ମନୁଷ୍ୟର ବୁଦ୍ଧି ବାଧ୍ୟହୋଇ ପରାଜୟ ସ୍ବୀକାରକରେ। ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ଆତିପାତିକ ବ୍ୟତିକ୍ରମ ଦେଖାଯାଏ। କାର୍ଯ୍ୟ ଓ କାରଣର ସୂତ୍ର ଧରି ମନୁଷ୍ୟ ଯେଉଁ ନ୍ୟାୟ ଆଦର୍ଶ ବାଢେ, ନାନା ଜଟିଳ ପ୍ରଶ୍ନବାଚୀର ପଶ୍ଚାତ୍ ଦେଶରେ ତାହା ବହୁ ଦୋଦୁଲ୍ୟମାନ ସନ୍ଦେହର ରୂପ ଧାରଣକରେ। କାହିଁକି ଏହି ପରାଜୟ ମନୋଭାବ – ଏ ବୈପ୍ଳବିକ ଚିନ୍ତା? ଏ ସନ୍ଦିଗ୍ଧ ମାନସର ହେତୁ କଣ ହୋଇପାରେ? କିଏ ଏହାର ଉତ୍ତର ଦେବ? ଏ ଉତ୍ତର- ଦାୟିତ୍ଵ ଯାହାର ହେଉ, ମନୁଷ୍ୟ ଏହାର ଯଥାଯଥ ସମାଧାନରେ କ୍ଷମ ହେଉ ନହେଉ, ଏହାହିଁ ସତ୍ୟ ଓ ବାସ୍ତବ ଅଭିଜ୍ଞତା। ଅସମ୍ଭବ ସମ୍ଭବ ହୁଏ – ଅନିୟମ ନିୟମ ହୁଏ – ଅସ୍ଵାଭାବିକ ସ୍ଵାଭାବିକତାରେ ପରିଣତ ହୁଏ।
ଜଣେ ସନ୍ନ୍ୟାସୀ? କିଏ ଏହି ସନ୍ନ୍ୟାସୀ ଗୈରିକବସନ, ମୁଣ୍ଡିତମସ୍ତକ, ଭଗ୍ନ-ଦଣ୍ଡକମଣ୍ଡଳୁମଣ୍ଡିତ ପରିବ୍ରାଜକ ତୀର୍ଥାଟକ ପୁରୀ ଧାମରୁ ବୃନ୍ଦାବନପଥରେ ଅଗ୍ରସର ହେଉଛନ୍ତି? ସେବକୈକ ବ୍ୟତିରେକ ଏକେଶ୍ଵର ଭାବରେ ଝାଡଖଣ୍ଡ ଘନ ଅରଣ୍ୟପଥ ମଧ୍ୟରେ ନିରବଧୂ ‘ହରି ହରି’ ନାମର ଭୂର୍ଭି ହେଉଛି। ଏ କି ଆଶ୍ଚର୍ଯ୍ୟ କଥା ! ସେଇ ସ୍ୱରର ତାଳେ ତାଳେ ହସ୍ତୀ, ବ୍ୟାଘ୍ର, ଭଲ୍ କ, କୁରଙ୍ଗ, ସର୍ପଶ୍ୱାପଦାଦି ସମସ୍ତେ ନର୍ଭନରତ ଏବଂ ପ୍ରତ୍ୟେକର ମୁଖରେ ସ୍ଵାଭାବିକ ରବ ପରିବର୍ତ୍ତେ ସତେ ଯେପରି ହରି ହରି ଧ୍ଵନି ଧ୍ଵନିତ ହୋଇଉଠୁଛି। ଏ କି ଅଭିନବ ଅଭିନୟ?
ଏହି ସୁନ୍ଦର ସୁଠାମ ପୁରୁଷ, ଆଜାନୁଲମ୍ବିତ ବାହୁ, ବିସ୍ତୀର୍ଣ୍ଣ ଲଲାଟପଟଳରେ ଉଜ୍ଜ୍ବଳ ହରିତିଳକ, ନୀଳ-ଶୈଳ-ନିବାସୀ ଚକାଡୋଳା ଜଗନ୍ନାଥଙ୍କୁ ଚାହିଁ ପ୍ରେମ-ଗଦ୍ଗଦ କଣ୍ଠରେ ସେଦିନ ଗାଉଥିଲେ – ‘ଜଗନ୍ନାଥ ସ୍ଵାମୀ ନୟନ-ପଥଗାମୀ ଭବତୁ ମେ।’
ପୁରୁଷ ହୋଇ ମଧ୍ୟ ପୁରୁଷାଭିମାନଶୂନ୍ୟ କିଏ ଏହି ଦେବତାତ୍ମା – ଜଗନ୍ନାଥଙ୍କୁ ସ୍ଵାମି, ସ୍ବାମି ସ୍ଵାମି – ସମ୍ବୋଧନ କରି ଭାବରେ ଗଦ୍ଗଦ ବିଭୋର – ସଂଜ୍ଞାହୀନ। ଏ କି ମହାଭାବରେ ଲୀଳାବୈଚିତ୍ର୍ୟ?
