ଏ କି ଅଟଳ ପ୍ରତିଜ୍ଞା !
“ଯେତେଦିନ ପର୍ଯ୍ୟନ୍ତ ଚିତୋରର ପୁନରୁଦ୍ଧାର ନ ହୋଇଛି – ଯେତେଦିନ ପର୍ଯ୍ୟନ୍ତ ମାତୃଭୂମିର ଲଲାଟପଟରୁ ପିତୃଦତ୍ତ କଳଙ୍କକାଳିମା ଅପସାରିତ ନ ହୋଇଛି – ସେତେଦିନ ପର୍ଯ୍ୟନ୍ତ ଗୃହ ପ୍ରବେଶ ନିଷିଦ୍ଧ – ତୂଳିତନ୍ତ୍ରରେ ଶୟନ ନିଷିଦ୍ଧ – ସ୍ଵର୍ଣ୍ଣ କିମ୍ବା ରୌପ୍ୟନିର୍ମିତ ପାତ୍ରରେ ଆହାର ମଧ୍ୟ ନିଷିଦ୍ଧ।’’
ଏ କି ଭୀଷ୍ମ-ପ୍ରତିଜ୍ଞା !
ମାତ୍ର ଅକ୍ଷରେ ଅକ୍ଷରେ ଏହି ପ୍ରତିଜ୍ଞା ପାଳନ କରିଥିଲେ ରାଣା ପ୍ରତାପ। ଆକବର ଚିତୋର ଆକ୍ରମଣ କଲାବେଳେ ପିତା ଉଦୟ ସିଂହ, ଜୟମଲ୍ଲ ଏବଂ ପୁତ୍ତାଙ୍କ ହସ୍ତରେ ଦୁର୍ଗରକ୍ଷାର ଭାର ନ୍ୟସ୍ତକରି ଭୀରୁ ଭଳି ପ୍ରାଣଭୟରେ ଆରାବଳିର ପର୍ବତମାଳା ମଧ୍ୟରେ ଆତ୍ମଗୋପନ କରିବାର ଦୁରୂପନେୟ କଳଙ୍କ ପ୍ରତାପଙ୍କ ହୃଦୟରେ ଶୈଳସମ ବିଦ୍ଧ କରିଥିଲା। ପ୍ରତାପଙ୍କ ନିଜ ଭାଷାରେ ବ୍ୟକ୍ତ କରିବାକୁ ଗଲେ ସ୍ପଷ୍ଟ ବୁଝାପଡ଼ିବ ଯେ ଉଦୟ ସିଂହ ଯଦି ମାତୃଗର୍ଭରୁ ଭୂମିଷ୍ଠ ହୋଇ ନ ଥାନ୍ତେ ଅଥବା ସାଙ୍ଗା ଓ ପ୍ରତାପଙ୍କ ମଧ୍ୟରେ ଅନ୍ୟ କୌଣସି ଶାସକ ଯଦି ଇତିହାସର ପଟ୍ଟଭୂମିରେ ନାମାଙ୍କନ କରି ନ ଥାନ୍ତେ, ତେବେ ରାଜସ୍ଥାନ ଉପରେ ତୁର୍କମାନେ ଲୋଲୁପଦୃଷ୍ଟି ନିକ୍ଷେପ କରିବା ପାଇଁ ଅବକାଶ ହିଁ ପାଇନଥାନ୍ତେ।
ଚିତୋର ରକ୍ଷା କରିବାକୁ ଯାଇ ଦୁଇ ବୀର ସେନାପତି ଜୟମଲ୍ଲ ଓ ପୁତ୍ତାଙ୍କର ଅଦୃଷ୍ଟପୂର୍ବ, ଅଲୌକିକ ବୀରତ୍ଵ ପ୍ରଦର୍ଶନ ଓ ରଣାଙ୍ଗନରେ ପ୍ରାଣପାତ କରିବା ସତ୍ତ୍ବେ ଏବଂ ଅନନ୍ତର ଉଦୟ ସିଂହ ଉଦୟପୁର ନାମକ ନବ-ରାଜ୍ୟ ପ୍ରତିଷ୍ଠା କରି ମଧ୍ୟ ସେହି ଦୁର୍ବଳ ପଳାୟନର କଳଙ୍କରେଖା ରାଜପୁତ୍ ଜାତିର ଇତିହାସରୁ ବିଦୂରିତ ହୋଇ ପାରି ନ ଥିଲା। ତାହାର ଶେଷରେଖା ବିମୁଖ୍ୟ ହେଲା ରାଣା ପ୍ରତାପଙ୍କର ଅପରିସୀମ ଧୈର୍ଯ୍ୟ, ସାହସ, ତ୍ୟାଗ ଓ ବୀରତ୍ଵ ବଳରେ।
