ କରିବା ଏବେ ଏକ ଅସମ୍ଭବ କଳ୍ପନା ? ପୁତ୍ରଶୋକରେ ପ୍ରାଣ ତ୍ୟାଗ କରିବା କଅଣ ଭାରତ ଇତିହାସରେ ଗୋଟାଏ ବିକଳ ଓ ବିରଳ ଦୃଷ୍ଟାନ୍ତ ? ରାମଚନ୍ଦ୍ରଙ୍କ ପରି ପିତ୍ରାଜ୍ଞା ପାଳନ କରି ଏ ଦେଶର କୌଣସି ଯୁବକ କଅଣ କେବେହେଲେ ତାର ବିରାଟ ଭବିଷ୍ୟତକୁ, ରାଜତ୍ଵ ଓ ରାଜସିଂହାସନକୁ ଜଳାଞ୍ଜଳି ଦେବା ଏକ ଅବାସ୍ତବ ବର୍ଣ୍ଣନା ? ଅନ୍ୟାୟର ପ୍ରତିରୋଧ କରିବାକୁ ଯାଇ ରାବଣ, ମହିରାବଣ ଆଦି ସମକକ୍ଷ ଦୁର୍ଦାନ୍ତ ଦାନବମାନଙ୍କର ସମ୍ମୁଖୀନ ହେବାର ସତ୍ସାହସ ଆଜି କଅଣ କୌଣସି ଭାରତୀୟ ଯୁବକ ତାର ସ୍ତ୍ରୀତବକ୍ଷରେ ଧାରଣ କରିବା ଏକ ପ୍ରତ୍ୟୟହୀନ ଆଖ୍ୟାୟିକା ? ପ୍ରଜାର ବା ରାଷ୍ଟ୍ରର ସ୍ବାର୍ଥ ଦୃଷ୍ଟିରୁ ଆପଣାର ପ୍ରାଣୋପମା ପତ୍ନୀକୁ ବିସର୍ଜନ ଦେବାର ଧୈର୍ଯ୍ୟ କଅଣ ଏ ଦେଶର ଗୃହସ୍ଥ ହୃଦୟରେ ସ୍ଥାନ ପାଇବା ଏକ ଅଳୀକ ସ୍ଵପ୍ନ ? ଏ ଦେଶରେ କଅଣ ଭରତ, ଲକ୍ଷ୍ମଣ ସଦୃଶ ଅଗ୍ରଜ-ଆଜ୍ଞାବହର ଅଭାବ ସତେ ଉପଲବ୍‌ ହୁଏ ? ଏ ଦେଶରେ କଅଣ ସତୀ ସୀତାଙ୍କ ପରି ସହଧର୍ମିଣୀ, ସହକର୍ମିଣୀ ନାନା ଦୁଃଖ ଯନ୍ତ୍ରଣାର ଅଗ୍ନିପରୀକ୍ଷା ମଧ୍ୟରେ ଶୁଦ୍ଧ ସୁବର୍ଣ୍ଣ ପରି ଜାଜ୍ୱଲ୍ୟମାନ ହେବାର ଦୃଶ୍ୟ କେବଳ ଏକ ରୂପ-କଥା ?

ଆଜି ହୁଏତ ଭାରତବର୍ଷରେ ରାଜା ଓ ରାଜସିଂହାସନର ଗନ୍ଧ ବର୍ଣ୍ଣ ନାହିଁ। ଆଜି ନିଃସନ୍ଦେହରେ ଭାରତ-ଭାଗ୍ୟରେ ଏକ ନୂଆ ପୃଷ୍ଠା ଉନ୍ମୋଚିତ ହୋଇଛି। ରାଜସଂସ୍ଥାର ଏହି ବିଲୋପ କ୍ରମରେ ଭାରତ ହୁଏତ ଏକ ସୁପରୀକ୍ଷିତ ସାମ୍ୟବାଦୀ ରାଷ୍ଟ୍ରରୂପେ ପରିଗଣିତ ହୋଇଯିବ। ଅସମ୍ଭବ ନୁହେଁ ଯେ, ଦିନେ ଭାରତୀୟ ଭାଷାମାନଙ୍କରେ ରାଜା ଶବ୍ଦର ଅର୍ଥାନ୍ତର ପ୍ରକାଶ ପାଇବ। କିନ୍ତୁ ଏ କଥା ସୁନିଶ୍ଚିତ ଯେ, ଦେଶର ଶାସକ ହିଁ ଦେଶର ନିୟନ୍ତା। ସେ ରାଜା ନାମଧାରୀ ହେଉ ଅଥବା ଅନ୍ୟ ଯେକୌଣସି ନାମରେ ଅଭିହିତ ହେଉ; ସେ ଯଦି ଏକ ହସ୍ତରେ ରାଜଦଣ୍ଡ ଧାରଣ କରି ଶାସକ ହେବା ସଙ୍ଗେ ସଙ୍ଗେ ଅନ୍ୟ ହସ୍ତରେ ପ୍ରଜାବତ୍ସଳ ଓ ପ୍ରଜାଭିରାମ ନ ହୁଏ, ପ୍ରଜାଙ୍କ ପାଇଁ ସର୍ବସ୍ଵ ତ୍ୟାଗ କରି ଯଦି ନିଜକୁ ସ୍ଵାର୍ଥ-ମୁକ୍ତ କରି ନ ପାରେ, ତେବେ ଭାରତବର୍ଷରେ ବହୁ ଶତାବ୍ଦୀ ପୂର୍ବର ସୁଖ୍ୟାତ ‘ରାମରାଜ୍ୟ’ ବାସ୍ତବିକ ଏକ ସ୍ଵପ୍ନଚ୍ଛାୟା ହୋଇ ରହିଯିବ ସିନା !