କାଶୀ ମିଶ୍ରଙ୍କ ଗୃହ। ଗଭୀର ଗମ୍ଭୀରା। ଆଧୁନିକ ରାଧାକାନ୍ତ ମଠସ୍ଥ କ୍ଷୁଦ୍ର ଗୋଟିଏ ପ୍ରକୋଷ୍ଠ ମଧ୍ୟରେ ଅନ୍ତରଙ୍ଗ ତିନୋଟି ସାଧକଙ୍କୁ ଘେନି କୃଷ୍ଣଗୁଣ କୀର୍ତ୍ତନ କରୁ କରୁ ନିତ୍ୟ ବିରହ ମଧ୍ଯରେ ଏ କି ନିତ୍ୟ ମିଳନର ସୁଖାସ୍ଵାଦ? ଏ କି ବିପରୀତ ରୀତି?
ବେଶି ଦିନର ନୁହେଁ, ମାତ୍ର ପାଞ୍ଚଶତ ବର୍ଷ ଅତିକ୍ରମ କରିଛି କି ନାହିଁ – ଚଉଦଶହ ପଞ୍ଚାଅଶୀ ଖ୍ରୀଷ୍ଟାବ୍ଦର କଥା। ସେଦିନ ପୂଣ୍ଣମୀ ତିଥ୍ୟ। ରାହୁଗ୍ରସ୍ତ ଫାଲ୍ଗୁନୀ ଚନ୍ଦ୍ରିକା ଆକାଶରେ ଜଳେ ସ୍ଥଳେ ସ୍ଥାବର ଜଙ୍ଗମରେ ଲୀଳାୟିତ। ଗୋଟିଏ ନିମ୍ବ ବୃକ୍ଷ ମୂଳରେ ଶ୍ରୀଶଚୀନନ୍ଦନ ନଦିଆପୁରନ୍ଦର, ସୁରନରମୁନି ମନମୋହନଧାମ ଗୌରାଙ୍ଗ ‘ନିମାଇଁ’ଙ୍କର ଜନ୍ମ। ବସନ୍ତର ଆବାହନରେ ସତେ ଯେପରି ଋତୁରାଜ ସଶରୀରେ ରୂପ ପରିଗ୍ରହ କରିଛନ୍ତି।
ସେଦିନର ସେହି ନିମ୍ବବୃକ୍ଷ ମୂଳସ୍ଥ ବାଳକ ‘ନିମାଇଁ’ କେବଳ ନଦିଆ ନବଦୀପର ନୁହେଁ – ସମଗ୍ର ଭାରତର ଜଣେ ପ୍ରସିଦ୍ଧ ନ୍ୟାୟବାଚସ୍ପତି – ଦର୍ଶନଜ୍ଞ ପଣ୍ଡିତରୂପେ ପରିଗଣିତ ହୋଇଛନ୍ତି। ମାତ୍ର ମାତା ଶଚୀଦେବୀଙ୍କ ଚକ୍ଷୁରେ ଶୈଶବରୁ ପିତୃହୀନ ଏହି ବାଳକ, ବୈରାଗୀ ଜ୍ୟେଷ୍ଠ ଭ୍ରାତା ବିଶ୍ଵରୂପ ବିରହରେ ବିଧୁର ‘ବିଶ୍ଵମ୍ଭର’ ଅଦ୍ଭୁତ ଐଶୀଶକ୍ତିସମ୍ପନ୍ନ ଯୁବକ ସାମାନ୍ୟ ମାନବ ବ୍ୟତୀତ ଅନ୍ୟ କିଛି ନୁହେଁ।
ମାତ୍ର କେତେ ବର୍ଷ ପୂର୍ବରୁ ସ୍ଵର୍ଗତ ପିତା ଜଗନ୍ନାଥ ମିଶ୍ର ଆସାମସ୍ଥ ଶ୍ରୀହଟ୍ଟରୁ ଯାଇ ବଙ୍ଗର ଶାସ୍ତ୍ରୀୟ ପୀଠସ୍ଥଳୀ ନବଦୀପକୁ ହିଁ ବାସଭୂମି ମନୋନୀତ କରିଥିଲେ। ସତୀ, ସାଥୀ, ପତିବ୍ରତା, ବାଳକ ବିଶ୍ବମ୍ଭରର ଜନନୀ ଶଚୀଦେବୀଙ୍କ ମାନସପଟରେ ଅତୀତର ସେହି ସ୍ମୃତି ପଲକ ମାତ୍ରକେ ଖେଳିଯାଏ। ବହୁ ପୂର୍ବରୁ ତାଙ୍କର ଭକ୍ତିଭାଜନ ଶ୍ୱଶୁର ଉତ୍କଳର ଯଜ୍ଞପୀଠ ଯାଜପୁରରୁ ଯାଇ ଶ୍ରୀହଟ୍ଟରେ ବାସକରିବାର ଆଖ୍ୟାୟିକା ତାଙ୍କର ଅଦ୍ୟାପି ବିସ୍ତୃତ ହୋଇନାହିଁ। ଏହିପରି ଗୋଟିଏ ବ୍ରାହ୍ମଣର ବଂଶଧର ବାଳକ ବିଶ୍ବମ୍ଭର ଯେ ଦିନେ ସମଗ୍ର ମାନବଜାତିକୁ ପ୍ରେମଭକ୍ତି ଦାନକରି ବିଶ୍ବ ଇତିହାସରେ ଏକ ଅକ୍ଷୟ କୀର୍ତ୍ତିର ସୌଧ ତୋଳିଦେଇଯିବେ, ଏ କଥା ତାଙ୍କର କଳ୍ପନାର ଅତୀତ ଥିଲା। ତେଣୁ ପୁତ୍ର ନିମାଇଁକୁ ସେ ବାରମ୍ବାର ଦୁଇବାର ଗୃହସ୍ଥାଶ୍ରମରେ ଆବଦ୍ଧ କରି ନିଶ୍ଚିନ୍ତରେ କାଳଯାପନ କରୁଥିଲେ।