୧୭୫୬ ଖ୍ରୀଷ୍ଟାବ୍ଦରେ ପିତୃ-ବୈରୀ ଆକବରଙ୍କ ସୈନ୍ୟସହ ମହାରାଣା ପ୍ରତାପଙ୍କର ଭେଟହେଲା ହଳଦୀଘାଟଠାରେ। ପ୍ରବଳ ପରାକ୍ରାନ୍ତ ଦିଲ୍ଲୀଶ୍ଵର ମୋଗଲ ସମ୍ରାଟ୍ଙ୍କର ସଂଖ୍ୟାଧିକ ଅଶ୍ଵ-ଗଜାରୋହୀ ତଥା ପଦାତିକ ବାହିନୀର ଖରସ୍ରୋତ ସମ୍ମୁଖରେ ପ୍ରତାପୀ ପ୍ରତାପଙ୍କ ସୈନ୍ୟ ସତେ ଯେପରି ବାଲିବନ୍ଧସଦୃଶ; କିନ୍ତୁ ପ୍ରତାପଙ୍କ ପ୍ରତାପରେ ଏକମାତ୍ର ମନ୍ତ୍ର – ପ୍ରତାପଙ୍କ ହୃଦୟର ଏକମାତ୍ର ଦମ୍ଭ ସ୍ତମ୍ଭ-ଜନ୍ମଭୂମିର ମୁକ୍ତି ପାଇଁ ଅଦମ୍ୟ ଆକାଙ୍କ୍ଷା ଏବଂ ରାଜପୁତ୍ ଜାତିର ଅଭିମାନ ତଥା ରାଜପୁତନାର ସ୍ଵାଧୀନତା ନିମନ୍ତେ ଅସୀମ ଉନ୍ମାଦନା।
ହଳଦୀଘାଟର ଏହି ଐତିହାସିକ ସମର କାହାକୁ ବିଜେତାର ଗୌରବ କିମ୍ବା ବିଜିତର ଅପମାନ ଦେବାକୁ ଯେପରି ପଶ୍ଚାତ୍ପଦ ହେଲା। ପ୍ରଥମେ ମନେହେଲା ଜୟ-ଲକ୍ଷ୍ମୀ ମୋଗଲ ପକ୍ଷ ହିଁ ଆଶ୍ରୟ କରିବେ। ଅବଶେଷରେ ପ୍ରତାପ ମୋଗଲ ସୈନ୍ୟ-ସାଗର ମଧ୍ୟରେ ଆତ୍ମ-ବିସର୍ଜନ ବୀରର ଯଥାଯୋଗ୍ୟ ସମ୍ମାନ ଲାଭ ଆଶାରେ ସମରପ୍ରାଙ୍ଗଣର କେନ୍ଦ୍ରସ୍ଥଳରେ ଥାଇ ସ୍ବୟଂ ସୈନ୍ୟ ପରିଚାଳନା କଲେ।
ଭାଗ୍ୟର କି ବିଡ଼ମ୍ବନା ! ଅକସ୍ମାତ୍ ଏ କି ଅଘଟଣ ! ଚିରବିଶ୍ଵାସୀ ଚୈତକର ଆଜି ଏ କି ଆଚରଣ ! ରଣାଙ୍ଗନରୁ ଦ୍ରୁତଗତିରେ ପଳାୟନ କରୁଛି ରାଣା ପ୍ରତାପଙ୍କର ବିଶ୍ୱସ୍ତ ଅଶ୍ଵ ଚୈତକ ପୃଷ୍ଠଭଙ୍ଗ ଦେଇ। ରାଣା ବିଚଳିତ-ବିବ୍ରତ। ତାଙ୍କର ସାଧ୍ୟ ନ ଥିଲା ସେ ରଶ୍ମି ସଂଯତ କରି ଚୈତକକୁ ଅଧ୍ଵକ କ୍ଷଣ ଯୁଦ୍ଧଭୂମିରେ ଚାଳନା କରି ରଖିବେ। ଆଜି ଭୃତ୍ୟର ପ୍ରତାପ ଯେପରି ପ୍ରଭୁର ପ୍ରତାପଠାରୁ ବହୁଗୁଣରେ ଗରୀୟାନ୍ !
ତା’ ମାତ୍ର ଚୈତକ ବିଶ୍ଵାସଘାତୀ ନଥିଲା। ସାରା ଜୀବନ ସେ ଯେଉଁ ପ୍ରଭୁର ଆଜ୍ଞା ପାଳନ କରି ସମ୍ପଦରେ ବିପଦରେ କାୟାର ଛାୟାତୁଲ୍ୟ ପ୍ରତାପଙ୍କ ଶରୀର ରକ୍ଷାକରି ଆସିଛି, ନିଜର ସୁଖସ୍ବାଚ୍ଛନ୍ଦ୍ୟ ପ୍ରତି ଲେଶମାତ୍ର ଭୃକ୍ଷେପ ନକରି ସେହି ଚୈତକ ଆଜି ମନୁଷ୍ୟର ସମ୍ଭାବନାତିରିକ୍ତ ଗୋଟାଏ ବିଚକ୍ଷଣ ଦିବ୍ୟ ଇକ୍ଷଣରେ, ଅନାଗତ ମାତ୍ର ନିଶ୍ଚିତ ଆଶଙ୍କାମୁଖରୁ ପ୍ରତାପଙ୍କୁ ଉଦ୍ଧାରକରି ନିରାପଦ ସ୍ଥାନରେ ପହୁଞ୍ଚାଇ ଦେବାପାଇଁ ଏକନିଶ୍ବାସରେ ସାଧାତୀତ ବେଗ ଘେନି ପଳାୟନକଲା।
କିନ୍ତୁ ଏ କଅଣ ! ଏ କି ବିଷମ ପରୀକ୍ଷା ! ବିପଦର ଏ ଘନଘନ କଷାଘାତ କାହିଁକି ! ଚୈତକ ! ଚୈତକ ! –ରାଣା ପ୍ରତାପ ପଥ ମଧ୍ଯରେ ଭୂପତିତ ଚୈତକକୁ ବାରମ୍ବାର ସମ୍ବୋଧନ କରୁଛନ୍ତି – ସତେ ଯେପରି ପିତାର ଆକୁଳ ଆହ୍ଵାନ ପୁତ୍ରର କର୍ଣ୍ଣକୁହରରେ ପ୍ରବେଶକରିପାରୁନାହିଁ !
ଆହତ ଏବଂ କ୍ଳାନ୍ତ ଚୈତକର ନୟନରୁ ଦୁଇଟି ଅଶ୍ରୁଧାର ବହିଗଲା। ସେ ଚିରବିଦାୟ ନେଇଛି, ପ୍ରଭୁ ତାର ନିରାପଦରେ।
ଏହା ଚୈତକର ପ୍ରୟାଣ ନୁହେଁ – ଚିତୋରର ପ୍ରାଣପ୍ରତିଷ୍ଠା। ଏହି ଶୁଭମୁହୂର୍ତ୍ତ ଠାରୁ ଆରମ୍ଭହେଲା ମୋଗଲ ଓ ରାଜପୁତ ଜାତି ମଧ୍ୟରେ ପ୍ରକୃତ ସମର ବୀରତ୍ଵମୟ ରଣରଙ୍ଗ। ଆକବର ବାରମ୍ବାର ପ୍ରତାପଙ୍କ ସୈନ୍ୟଙ୍କୁ ଧ୍ବସ୍ତବିଧ୍ବସ୍ତ କରି ନିଶ୍ଚିହ୍ନ ନିର୍ମୂଳ କରିଦେବା ମାନସରେ ବଳିଷ୍ଠ ସୈନ୍ୟବାହିନୀ ପ୍ରେରଣ କରିବାକୁ ଲାଗିଲେ। ମାତ୍ର ଅରଣ୍ୟପରିବେଷ୍ଟିତ ପର୍ବତକନ୍ଦରରୁ ବାହାରି ପ୍ରତାପଙ୍କର ଦୁଃସାହସୀ ରଣରଙ୍କ ରାଜପୁତ୍ବବାହିନୀ ମୋଗଲଶକ୍ତିକୁ ଅସ୍ତବ୍ୟସ୍ତ କରିଦେବାରେ କେବେହେଲେ ବିଫଳ ହୋଇନାହାନ୍ତି।
