ଓଡ଼ିଆ ଖଣ୍ଡ

ସୁରେନ୍ଦ୍ର ମହାନ୍ତି

ଜନ୍ମ : ୨୧.୬.୧୯୨୨,

ମୃତ୍ୟୁ : ୨୧.୧୨.୧୯୯୦ ପ୍ରଥତଯଶା କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ଜନ୍ମ ହୁଏ କଟକ ସହରଠାରୁ ବାର ମାଇଲ୍ ଦୂରରେ ଉତ୍ତରପୂର୍ବ କୋଣରେ ଥ‌ିବା ପୁରୁଷୋତ୍ତମପୁର ଗାଁରେ ୧୯୨୨ ମସିହା ଜୁନ୍ ୨୧ ତାରିଖରେ।

ପିତା ଲୋକନାଥ ମହାନ୍ତି ଓ ମାତା ସୁଶୀଳା ଦେବୀ। ୧୯୩୮ ମସିହାରେ ସାଲେପୁର ହାଇସ୍କୁଲରୁ ମାଟ୍ରିକୁଲେସନ୍ ପାସ୍ କରନ୍ତି। ସେହିବର୍ଷ ‘ଉତ୍କଳସାହିତ୍ୟ’ ପତ୍ରିକାରେ ତାଙ୍କର ପ୍ରଥମଗଳ୍ପ ‘ବନ୍ଦୀ’ ପ୍ରକାଶିତ ହୋଇ ତାଙ୍କର ସାହିତ୍ୟିକ ଜୀବନର ମୂଳଦୁଆ ପଡ଼େ। ପରେ ପରେ କଟକର ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ଲାଭ କରନ୍ତି। ୧୯୪୫ ମସିହାରେ ସ୍ୱନାମଧନ୍ୟ ଓକିଲ ମଧୁମହାନ୍ତିଙ୍କ କନ୍ୟା ରେଣୁକା ଦେବୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି।

୧୯୪୫ ମସିହାରେ ତାଙ୍କରି ସୁଯୋଗ୍ୟ ସମ୍ପାଦନାରେ ‘ଜନତା’ ପ୍ରକାଶିତ ହୁଏ ଏବଂ ସୁରେନ୍ଦ୍ର ମହାନ୍ତି ହୁଅନ୍ତି ତାହାର ପ୍ରତିଷ୍ଠା ସମ୍ପାଦକ। ୧୯୫୫ ରୁ ୧୯୬୦ ପର୍ଯ୍ୟନ୍ତ ସେ ‘ଗଣତନ୍ତ୍ର’ ର ପ୍ରତିଷ୍ଠା ସମ୍ପାଦକ ଭାବେ କାର୍ଯ୍ୟ ନିର୍ବାହ କରନ୍ତି। ୧୯୬୨ ରୁ ୧୯୭୧ ପର୍ଯ୍ୟନ୍ତ ସେ ‘କଳିଙ୍ଗ’ ର ସମ୍ପାଦନା ଦାୟିତ୍ଵରେ ରହନ୍ତି। ୧୯୫୨ ରୁ ୧୯୫୬ ସେ ରହନ୍ତି ରାଜ୍ୟସଭା ସଦସ୍ୟ ଏବଂ ୧୯୭୯-୧୯୮୪ ପର୍ଯ୍ୟନ୍ତ ଦ୍ଵିତୀୟ ବାର ରାଜ୍ୟସଭା ସଦସ୍ୟ। ଓଡ଼ିଶାରୁ ଲୋକସଭା ସାଂସଦ ଭାବେ ସେ ଦୁଇଥର ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ୧୯୫୬ ରୁ ୧୯୬୨ ଏବଂ ଦ୍ଵିତୀୟବାର ୧୯୭୧ ୧୯୮୪ରୁ ୧୯୮୭ ସେ ରହିଛନ୍ତି ‘ସମ୍ବାଦ’ର ମୁଖ୍ୟ ସଂପାଦକ। ୧୯୮୧ ରୁ ୧୯୮୭ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ବ ସଫଳତାର ସହ ସମ୍ପାଦନ କରିଛନ୍ତି।