କିନ୍ତୁ ଉଦୟାଚଳର ଊର୍ଦ୍ଧ୍ୱଗାମୀ ସୂର୍ଯ୍ୟକୁ ଚିରକାଳ ମେଘପଟଳଦ୍ଵାରା ଆବୃତ କରିରଖୁବା ଅସମ୍ଭବ। ସଂସାରର ମୋହମାୟାରୂପୀ ଘନ ତମସାରେ ବିଶ୍ଵମ୍ଭରଙ୍କୁ ଆଚ୍ଛନ୍ନ କରି ରଖୁବା ଏକ ଦୁଃସାଧ୍ୟ ସାଧନା। ଦିବଂଗତ ପରମାରାଧ ପିତୃଦେବଙ୍କର ଶ୍ରାଦ୍ଧକ୍ରିୟା ସମ୍ପନ୍ନ କରିବା ଉପଲକ୍ଷ୍ୟରେ ଯୁବକ ବିଶ୍ବମ୍ଭର ଯାଇଛନ୍ତି ଶୋକସନ୍ତପ୍ତ ଅସ୍ଥିର-ହୃଦୟ ଘେନି ଭକ୍ତ ଗୟାସୁରର ପୀଠସ୍ଥଳୀ ଗୟାଧାମକୁ। ଗୋଟିଏ ପୁଣ୍ୟାହ, ପୁଣ୍ୟ ତିଥ୍ୟରେ ସେହି ଧର୍ମପୀଠ ଗୟାତୀର୍ଥରେ – ଯେଉଁଠି ହିନ୍ଦୁର ଅଟଳ ବିଶ୍ବାସ ସ୍ଵର୍ଗ ଏବଂ ମର୍ତ୍ତ୍ୟ ମଧ୍ୟରେ ସାନ୍ନିଧ୍ୟ ଏବଂ ସମ୍ବନ୍ଧ ପ୍ରତିଷ୍ଠାକରିଛି, ଯେଉଁଠି ସମସ୍ତ ଏସିଆଖଣ୍ଡର ଆଲୋକସ୍ତମ୍ଭ ଶାକ୍ୟସିଂହ ଗୌତମ ଦିନେ ଜୀବନର ସତ୍ୟ ସନ୍ଧାନ କରି କଠିନ ତପଶ୍ଚରଣ ଫଳରେ ବୁଦ୍ଧତ୍ବ ପ୍ରାପ୍ତ ହୋଇଥିଲେ, ସେଇଠି ସେଇ ସ୍ଥାନରେ ପିତୃପୁରୁଷମାନଙ୍କର ଉଦ୍ଦେଶ୍ୟରେ ପିଣ୍ଡାର୍ପଣ କରୁ କରୁ ବିଶ୍ବମ୍ଭରଙ୍କର ମୋହାବରଣ ଉନ୍ମୋଚିତ ହୋଇଗଲା। ଭାବର ଏ କି ଅପୂର୍ବ ପରିବର୍ତ୍ତନ? ଜ୍ଞାନର ଏ କି ଅପୂର୍ବ ଉଦୟ? ସେହି ଦିନ, ସେହି ଶୁଭ ମୁହୂର୍ଭରେ ବିଶ୍ବମ୍ଭରଙ୍କ ହୃଦୟରେ କେବଳ ନୁହ – ସମଗ୍ର ବିଶ୍ଵର ଆଚ୍ଛନ୍ନ ତମିସ୍ରା ବିଦୂରିତ ହୋଇ ଆଲୋକର ପ୍ରଥମ ଉଦଗ୍ ହେଲା। ମରଣଶୀଳ ମର ମାନବ ଅମୃତର ସନ୍ଧାନ ଲାଭକଲା।
ସେହିଠାରେ – ସେହି ଗୟାପୀଠରେ ଗୌରାଙ୍ଗ ବିଶ୍ବମ୍ଭର, ନଦିଆର ନିମାଇଁ ପଣ୍ଡିତ, ମୁଷ୍ଟିମେୟ ତଣ୍ଡୁଳରେ କେବଳ ସନ୍ତୁଷ୍ଟ ପିତୃକୁଳକୁ ପିଣ୍ଡଦାନ କରି ନ ଥିଲେ – ସେହି ଦିନ ସେହି ପୀଠରେ ସଦ୍ବଂଶଜ ବ୍ରାହ୍ମଣ ସନ୍ତାନ, ଦିଗ୍ବିଜୟୀ ନୈୟାୟିକ ତାର୍କିକମାନଙ୍କର ଶୁଷ୍କ ନୀରସ ପୁରାଣ ବ୍ୟାଖ୍ୟାରେ ଅତୃପ୍ତ ନିମାଇଁ ପଣ୍ଡିତ ଜାତି, କୁଳ, ବିଦ୍ୟା, ବୁଦ୍ଧି, ରୂପ, ଲାବଣ୍ୟ, ସକଳ ଅଭିମାନ ଏବଂ ସକଳ ଅହଂକାରର ଜଳାଞ୍ଜଳି ଦେଇ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ପିତ୍ରାଶିଷ, ଦେବାଶିଷ ବଳରେ ବଳୀୟାନ ଗୌରାଙ୍ଗ ଗୋଟିଏ ସ୍ଵଚ୍ଛ, ସରଳ, ନିର୍ମଳ ଐଶ୍ଵରିକ ପ୍ରେମରେ ଉଦ୍ଭାସିତ, ଆଧ୍ୟାତ୍ମିକ ଆନନ୍ଦରେ ଉଚ୍ଛସିତ ପବିତ୍ର ହୃଦୟ ଘେନି।
ବିଶ୍ଵମ୍ଭର ଆଜି ଅମର ଧନରେ ଧନୀ। ଅହରହ ମୁଖରୁ କୃଷ୍ଣ ନାମ ନିର୍ଗତ ହେଉଛି। ଯେପରି ବହୁଦିନର କେଉଁ ଅପୂର୍ବ ଅପହୃତ ନିମ୍ବ, ପାସୋରା ଅମୂଲ୍ୟ ରତ୍ନରାଜି ସୌଭାଗ୍ୟକ୍ରମେ ଦିବ୍ୟଲୋକରୁ କିଏ ଆସି ତାଙ୍କ ହସ୍ତରେ ଅର୍ପଣ କରିଯାଇଛି। ତାହାରି ବଳରେ ବଳୀୟାନ ହୋଇ ବିଶ୍ଵମ୍ଭର ଆଜି ଚୈତନ୍ୟ।
ମନୁଷ୍ୟର ପ୍ରକୃତ ଚେତନା ବୁଦ୍ଧିର ବିକାଶବଳରେ ଜାଗ୍ରତ ହୁଏ ନାହିଁ। ବୃଦ୍ଧିର ଔତ୍କର୍ଷ, ପ୍ରାଖର୍ଯ୍ୟ, ବୁଦ୍ଧିର ବ୍ୟାୟାମ ଏବଂ ତୀକ୍ଷ୍ଣଣତା ଦ୍ଵାରା ଅନ୍ତରାତ୍ମାର ଅଭିବୃଦ୍ଧି କଦାପି ସମ୍ଭବ ନୁହେଁ। ହୃଦୟର ଭୂର୍ତ୍ତି, ଭାବର ପ୍ରଚୋଦନା ହିଁ ମନୁଷ୍ୟକୁ ଭାବଗ୍ରାହୀ, ଭାବାବିଷ୍ଟ କରି ସୁଖମୟ ଅତୀନ୍ଦ୍ରିୟ ରାଜ୍ୟକୁ ବରଣ କରି ଘେନିଯାଏ।
କି ସୁସମୟରେ ସାକ୍ଷାତ ହେଲା ତାଙ୍କର ମଧୁମତାବଲମ୍ବୀ ମହାପୁରୁଷ ମାଧବ ପୁରୀଙ୍କ ସହିତ – ତାଙ୍କର ଆତ୍ମଦର୍ଶନଦ୍ଵାରା ପିତୃପ୍ରେମରେ ଉନ୍ମତ୍ତ ବିଶ୍ବମ୍ଭର ଆଜି କେବଳ ଚେତନାସାର ଏକ ଚୈତନ୍ୟମୟ ପିଣ୍ଡ। ବାହ୍ୟ ଶରୀର ସତେ ଯେପରି ଏକ ଚିନ୍ମୟ ଜ୍ୟୋତିରେ ଜ୍ୟୋତିର୍ମୟ ହୋଇଯାଇଛି।
ଦିବା, ରାତ୍ରି, ଶୟନେ ସ୍ବପନେ, ଧ୍ୟାନଧାରଣାରେ ଶ୍ରୀଚୈତନ୍ୟଙ୍କ ରସନା ସତତ କୃଷ୍ଣନାମ ରଟନାରେ ରତ, କୃଷ୍ଣଭାବରେ ସଦାସର୍ବଦା ଆତ୍ମହରା ଓ ଆତ୍ମବିହ୍ଵଳ। ଶ୍ରୀକୃଷ୍ଣ ଗୁଣକୀର୍ତ୍ତନ ଓ ଗୁଣଚିନ୍ତନ, ଶ୍ରୀକୃଷ୍ଣ ସେବନ ଓ ବନ୍ଦନ କ୍ରମରେ କେତେବେଳେ ସଂଜ୍ଞାଶୂନ୍ୟ ହୋଇପଡୁଛନ୍ତି, କେତେବେଳେ ଅବା ପ୍ରିୟତମ, ପ୍ରାଣାଭିରାମ ଶ୍ରୀକୃଷ୍ଣ ବିରହରେ–ବିରହ ବିଧୁର ଅଶେଷ ଦଶାଗ୍ରସ୍ତ। ବୃନ୍ଦାବନ-ବିପିନ-ବିହାରିଣୀ ଭକ୍ତିମତୀ ଶ୍ରୀମତୀଙ୍କ ପରି ଶୋକ ଓ ସନ୍ତାପରେ ବିଦଗ୍ଧ-ପ୍ରାଣ ହା କୃଷ୍ଣ ! ହା କୃଷ୍ଣ ! ବୋଲି ଚତୁର୍ଦ୍ଦିଗରେ ଉନ୍ମର ଉତ୍କ୍ଷିପ୍ତପ୍ରାୟ ଭ୍ରମଣ କରୁଛନ୍ତି।