କ୍ରମେ ବିରାଟ ମୋଗଲସେନା ହିଁ କ୍ଳାନ୍ତ ଅବସନ୍ନ ହୋଇପଡ଼ିଲେ। ସ୍ଵୟଂ ମୋଗଲ ସମ୍ରାଟ ପ୍ରାସାଦ-ବିଳାସୀ ନାସୀ ଆକବର ମଧ୍ୟ କ୍ଳାନ୍ତ ଓ ଅବସାଦ ଅନୁଭବକଲେ। ମାତ୍ର ନିବିଡ଼ ଅରଣ୍ୟମଣ୍ଡିତ ପର୍ବତମାଳାର କଣ୍ଟକ-କଙ୍କରମୟ ଭୂମି ଉପରେ ଯାହାର ଆଶ୍ରୟ ଏବଂ ଶଯ୍ୟା, କେତେବେଳେ ଅନଶନ, କେତେବେଳେ ବା ଅନ୍ଧାଶନରେ ଯାହାର ଜୀବନଯାତ୍ରା ନିର୍ବାହିତ – ଯିଏ ନିଜର ରାଜମୁକୁଟ ପ୍ରାପ୍ତି ପାଇଁ ନୁହେଁ ଜନ୍ମଭୂମିର ମୁକ୍ତି ପାଇଁ ପ୍ରାଣପାତ କରିବାର ପଣ ଗ୍ରହଣ କରିଅଛି ତାର କ୍ଳାନ୍ତି କାହିଁ – ଅବସାଦ କାହିଁ ?
ଧୀରେ ଧୀରେ, ଅଲକ୍ଷିତଭାବେ କ୍ରମାନ୍ୱୟରେ ପ୍ରତାପ ହୃତରାଜ୍ୟର ଅଧିକାଂଶ ଅଞ୍ଚଳ ଜୟକରି ସ୍ଵରାଷ୍ଟ୍ର ପ୍ରତିଷ୍ଠାକଲେ। ଆଜୀବନ ଦେଶ ଓ ଦଶର ସମ୍ମାନକୁ ଉନ୍ନତ ଉଚ୍ଚ ଶିଖରୀ ଉପରେ ପ୍ରୋତ୍ତ କରିବା ପାଇଁ ଅକ୍ଲାନ୍ତ ଅସାଧ୍ୟ ସାଧନ କରି, ସପରିବାର ଅପରିସୀମ ଦୁଃଖ ଓ ଯନ୍ତ୍ରଣା ଭୋଗକରି ଅବଶେଷରେ ସେ ପ୍ରାଣର ପ୍ରାଣ, ଜୀବନର ଜୀବନ ଜନ୍ମଭୂମି ରାଜସ୍ଥାନରୁ ଚିର ବିଦାୟ ଘେନି ଚାଲିଗଲେ ଅପ୍ରତ୍ୟାଶିତ ଭାବରେ ଅକାଳରେ ୧୫୯୭ ଖ୍ରୀଷ୍ଟାବ୍ଦରେ।
ରାଣା ପ୍ରତାପଙ୍କ ନାମ ଆଜି ଦେଶପ୍ରେମୀ, ସ୍ୱରାଜ୍ୟକାମୀ ପ୍ରତ୍ୟେକ ଦେଶବାସୀର ମନ୍ତ୍ର। ସେ କେବଳ ରାଜସ୍ଥାନର ଗର୍ବ ନୁହନ୍ତି, ଚିତୋର, ମେବାର, ଶିଶୋଦିଅ ରାଜବଂଶର ମର୍ଯ୍ୟାଦାରକ୍ଷୀ ନ ଥିଲେ, ଯେଉଁ ରାଜପୁତ ଜାତି ପରାଜୟ ଅପମାନଠାରୁ ମୃତ୍ୟୁକୁ ଶ୍ରେୟ ମନେକରେ, ଯେଉଁ ରାଜପୁତ ରମଣୀ ଶତ୍ରୁହସ୍ତରେ ଆତ୍ମସମର୍ପଣ କରିବାଠାରୁ ଜହରଜ୍ଵଳନରେ ଶରୀର ଆହୁତି ଦେବାକୁ ସୌଭାଗ୍ୟ ମନେକରେ, ସେହି ରାଜପୁତ ଜାତିର ମଉଡ଼ମଣି ମହାରାଣା ପ୍ରତାପ ଆଜି ସମଗ୍ର ଭାରତର ପୂଜ୍ୟ, ନମସ୍ୟ ଓ ଚିରସ୍ମରଣୀୟ।