ଏହି ବହୁମୁଖୀ ପ୍ରତିଭାଧର ସ୍ରଷ୍ଟାଙ୍କର ତିରୋଧାନ ଘଟେ ୧୯୯୦ ମସିହା ଡିସେମ୍ବର ୨୧ ତାରିଖରେ। ତାଙ୍କର ସାରସ୍ବତ ସୃଷ୍ଟି-ସମ୍ବାର ଗୁଡିକ ହେଲା- ଉପନ୍ୟାସ-କଲେଜବୟ (୧୯୪୭), ବଧୂ ଓ ପ୍ରିୟା (୧୯୪୮), ଅନ୍ଧଦିଗନ୍ତ (୧୯୬୪), ନୀଳଶୈଳ (୧୯୬୮), ଶତାବ୍ଦୀର ସୂର୍ଯ୍ୟ (୧୯୭୦), କାଳାନ୍ତର (୧୯୭୨), ହଂସଗୀତି (୧୯୭୫), ଅଚଳାୟତନ (୧୯୭୬), କୁଳବୃଦ୍ଧ (୧୯୭୭), ନୀଳାଦ୍ରି ବିଜୟ (୧୯୮୦), ନେଡି ନେତି (୧୯୮୨), କୃଷ୍ଣାବେଣୀରେ ସଂଧ୍ୟା (୧୯୮୫), ସହସ୍ର ଶଯ୍ୟାର ନାୟିକା (୧୯୫୨), ଆଜୀବର ଅଟ୍ଟହାସ (୧୯୮୭), ଫଟାମାଟି (୧୯୮୮)। ଜୀବନ ସ୍ମୃତି- ପଥ ଓ ପୃଥ‌ିବୀ (ଆତ୍ମଜୀବନୀ) (୧୯୮୬), ଉତ୍କଳ ଯୁଗେ ଯୁଗେ (୧୯୫୯), I Accuse (1982), Lord Jagannath (1982), Madhusudan Das (1982), Dinakrushna Das (1982) ଗଳ୍ପ ସଂକଳନ- ମହାନଗରୀର ରାତ୍ରି (୧୯୫୦), କୃଷ୍ଣଚୂଡା (୧୯୫୧), ରୁଟି ଓ ଚନ୍ଦ୍ର (୧୯୫୪), ଶେଷ କବିତା (୧୯୫୫), ସବୁଜ ପତ୍ର ଓ ଧୂସର ଗୋଲାପ (୧୯୫୮), ମରାଳର ମୃତ୍ୟୁ (୧୯୬୨), ଦୁଇ ସୀମାନ୍ତ (୧୯୭୧), ମହାନିର୍ବାଣ (୧୯୭୩), ଓ କାଲ୍‌କାଟା (୧୯୭୩), କବି ଓ ନର୍ଭକୀ (୧୯୭୫), ମାଂସର କୋଣାର୍କ (୧୯୮୧), ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ (୧୯୮୩), ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ (୧୯୮୬)। ସାହିତ୍ୟ ସମାଲୋଚ଼ନା- ଫକୀରମୋହନ (୧୯୫୦), ଫକୀରମୋହନ ସମୀକ୍ଷା (୧୯୫୫), ଓଡ଼ିଆ ସାହିତ୍ୟର ଆଦିପର୍ବ (୧୯୬୩), ଓଡ଼ିଆ ସାହିତ୍ୟର ମଧ୍ୟପର୍ବ (୧୯୬୮), ଓଡ଼ିଆ ସାହିତ୍ୟର କ୍ରମବିକାଶ (୧୯୭୮), ସାହିତ୍ୟ ଓ ସମାଜ (୧୯୭୯)। ଭ୍ରମଣ କାହାଣୀ- ପେକିଂ ଡାଏରୀ(୧୯୫୯)। ରେଡ଼ିଓ ନାଟକ –ପୃଥ୍ବୀବଲ୍ଲଭ (୧୯୪୪), ବାପୁ (୧୯୭୧)। ଅନ୍ୟାନ୍ୟ– ସୁରେନ୍ଦ୍ର ସଞ୍ଚୟନ (୧୯୬୭), ସୁରେନ୍ଦ୍ର ବିଚିତ୍ରା (୧୯୬୭), ଦେଶଦ୍ରୋହୀ କିଏ? ଶେଷ ସ୍ତମ୍ଭ (୧୯୮୮)।

ନବମଶ୍ରେଣୀ ସାହିତ୍ୟବହିରେ ତାଙ୍କ ଲିଖିତ ଗଳ୍ପ ‘ପତାକା ଉତ୍ତୋଳନ’ ସ୍ଥାନ ପାଇଛି। ଏଥ‌ିରେ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସରଙ୍କର ଦାୟିତ୍ବବୋଧକୁ ଯେପରି ବର୍ଣ୍ଣନା କରାଯାଇଛି, ସେହିପରି ଜଣେ ଦେଶପ୍ରେମୀର ଦେଶପ୍ରେମଭାବକୁ ମନୋଜ୍ଞ ଶୈଳୀରେ ଉପସ୍ଥାପନ କରାଯାଇଛି।

About the author

हिंदीभाषा

Leave a Comment

You cannot copy content of this page