ସାରା ଭାରତରୁ ବିଦ୍ୟାର୍ଥୀ ନବଦୀପରେ ନିମାଇଁ ପଣ୍ଡିତଙ୍କ ଦ୍ବାରସ୍ଥ ହୋଇଛନ୍ତି ଶାସ୍ତ୍ରାଧ୍ୟୟନ ଉଦ୍ଦେଶ୍ୟରେ। ମାତ୍ର ନିମାଇଁ ପଣ୍ଡିତଙ୍କର ଏ କି ବ୍ୟାଖ୍ୟା ! ସକଳ ଶ୍ଳୋକ, ସକଳ ଶବ୍ଦର ମର୍ମ-ବ୍ୟାଖ୍ୟା, ସରଳାର୍ଥ, ଭାବାର୍ଥ କେବଳ କୃଷ୍ଣ-କୃଷ୍ଣ-କୃଷ୍ଣ।
ନିମାଇଁ ପଣ୍ଡିତ କଣ ଉନ୍ମାଦଗ୍ରସ୍ତ? ହଁ, ଉନ୍ମାଦଗ୍ରସ୍ତ – ବାତପ୍ରପୀଡିତ ବାୟୁବିକାରଜନିତ ଉନ୍ମାଦ ସେ। ମାତ୍ର ତାର ଚିକିତ୍ସା ଔଷଧରେ ଆଉ ସମ୍ଭବ ନୁହେଁ – କେବଳ ନାମ ପ୍ରଚାରରେ ହିଁ ତାର ଶାନ୍ତି – ତାର ଉପଶମ।
ଆଉ ଉନ୍ମାଦ ନୁହେଁ – ସେହି ଉନ୍ମାଦନାରେ ‘କଲୌ ନାସ୍ପେବ ନାସ୍ତେବ ନାସ୍ତିବ ଗତିରନ୍ୟଥା’’ ସେହି ‘ହରେର୍ନାମ ହରେର୍ନାମ ହରେର୍ନାମେବ କେବଳଂ’’ର ସଂକୀର୍ତ୍ତନରେ ନବଦୀପର ନରନାରୀ, ପଶୁପକ୍ଷୀ, କୀଟପତଙ୍ଗ, ପଥପ୍ରାନ୍ତର, ତରୁଲତା, ନଦୀଜଳ, ସ୍ଥାବରଜଙ୍ଗମ ଧନ୍ୟହୋଇଗଲେ। ସେହି ଉନ୍ମାଦନାରେ ସେଦିନ ହିନ୍ଦୁ ମୁସଲମାନ ଭକ୍ତି ଦେଇ ଉପଲବ୍ଧ କରିବାପାଇଁ ବ୍ୟାକୁଳ ହୋଇପଡିଲେ। ଶ ଶ୍ରୀକୃଷ୍ଣ-ଚୈତନ୍ୟ ସଦୟ ହୋଇ ସାର୍ବଭୌମଙ୍କୁ ଉଦ୍ଧାରକରି ଶିଷ୍ୟରୂପେ ଗ୍ରହଣ କରିନେଲେ। ପରେ ପରେ ସମ୍ରାଟ ସ୍ଵୟଂ ପ୍ରତାପରୁଦ୍ର ମଧ୍ୟ ଶ୍ରୀକୃଷ୍ଣଚୈତନ୍ୟଙ୍କର ଶରଣାପନ୍ନ ହେଲେ। ସମଗ୍ର ଉତ୍କଳ ହରିନାମରେ, ଶ୍ରୀକୃଷ୍ଣ ସଂକୀର୍ତ୍ତନରେ ପ୍ଳାବିତ ହୋଇଗଲା।
ଭକ୍ତିଧର୍ମର ଚରମ ସିଦ୍ଧାନ୍ତ ମଧୁରଭାବର ପ୍ରଚାର ପାଇଁ ତେଣେ ଅପେକ୍ଷା କରି ବସିଥିଲେ ରୂପ ଓ ସନାତନ ଶ୍ରୀବୃନ୍ଦାବନରେ। ଶ୍ରୀକୃଷ୍ଣ ଲୀଳାଭୂମି ବୃନ୍ଦାବନର କେଳି ସ୍ଥାନମାନ ଆବିଷ୍କାରକରି ସେ ବୈଷ୍ଣବ ତଥା ସମଗ୍ର ସନାତନଧର୍ମର ଅଶେଷ ଇଷ୍ଟସାଧନ କରିଛନ୍ତି।