ରାଜା ରାମଚନ୍ଦ୍ର କେବଳ ଜଣେ ଶ୍ରେଷ୍ଠ ଶାସକ ନ ଥିଲେ, ସେ ଜଣେ ଆଦର୍ଶ ପୁରୁଷ ମଧ୍ୟ ଥିଲେ। କଠୋର ମର୍ଯ୍ୟାଦା ପାଳନ କରିଥିବାରୁ ଶ୍ରୀରାମଚନ୍ଦ୍ରଙ୍କୁ ‘ମର୍ଯ୍ୟାଦା ପୁରୁଷୋତ୍ତମ’ ବୋଲି ବର୍ଣ୍ଣନା କରାଯାଇଛି। ଯେତେବେଳେ ଦଶରଥ ରାମଚନ୍ଦ୍ରଙ୍କୁ ଯୁବରାଜ କରିବା ବିଷୟରେ ପ୍ରଜାପ୍ରତିନିଧ‌ିମାନଙ୍କର ମତ ସଂଗ୍ରହ କଲେ, ସେତେବେଳେ ରାମଚନ୍ଦ୍ରଙ୍କ ସମ୍ବନ୍ଧରେ ସେମାନଙ୍କର ମନ୍ତବ୍ୟ ହିଁ ଏହି ବର୍ଣ୍ଣନର ଅଭ୍ରାନ୍ତ ପ୍ରମାଣ। ଏହା ହିଁ ପ୍ରକୃତ ପ୍ରଜାତନ୍ତ୍ରର ବୀଜମନ୍ତ୍ର।

ରାମାୟଣ ଯଦି ବାଳ, ଅଯୋଧ୍ୟା, ଅରଣ୍ୟ, କିସ୍କିନ୍ଧ୍ୟା, ସୁନ୍ଦରା, ଯୁଦ୍ଧ ଓ ଉତ୍ତରା ସପ୍ତ କାଣ୍ଡରେ ବିଭକ୍ତ ନ ହୋଇ ଆହୁରି ସୁବିସ୍ତୃତ ଓ ସଂସ୍କୃତ ରୂପରେ ରହିଥାନ୍ତା, ସର୍ବମୋଟ ଚତୁର୍ବିଂଶତିଶତ ଶ୍ଳୋକ ଅନୁଷ୍ଟୁପ୍ ଛନ୍ଦରେ ଲିଖ୍ ନ ହୋଇ ଯଦି ବିବିଧ ଛନ୍ଦରେ ଓ ରାଗରେ ସୁବିନ୍ୟସ୍ତ ହୋଇଥାନ୍ତା, ତଥାପି ମୂଳ ରାମାୟଣର ମହିମା କ୍ଷୁଣ୍ଣ ହୁଅନ୍ତା ନାହିଁ। ପଣ୍ଡିତମାନେ ଆଜି ରାମାୟଣର ପ୍ରଥମ ଓ ଶେଷ, ବିଶେଷତଃ ଉତ୍ତରାକାଣ୍ଡକୁ ପରବର୍ତ୍ତୀ ଆଲେଖ୍ୟ ବୋଲି କହି ମଧ୍ୟ ମୂଳ ରାମାୟଣର ରଚୟିତାଙ୍କ ଲେଖନୀର ଗୌରବକୁ ହୀନୋଜ୍ଜଳ କରି ପାରି ନାହାନ୍ତି। ରାମାୟଣର ପ୍ରାଚୀନତା ସମ୍ବନ୍ଧରେ ଆଧୁନିକ ଓ ଐତିହାସିକ ଧାରଣା ଭ୍ରାନ୍ତ ହେଉ ବା ଅଭ୍ରାନ୍ତ ହେଉ, ଋକ୍‌ବେଦରେ ବେଣ ଆଦି ରାଜାଙ୍କ ଉପାଖ୍ୟାନ ମଧ୍ୟରେ ‘ରାମନାମ’ର ଉଲ୍ଲେଖ କୁତ୍ରାପି ଦେଖ୍କୁ ନ ମିଳିଲେ ମଧ୍ୟ, ରାମାୟଣ ବାଲ୍ମୀକିଙ୍କଦ୍ବାରା ହିଁ ଗୀତ ଏହି ଅର୍ଥ ରଖ୍ ଋକ୍‌ବେଦୀୟ ଗୋଟିଏ ଶ୍ଳୋକ ଅବିକଳ ବାଲ୍ମୀକି ରାମାୟଣରେ ମିଳିବାର ଉପଲକ୍ଷରେ ରାମାୟଣର ମହତ୍ତ୍ବ ବୃଦ୍ଧି ପାଉ ବା ନପାଉ, ଆଦିକବି ବାଲ୍ମୀକିକୃତ ସେହି ଆଦି ରାମାୟଣ ଓ ରାଜା ରାମଚନ୍ଦ୍ରଙ୍କ ରାମରାଜ୍ୟ, ତତ୍କାଳୀନ ଭାରତୀୟ ସଂସ୍କୃତି, ଭାରତୀୟ ସାହିତ୍ୟ ଏବଂ ସର୍ବୋପରି ଭାରତର ସମାଜ ଓ ଶାସନ ପଦ୍ଧତିର ଆଦର୍ଶ ଅଦ୍ୟାବଧୂ ପୃଥ‌ିବୀର ସର୍ବକ୍ଷେତ୍ରରେ ଅପ୍ରତିଦ୍ବନ୍ଦିତ ହୋଇ ରହିଛି।

About the author

हिंदीभाषा

Leave a Comment

You cannot copy content of this page