ଶ୍ରୀକୃଷ୍ଣଚୈତନ୍ୟ ଦୀର୍ଘ ଅଠର ବର୍ଷକାଳ ନୀଳାଚଳରେ ରହି ରାୟ ରାମାନନ୍ଦଙ୍କ ଦ୍ଵାରା ପ୍ରେମଭକ୍ତିର ସାରତତ୍ତ୍ଵ ପ୍ରଚାରକରି ଶ୍ରୀକୃଷ୍ଣଙ୍କର ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରି ଦିନେ ଅଦ୍ଭୁତ ଭାବରେ ଅନ୍ତର୍ଦ୍ଧାନ ହୋଇଗଲେ। କେହି କେହି କହନ୍ତି, ଭାବବିହ୍ବଳ ଅବସ୍ଥାରେ ସେ ସମୁଦ୍ର ପ୍ରବେଶକରି ଆଉ ପ୍ରତ୍ୟାବର୍ତ୍ତନ କରିନାହାନ୍ତି। କିଏ ବା କହେ – ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନକୁ ଯାଇ ସେ ସେହି ଜଗନ୍ନାଥଙ୍କ ଅଙ୍ଗରେ ଲୀନହୋଇଗଲେ। ଅନ୍ୟମାନେ କହନ୍ତି – ତୋଟା ଗୋପୀନାଥଙ୍କ ଜାନୁଦେଶରେ ତାଙ୍କର ଲୀନ ହେବାର ସଂକେତ ରହିଛି। ଅଧୁନା ଆବିଷ୍କୃତ ଏକ ତାଳପତ୍ର ଗ୍ରନ୍ଥରୁ ପ୍ରକାଶ ଯେ, ରାଜା ପ୍ରତାପରୁଦ୍ର ଓ ଭକ୍ତଗଣଙ୍କ ସମକ୍ଷରେ ସେ କେତେକ ଉପଦେଶ ଦେବା ଅବସ୍ଥାରେ ଅନ୍ତର୍ହିତ ହୋଇଗଲେ। ଭକ୍ତମାନଙ୍କ ମତରେ ଏ ପ୍ରତ୍ୟେକଟି ଆଖ୍ୟାୟିକା ଲୀଳାମୟ ସାକ୍ଷାତ୍ ଭଗବାନଙ୍କ ପକ୍ଷରେ ସମ୍ଭବ। ଯିଏ ଯେଉଁଭାବରେ ଦେଖୁଛି ତାହା ହିଁ ସତ୍ୟ। ତେଣୁ ଏ କିମ୍ବଦନ୍ତୀ ମଧ୍ୟରେ କୌଣସିଟି ଅସତ୍ୟ ନୁହେଁ।
ଶ୍ରୀଚୈତନ୍ୟ ଭାରତର ବହୁ ସନ୍ଥସାଧୁଙ୍କ ପରି ନିଜ ସମ୍ପ୍ରଦାୟ ସୃଷ୍ଟି କରି ଅନୁଯାୟୀମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ ରଚନାଦ୍ଵାରା ମାର୍ଗ ନିର୍ଣ୍ଣୟ କରି ଯାଇନାହାନ୍ତି। କାରଣ ପ୍ରେମଭକ୍ତି କୌଣସି ବିଧିବିଧାନର ଅପେକ୍ଷା ରଖେ ନାହିଁ ଏହା ସତତ ବିକାଶ ଉନ୍ମୁଖୀ। ତେଣୁ ଏହା ଶାସ୍ତ୍ରୀୟ ବନ୍ଧନ ମଧ୍ୟରେ ଆବଦ୍ଧ ନୁହେଁ।
ଚୈତନ୍ୟଙ୍କ ଭଜନମାର୍ଗ ବା ଭକ୍ତିସିଦ୍ଧାନ୍ତ କେବଳ ଧର୍ମ ଦିଗରୁ ନୁହେଁ – ଉପରୋକ୍ତ କାରଣରୁ ବିଗତ ପାଞ୍ଚଶହ ବର୍ଷକାଳ ଏ ଦେଶର ସାହିତ୍ୟ ଓ ସଂସ୍କୃତିକୁ ଉତ୍ତରୋତ୍ତର ଅଭିବୃଦ୍ଧି କରି ଆସିଛି। ପୃଥିବୀରେ କୌଣସି ସାହିତ୍ୟିକ ଯୁଗ ଏତେଦିନ ଜନପ୍ରାଣକୁ ଅଭିଭୂତ କରି ରଖୁବା ଇତିହାସରେ ବିରଳ।
ଏବେ ମଧ୍ୟ ଚୈତନ୍ୟପ୍ରଚାରିତ ପ୍ରେମଭକ୍ତି ହିଁ ସର୍ବଦେଶୀୟ ସାହିତ୍ୟରେ ବିଭିନ୍ନ ରୂପରେ ରୂପାୟିତ। ସାର୍ବଭୌମ ଶ୍ରୀକୃଷ୍ଣଚୈତନ୍ୟଙ୍କୁ ପ୍ରଶ୍ନ କଲେ – ଜୀବମାତ୍ରେ ସାକ୍ଷାତ୍ ବ୍ରହ୍ମ-ଈଶ୍ଵର। ତୁମ୍ଭେ ସ୍ଵୟଂ ଈଶ୍ଵର ହୋଇ ପୁଣି କେଉଁ ଈଶ୍ଵର ନିମନ୍ତେ ଉନ୍ମତ୍ତ ଅସ୍ଥିର? ସେଦିନ ଶ୍ରୀକୃଷ୍ଣଚୈତନ୍ୟ ଚିତ୍କାର କରିଉଠିଥିଲେ – ଅସମ୍ଭବ ! ଅସମ୍ଭବ ! ଜୀବ ଓ ଆତ୍ମା ଏକ ହୋଇ ମଧ୍ୟ ଅନେକ – ଅଚିନ୍ତ୍ଯ ଅଗମ୍ୟ ସେ ଭେଦ – ଅବୋଧ ଅଗ୍ରାହ୍ୟ ସେ ଅଭେଦ। ଉଭୟ ସମ୍ଭବ ହେଲେ ହେଁ ଏ ବିରହ—ଏ ମିଳନ – ଏ ନିତ୍ୟ ବିରହରେ ନିତ୍ୟ ମିଳନର ସୁଖ। ଏ ଅଶ୍ରୁ, ପୁଲକ, କମ୍ପ ଓ ସ୍ତମ୍ଭନ। ଆନନ୍ଦ ଓ ଆହ୍ଲାଦକୁ ଉପେକ୍ଷା କରି ଜୀବ କେଉଁ ସ୍ବାର୍ଥରେ ସାମପ୍ୟ, ସାଯୁଜ୍ୟ, ସାଲୋକ୍ୟ ଆଦି ଶୁଷ୍କ ଷଡିଶ୍ଵର୍ଯ୍ୟ, ଷମୁକ୍ତି ବା କୈବଲ୍ୟ ପାଇଁ ଲାଳାୟିତ ହେବ?
ଶ୍ରୀକୃଷ୍ଣଚୈତନ୍ୟ ଈଶ୍ଵରତ୍ବ ଚାହାନ୍ତି ନାହିଁ – ନିର୍ବାଣ କାମନା କରନ୍ତି ନାହିଁ। ସେ ସେବ୍ୟ ଶ୍ରୀକୃଷ୍ଣଙ୍କର ସୁଖ ସମ୍ପାଦନ ପାଇଁ ‘ପୁନରପି ଜନମଃ, ପୁନରପି ମରଣଂ, ପୁନରପି ଜନନୀ ଜଠରେ ଶୟନଂ’ ଶତ ଶତ, ସହସ୍ର ସହସ୍ର ବାର ପାଇଁ ସ୍ଵାଗତ କରିବାକୁ ପ୍ରସ୍ତୁତ – ଯୁଗ-ଯୁଗ-ଧରି ନରକଭୋଗ କରିବାକୁ ମଧ୍ୟ ଆଗ୍ରହୀ।
ଶ୍ରୀକୃଷ୍ଣଚୈତନ୍ୟଙ୍କର ଏହି ମହାଭାବ, ଏହି ତ୍ୟାଗ-ଧର୍ମ, ଏହି ପ୍ରେମଭକ୍ତି ନିକଟରେ ସାର୍ବଭୌମଙ୍କର ବୁଦ୍ଧି ପରାଜୟ ମାନିଲା। ବୁଦ୍ଧିର ଅଗମ୍ୟ, ଚିନ୍ତାର ଅମାପ ଈଶ୍ଵରଙ୍କୁ ହୃଦୟର ଭାବ ଏବଂ ସ୍ପୃଶ୍ୟଅସ୍ପୃଶ୍ୟ, ଉଚ୍ଚନୀଚ, ଜାତିଅଜାତି, ବ୍ରାହ୍ମଣଚଣ୍ଡାଳ ସମସ୍ତେ ଏହି ପ୍ରେମବିହ୍ବଳ ହୃଦୟକୁ ହୃଦୟରେ ଜଡାଇ ଅଶେଷ ଆଶ୍ଳେଷରେ ସଂସାରବନ୍ଧନ ଛିନ୍ନ କରି ନିତ୍ୟଧାମର ଆଲୋକ ପ୍ରାପ୍ତ ହୋଇଥିଲେ।
‘ରାଧା ରାଧା କୃଷ୍ଣ କୃଷ୍ଣ, ରାଧେରାଧେ କୃଷ୍ଣ କୃଷ୍ଣ’ ନାମରେ ଗଗନ-ପବନ ମୁଖରିତ ହେବାକୁ ଲାଗିଲା। ଶଚୀନନ୍ଦନ ଜଗନ୍ନାଥ ମିଶ୍ରଙ୍କର ସନ୍ତାନ ଆଉ ବିଶ୍ବମ୍ଭର ନିମାଇଁ ପଣ୍ଡିତ ନୁହନ୍ତି। ସେ ଯେପରି ରାଧା ଅଙ୍ଗ-ସଙ୍ଗ ଲଭି ନବଘନ ଶ୍ୟାମଙ୍କର ଗୌରାଙ୍ଗ ରୂପ ବିଗ୍ରହ!
ବୃନ୍ଦାବନ–ଲୀଳା ଆଜି ନଦୀୟା-ଲୀଳାରେ ପରିଣତ ହୋଇଛି। ନିତ୍ୟାନନ୍ଦ, ଅଦ୍ଵୈତ, ଗଦାଧର ଓ ଶ୍ରୀବାସାଦୀ ପଞ୍ଚତତ୍ତ୍ଵ, ଷଡଚକ୍ରବର୍ତ୍ତୀ, ଅଷ୍ଟକବିରାଜ, ଚୌଷଠୀମହନ୍ତ ଆଦି ଗୌରପରିକରବୃନ୍ଦ ସଙ୍ଗେ ଘେନି କୈରନ ରାଧାପ୍ରେମ – ରାଧାର ପ୍ରେମ କିପରି, ତାର ମାଧୁରୀ କିପରି ଓ ରାଧା କିପରି ସେହି ମାଧୁରୀପାନରେ ବିଭୋର – ଏହି ତିନିବାଞ୍ଛା ପୂର୍ତ୍ତି ନିମନ୍ତେ ବ୍ରଜେନ୍ଦ୍ରନନ୍ଦନ ଆଜି ଗୌରାଙ୍ଗରୂପରେ ନଦୀୟା ବିହାର କରୁଛନ୍ତି।
ତଥାପି ଋଣ ପରିଶୋଧ ସମ୍ଭବ ହେଲା ନାହିଁ। ଦ୍ଵାପରରେ ଶ୍ରୀରାଧାଙ୍କର ପ୍ରେମରଣ ପରିଶୋଧ କାମନାରେ ଏହି ପ୍ରେମାବତାର ପ୍ରେମୋନ୍ନତ୍ତ ପୁରୁଷ ଗୃହସଂସାର ତ୍ୟାଗକରି ବୃଦ୍ଧା ମାତା ଓ ଯୁବତୀ ପତ୍ନୀ ଲକ୍ଷ୍ମୀପ୍ରିୟାର ସ୍ନେହମମତାକୁ ଉପେକ୍ଷା କରି ସନ୍ନ୍ୟାସ ଗ୍ରହଣକଲେ। ଶୂନ୍ୟରୁ ଶବ୍ଦ ହେଲା – ଚୈତନ୍ୟ ସାକ୍ଷାତ୍ ଶ୍ରୀକୃଷ୍ଣ। ତେଣୁ ତାଙ୍କର ସନ୍ନ୍ୟାସ ନାମକରଣ ଶ୍ରୀକୃଷ୍ଣଚୈତନ୍ୟ।
ପ୍ରେମୋନ୍ମାଦନା, କୃଷ୍ଣବିରହ, ରାଧାପ୍ରେମପ୍ରାପ୍ତିଲାଳସା ଦିନୁଦିନୁ ବୃଦ୍ଧି ପାଇବାରେ ଲାଗିଲା। ଭାବଭୋଳା ପ୍ରେମୋନ୍ମତ୍ତ ଶ୍ରୀକୃଷ୍ଣଚୈତନ୍ୟ କଳିର ଯୁଗାବତାର ନଦୀୟାରେ ପାଷଣ୍ଡ ଉଦ୍ଧାର କରି ଚାଲିଲେ କୃଷ୍ଣରୂପୀ ଭଗବାନ ଜଗନ୍ନାଥଙ୍କର ନିତ୍ୟଧାମ ଶ୍ରୀକ୍ଷେତ୍ର ଅଭିମୁଖରେ।
ଏ କି ଭାବାବେଶ ଏ କି ଅଲୌକିକ ଦୃଶ୍ୟ ! ଜଗନ୍ନାଥଦର୍ଶନମାତ୍ରେ ଶ୍ରୀକୃଷ୍ଣଚୈତନ୍ୟଙ୍କର ସର୍ବାଙ୍ଗରେ କମ୍ପଅଶ୍ରୁ ପୁଲକାଦି ଅଷ୍ଟସାତ୍ତ୍ଵିକ ବିକାର ! ଚୈତନ୍ୟ ଏକାବେଳକେ ଚୈତନ୍ୟହୀନ। ପାଦଦେଶର ନିମ୍ନ ଭୂମି ଉପରେ ଶାୟିତ ଶକ୍ତଶିଳା ମଧ୍ୟ ଏହି ଭାବମୟ ଚିନ୍ମୟ ଅବୟବ ସ୍ପର୍ଶରେ ବିଗଳିତ ହୋଇଗଲା। ତାହାର ସ୍କାରକ ଅଦ୍ୟାବଧୂ ଶ୍ରୀମନ୍ଦିରରେ ବିରାଜିତ – ଏହି ପାଞ୍ଚଶତ ବର୍ଷାଧ୍ଵକ କାଳ
ପରେ ମଧ୍ୟ !